Unknown

 

 

 

 

 

 

 

 

 

 

 

ମୃତ୍ୟୁର ଡାକ

ଆଶୁତୋଷ ରାୟ

 

ମୃତ୍ୟୁପରି ଅମୋଘ—ବଜ୍ରପରି କଠୋର ଯେଉଁ ବୈଜ୍ଞାନିକ ଦସ୍ୟୁକୁ ପାଷାଣ କାରାର ପାଚ୍ରୀର ଅଟକାଇ ରଖିପାରିଲା ନାହିଁ—ତା’ର କ’ଣ ବିନାଶ ନାହିଁ ?

 

ହଁ, ଶେଷରେ ତାର ବିନାଶ ହେଲା ଅଗ୍ନି ରୂପିଣୀ ନାରୀର ରୂପ ବହ୍ନିରେ....

 

ଲେଖକ

★★★

 

କାଠଯୋଡ଼ି କୂଳରେ ଗୋଟିଏ ବିରାଟ ଅଟ୍ଟାଳିକାର ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ସିଂହ । ଓଡ଼ିଶାର ଗୋଟିଏ ଅତି ପୁରାତନ ଜମିଦାର ବଂଶର ସେ ଉତ୍ତରାଧିକାରୀ । ସେ ଦୃଦ୍ଧ କିନ୍ତୁ ଅପୁତ୍ରିକ । ବହୁକୁଟୁମ୍ବ ମୁଖରିତ ତାଙ୍କର ବିରାଟ ସଂସାର । କିନ୍ତୁ ତାଙ୍କ ଜୀବନର ଅନ୍ଦର ମହଲରେ ସେ ସବୁ କଳରବ ପ୍ରବେଶ କରିପାରେ ନାହିଁ । ରହସ୍ୟମୟ ତାଙ୍କ ଜୀବନ । ପ୍ରଚୁର ଧନର ଅଧିକାରୀ ହୋଇ ସୁଦ୍ଧା କ’ଣ ଯେ ତାଙ୍କ ଜୀବନର ଦୁଃଖ ତାହା ଅନ୍ୟ କେହି ଜାଣନ୍ତି ନାହିଁ । ଗୃହିଣୀ ମଧ୍ୟ ନୁହେଁ ।

 

କେବଳ ଜଣକ ସାଙ୍ଗେ ତାଙ୍କର ବନ୍ଧୁଭାବ ଅଛି । ସେ ତାଙ୍କର ପଡ଼ୋଶୀ ବିଜୟ କେତନ । ବିଜୟ ସୁନ୍ଦର ଯୁବକ । ବ୍ୟାୟାମପୁଷ୍ଟ ସୁଦୃଢ଼ ଦେହଟା ତାର ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ । ଚକ୍ଷୁର ତାର ଦୃଢ଼ତାର ଦୀପ୍ତି । ସେ ସୁନ୍ଦର ଇଂରାଜୀ କହିପାରେ । ଗୀତା ଭାଗବତ ପ୍ରଭୃତିର ଅର୍ଥ ମଧ୍ୟ ସେ ଆହୁରି ସୁନ୍ଦର କରିପାରେ । ତାର ପରିଚୟ ରାଜେନ୍ଦ୍ର ବାବୁ ଜାଣନ୍ତି ନାହିଁ–ଜାଣିବାକୁ ଇଚ୍ଛା ମଧ୍ୟ କରି ନାହାନ୍ତି । ଅପୁତ୍ରିକ କାଙ୍ଗାଳ ମନ ତାଙ୍କର ହୁଏତ ଗୋଟିଏ ମଧୁର କଳ୍ପନାର ସ୍ୱପ୍ନରେ ସୁଖପାଏ । ବିଜୟର ପରିଚୟ ଯାହାହେଉ ସେ ଯେ ତାଙ୍କର ପୁତ୍ର ନୁହେଁ–ଏହି ସତ୍ୟର ଆଘାତରେ ସେ ତାଙ୍କର ସ୍ୱପ୍ନ ଭାଙ୍ଗି ଦେବାକୁ ଚାହାନ୍ତି ନାହିଁ । ତାଙ୍କର ନିଜ ଯୁବକ ଦିନର ଛୟା ବିଜୟ ଦେହରେ ପ୍ରତିବିମ୍ବିତ ।

 

ତାଙ୍କ ନିଛାଟିଆ ଜୀବନର ଅନ୍ଦର ମହଲରେ କେବଳ ବିଜୟର ପ୍ରବେଶାଧିକାର ଅଛି । ଦିନେ ଦି’ ପହର ସମୟରେ ରାଜେନ୍ଦ୍ର ବାବୁ ମଧ୍ୟାହ୍ନ ଭୋଜନ ପରେ ବିଶ୍ରାମ କରୁଛନ୍ତି । ଏହି ସମୟରେ ଚାକର ଆସି ଖଣ୍ଡିଏ ଚିଠି ଦେଇଗଲା, ଚିଠିଟି ସାଧାରଣ ଡାକଚିଠି । ଅଳସ ଭାବରେ ଚିଠିଟି ଖୋଲି ରାଜେନ୍ଦ୍ର ବାବୁ ପଢ଼ିଲେ । ସହସା ତାଙ୍କର ମୁଖର ଭାବ ବଦଳି ଗଲା । ଗୋଟିଏ ଅଜ୍ଞାତ ଭୟରେ ତାଙ୍କ ଛାତି ଥରି ଉଠିଲା । ଚିଠିଟି ସଂକ୍ଷିପ୍ତ । ପରିଚ୍ଛନ୍ନ ଅକ୍ଷରରେ ଲେଖା କେତୋଟି କଥା ମାତ୍ର । କମ୍ପିତ ହସ୍ତରୁ ଚିଠିଖଣ୍ଡି ତଳେ ପଡ଼ିଗଲା ତାଙ୍କ ଅଜଣାରେ । ସେ ଚିତ୍କାର କରି ଉଠିଲେ ।

 

ଚିଠିଟି ଅବିକଳ ନିମ୍ନରେ ଉଦ୍ଧୃତ କରାଗଲା—

 

ସ୍ୱର୍ଗଦ୍ୱାର–ପୁରୀ ।

 

ମାନନୀୟ ମହାଶୟ;

 

ଆପଣଙ୍କ ଉପରେ ଆମ ସମିତିର ଅନେକ ପାଉଣା ଅଛି । ମୁଁ ଜାଣେ ଆପଣ ସବୁ ଏକାଠି ଦେଇପାରିବେ ନାହିଁ । ଆପଣଙ୍କ ପରି ମହତ ଲୋକକୁ ଏକାଠି ସବୁ ପାଉଣା ଦେବାକୁ ବାଧ୍ୟ କରିବା ଲାଗି ଆମର ଇଚ୍ଛା ନାହିଁ । ଅନ୍ତତଃ ପୂରା ପାଉଣାର ଏକ ତୃତୀୟାଂଶ—ଅର୍ଥାତ୍‌ ପଚାଶ ହଜାର ଟଙ୍କା ଆପଣଙ୍କୁ ଏକ ସପ୍ତାହ ମଧ୍ୟରେ ଦେବାକୁ ହେବ । ଆସନ୍ତା ମଙ୍ଗଳବାର ଦିନ ବାରଟା ବେଳେ ଆମ ସମିତିର ଜଣେ ସଭ୍ୟ ଆପଣଙ୍କ ଘରେ ପହଞ୍ଚିବ ଓ ପଚାଶ ହଜାର ଟଙ୍କା ବୁଝିନେଇ ଆପଣଙ୍କୁ ରସିଦ ଦେଇ ଆସିବ ।

 

ଆପଣ ଯେପରି ଘରେ ଥା’ନ୍ତି । ସମିତିର ଶୁଭେଚ୍ଛା ଗ୍ରହଣ କରିବେ ।

 

। ଇତି ।

ରମେଶ—

 

ପୁନଶ୍ଚ;—ମୋର ଆପଣଙ୍କୁ ଜଣାଇ ଦେବା ଉଚିତ ଯେ ଦରକାର ହେଲେ ଆମ ସମିତିର ସଭ୍ୟମାନେ ନରହତ୍ୟା କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ ।

 

ପତ୍ରର ଭାଷା ସୁସ୍ପଷ୍ଟ ଓ ତୀକ୍ଷ୍‌ଣ । ରାଜେନ୍ଦ୍ର ବାବୁ ବଡ଼ଲୋକ । ତାଙ୍କର ଦୀର୍ଘ ଜୀବନର ଅଭିଜ୍ଞତାରେ ସେ ବୁଝିଥିଲେ ଯେ ତାଙ୍କୁ କଠୋର ଭାଷା ପ୍ରୟୋଗ କରିବା ଆଉ କାହାରି ପକ୍ଷରେ ଅସମ୍ଭବ । କାରଣ ସେ ଧନୀ । ତାଙ୍କୁ କାହାର କୃପାପ୍ରାର୍ଥୀ ହେବାକୁ ହୁଏ ନାହିଁ । ବର ଅନ୍ୟମାନଙ୍କୁ ସମୟ ସମୟରେ ତାଙ୍କର କୃପାପ୍ରାର୍ଥୀ ହେବାକୁ ହୁଏ । କିନ୍ତୁ ପୃଥିବୀର ଏପରି ଲୋକ ଅଛି ଯେ କି ତାଙ୍କୁ ଏପରି ଭୟ ଦେଖାଇ ସ୍ଥାନ ଓ ସମୟ ମଧ୍ୟ ଜଣାଇ ଦେଇ ତାଙ୍କଠାରୁ ପଚାଶ ହଜାର ଟଙ୍କା ଦାବୀ କରିପାରେ—ଏକଥା ତାଙ୍କୁ ଜଣା ନ ଥିଲା । ରାଜେନ୍ଦ୍ର ବାବୁ ସାହାସୀ ଓ ବଳବାନ । କିଛି ସମୟ ପରେ ତାଙ୍କର ଧାରଣା ହେଲା ଯେ କେହି ବଦଲୋକ ତାଙ୍କୁ ଅକାରଣରେ ଭୟ ଦେଖାଇ ଚିଠି ଲେଖିଛି । ଏଥିରେ କୌଣସି ସତ୍ୟ ଥାଇ ନପାରେ । ଓଡ଼ିଶାର ସର୍ବ ବୃହତ ସହରର—ମୁକ୍ତ ଦିବାଲୋକରେ କେହି ତାଙ୍କର ଘରକୁ ଆସି ତାଙ୍କଠାରୁ ପଚାଶ ହଜାର ଟଙ୍କା ନେଇ ତାଙ୍କୁ ରସିଦ ଦେଇଯିବ—ଏବଂ ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରିବ, ଏ କଥା ତାଙ୍କର ଆଦୌ ବିଶ୍ୱାସ ହେଲା ନାହିଁ ।

 

ଜୋର କରି ଟିକିଏ ହସିଲେ ରାଜେନ୍ଦ୍ର ବାବୁ । ନିଜକୁ ନିଜେ ସାନ୍ତ୍ୱନା ଦେଲେ । ତଥାପି ତାଙ୍କ ମନ ମାନିଲା ନାହିଁ । ଗୋଟିଏ ଅଜ୍ଞାତ ଭୟରେ ଯେପରି ତାଙ୍କ ମନ ମଧ୍ୟରେ ବସା ବାନ୍ଧି ରହିଲା । ସେ ଚିତ୍କାର କରି ଚାକରକୁ ଡାକିଲେ ।

 

ଚାକର ରାମା ଆସି-ସଦାଗମ୍ଭୀର ରାଜେନ୍ଦ୍ର ବାବୁଙ୍କର ଭାବାନ୍ତର ଲକ୍ଷ୍ୟକରି ଆଶ୍ଚର୍ଯ୍ୟ ହେଲା । ରାମା ପୁରୁଣା ଓ ବିଶ୍ୱାସୀଭୃତ୍ୟ । ସେ କିଛି ବୁଝିନପାରି ଛିଡ଼ାହୋଇ ରହିଲା । କିଛିକ୍ଷଣ ପରେ ରାଜେନ୍ଦ୍ର ବାବୁ ହୁକୁମ ଦେଲେ, ‘‘ବିଜୟ ବାବୁଙ୍କୁ ଡାକି ଆଣ ।’’ ରାମା ଆଉ କୌଣସି ଜବାବ ନ ଦେଇ ଚାଲିଗଲା ।

 

କିଛିକ୍ଷଣ ପରେ ବିଜୟ କେତନ ଆସିଲା । ପ୍ରଫୁଲ୍ଲ ବଦନ ମିଷ୍ଟାଳାପି ବିଜୟକୁ ଦେଖି ରାଜେନ୍ଦ୍ର ବାବୁଙ୍କର ସାହସ ହେଲା । ବିଜୟ ଜାଣେ ଯେ ରାଜେନ୍ଦ୍ର ବାବୁ ତାକୁ ଅକାରଣରେ ମଧ୍ୟ ଡାକନ୍ତି । ସେଇଥିପାଇଁ ସେ ରାଜେନ୍ଦ୍ର ବାବୁଙ୍କୁ ଡାକିବାର କାରଣ ନ ପଚାରି ତାଙ୍କ ସମାନରେ ଖଣ୍ଡିଏ ଚୌକିରେ ବସି ପଡ଼ିଲା । ରାଜେନ୍ଦ୍ର ବାବୁ ଚିଠିଖଣ୍ଡି ବିଜୟକୁ ଦେଖାଇଲେ । ସେ ଚିଠିଟି ଦେଖି ଟିକିଏ ହସି ଫେରାଇ ଦେଲା ।

 

ରାଜେନ୍ଦ୍ର ବାବୁ ପଚାରିଲେ, ‘‘କଣ ବୁଝିଲ ବିଜୟ ? ତୁମର କ’ଣ ମନେ ହୁଏ ? ମୋର ମନେ ହୁଏ କେହି ଦୁଷ୍ଟ ଲୋକ ମଜ୍ଜା କରିବା ପାଇଁ ଏ ଚିଠି ଲେଖିଛି ?’’

 

ବିଜୟ ପୁଣି ଥରେ ଚିଠିଟି ପଢ଼ି ଜବାବ ଦେଲା, ‘‘ମୋର ମଧ୍ୟ ସେହିପରି ମନେ ହୁଏ । ଏପରି ହେବା ଅସମ୍ଭବ । ତଥାପି ଆପଣଙ୍କୁ ସାବଧାନ ହେବାକୁ ହେବ । ପୁଲିସକୁ ଖବର ଦିଅନ୍ତୁ-।’’

 

ରାଜେନ୍ଦ୍ର ବାବୁ କହିଲେ, ‘‘ବେଶ୍‌ ମୁଁ ଟାଉନ ପୁଲିସରେ, ଖବର ଦେବି । ମଙ୍ଗଳବାର ଆଉ ପାଞ୍ଚଦିନ ରହିଲା । କିନ୍ତୁ ମୁଁ ଭାବୁଛି ଆମମାନଙ୍କୁ ଅପଦସ୍ତ ହେବାକୁ ହେବ ଏବଂ ଆମମାନଙ୍କର ଆୟୋଜନ ଦେଖି ପତ୍ର ଲେଖକ ମନେ ମନେ ଖୁବ ହସିବ ।’’

 

କିଛିକ୍ଷଣ ଅନ୍ୟାନ୍ୟ କଥାବାର୍ତ୍ତା ପରେ ବିଜୟ ବିଦାୟ ନେଲା ଓ ରାଜେନ୍ଦ୍ର ବାବୁ ଟାଉନ ଥାନା ଆଡ଼େ ବାହାରିଲେ ।

 

X X X

 

ରାଜେନ୍ଦ୍ର ବାବୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ଧନୀ । ଥାନାର ଇନ୍‌ସପେକ୍‌ଟର ଭବାନୀ ବାବୁ ତାଙ୍କୁ ଜାଣନ୍ତି । ହଠାତ୍‌ ରାଜେନ୍ଦ୍ର ବାବୁଙ୍କୁ ଖରାବେଳେ ତାଙ୍କ ଅଫିସରେ ହାଜର ହେବା ଦେଖି ଭବାନୀ ବାବୁ ଆଶ୍ଚର୍ଯ୍ୟ ହେଲେ । ରାଜେନ୍ଦ୍ର ବାବୁ ଆସନ ଗ୍ରହଣ କରି ବିନା ଭୂମିକାରେ ଭବାନୀ ବାବୁଙ୍କୁ ସବୁ କହିଗଲେ । ସବୁ ଶୁଣି ଓ ଚିଠିଟି ଦେଖି ଭବାନୀ ବାବୁ ହସିଲେ । କହିଲେ, ‘‘ରାଜେନ୍ଦ୍ର ବାବୁ, କେହି ଆପଣଙ୍କ ସଙ୍ଗେ ଥଟ୍ଟା କରିଛି । କିଛି ଭାବନ୍ତୁ ନାହିଁ । ଏପରି ନରହନ୍ତା ସମିତିର ଚିହ୍ନ ଓଡ଼ିଶାର କେଉଁଠାରେ ନାହିଁ । ଆପଣ ନିଶ୍ଚିନ୍ତ ରହନ୍ତୁ ।’’

 

କିନ୍ତୁ ରାଜେନ୍ଦ୍ର ବାବୁ ସନ୍ତୁଷ୍ଟ ହେଲେ ନାହିଁ । ଭବାନୀ ବାବୁ ବହୁଦର୍ଶୀ ପୁଲିସ ଇନ୍‌ସପେକ୍‌ଟର । ରାଜେନ୍ଦ୍ର ବାବୁଙ୍କୁ ଅସନ୍ତୁଷ୍ଟ ଦେଖି ସେ କହିଲେ, ‘‘ଆଚ୍ଛା ଯା’ନ୍ତୁ, ମଙ୍ଗଳବାର ଦିନ ଆପଣଙ୍କ ଘରେ ପୁଲିସ ପ୍ରହରା ଦେବ । ଯଦି ପତ୍ର ଲେଖକ ପ୍ରକୃତରେ ରସିଦ ଦେଇ ପଚାଶ ହଜାର ଟଙ୍କା ଆପଣଙ୍କ ଠାରୁ ନେବାକୁ ଆସେ, ତେବେ ତା ହାତରେ ହାତକଡ଼ି ଦେବାର ବନ୍ଦୋବସ୍ତ ମୁଁ କରିବି ।’’

 

X X X

 

କ୍ରମେ ଗୁରୁବାର, ଶୁକ୍ରବାର, ଶନିବାର ଓ ରବିବାର ହେଲା । ରାଜେନ୍ଦ୍ର ବାବୁଙ୍କ ଭୟ କ୍ରମେ କମି ଆସିଲା । ଅଭ୍ୟାସରେ ସବୁ ବିଷୟ ସହ୍ୟ ହୋଇଯାଏ । କିନ୍ତୁ ସୋମବାର ଦିନ ହଠାତ୍‌ ତାଙ୍କର ମନେହେଲା ଯେ ପତ୍ରରେ ଲେଖା ହୋଇଥିବା ମଙ୍ଗଳବାର ଆଉ କତୋଟି ଘଣ୍ଟା ମାତ୍ର । ଗୋଟିଏ ଅଜ୍ଞାତ ଭୟ ପୁଣି ତାଙ୍କୁ ଗ୍ରାସ କଲା । ଇନ୍‌ସପେକ୍‌ଟର ଭବାନୀ ବାବୁ ହୁଏତ ଭୁଲି ଯାଇଥିବେ । ପୁଣି ଥରେ ତାଙ୍କ ନିକଟକୁ ସେ ବାହାରିଲେ ।

 

ନିର୍ବିକାର ହସ ହସି ଭବାନୀ ବାବୁ ରାଜେନ୍ଦ୍ର ବାବୁଙ୍କୁ ଅଭ୍ୟର୍ଥନା କଲେ ।

 

‘‘ଏତେବେଳେ କୁଆଡ଼େ ରାଜେନ୍ଦ୍ର ବାବୁ ?’’ ଭବାନୀ ବାବୁ ପଚାରିଲେ ।

 

ପୁଲିସର କର୍ତ୍ତବ୍ୟଜ୍ଞାନ ଦେଖି ରାଜେନ୍ଦ୍ର ବାବୁଙ୍କର ଭୀଷଣ ରାଗ ହେଲା । ତାଙ୍କର ଧନ ଓ ଜୀବନ ଯିବା ଉପରେ । ଏ କଥା ପୁଲିସଙ୍କୁ ଯଥା ସମୟରେ ଜଣାଇବା ସତ୍ତ୍ୱେ ଓ ଭବାନୀ ବାବୁ ତାଙ୍କର ଆସିବାର କାରଣଟା ବୁଝି ନ ପାରି ପଚାରୁଛନ୍ତି, ଏତେବେଳେ କୁଆଡ଼େ— ?

 

ଯାହାହେଉ ରାଜେନ୍ଦ୍ର ବାବୁ ହିସାବୀ ଲୋକ । ବର୍ତ୍ତମାନ ତାଙ୍କର ବିପଦ ସମୟ । ପୁଲିସର ସାହାଯ୍ୟ ତାଙ୍କର ନିତାନ୍ତ ପ୍ରୟୋଜନ । ପୁଲିସର କର୍ତ୍ତବ୍ୟଜ୍ଞାନ ଉପରେ କଟୁକ୍ତି ନ କରି ସେ ନମ୍ର ଭାବରେ ତାଙ୍କର ଆସିବାର କାରଣ ଜଣାଇଲେ ।

 

ଭବାନୀ ବାବୁ ଉଚ୍ଚହାସ୍ୟ କରି କହିଲେ, ‘‘ରାଜେନ୍ଦ୍ର ବାବୁ ଆପଣଙ୍କର ସେ ଭୟ ଏ ପର୍ଯ୍ୟନ୍ତ ଭାଙ୍ଗିନାହିଁ ! ଆପଣ ଏ ପର୍ଯ୍ୟନ୍ତ ବୁଝିପାରି ନାହାନ୍ତି ଯେ ସେ ପତ୍ର ଦୁଷ୍ଟ ଲୋକର ମଜ୍ଜାଦେଖିବା ଉଦ୍ଦେଶ୍ୟ ମାତ୍ର ?’’

 

ଭାବାନୀ ବାବୁଙ୍କ କଥା ଶୁଣି ରାଜେନ୍ଦ୍ର ବାବୁ ହତାଶ ହେଲେ । ବିରକ୍ତ ମଧ୍ୟ ହେଲେ । କହିଲେ, ‘‘ଦେଖନ୍ତୁ ଭବାନୀ ବାବୁ, ଆପଣଙ୍କ ଅନୁମାନ ସତ୍ୟ ହେବା ସମ୍ଭବ ଏବଂ ଉରିତ ମଧ୍ୟ । ତଥାପି ଚିଠି ଖଣ୍ଡି ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ । ଯେହେତୁ ସେ ଖଣ୍ଡି ଏପର୍ଯ୍ୟନ୍ତ ମୋର ପକେଟରେ ବିଦ୍ୟମାନ । ଆପଣଙ୍କ ଅଭିଜ୍ଞତାକୁ ମୁଁ ଶ୍ରଦ୍ଧା କରେ । କିନ୍ତୁ ମୋର କହିବାର ଉଦ୍ଦେଶ୍ୟ—ଆପଣଙ୍କର ଦୀର୍ଘ ଜୀବନର ଅଭିଜ୍ଞତାରେ ଯାହା ଆପଣ ଦେଖି ନାହାନ୍ତି, ଆପଣଙ୍କର କ’ଣ ବିଶ୍ୱାସ ଯେ ଭବିଷ୍ୟତରେ ତାହା ହେବା ଅସମ୍ଭବ ? ଆପଣମାନେ ସାବଧାନ ଥିବା ସତ୍ତ୍ୱେ ଓ ଯଦି ଚିଠିର ଭାଷା କାର୍ଯ୍ୟରେ ପରିଣତ ନ ହୁଏ, ତେବେ କ’ଣ ଆପଣଙ୍କର କିଛି କ୍ଷତି ହେବ ? କିନ୍ତୁ ଆପଣଙ୍କର ଅବିଶ୍ୱାସର ପରିଣତିରେ ଯଦି ତାହା ପ୍ରକୃତରେ ସତ୍ୟ ହୁଏ ତେବେ ମୋର ଯେ କି କ୍ଷତି ହେବ ଭାବି ପାରୁଛନ୍ତି କି ? ଏପରି ତ ହୋଇପାରେ ଯେ ଶତ୍ରୁ ଜାଣେ ତାର ଏପରି ଅଦ୍ଭୁତ ପତ୍ର ଦେଖି ପୁଲିସ ଅବିଶ୍ୱାସ କରିବେ ଏବଂ ତାହାହିଁ ହେବ ତାର ସୁଯୋଗ ।’’

 

ରାଜେନ୍ଦ୍ର ବାବୁଙ୍କ ଉକ୍ତି ଭବାନୀ ବାବୁ ଧୀର ଭାବରେ ଶୁଣିଲେ ।

 

ତଥାପି ତାଙ୍କର ନିଜ ଅଭିଜ୍ଞତା ଉପରେ ବିଶ୍ୱାସ କମିଲା ନାହିଁ । ଏହାକି କେବେ ହେଲେ ସମ୍ଭବ ? ଦିନ ୧୨ଟା ବେଳେ—କାଠଯୋଡ଼ି କୂଳ ଉପରେ ନିଜ ବହୁଳ ସ୍ଥାନରେ ଚୋର ପଚାଶ ହଜାର ଟଙ୍କା ଚୋରି କରି ନେଇଯିବ ଏବଂ ଏପରି ଅଦ୍ଭୁତ ଚୋର ଆଗରୁ ଚିଠି ଲେଖି ସତର୍କ କରିବ ? ଭବାନୀ ବାବୁ ଏପରି ଅଦ୍ଭୁତ ଗଳ୍ପ ବହିରେ ପଢ଼ିଛନ୍ତି, କିନ୍ତୁ ବାସ୍ତବ ଜୀବନରେ ଏହା ହୁଏ ନାହିଁ ।

 

କିନ୍ତୁ ସେ ପ୍ରବୀଣ ଓ ବିଚକ୍ଷଣ ପୁଲିସ କର୍ମଚାରୀ । ସେ ବୁଝିଲେ ଯେ ରାଜେନ୍ଦ୍ର ବାବୁ ଅତ୍ୟନ୍ତ ଭୀତ ହୋଇଛନ୍ତି । ଭବାନୀ ବାବୁ ତାଙ୍କୁ ଯଥେଷ୍ଟ ଆଶ୍ୱାସନା ଦେଇ କହିଲେ, ‘‘ଆପଣ ଯା’ନ୍ତୁ ରାଜେନ୍ଦ୍ର ବାବୁ, କାଲି ସକାଳ ୧୦ଟା ବେଳେ ମୁଁ ନିଜେ ଆପଣଙ୍କ ଘରେ ଉପସ୍ଥିତ ହେବି ।’’

 

ରାଜେଂଦ୍ର ବାବୁ ତାଙ୍କ କଥାରେ ଖୁସିହୋଇ ଫେରିଲେ ।

 

ତା ପରଦିନ ସକାଳ ୮ଟା ।

 

ରାଜେଂଦ୍ର ବାବୁ ନିଛାଟିଆ ଘରେ ଅତ୍ୟନ୍ତ ଅଶ୍ୱସ୍ତି ବୋଧ କଲେ । ଗୋଟିଏ ଛାୟାରୂପୀ ଅଜ୍ଞାତ ବିଭୀଷିକା ଯେପରି ଅଟ୍ଟାଳିକାର ବିଭିନ୍ନ ସ୍ଥାନରେ ବୁଲୁଛି । ଚିଠିଟି ପକେଟରୁ ବାହାର କରି ଥରେ ପଢ଼ିଲେ । ଛାତି ଥରି ଉଠିଲା । ଘଡ଼ିକି ଚାହିଁ ଦେଖିଲେ ଭବାନୀବାବୁ ଆସିବାକୁ ଆହୁରି ୨ଘଣ୍ଟା ବାକି । ଅବଶ୍ୟ ଯଦି ସେ ଆଗପରି ଭୁଲି ଯାଇନଥାନ୍ତି ।

 

ଚାକରକୁ ଡାକି ହୁକୁମ ଦେଲେ ‘‘ବିଜୟ କେତେନକୁ ଡାକିଆଣ ।’’

 

ପ୍ରାୟ ପାଞ୍ଚ ମିନିଟ ପରେ ବିଜୟକେତନ ପ୍ରବେଶ କଲା । ରାଜେନ୍ଦ୍ର ବାବୁ ଟିକିଏ ଆଶ୍ୱସ୍ତ ହେଲେ । ବିଜୟ ରାଜେନ୍ଦ୍ର ବାବୁଙ୍କୁ ଏପରି ବିଚଳିତ ଦେଖି ଆଶ୍ଚର୍ଯ୍ୟ ହେଲା । ରାଜେନ୍ଦ୍ର ବାବୁ ତାକୁ ବସିବାକୁ କହି ପଚାରିଲେ, ‘‘ତୁମର ମନେଅଛି ବିଜୟ—ଆଜି ମଙ୍ଗଳବାର ?’’ ମଙ୍ଗଳବାର ସଙ୍ଗରେ ରାଜେନ୍ଦ୍ର ବାବୁଙ୍କର ଏପରି ବିଚଳିତ ହେବାର ସମ୍ବନ୍ଧ କ’ଣ ବିଜୟ ଯେପରି ବୁଝି ନ ପାରି ଆଶ୍ଚର୍ଯ୍ୟ ହୋଇ ଚାହିଁଲା । ରାଜେନ୍ଦ୍ର ବାବୁ ବିଜୟକୁ ମଧ୍ୟ ତାଙ୍କ ବିପଦରେ ପୁଲିସ ପରି ଉଦାସୀନ ଦେଖି ଟିକିଏ ବିରକ୍ତ ହେଲେ । କହିଲେ, ‘‘ସେ ଚିଠି କଥା ତୁମର ମନେ ନାହିଁ ?’’ ବିଜୟ ଯେପରି ଏତେବେଳେ ବୁଝିପାରିଲା । ‘‘ଓହୋ’’ କହି ଟିକିଏ ହସି ପଚାରିଲା—‘‘ଆପଣ ସତେ କଣ ତାହା ବିଶ୍ୱାସ କଲେ ?’’

 

ରାଜେନ୍ଦ୍ର ବାବୁ ଟିକିଏ ବିରକ୍ତ ହୋଇ ଜବାବ ଦେଲେ, ‘‘କୌଣସି ବିପଦର ଆଶଙ୍କାଟାକୁ ବିଶ୍ୱାସ କରି ସାବଧାନ ହେବା ଅପେକ୍ଷା ଅବିଶ୍ୱାସ କରି ଅସାବଧାନ ହେବା ନିର୍ବୋଧର କାର୍ଯ୍ୟ । ତୁମର କଣ ବିଶେଷ କିଛି କାମ ଅଛି ?’’

 

‘‘ନାହିଁ ! କାହିଁକି ?’’ ବିଜୟ ଜବାବ୍‌ ଦେଲା ।’’

 

‘‘ତୁମେ ଆଜି ମୋରି ପାଖରେ ଥାଅ । ଦିନ ଗୋଟାଏ ପର୍ଯ୍ୟନ୍ତ ।’’ ଆବେଶର ଇଙ୍ଗିତରେ ରାଜେନ୍ଦ୍ର ବାବୁ କହିଲେ ।

 

ବିଜୟ ରାଜେନ୍ଦ୍ର ବାବୁ କଥା କେବେ ହେଲେ ଭାଙ୍ଗେ ନାହିଁ । ବାଧ୍ୟ ହୋଇ ସେହିଠାରେ ସେ ବସି ରହିଲା । ବାଚାଳ ବିଜୟକେତନକୁ ବାଧ୍ୟ ହୋଇ ଚୁପକରି ବସି ରହିବାକୁ ପଡ଼ିଲା । କାରଣ ରାଜେନ୍ଦ୍ର ବାବୁ ଅତ୍ୟନ୍ତ ଅସ୍ଥିର । ଘରଯାକ ବୁଲୁଥାନ୍ତି—ପୁଣି ଆସି ଚୌକିରେ ବସୁଥାଆନ୍ତି-

 

କ୍ରମେ ଦଶଟା ବାଜିଲା । ଇନ୍‌ସପେକ୍‌ଟର ଭବାନୀବାବୁ ଆସି ପହଞ୍ଚିଲେ । ପୁଲିସର ପୁରା ପୋଷାକରେ ଗୋଟିଏ ରିଭଲଭର ଝୁଲାଇ ଉଦ୍ଧତ ପଦକ୍ଷପରେ ଭବାନୀବାବୁ ଘରେ ପଶିଲେ । ତାଙ୍କୁ ଦେଖି ରାଜେନ୍ଦ୍ର ବାବୁଙ୍କର ମନରେ ସାହସ ହେଲା । ଭବାନୀ ବାବୁ ସେହିପରି ହସି ହସି କହିଲେ ‘‘ଦେଖନ୍ତୁ ରାଜେନ୍ଦ୍ର ବାବୁ, ଆପଣଙ୍କର ଭୟ ‘‘ଯେ ସମ୍ପୂର୍ଣ୍ଣ ଅମୂଳକ—ତାର ପ୍ରମାଣ’’ ଏହା କହି ପକେଟରେ ଖଣ୍ଡିଏ ଟେଲିଗ୍ରାଫ ବାହାର କରି ଟେବୁଲ ଉପରେ ପକାଇଲେ । ଏହା ପୁରୀ ପୁଲିସର ତାର । ଲେଖାଅଛି, ‘‘ପୁରୀ ସ୍ୱର୍ଗଦ୍ୱାରରେ ରମେଶ ବୋଲି କେହି ଲୋକନାହିଁ-।’’

 

ରାଜେନ୍ଦ୍ର ବାବୁ ତାରଟି ପଢ଼ି ଭବାନୀ ବାବୁଙ୍କ ଆଡ଼େ ଚାହିଁଲେ । ଭବାନୀ ବାବୁ ଗର୍ବିତ ହସ ହସି କହିଲେ ‘‘ମୋ କଥା ସତ କି ମିଛ ଦେଖିଲେ ?’’

 

ରାଜେନ୍ଦ୍ର ବାବୁ କିଛି ଜବାବ ଦେବା ପୂର୍ବରୁ ପୁଣି ସେ କହିଲେ—‘‘ତଥାପି ମୁଁ ଆସିଛି । ଆପଣଙ୍କ ଘର ଚାରିପଟେ ପୁଲିସ ପ୍ରହରୀ ଜଗି ରହିଛନ୍ତି ।’’

 

ରାଜେନ୍ଦ୍ର ବାବୁ କୃତଜ୍ଞତାର ହସ ହସି କହିଲେ ‘‘ଆପଣଙ୍କୁ ବିଶେଷ ଧନ୍ୟବାଦ ।’’

 

ରାଜେନ୍ଦ୍ର ବାବୁଙ୍କୁ ପ୍ରକୃତିସ୍ଥ ଦେଖି ବିଜୟକେତନ ଉଠି ଛିଡ଼ା ହୋଇ ତାଙ୍କୁ ପଚାରିଲା, ‘‘ମୁଁ ତେବେ ଏଥର ଯାଏ ।’’ ଭବାନୀ ବାବୁ ଆସିଛନ୍ତି । ଆପଣଙ୍କର ଆଉ ଭୟ କଣ ?’’ ରାଜେନ୍ଦ୍ର ବାବୁ ବିଜୟ ଆଡ଼କୁ ଚାହିଁଲେ । ତାପରେ କିଛି ଜବାବ ଦେଲେ ‘‘ନା ବିଜୟ, ତୁମେ ଥାଅ ।’’

 

ଭବାନୀବାବୁ ରିଭଲଭରଟି ବେଲ୍‌ଟରୁ ଖସାଇ ଟେବୁଲ ଉପରେ ରଖି ଥରେ ବିଜୟ ଆଡ଼କୁ ଚାହିଁଲେ । ତାପରେ ଥରେ ପ୍ରଶ୍ନ ସୂଚକ ଦୃଷ୍ଟିରେ ରାଜେନ୍ଦ୍ର ବାବୁଙ୍କୁ ଚାହିଁଲେ । ଅର୍ଥାତ ‘‘ଏ କିଏ ?’’ ।

 

ରାଜେନ୍ଦ୍ର ବାବୁ ବିଜୟକୁ ଚିହ୍ନାଇ ଦେଲେ, ଏ ମୋର ପଡ଼ୋଶୀ । ଅତି ସୁନ୍ଦର ପିଲାଟି । ପ୍ରାୟ ମୋ ନିକଟକୁ ଆସେ । ଆପଣ ଆସିବା ପୂର୍ବରୁ ମୁଁ ତାକୁ ଡକାଇଥିଲି ।

 

ଭବାନୀ ବାବୁ ଆଉ କିଛି ଜବାବ ନ ଦେଇ ଗମ୍ଭୀର ଭାବରେ ସିଗାରେଟ ଟାଣିବାକୁ ଲାଗିଲେ । କିଛିକ୍ଷଣ ପରେ ପଚାରିଲେ ‘‘ହଁ—ଆପଣଙ୍କର ସିନ୍ଦୂକଟି କେଉଁ ଘରେ ଅଛି ? ମୋର ଥରେ ସେଇଟି ପରୀକ୍ଷା କରିବା ଉଚିତ ।

 

ରାଜେନ୍ଦ୍ର ବାବୁ ଉଠି କହିଲେ ‘‘ଏହି ଘରେ ଭବାନୀ ବାବୁ । ଏହି ଘରେ ଭବାନୀ ବାବୁ । ଏହି ପଥର କାନ୍ଥ ସଙ୍ଗେ ଲୁହା ସିନ୍ଦୂକଟି ସଂଲଗ୍ନ । ଚାଲନ୍ତୁ ମୁଁ ଆପଣଙ୍କୁ ତାହା ଦେଖାଉଛି ।’’

 

ନିକଟସ୍ଥ ପଥର କାନ୍ଥ ସଂଲଗ୍ନ ଲୁହା ସିନ୍ଦୁକଟି ଦୁଇଟି ବିଭିନ୍ନ ମଜଭୁତ ଲୁହା ଚାବିରେ ରାଜେନ୍ଦ୍ର ବାବୁ ଖୋଲିଲେ । ନୋଟ ଓ ସ୍ୱର୍ଣ୍ଣ ହୀରାକାଦି ଅଳଙ୍କାରର ଥାକ ସିନ୍ଦୁକଟିରେ ସଜା ହୋଇ ରଖା ହୋଇଛି । ରାଜେନ୍ଦ୍ର ବାବୁ ତାଙ୍କ ଆଜୀବନର ସଞ୍ଚିତ ଅର୍ଥ ଆଡ଼େ ଲୋଲୁପ ଦୃଷ୍ଟିରେ ଦୁଇ ମିନିଟ ଚାହିଁ ରହିଲେ । ତାପରେ ଗୋଟିଏ ଦୀର୍ଘଶ୍ୱାସ ପକାଇ ଭବାନୀ ବାବୁଙ୍କ ଆଡ଼େ ଚାହିଁଲେ । ଭବାନୀ ବାବୁଙ୍କ ନିର୍ଦ୍ଦେଶରେ ରାଜେନ୍ଦ୍ର ବାବୁ ପୁଣି ସଯତ୍ନରେ ଲୁହା ସିନ୍ଦୁକଟି ବନ୍ଦ କରି ଚାବିକାଟି ନିଜ ପକେଟରେ ରଖିଲେ । ତା’ପରେ ଆସି ଉଭୟେ ଚୌକିରେ ବସିଲେ ।

 

ନିର୍ଜନ ଘରଟିରେ ଖଣ୍ଡିଏ ଟେବୁଲର ତିନୋଟି ନିର୍ବାକ ମାନବ । ତିନିଜଣକର ଭାବନାର ଧାରା ବିଭିନ୍ନ । ରାଜେନ୍ଦ୍ର ବାବୁ ଭାବୁଥିଲେ କିପରି ସେ ବିପଦଜନକ ମୁହୂର୍ତ୍ତଟି ନିର୍ବିଘ୍ନରେ ପାରିହେବେ । ଭବାନୀ ବାବୁ ଭାବୁଥିଲେ ଆଉ କିଛିକ୍ଷଣ ପରେ ସେ ରାଜେନ୍ଦ୍ର ବାବୁଙ୍କୁ ଅପଦସ୍ଥ କରିବାର ଓ ନିଜର ଅଭିଜ୍ଞତା ଓ ବୁଦ୍ଧିର ବାହାଦୁରି କରିବାର ସୁବିଧା ପାଇବେ ।

 

ଆଉ ବିଜୟକେତନ ? ତା’ର ଭାବନା ହୁଏତ ଏ ଦୁଇଟିର କୌଣସିଟି ନୁହେଁ ।

 

ନିସ୍ତବ୍‌ଧ ଘରଟିରେ କେବଳ କାନ୍ଥ ଘଡ଼ିଟିର ଟକ୍‌ ଟକ୍‌ ଶବ୍ଦ । ମଝିରେ ମଝିରେ କାଠଯୋଡ଼ି କୂଳ ସଡ଼କ ଉପରେ ମଟର ଓ ଘୋଡ଼ାଗାଡ଼ିର ଶବ୍ଦ । ଘଡ଼ିରେ ଠନ୍‌ କରି ଗୋଟିଏ ଶବ୍ଦ ହେଲା । ସମସ୍ତେ ଚାହିଁ ଦେଖିଲେ ସାଢ଼େ ଏଗାରଟା, ଆଉ ମୋଟେ ୩୦ ମିନିଟ ବାକି ।

 

ଆହୁରି କିଛିକ୍ଷଣ ଗଲା ।

 

ତା’ପରେ ସମସ୍ତଙ୍କ ଅଜଣାରେ ଆହୁରି ଅନେକକ୍ଷଣ କଟିଗଲା । ରାଜେନ୍ଦ୍ର ବାବୁଙ୍କୁ କିପରି ତନ୍ଦ୍ରା ଲାଗି ଆସିଥିଲା । କାନ୍ଥ ଘଡ଼ିର ପୁଣି ଗୋଟିଏ ଶବ୍ଦରେ ତନ୍ଦ୍ରା ଭାଙ୍ଗିଗଲା । ସେ ଚମକି ପଡ଼ି ଘଡ଼ିକୁ ଚାହିଁ ଦେଖିଲେ ‘ଗୋଟାଏ’ । ଆଶ୍ଚର୍ଯ୍ୟ ହୋଇଗଲେ । ଏତେବେଳଯାଏଁ ସେ ଶୋଇପଡ଼ିଥିଲେ । ଭବାନୀ ବାବୁ ଓ ବିଜୟକୁ ଚାହିଁ ଦେଖିଲେ ଉଭୟେ ନିଜ ନିଜ ଚୌକିରେ ତନ୍ଦ୍ରାଭିଭୂତ । ଗୋଟାଏ ଅଜଣା ଆତଙ୍କ ତାଙ୍କୁ ଅଭିଭୂତ କଲା । ସେ ଚିତ୍କାର କରି ଡାକି ଉଠିଲେ ‘‘ଭବାନୀ ବାବୁ ।’’ ଭବାନୀ ବାବୁ ହଠାତ୍‌ ଉଠିପଡ଼ି ତାଙ୍କ ପିସ୍ତଲଟାକୁ ଧରି ପକାଇଲେ । ବିଜୟକେତନ ଉଠିପଡ଼ି ଆଖି ମଳିଲା ।

 

ଭବାନୀ ବାବୁ ଘଡ଼ିକୁ ଚାହିଁ କହିଲେ ‘‘ଆରେ—ଏତେବେଳେ ଯାଏଁ ଶୋଇପଡ଼ିଥିଲି । ଗୋଟାଏ ତ ବାଜି ଗଲାଣି—ଆଉ କ’ଣ । ମୋ କଥା-

 

ଭବାନୀ ବାବୁଙ୍କ କଥା କହିବାକୁ ନ ଦେଇ ରାଜେନ୍ଦ୍ରବାବୁ ନିଜ ଛାତି ପକେଟରେ ହାତ ପୂରାଇ ଲୁହା ସିନ୍ଦୂକର ଚାବି ଦୁଇଟି କାଢ଼ି ଟେବୁଲ ଉପରେ ରଖିଲେ । ତା ସଙ୍ଗେ ଖଣ୍ଡେ କାଗଜ ମଧ୍ୟ ପକେଟରୁ ବାହାରି ଆସିଲା । ରାଜେନ୍ଦ୍ର ବାବୁଙ୍କ ପୂର୍ବେ କାଗଜ ନ ଥିଲା । ଆସିଲା କେଉଁଠୁ ? ଆଶ୍ଚର୍ଯ୍ୟ ହୋଇ କାଗଜଟି ଉଠାଇ ନେଇ ରାଜେନ୍ଦ୍ର ବାବୁ ଦେଖିଲେ । ତାଙ୍କର ହାତରେ ଲେଖା । ତଳ ଦସ୍ତଖତ ଦେଖି ତାଙ୍କର ମୁଣ୍ଡ ବୁଲିଗଲା । ଚାରିଆଡ଼େ ଅନ୍ଧାର ଦିଶିଲା । କାଗଜ ଖଣ୍ଡି ହାତରୁ ଟେବୁଲ ଉପରେ ପଡ଼ିଗଲା । ରାଜେନ୍ଦ୍ର ବାବୁ ବେହୋସ ହୋଇ ସେହି ଚୌକି ଉପରେ ପଡ଼ିଗଲେ-

 

ବିଜୟ ଓ ଭବାନୀ ବାବୁ ଆଶ୍ଚର୍ଯ୍ୟ ହୋଇଗଲେ । କାଗଜ ଖଣ୍ଡିକ ଉଠାଇ ନେଇ ଭବାନୀ ବାବୁ ପଢ଼ିଲେ ।

 

ଶ୍ରୀ ରମେଶଚନ୍ଦ୍ର ଦାସ ପଚାଶ ହଜାର ଟଙ୍କା ରାଜେନ୍ଦ୍ରବାବୁଙ୍କ ଠାରୁ ଆଜି ଦିନ ୧୨ଟା ବେଳେ ଗ୍ରହଣ କରି, ଏହି ରସିଦ ଲେଖି ଦେଇଛି କି ଦରକାରବେଳେ କର୍ମରେ ଆସିବ ।

 

ସଭ୍ୟତାର ବିଭିନ୍ନ ଅଗ୍ରଗତି ସଙ୍ଗେ ସଙ୍ଗେ କଟକରେ ଗୋଟିଏ ନୂଆ ରକମର ବ୍ୟବସାୟ ଆରମ୍ଭ ହୋଇଛି । ବକ୍‌ସିବଜାରର ଗୋଟିଏ ପକାଣ୍ଡ କୋଠା ସାମନାରେ ସାଇନ୍‌ ବୋର୍ଡ଼ ଝୁଲାଇ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି—‘Santun Das private detective’’ କଟକର ସବୁ ଖବର କାଗଜରେ କେତେ ଦିନ ଧରି ଏ ବିଷୟରେ ବଡ଼ ବଡ଼ ବିଜ୍ଞାପନ ବାହାରୁଛି । ସମ୍ପାଦକୀୟ ମନ୍ତବ୍ୟରେ ମଧ୍ୟ କେତେକ ଖବର କାଗଜ ଏ ବିଷୟରେ ସମାଲୋଚନା କରି—ସଭ୍ୟ ଉତ୍କଳରେ ଯେ ଏପରି ଗୋଟିଏ ବ୍ୟବସାୟ ଅତ୍ୟନ୍ତ ଦରକାରୀ ଏବଂ ଅପରାଧ ତତ୍ତ୍ୱ ରୂପକ ଗୋଟିଏ ରହସ୍ୟମୟ ଜ୍ଞାନ ଭଣ୍ଡାର ଯେ ପୁଲିସ ପାଇଁ ଏକଚାଟିଆ ରହିବ–ଏ କଥା ଉଚିତ ନୁହେଁ–ପ୍ରଭୃତି ନାନା ରକମ ମନ୍ତବ୍ୟ କରି ସାନ୍ତୁନୁ ବାବୁଙ୍କ ଦୀର୍ଘ ଜୀବନ ଓ କର୍ମ ସଫଳତା କାମନା କରିଛନ୍ତି ।

 

ରାଜେନ୍ଦ୍ର ବାବୁଙ୍କର ପୂର୍ବୋକ୍ତ ଚୋରି ପରେ ପୁଲିସ ବହୁତ ଅନୁସନ୍ଧାନ କରିଛି । ଅପରାଧୀର କୌଣସି ସନ୍ଧାନ ନ ପାଇଲେ ମଧ୍ୟ ଇନ୍‌ସପେକ୍‌ଟର ଭବାନୀ ବାବୁ ବୁଝିପାରିଛନ୍ତି ଯେ ଏ ଚୋରି ଗୋଟାଏ ଅତି ଆଧୁନିକ ବୈଜ୍ଞାନିକ ଉପାୟରେ ହୋଇଛି । ଅପରାଧୀର ଇଚ୍ଛା ଶକ୍ତି ପ୍ରଭାବରେ ସମସ୍ତେ ସମ୍ମୋହିତ ହୋଇ ଯାଇଛନ୍ତି । ତାପରେ ଚୋର ତାଉ ଇଚ୍ଛା କାର୍ଯ୍ୟରେ ପରିଣତ କରି ପାରିଛି । ଏପରିକି ସମ୍ମୋହନ ଶକ୍ତି ପ୍ରଭାବରେ ରାଜେନ୍ଦ୍ର ବାବୁ ନିଜହାତରେ ରସିଦ ଲେଖିଛନ୍ତି । କିନ୍ତୁ ଚୋର କିଏ ?

 

ଚୋର କିଏ–ଚୋର କିଏ, ଏହି କଥା କଟକରେ ସବୁ ସ୍ଥାନରେ ଗୋଟାଏ ସାଧାରଣ ଆଲୋଚନା ହୋଇଛି । ପୁଲିସର ଅକର୍ମଣ୍ୟତା ଉପରେ ସମ୍ବାଦପତ୍ର ସବୁ ତୀବ୍ର ମତ ପ୍ରକାଶ କରୁଛନ୍ତି । ପୁଲିସର ବିଶେଷଜ୍ଞମାନେ ଅନ୍ତତଃ ମାନିବାକୁ ବାଧ୍ୟ ହୋଇଛନ୍ତି ଯେ ଏହି ଚୋରି ପଛରେ ଗୋଟାଏ ଖୁବ ବଡ଼ ଶକ୍ତି ସଂଯୁକ୍ତ ରହିଛି । ଏହାର ଯେ ଏହି ଶେଷ ନୁହେ, ଆରମ୍ଭ ମାତ୍ର, ଏ ବିଷୟରେ ପୁଲିସ ମଧ୍ୟ ଦୃଢ଼ ନିଶ୍ଚିନ୍ତ । କିନ୍ତୁ କଣ ଏହାର ପ୍ରତିକାର ?

 

ଏହି ବିଷୟ ଗଭୀର ରାତ୍ରି ପର୍ଯ୍ୟନ୍ତ ଇନ୍‌ସପେକ୍‌ଟର ଭବାନୀ ତାଙ୍କ ଅଫିସରେ ତାଙ୍କ ସହକର୍ମୀମାନଙ୍କ ସଙ୍ଗରେ ଆଲୋଚନା କରୁ କରୁ ଟେଲିଫୋନ ବାଜି ଉଠିଲା । ଭବାନୀ ବାବୁ ରିସିଭରଟି ଉଠାଇ କାନରେ ଲଗାଇଲେ । ପରକ୍ଷଣରେ ଅତ୍ୟନ୍ତ ବିନୟ ସହକାରେ ଉତ୍ତର ଦେଲେ ‘‘ହଁ ସାର, ମୁଁ ଇନ୍‌ସପେକ୍‌ଟର ଭବାନୀ ମହାପାତ୍ର । କଣ ହେଲା ? ଜଣେ ଖୁନ୍‌ ହୋଇଛି-? ଆପଣ ଘର ସାମନାରେ ? ଆପଣଙ୍କ ଘର ସାମନାରେ ? ମଟର ଭିତରେ ? ଆଚ୍ଛା ମୁଁ ଏହିକ୍ଷଣି ଯାଉଛି । ଡିଟେକ୍‌ଟର ଶାନ୍ତନୁଦାସଙ୍କୁ ମଧ୍ୟ ଏନଗେଜ କରୁଛନ୍ତି । ଆଚ୍ଛା ଭଲକଥା । ମୋର ସେଥିରେ ଆପତ୍ତି ନାହିଁ । କିନ୍ତୁ ଲାସଟା ପୁଲିସ ପରୀକ୍ଷା କରିବା ଆଗରୁ ଯେପରି ଆଉ କେହି ନ ଛୁଅନ୍ତି ।’’

 

କଥା ଶେଷକରି ଭବାନୀ ବାବୁ ରିସିଭର ରଖିଦେଇ ତାଙ୍କର ସହକର୍ମୀ ମାନଙ୍କ ଆଡ଼େ ଚାହିଁ ଅତ୍ୟନ୍ତ ଗମ୍ଭୀର ଭାବରେ କହିଲେ ‘‘ଖୁନ । ମିନିଷ୍ଟରଙ୍କ ଘର ସାମନାରେ । ମଟର ଭିତରେ ଗୋଟିଏ ଭଦ୍ରଲୋକ ଖୁନ୍‌ ହୋଇଛନ୍ତି । ଏହିକ୍ଷଣି ଯିବାକୁ ହେବ ।’’ କହି ଭବାନୀ ବାବୁ କେତେକ ଦରକାରୀ ଜିନିଷ ପତ୍ର ବ୍ୟାଗରେ ନେଇ ବାହାରିଲେ ।

 

ଭବାନୀ ବାବୁ ତାଙ୍କ ଦଳ ବଳ ସହିତ ମନ୍ତ୍ରୀଙ୍କ ଘର ସାମନାରେ ପହଞ୍ଚି ଦେଖିଲେ ଯେ ବହୁତ ଲୋକ ସେଠାରେ ଭିଡ଼ କରିଛନ୍ତି । ସ୍ଥାନୀୟ ଦୁଇଜଣ କନେଷ୍ଟବଲ ଭିଡ଼ ଭାଙ୍ଗ—ଲୋକମାନଙ୍କୁ ମଟର ନିକଟକୁ ଆସିବାକୁ ମନା କରୁଛନ୍ତି । ମନ୍ତ୍ରୀ ନିଜେ ଗମ୍ଭୀର ଭାବରେ ଗେଟ ସାମନାରେ ଛିଡ଼ା ହୋଇ ଡିଟେକ୍‌ଟିଭ ଶାନ୍ତନୁବାବୁଙ୍କ ସଙ୍ଗେ କଥା କହୁଛନ୍ତି । ଭବାନୀବାବୁ ଯଥାରୀତି ସମ୍ମାନ ପ୍ରଦର୍ଶନ କଲାପରେ ମନ୍ତ୍ରୀ ଗମ୍ଭୀରେ ଭାବରେ ଇନ୍‌ସପେକ୍‌ଟରଙ୍କୁ କହିଲେ ‘‘ଠିକ ରାତି ୧ । ୧୫ ମିନିଟରେ କେହି ଭଦ୍ରଲୋକ ଟେଲିଫୋନରେ ମୋତେ ଜଣାଇଲେ ଯେ ସେ କୌଣସି ବିଶେଷ ଜରୁରୀ ବିଷୟରେ ମୋ ସହିତ ଏହିକ୍ଷଣି ଦେଖା କାରଣ ସେ । ଦରୁଣ ପରିସ୍ଥିତିରେ ଅଛନ୍ତି । ଦେଖା କରିବାକୁ ଚାହାନ୍ତି । ମୁଁ ଅନୁମତି ଦେଲି ଓ ମୋ ଅଫିସ ଘରେ ତାଙ୍କ ଅପେକ୍ଷାରେ ବସି ରହିଲି । ଗୋଟାଏ ଚାଳିଶ ମିନିଟରେ ମୋ ଘର ସାମନାରେ ଗୋଟାଏ ମଟରକାର ରହିବା ଶବ୍ଦ ଶୁଣି ପାରିଲି । ଭାବିଲି ଯେଉଁ ଭଦ୍ରଲୋକ ମୋ ସହିତ ଦେଖା କରିବାକୁ ଚାହିଁଲେ ସେହି ବୋଧହୁଏ ଆସିଥିବେ । କିନ୍ତୁ ଆହୁରି ପନ୍ଦର ମିନିଟ ଅପେକ୍ଷା କଲାପରେ, କେହି ନ ଆସିବାରୁ ମୁଁ ମୋର ଅର୍ଡରଲିକୁ ମଟରରେ କିଏ ଆସିଲା ବୁଝି ଆସିବା ପାଇଁ ପଠାଇଲି । ପ୍ରାୟ ୫ ମିନିଟ ପରେ ଅର୍ଡ଼ରଲି ଫେରିଆସି ସମ୍ବଦ ଦେଲା ଯେ ଗୋଟିଏ ଲୋକ ମଟର ଭିତରେ ଚିତ୍‌ହୋଇ ପଡ଼ିଛି । ଆଉ କେହି କେଉଁଠି ନାହାନ୍ତି । ମୋର ସନ୍ଦେହ ହେଲା । ଯାଇ ଦେଖିଲି ଯେ ଲୋକଟି ଦେହରେ ପ୍ରାଣନାହିଁ । ତା ପରେ ମୁଁ ଆପଣଙ୍କୁ ଓ ଶାନ୍ତନୁ ବାବୁଙ୍କୁ ଟେଲିଫୋନ କଲି । ମୋର ମନେହୁଏ ଏ ଅତି ରହସ୍ୟମୟ ହତ୍ୟାକାଣ୍ଡ । ମୁଁ ଏହି ହତ୍ୟାକାଣ୍ଡ ସ୍ୱତନ୍ତ୍ର ଭାବରେ ତଦନ୍ତ କରିବାକୁ ଶାନ୍ତନୁବାବୁଙ୍କ ମଧ୍ୟ ଅନୁରେଧ କରୁଛି ।’’

 

ସାମାନ୍ୟ ରହି ପୁଣି କହିଲେ ‘‘ମୁଁ ଟର୍ଚ୍ଚଲାଇଟ ନେଇ ମୃତ ବ୍ୟକ୍ତିଟିର ମୁହଁ ଦେଖିଛି । ମୋର ମନହୁଏ ମୁଁ ୟାଙ୍କୁ ପୂର୍ବେ କେବେ ଦେଖି ନାହିଁ । ଯେଉଁ ଭଦ୍ରଲୋକ ମୋ ସହିତ ଦେଖା କରିବା ପାଇଁ ଟେଲିଫୋନରେ ଅନୁରୋଧ କରିଥିଲେ ମୃତ ବ୍ୟକ୍ତି ଯେ ସେହି ଏ ମୁଁ ସମ୍ପୂର୍ଣ୍ଣ ନିଃସନ୍ଦେହ ନ ହେଲେ ମଧ୍ୟ ଉଭୟ ସେ ଅଭିନ୍ନ ବ୍ୟକ୍ତି ଏହାହିଁ ମୋର ଧାରଣା ।’’

 

ତାପରେ ସମସ୍ତେ ମୃତ ଦେହଟି ପରୀକ୍ଷା କଲେ । ଗୋଟିଏ ପ୍ରୌଢ଼ ଭଦ୍ରଲୋକ କ୍ଷୀଣ ଦେହ ଦେଖିଲେ ବଙ୍ଗଦେଶୀୟ ବୋଲି ମନେହୁଏ । ଡ୍ରାଇଭରସିଟରେ ଚିତହୋଇ ପଡ଼ିଛନ୍ତି । ଚକ୍ଷୁ ଦୁଇଟା ମେଲାହୋଇ ଯେପରିକାହାକୁ ଅତ୍ୟନ୍ତ ଭୟରେ ଚାହିଁ ରହିଛି । ମୃତ ଦେହରୁ ପକେଟ ତଲାସ କରି ଭବାନୀ ବାବୁ ବିଶେଷ କୌଣସି ଜିନିଷ ଆବିଷ୍କାର କରିପାରିଲେ ନାହିଁ । ଗାଡ଼ିଟି ଅଷ୍ଟିନ କାର, ନମ୍ବର O.R.C,–

 

ଶାନ୍ତନୁବାବୁ ମଧ୍ୟ ତନ୍ନ ତନ୍ନ କରି ତାଙ୍କର ପରୀକ୍ଷା ଆରମ୍ଭ କଲେ ! ଉଜ୍ଜ୍ୱଳ ଆଲୋକରେ ବହୁକ୍ଷଣ ଲେନସ ସାହାଯ୍ୟରେ ବିଭିନ୍ନ ଜିନିଷ ପରୀକ୍ଷା କରି ହଠାତ୍‌ ତାଙ୍କ ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା । କହି ଉଠିଲେ ଭବାନୀ ବାବୁ, ଏ ଜିନିସଟା ଆପଣ ଲକ୍ଷ କରିଛନ୍ତି କି ? ଏ କଥା କହି ସାନ୍ତନୁ ବାବୁ ଭବାନୀବାବୁଙ୍କ ଯାହା ଦେଖାଇଲେ ତାହା ଖଣ୍ଡିଏ ସାଧା କାଗଜ । ମୋଡ଼ା ମୋଡ଼ି ହୋଇ ମୃତବ୍ୟକ୍ତି ନିକଟରେ ପଡ଼ିଥିଲା । ଭବାନୀ ବାବୁ ମଧ୍ୟ ଲେନ୍‌ସ ସାହାଯ୍ୟରେ କାଗଜ ଖଣ୍ଡି ପରୀକ୍ଷା କଲେ । ସେ ଦେଖିଲେ ସେଥିରେ କେତେଟି ସ୍ପଷ୍ଟ ଅଙ୍ଗୁଳି ଚିହ୍ନ ରହିଛି । ଏଡ଼େ ବଡ଼ ଗୋଟାଏ ଜିନିଷ ଭବାନୀ ବାବୁ ପୂର୍ବରୁ ଆବିଷ୍କାର କରିପାରି ନାହାନ୍ତି ବୋଲି ଲଜ୍ଜିତ ହେଲେ । କିନ୍ତୁ ଶାନ୍ତନୁ ବାବୁ ତାଙ୍କୁ ଲଜ୍ଜିତ ଦେଖି ଭବାନୀ ବାବୁଙ୍କର ମନୋରଞ୍ଜନର ଚେଷ୍ଟାକରି କହିଲେ ‘‘ଏଇଟା ଯେ ଗୋଟାଏ ପ୍ରମାଣ, ଏହା ମୋର ମନେହୁଏ ନାହିଁ । ହୁଏତ ମୃତ ବ୍ୟକ୍ତିର ନିଜର ଟିପ ଚିହ୍ନ । କାଗଜ ଖଣ୍ଡିକ କୌଣସି କାରଣରୁ ହାତରେ ଧରିଥିବା ଅବସ୍ଥାରେ ଝାଳଲାଗି କେତୋଟି ଅଙ୍ଗୁଳି ଚିହ୍ନ ରହିଛି ।’’

 

ଭବାନୀ ବାବୁ ଏଥିରେ ବିଶେଷ କୌଣସି ମନ୍ତବ୍ୟ ପ୍ରକାଶ ନ କରି ଗମ୍ଭୀର ଭାବରେ ଜବାବ ଦେଲେ, ‘‘ତଥାପି ଗୋଟାଏ ସୂତ୍ରତ !’’

 

ତା’ପରେ ବହୁକ୍ଷଣ ଅନ୍ୟାନ୍ୟ ପରୀକ୍ଷା କଲାପରେ ଭବାନୀ ବାବୁ ଜାଣି ପାରିଲେ ହେ ଆତତାୟୀ ମୃତବ୍ୟକ୍ତିର ବେକ ଚିପି ତାକୁ ହତ୍ୟା କରିଛି । ମୃତ ଦେହର ବେକ ଉପରେ ହତ୍ୟାକାରୀର ଆଙ୍ଗୁଠି ଚିହ୍ନ ପରିଷ୍କାର ରହିଛି । ଅନ୍ୟାନ୍ୟ ପରୀକ୍ଷା ପରେ ଭବାନୀବାବୁ ମୃତବ୍ୟକ୍ତିର ଆଖି ଡୋଳାକୁ ଉଜ୍ଜ୍ୱଳ ଆଲୋକରେ ବହୁକ୍ଷଣ ପରୀକ୍ଷା କଲେ । ତା ପରେ ପକେଟରୁ ଗୋଟିଏ ଛୋଟ କ୍ୟାମେରା ବାହାର କଲେ । ଏହି କ୍ୟାମେରାର ଲେନ୍‌ସଟି ଅତି ଶକ୍ତିଶାଳୀ । ଭବାନୀ ବାବୁ ଫ୍ଲାସ ଲାଇଟ କରି ମୃତ ବ୍ୟକ୍ତିର ଗୋଟାଏ ଆଖି ଡୋଳା ଉପରେ କ୍ୟାମେରାର ଲେନ୍ସ ସ୍ଥାପନ କରି ଗୋଟିଏ ଫଟୋ ନେଲେ । ତା ପରେ ଲାସକୁ ପୋଷ୍ଟମର୍ଟମ ପାଇଁ ପଠାଇ ଓ ମଟରଟିର ପହରା ବନ୍ଦୋବସ୍ତ କରି ଭବାନୀ ବାବୁ ଫେରିଲେ । ଫେରିଲା ବେଳେ ମୃତ ବ୍ୟକ୍ତିର ଗୋଟିଏ ସେଟ ଟିପଚିହ୍ନ ମଧ୍ୟ ଆଣିଲେ ।

 

ସେତେବେଳକୁ ରାତି ବେଶି ନ ଥିଲା । ଭବାନୀ ବାବୁ ଅତ୍ୟନ୍ତ ଗମ୍ଭୀର । ତାଙ୍କର ଅତି ପ୍ରିୟ ସହଚର ସବଇନ୍‌ସପେକ୍‌ଟର ଇଉସୁଫ୍‌ ତାଙ୍କୁ ବାଟରେ ଆସୁ ଆସୁ ପଚାରିଲା ‘‘କଣ ଦେଖିଲେ ସାର ?’’

 

ଏ ପର୍ଯ୍ୟନ୍ତ କୌଣସି ମତାମତ ପ୍ରକାଶର ବେଳ ହୋଇନାହିଁ ଇଉସଫ । ସବୁଥର ପରି ଏ ଥରବି ଘଟଣାର ପ୍ରତ୍ୟେକ ଅଂଶ ଓ କାର୍ଯ୍ୟ କାରଣ ଅଲଗା ଅଲଗା କରି ତୁମ ସହିତ ଆଲୋଚନା କଲାପରେ, ତୁମର ବର୍ତ୍ତମାନ ପ୍ରଶ୍ନର ଉତ୍ତର ତୁମେ ନିଜେ ମଧ୍ୟ ଦେଇ ପାରିବ ।

 

ତା’ ପରଦିନ—

 

ଇନ୍‌ସପେକ୍‌ଟର ଭବାନୀ ମହାପାତ୍ର ପୂର୍ବୋକ୍ତ କାଗଜ ଖଣ୍ଡିକ ନେଇ ‘‘ଫିଙ୍ଗର ପ୍ରିଣ୍ଟ ବୁରୋ’’ ରେ ପହଞ୍ଚିଲେ । ଯଥାରୀତି ଉପଦେଶ ଦେଇ ପରୀକ୍ଷାର ଫଳାଫଳ ଅତି ଶୀଘ୍ର ତାଙ୍କୁ ଜଣାଇବାକୁ ଅନୁରେଧ କଲେ । ସେ ପୁଲିସ ଅଫିସର ମଟର ଭେଇକଲ ସେକ୍‌ସନ (motor vehicle Section)ରେ ଯାଇ ପହଞ୍ଚିଲେ । ସେଠାରେ ସେ ଅଳ୍ପ ଚେଷ୍ଟାରେ ଜାଣି ପାରିଲେ ଯେ ORC—ର ମାଲିକ ହାଜାରି ମଲ ସେଠ । ସେଠାରୁ ହାଜାରି ମଲଙ୍କ ପାଖକୁ ଯାଇ ସେ ଜାଣି ପାରିଲେ ଯେ ସେଠ୍‌ କିଛିକ୍ଷଣ ପୂର୍ବରୁ ବାହାରକୁ ଯାଇଛନ୍ତି ।

 

ଅଫିସକୁ ଫେରି ସେ ତାଙ୍କ ଅଫିସରେ ହଜାରି ମଲଙ୍କୁ ଦେଖି ପାରିଲେ । ସେ ତାଙ୍କରି ପାଇଁ ସେଠାରେ ଅପେକ୍ଷା କରି ବସିଛନ୍ତି । ଇନ୍‌ସପେକଟରଙ୍କୁ ଯଥାରୀତି ସମ୍ମାନ ଦେଖାଇ ହଜାରି ମଲ ଆରମ୍ଭ କଲେ ‘‘ବାବୁଜି ମୁଁ ଆଜି ସକାଳେ ଶୁଣିଲି ଯେ ମୋର ଗାଡ଼ିରେ ଜଣେ ଭଦ୍ରଲୋକ କାଲି ରାତିରେ ମିନିଷ୍ଟରଙ୍କ ଦୁଆର ସାମନାରେ ମରି ପଡ଼ିଥିଲେ । ସକାଳୁ ଯାଇ ମୋର ଗାଡ଼ିଟି ମଧ୍ୟ ଦେଖି ଆସିଲି । କିନ୍ତୁ ସେଠାରେ ଶୁଣିଲି ଯେ ଆପଣଙ୍କର ବିନା ଅନୁମତିରେ ଗାଡ଼ିଖଣ୍ଡି ମୁଁ ନେଇପାରିବି ନାହିଁ । ସେଥିପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି ଗାଡ଼ିଖଣ୍ଡି ମୋର ଫେରାଇ ନେବାକୁ ।’’

 

ଭବାନୀ ବାବୁ ତୀକ୍ଷ୍‌ଣ ଦୃଷ୍ଟିରେ ହଜାରି ମଲଙ୍କ ମୁହଁକୁ ଚାହିଁ ପ୍ରଶ୍ନ କଲେ ।

 

‘‘ବୋଧହୁଏ ଆପଣ ମୃତ ବ୍ୟକ୍ତିକୁ ଚିହ୍ନନ୍ତି ?’’

 

ହଜାରି ମଲ ନିର୍ବିକାର ଭାବରେ ଜବାବ ଦେଲେ ‘‘ନା ମହାଶୟ ! ମୃତ ବ୍ୟକ୍ତିକୁ ଚିହ୍ନିବାର ସୁବିଧା ମୋର ଆଦୌ ନାହିଁ । କାରଣ ମୋର ଅଜ୍ଞାତ ସାରରେ ମୋ ଗ୍ୟାରେଜରୁ କୌଣସି ଲୋକ ଗାଡ଼ିଟି ନେଇ ଯାଇଥିଲା । ଆଜି ଭୋରରେ ମୋର ଡ୍ରାଇଭର ମୋତେ ଏ କଥା ଜଣାଇବି କି ଆଉ କୌଣସି ବ୍ୟବସ୍ଥା କରିବି ଏ ବିଷୟରେ ମୀଂମାସା କରିବା ପୂର୍ବରୁ ଶୁଣିପାରିଲେ ଯେ ଗାଡ଼ି ଖଣ୍ଡିକ ମୋର ମିନିଷ୍ଟରଙ୍କ ଦୁଆରେ ପଡ଼ି ରହିଚି ।’’

 

ହଜାରି ମଲର ଜମାନବନ୍ଦି ଶୁଣି ଭବାନୀ ବାବୁ ଆଶ୍ଚର୍ଯ୍ୟ ହେଲେ । ସେ ତାହାଠାରୁ ଏପରି ଜମାନ ବନ୍ଦି ଆଶା କରିନଥିଲେ । ଅନ୍ତର୍ଭେଦୀ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁ ରହିଲେ ସେ ତାର ମନଭାବ ବୁଝିବା ପାଇଁ । କିନ୍ତୁ ଦେଖିଲେ ଯେ ହାଜାରି ମଲର ମୁଖ ସଂମ୍ପୂର୍ଣ୍ଣଭାବ—ସଂସ୍ପର୍ଶ ବିହୀନ ।

ଭବାନୀ ବାବୁ ପୁଣିଥରେ ଜେରାକଲେ ‘‘ଆପଣ କ’ଣ କହିବାକୁ ଚାହାନ୍ତି ଯେ ଆପଣଙ୍କୁ ଗାଡ଼ିଟି କିଏ କାଲି ରାତିରେ ନେଇଥିଲା ତାକୁ ଆପଣ ଚିହ୍ନନ୍ତି ନାହିଁ ?’’

—‘‘କହିବାକୁ ଚାହେଁ କ’ଣ ଇନ୍‌ସପେକ୍‌ଟର ସାହେବ ମୁଁ ସେହିକଥା କହିବାକୁ ବାଧ୍ୟ । କାରଣ ତାଛଡ଼ା ଆଉ କୌଣସି କଥା କହିଲେ ତାହା ସତ ହେବ ନାହିଁ ।’

ହଜାରି ମଲକୁ ଆଉକିଛି ପଚାରିବାର ଅଛି କି ନାହିଁ କିଛିକ୍ଷଣ ଭାବି ଭବାନୀ ବାବୁ କହିଲେ ‘‘ଆପଣ ବର୍ତ୍ତମାନ ଯାଇ ପାରନ୍ତି । ସେଠ୍‌ଜି ‘‘ରାମ ରାମ’’ କହି ବିଦାୟ ନେଲେ । ଏହି ସମୟରେ ଭବାନୀ ବାବୁଙ୍କ ସହକାରୀ ଇଉସୁଫ୍‌ ଆସି ଭବାନୀ ବାବୁଙ୍କ ଟେବୁଲ ଉପରେ ଦୁଇ କପି ଫଟୋଗ୍ରାଫ ରଖିଲା । ଗତ ରାତ୍ରିରେ ଭବାନୀ ବାବୁ ମୃତବ୍ୟକ୍ତିର ଆଖି ଡୋଳାର ଯେ ଫଟୋଟି ଫ୍ଲାସ ଲାଇଟରେ ଉଠାଇଥିଲେ ତାକୁ ଇଉସୁଫ wash କରି ତାର ଦୁଇଟି କପି ପ୍ରିଣ୍ଟକରି ଭବାନୀ ବାବୁଙ୍କ ଆଦେଶ ମୁତାବକ ତାଙ୍କ ନିକଟରେ ଦାଖଲ କଲା ।

ଭବାନୀ ବାବୁ ଫଟୋଟି ଦେଖିଲେ । ଖୁବ୍‌ ସ୍ପଷ୍ଟ ନ ହୋଇଥିଲେ ମଧ୍ୟ ମନଦେଇ ଦେଖିଲେ ଗୋଟିଏ ମନୁଷ୍ୟ ମୂର୍ତ୍ତିର ଉର୍ଦ୍ଧ୍ୱାଂଶ ଫଟୋଟିରେ ବେଶ ଜଣା ପଡ଼ୁଛି । ବହୁକ୍ଷଣ ପର୍ଯ୍ୟନ୍ତ ଫଟୋଟିକୁ ଚାହିଁ ଚାହିଁ ଭବାନୀ ବାବୁ ମୁହଁ ଟେକି ଇଉସୁଫ ଆଡ଼େ ଚାହିଁଲେ । ତାଙ୍କର ମୁଖ ଉଜ୍ଜ୍ୱଳ-। ଇଉସୁଫ ସବୁ ଠିକ ନ ବୁଝିପାରି ପଚାରିଲା ‘‘କଣ ହେଲା ସାର ? ମୁଁ washingରେ କୌଣସି ଦୋଷ ରଖିନାହିଁ । ତଥାପି ଏପରି ଅସ୍ପଷ୍ଟ ଛବି ହେଲା କାହିଁକି ?

ଭବାନୀ ବାବୁ ସନ୍ତୁଷ୍ଟ ଚିତ୍ତରେ ଜବାବ ଦେଲେ ‘‘ଠିକ ହୋଇଛି ଇଉସୁଫ, ଏହାଠାରୁ ଭଲ ଛବି ଏ କ୍ଷେତ୍ରରେ ହୁଏ ନାହିଁ । ତୁମେ ଚିହ୍ନି ପାରୁଛ ଏ ଫଟୋ କାହାର ?’’

ନା ସାର । କିନ୍ତୁ ଆପଣ ତ Dead bodyର ଫଟୋ ନେଲେ ଆଉ ଏ ଛବି ଅନ୍ୟ କାହାରି ହେବା ସମ୍ଭବ କିପରି ?

ସାମାନ୍ୟ ହସି ଭବାନୀ ବାବୁ କହିଲେ, ‘‘ତା ନୁହେ ଇଉସୁଫ ମୁଁ ମୃତବ୍ୟକ୍ତିର ଫଟୋ ନେଇ ନାହିଁ । ତାର ଫଟୋ ପୋଷ୍ଟମର୍ଟମ ପୂର୍ବରୁ ନିଆ ହେବ । ତୁମେ ବୋଧହୁଏ ବିଜ୍ଞାନର ଗୋଟିଏ ଅତି ଆଧୁନିକ ଆବିଷ୍କାର ଜାଣ ନାହିଁ । ତୁମେ ଜାଣ ଯେ ମଣିଷ ଆଖି ଡୋଳାରେ ତା ସାମନାରେ ଥିବା ପଦାର୍ଥ ପ୍ରତିବିମ୍ବିତ ହୁଏ । ଏହିପରି ସେ ଚଳଚିତ୍ର ପରି ଆଖି ବୁଲାଇବା ସଙ୍ଗେ ସଙ୍ଗେ ଦୃଶ୍ୟପଟର ପରିବର୍ତ୍ତନ ହୁଏ । କିନ୍ତୁ ମନୁଷ୍ୟର ମୃତ୍ୟୁର ଠିକ୍‌ ପୂର୍ବ ମୁହୂର୍ତ୍ତରେ ତାର ଆଖି ଡୋଳାରେ ଯେଉଁ ପ୍ରତିବିମ୍ବ ପଡ଼େ ତାହା ଛବି ପରି ସେହି କ୍ଷୁଦ୍ର ଆଖି ଡୋଳାରେ ରହିଯାଏ—decomposition ପର୍ଯ୍ୟନ୍ତ । ବର୍ତ୍ତମାନ କ୍ଷେତ୍ରରେ ହତ୍ୟାକାରୀ ବେକଚିପି ହତ୍ୟାକରିଛି । ସୁତରାଂ ମୃତ୍ୟୁ ପର୍ଯ୍ୟନ୍ତ ଆମର ଅଜ୍ଞାତ ହତ୍ୟାକାରୀ ମୃତବ୍ୟକ୍ତିର ଆଖି ସାମନାରେ ଥିଲା । ଅତଏବ ମୃତବ୍ୟକ୍ତିର ଆଖି ଡୋଳାରେ ହତ୍ୟାକାରୀର ପ୍ରତିବିମ୍ବ ରହିବା ସମ୍ପୂର୍ଣ୍ଣ ସ୍ୱାଭାବିକ । ସେଥିପାଇଁ ମୁଁ ସେହି ରାତିରେ ଫ୍ଲାସଲାଇଟ ସାହାଯ୍ୟରେ ଫଟୋ ଉଠାଇଥିଲି । ଏବେ ଏହି ଫଟୋଟି ତୁମେ ଚିହ୍ନି ପାରୁଛ କି ନାହିଁ—ଭଲ କରି ଦେଖି ମତେ କୁହ ।’

ଇଉସୁଫ ଖୁବ୍‌ ମନୋଯୋଗ ସହକାରେ ଫଟୋଟି ବହୁକ୍ଷଣ ପର୍ଯ୍ୟନ୍ତ ଚାହିଁ ଚାହିଁ ହଠାତ୍‌ ଚମକି ଉଠି କହିଲା ‘‘ହଁ, ସାର, ବୋଧହୁଏ ମୁଁ ଚିହ୍ନିପାରୁଛି । କିନ୍ତୁ ଏ କଣ ସମ୍ଭବ ସାର । ସେ ଯେ–

ଧୀରେ, ବନ୍ଧୁ ଧୀରେ । ଏତେ ବ୍ୟସ୍ତ ହୁଅନାହିଁ । କ୍ରମେ ହୁଏତ ସବୁ ଜାଣିପାରିବ । ‘Vice takes her abode in many temples’ ସାମାନ୍ୟ ହସି ଭବାନୀବାବୁ କହିଲେ ।

 

ଅପରାହ୍ନରେ ‘ଫିଙ୍ଗର ପ୍ରିଣ୍ଟ ବୁରୋ’ରୁ ଭବାନୀ ବାବୁଙ୍କ ନାମରେ ଡାକି ଆସିଲା । ପୂର୍ବୋକ୍ତ ଅଙ୍ଗୁଳି ଚିହ୍ନ ଥିବା କାଗଜର ପରୀକ୍ଷା ଫଳ । ଭବାନୀ ବାବୁ ବୁରୋର ରିପୋର୍ଟ ପଢ଼ି କିଛିକ୍ଷଣ ମୌନ ହୋଇ ବସି ରହିଲେ । ‘‘ବୁରୋ’’ ରିପୋଟ କରିଛି ପୂର୍ବୋକ୍ତ କାଗଜରେ ଲାଗିଥିବା ଆଙ୍ଗୁଳି ଚିହ୍ନର ମାଲିକ—ବର୍ତ୍ତମାନ ଜେଲରେ ବନ୍ଦୀ ହୋଇଥିବା ନରହନ୍ତା ଡକାୟତ ଧନୁ ସିଂ । ଭବାନ ବାବୁ ସେଇକ୍ଷଣି କଟକ ଜେଲକୁ ଟେଲିଫୋନ ଲଗାଇ ଧନୁ ସିଂ ବର୍ତ୍ତମାନ କେଉଁଠାରେ ଅଛି ପଚାରିଲେ । ଜେଲର ସେହିକ୍ଷଣି ଉତ୍ତର ଯେ ଧନୁ ସିଂ କଟକ ଜେଲରେ ବର୍ତ୍ତମାନ ଅଛି ଏବଂ ଆହୁରି ଦେଢ଼ବର୍ଷ ମିଆଦ ଅଛି ।

 

ତେବେ କିପରି ଏହା ସମ୍ଭବ ? ଭବାନୀ ବାବୁ ଗଭୀର ଭାବନାରେ ମଗ୍ନ ହେଲେ । କଟକ ଜେଲ ପରି ଗୋଟାଏ ସୁରକ୍ଷିତ ଜେଲ ମଧ୍ୟରୁ ଧନୁ ସିଂ ବାହାରି ଗୋଟିଏ ନରହତ୍ୟା କରି ପୁଣି ଜେଲକୁ ଫେରିଯାଇ ରହିଛି ଏହା କ’ଣ ସମ୍ଭବ ? ଏହା ଅସମ୍ଭବ ।

 

ତେବେ କିପରି ଏହା ହେଲା ?

 

ଭବାନୀ ବାବୁ ଗଭୀର ଚିନ୍ତାରେ ମଗ୍ନ ହେଲେ ।

 

ଦୀର୍ଘ ପାଞ୍ଚ ଘଣ୍ଟା ଏକ ଧ୍ୟାନରେ ବସି ଗଭୀର ଚିନ୍ତାମଗ୍ନ ଥିବାପରେ ହଠାତ୍‌ ଭବାନୀ ବାବୁଙ୍କର ମୁଖ ଉଜ୍ଜ୍ୱଳ ହୋଇ ଉଠିଲା । ମନକୁ ମନ ଟିକିଏ ହସି ସେ କହି ଉଠିଲେ ‘‘ଏହି ସାମାନ୍ୟ କଥାଟା ମୋର ଆଗରୁ ଭାବି ପାରିବା ଉଚିତ ଥିଲା ।’’

 

ସହକାରୀ ଇଉସୁଫ ପଚାରିଲା କଣ ସାର ?

 

‘‘ତୁମେ ଜାଣ ଇଉସୁଫ—କାଗଜ ପରି କୌଣସି ଶୁଷ୍କ ପଦାର୍ଥରେ ଅଙ୍ଗୁଳି ଚିହ୍ନର ମୟଶ୍ଚର କେତେକ୍ଷଣ ପର୍ଯ୍ୟନ୍ତ ରହିପାରେ ?

 

‘‘—ଯଦି ଖୋଲାଥାଏ—ତେବେ ୪୮ ଘଣ୍ଟାରୁ ବେଶି ନୁହେଁ ସାର । କିନ୍ତୁ ଯଦି କୌଣସି ବାକ୍‌ସ ପ୍ରଭୃତିରେ ରଖାଯାଏ ତେବେ ଆହୁରି ବେଶି ସମୟ ରହିପାରେ ।’’

 

‘‘ହଁ, ତାହେଲେ ବର୍ତ୍ତମାନ କ୍ଷେତ୍ରରେ କଣ ବୁଝି ପାରୁଛ ?’’ ଇଉସୁଫ ଠିକ ଉତ୍ତର ନ ପାଇ ଚାହିଁ ରହିଲା ।

 

‘‘—ଏଇ ସାମାନ୍ୟ କଥା ବୁଝି ପାରୁନା ଇଉସୁଫ । ଉକ୍ତ ଟିପ ଚିହ୍ନ ଗୁଡ଼ିକ ଯେ ଦସ୍ୟୁ ଧନୁ ସିଂର ଏଥିରେ କୌଣସି ସନ୍ଦେହ ନାହିଁ । ଧନୁ ସିଂ ଯେ ଜେଲ ଭିତରେ ବର୍ତ୍ତମାନ ମୁହୂର୍ତ୍ତ ପର୍ଯ୍ୟନ୍ତ ଅଛି—ଏଥିରେ କୌଣସି ସନ୍ଦେହ ନାହିଁ—ଏବଂ ଉକ୍ତ ଟିପ ଚିହ୍ନଗୁଡ଼ିକ ହେ ଗତ ୩।୬।୪୫ ତାରିଖଠାରୁ ଆଜି ୬।୬।୫ ତାରିଖ ମଧ୍ୟରେ ନିଆ ହୋଇଛି—ଏଥିରେ ମଧ୍ୟ କୌଣସି ସନ୍ଦେହ ନାହିଁ ।’’

 

—‘‘କିନ୍ତୁ କିଏ ସେ ଟିପ ନେଲା ସାର ? ଉଦ୍ଦେଶ୍ୟ ବା କଣ ?’’

 

—‘‘ଉଦ୍ଦେଶ୍ୟ ଅତି ପରିଷ୍କାର ଇଉସୁଫ । ପୁଲିସର ତଦନ୍ତକୁ ବୈଜ୍ଞାନିକ ପ୍ରମାଣ ସାହାଯ୍ୟରେ ଭିନ୍ନ ମୁଖୀ କରାଇ ଦେବା । କିନ୍ତୁ କିଏ ଏ ଟିପ ନେଲା–ଏ ପ୍ରଶ୍ନର ଉତ୍ତର ମୁଁ ମଧ୍ୟ ବର୍ତ୍ତମାନ ଦେଇ ପାରିବି ନାହିଁ । ଏ ପ୍ରଶ୍ନର ଉତ୍ତର ଯେଉଁଦିନ ମୁଁ ବା ଅନ୍ୟ କେହି ଦେଇ ପାରିବେ ସେହିଦିନ ସାରା ଓଡ଼ିଶାରେ ଗୋଟାଏ ଚହଳ ପଡ଼ିଯିବ । ସମସ୍ତେ ମାନିବେ ଯେ ଏତେବଡ଼ ପ୍ରତିଭାବାନ ଲୋକ ଯଦି ଦସ୍ୟୁ ନ ହୋଇ ଅନ୍ୟ କୌଣସି ଦିଗରେ ସେହି ଉଜ୍ଜ୍ୱଳ ପ୍ରତିଭାର ସଦ୍‌ବ୍ୟବହାର କରିଥାନ୍ତା—ତେବେ ଦେଶର ଓ ଜାତିର ଅଶେଷ କଲ୍ୟାଣ ହୋଇଥାନ୍ତା । ସେହି ଦିନ ରାଜେନ୍ଦ୍ର ବାବୁଙ୍କର ରହସ୍ୟମୟ ଚୋରିର ରହସ୍ୟ ଯବନିକା ଆପେ ଆପେ ଉଠିଯିବ ।’’

 

ଏହି ସମୟରେ ସେ ଦିନର ଖବର କାଗଜ ଖଣ୍ଡିକ ଅର୍ଡ଼ରଲି ଭବାନୀ ବାବୁଙ୍କୁ ଦେଇଗଲା । କାଗଜଟି ଉପରେ ଆଖି ବୁଲାଇ ବିରକ୍ତି ସହିତ ଭବାନୀ ବାବୁ କାଗଜଟି ଟେବୁଲ ଉପରେ ଥୋଇ ଦେଲେ । ଇଉସୁଫ ପଚାରିଲା ‘‘କଣ ଖବର ଅଛି ସାର?’’

 

ବିରକ୍ତ ହୋଇ ଭବାନୀ ବାବୁ ଜବାବ ଦେଲେ ‘‘ସେହି ଏକା କଥା ! ପୁଲିସର ଅକର୍ମଣ୍ୟତା ଉପରେ ତୀବ୍ର ମତବାଦ । ଗୋଟାଏ ଏତେ ବଡ଼ ରହସ୍ୟମୟ ଚୋରି ଓ ରହସ୍ୟମୟ ଖୁନ୍‌ର କୌଣସି କିନାରା ଏ ପର୍ଯ୍ୟନ୍ତ ହୋଇ ନ ପାରିବାରୁ ସମ୍ବାଦପତ୍ର ସବୁ ଅତି ତୀବ୍ର ମତାମତ ପ୍ରକାଶ କରୁଛନ୍ତି । ଡିଟେକ୍‌ଟିଭ ସାନ୍ତନୁ ଦାସଙ୍କ ପ୍ରଶଂସାରେ ମଧ୍ୟ ସମ୍ବାଦପତ୍ର ଗୁଡ଼ିକ ସେହିପରି ପଞ୍ଚମୁଖ । ସହରରେ କେତେକ ବଡ଼ ବଡ଼ ଚୋରି ଏହି କେତେଟା ଦିନ ଭିତରେ ଶାନ୍ତନୁ ବାବୁ ଅତି ଅଦ୍ଭୁତ ଭାବରେ detect କରି ବହୁତ ନାମ କରି ପାରିଛନ୍ତି ।

 

କିଛିକ୍ଷଣ ପରେ ଭବାନୀ ବାବୁ ମାଜିଷ୍ଟ୍ରେଟଙ୍କଠାରୁ ଜେଲରେ ଧନୁ ସିଂ ସହିତ ଦେଖା କରିବାର ଅନୁମତି ପତ୍ର ନେଇ କଟକ ଜେଲରେ ପହଞ୍ଚିଲେ । ଜେଲର ଭବାନୀ ବାବୁଙ୍କର ପୁରାତନ ବନ୍ଧୁ । ଧନୁ ସିଂ ଭବାନୀ ବାବୁଙ୍କ ସାମନାକୁ ଅଣା ହେଲା । ଧନୁ ସିଂ ମଧ୍ୟ ଭବାନୀ ବାବୁଙ୍କୁ ଭଲ କରି ଚିହ୍ନେ । ନିର୍ଭୀକ ଦସ୍ୟୁ ଧନୁସିଂ ଭବାନୀ ବାବୁଙ୍କୁ ଅତ୍ୟନ୍ତ ଭୟ ଓ ସମ୍ମାନ କରେ-। ତାଙ୍କର ଚେଷ୍ଟାରେ ତାକୁ ଦୀର୍ଘକାଳ କାରାଦଣ୍ଡ ହୋଇଥିଲା । ଏତେ ଦିନ ପରେ ପୁଣି କାରାଗାର ମଧ୍ୟରେ ତାଙ୍କ ସଙ୍ଗେ ଦେଖା ହବା ଧନୁ ସିଂ ଆଶା କରିନଥିଲା । ସାମାନ୍ୟ ହସି ଧନୁ ସିଂ କହିଲା ‘‘ନମସ୍କାର ବଡ଼ ବାବୁ । ଏତେ ଦିନ ପରେ ପୁଣି ଏ ଜେଲଖାନାରେ ମୋ ଉପରେ ସୁନଜର କାହିଁକି-? ଆଶା କରେ ଅନ୍ୟାନ୍ୟ ପୁଲିସବାଲାଙ୍କ ପରି ଜେଲଖାନା ଗଲା ପରେ ଚୋରା ମାଲ କେଉଁଠିଅଛି—ବା ସହକର୍ମୀ ଦସ୍ୟୁମାନଙ୍କର ନାମ ପ୍ରଭୃତି ଜାଣିବା ପାଇଁ ଆପଣ ମୋ ସଙ୍ଗେ ଦେଖା କରିବାକୁ ଆସିନାହାନ୍ତି—ଅନ୍ତତଃ ଆପଣଙ୍କ ପରି ବୁଦ୍ଧିମାନ ଲୋକ ଧନୁ ସିଂଠାରୁ ଏ କଥା ଆଶା କରନ୍ତି ନାହିଁ ।

 

ଧନୁ ସିଂ ସଙ୍ଗେ ଦେଖାହେବା ପୂର୍ବରୁ ଭବାନୀ ବାବୁ ଜେଲଖାନା ରେକର୍ଡରୁ ୩।୬।୪୫ ଠାରୁ ୫।୬।୪୫ ଭିତରେ କେଉଁ କେଉଁ କୟେଦୀମାନେ ଖଲାସ ହୋଇଥିଲେ ତାହା ଦେଖିଥିଲେ । ଏହି ୩ଦିନ ମଧ୍ୟରେ ମୋଟେ ୩ ଜଣ ଲୋକ ଖଲାସ ହୋଇଥିଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ସନ୍ଦେହ ବାହାରେ । କିନ୍ତୁ ଜଣେ ଲୋକ ଉପରେ ଭବାନୀବାବୁଙ୍କର ସନ୍ଦେହ ହେଲା । ଜେଲ ରେକର୍ଡରୁ ଜାଣିପାରିଲେ ଯେ ଏହି ଲୋକଟିର ନାମ ନଟବର । ବିନା ଟିକେଟରେ ରେଲରେ ଯିବା ଅପରାଧରେ ତାକୁ ୭ଦିନ କାରାଦଣ୍ଡ ହୋଇଥିଲା । ତାର ଠିକଣାଟି ମଧ୍ୟ ଭବାନୀ ବାବୁ ପୂର୍ବରୁ ନୋଟ ବହିରେ ଲେଖି ନେଇଥିଲେ ।

 

ଭବାନୀ ବାବୁ ଧନୁ ସିଂକୁ ତୀକ୍ଷ୍‌ଣ ଦୃଷ୍ଟିରେ କିଛିକ୍ଷଣ ଚାହିଁ କହିଲେ ‘‘ପାର୍ବତୀ କଥା ମନେପଡ଼େ ଧନୁ ସିଂ ?’’

 

ଭବାନୀ ବାବୁ ଅତ୍ୟନ୍ତ ବୁଦ୍ଧିମାନ ଓ କୌଶଳୀ ପୁଲିସ ଅଫିସର । ସେ ଜାଣନ୍ତି ଯେ ଦୂର୍ଦ୍ଦାନ୍ତ ନରପଶୁ ଧନୁ ସିଂ ହୃଦୟରେ ପାର୍ବତୀର ଗୋଟାଏ ଅତି ଉଚ୍ଚ ଆସନ ରଖା ହୋଇଛି । ଯେଉଁ ଧନୁ ସିଂ ଭୟ କ’ଣ ଜାଣେ ନାହିଁ—ନିଦ୍ଦୟ ଓ ନିର୍ମମତାର ଅବତାର—ହସି ହସି ନରହତ୍ୟା କରିପାରେ, ସେହି ଧନୁ ସିଂ ତାର ଏକାନ୍ତ ଆପଣାର ପାବର୍ତୀର ସାମାନ୍ୟ ବିରସ ମୁହଁ ଦେଖିଲେ ଅସ୍ଥିର ହୋଇଯାଏ । ପୂର୍ବେ ମଧ୍ୟ ଭବାନୀ ବାବୁ ଧନୁ ସିଂକୁ ଗିରଫଦାର କରିବାରେ ଏହି କୌଶଳ ଅବଲମ୍ବନ କରିଥିଲେ । କୌଶଳୀ ଓ ଫନ୍ଦିବାଜ ଧନୁ ସିଂକୁ ଧରିବା ପାଇଁ ସବୁ ଜାଲ ବ୍ୟର୍ଥ ହେବାପରେ ଭବାନୀ ବାବୁ ଅତ୍ୟନ୍ତ କୌଶଳର ପାବର୍ତୀର ଅଜାଣତରେ ତାରି ହାତରେ ଧନୁ ସିଂକୁ ଧରିବାର ଜାଲ ପକାଇଲେ । ସେ କୌଶଳ ବ୍ୟର୍ଥ ହେଲା ନାହିଁ । ଧନୁ ସିଂ ସ୍ୱେଚ୍ଛାରେ ସେ ଫାନ୍ଦରେ ଗୋଡ଼ ଦେଲା—ଧନୁ ସିଂ ଗିରଫ ହେଲା ।

 

ବୁଦ୍ଧିମାନ ଧନୁ ସିଂ ବୁଝିପାରିଲା ଏହା ଭବାନୀ ବାବୁଙ୍କର କୌଶଳ ।

 

ପାର୍ବତୀକୁ ଆଶ୍ୱାସନା ଦେଇ—୭ ବର୍ଷ ପରେ ପୁଣି ଜେଲରୁ ଫେରିଆସିବ କହି ସେ କାରାବରଣ କଲା । କ୍ଷଣକ ପାଇଁ ପାଷାଣ ହୃଦୟ ଦସ୍ୟୁର ଆଖି କଣରେ ଜମି ଉଠିଥିଲା ବେଦନାର ଅଶ୍ରୁ । ଏହି ଦୀର୍ଘକାଳ ବିଚ୍ଛେଦ ପରେ ମଧ୍ୟ ପାବର୍ତୀ ପ୍ରତି ପ୍ରେମ ତାର ମରିନାହିଁ । ବରଂ ବିରହରେ ବଢ଼ି ଉଠିଛି ଶତଗୁଣ । ଆଜି ଏତେ ଦିନ ପରେ ଭବାନୀ ବାବୁଙ୍କ ମୁଖରୁ ପାର୍ବତୀ କଥା ଶୁଣି ଧନୁ ସିଂ ବିହ୍ୱଳ ହେଲା । ବହୁ ଦିନର ପୁରୁଣା କଥା ତାର ମନେ ପଡ଼ିଲା । କହିଲା, ‘‘ଖୁବ୍‌ ମନେପଡ଼େ ବାବୁ, କିନ୍ତୁ ସେ କଥା କାହିଁକି ପଚାରୁଛନ୍ତି ? ତାର କୌଣସି ବିପଦ ହୋଇନାହିଁ ତ ?

 

କାତର ହୋଇ ଧନୁ ସିଂ ଅପେକ୍ଷା କରି ରହିଲା ଭବାନୀ ବାବୁଙ୍କର ଉତ୍ତରକୁ ।

 

ଭବାନୀ ବାବୁ ଜାଣିଲେ ଔଷଧ ଧରିଛି । କହିଲେ, ‘‘ନା ତାର କୌଣସି ବିପଦ ହୋଇନାହିଁ । ସେ ତୁମରି ପାଇଁ ବାଟ ଚାହିଁ ବସିଛି । ତୁମେ ଫେରିଯିବାକୁ ଚାହଁ ତ ?

 

ଦୀର୍ଘ ନିଶ୍ୱାସ ପକାଇ ଧନୁ ସିଂ ଉତ୍ତର ଦେଲା—‘‘କିନ୍ତୁ ମୁଁ ତ ଚାହିଁଲେ ମିଆଦ ପୂରିବା ଆଗରୁ ଫେରିଯାଇ ପାରିବି ନାହିଁ ବଡ଼ ବାବୁ ?’’

 

—‘‘ନା—ତା ନୁହେଁ । ତୁମର ମିଆଦ ପୂରିବାକୁ ମଧ୍ୟ ଖୁବ୍‌ ବେଶି ଦିନ ନାହିଁ । କିନ୍ତୁ ତୁମେ ନିଶ୍ଚୟ ଜେଲରେ ଥିବା ମଧ୍ୟରେ ଏପରି କାମ କରିବାକୁ ଚାହଁ ନାହିଁ ଯେଉଁଥିରେ କି ତୁମର ଫାଶିର ବ୍ୟବସ୍ଥା ହୋଇପାରେ ।’’

 

କହି ତୀକ୍ଷ୍‌ଣ ଦୃଷ୍ଟିରେ ଭବାନୀ ବାବୁ ଚାହିଁ ରହିଲେ ଧନୁ ସିଂ ମୁହଁକୁ ।

 

ଧନୁ ସିଂ ଜାଣେ ଭବାନୀ ବାବୁ ବାଜେ କଥାର ଲୋକ ନୁହନ୍ତି । ଭବାନୀ ବାବୁ ଥଟ୍ଟା କରୁଛନ୍ତି ବୋଲି ମଧ୍ୟ ତାଙ୍କ କଥା ବାର୍ତ୍ତାରୁ ଜଣାପଡ଼ିଲା ନାହିଁ । ସେ କିଛିକ୍ଷଣ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ଭବାନୀ ବାବୁଙ୍କ ଆଡ଼େ । ତାପରେ ଧୀରେ ଧୀରେ କହିଲା, ‘‘ମୋତେ ଯେ ଅନ୍ତତଃ ଆପଣ ଖୁବ୍‌ ଭଲ ଭାବରେ ଚିହ୍ନନ୍ତି—ଏ କଥା ମୁଁ ଆଶା କରିପାରେ । ସେହି କାରଣରୁ ମୋତେ ଯେ ଆପଣ ମିଥ୍ୟା ଫାଶି ଭୟ ଦେଖାଇ ଅନ୍ୟ କୌଣସି କଥା ଆଦାୟ କରିବାକୁ ବସିଛନ୍ତି ଏପରି ମୋର ମନେ ହୁଏନା । କିନ୍ତୁ ବାସ୍ତବିକ ମୁଁ ଆପଣଙ୍କ କଥା କିଛି ବୁଝିପାରିଲି ନାହିଁ ।’’

 

ଭବାନୀ ବାବୁ ତାକୁ ପୂର୍ବୋକ୍ତ ମୃତଦେହ ନିକଟରେ ତାର ଟିପଚିହ୍ନ ଥିବା ଖଣ୍ଡିଏ କାଗଜ ମିଳିଥିବା କଥା କହି ଜଣାଇଲେ, ‘‘ଧନୁ ସିଂ ଏଥର ତୁମେ ବୁଝିପାରୁଛ ତୁମ ବିପଦର ଗୁରୁତ୍ୱ । ମୁଁ ବୁଝୁଛି ଯେ ତୁମେ ହତ୍ୟାର ଅଭିଯୋଗ ବିରୁଦ୍ଧରେ ଯଥେଷ୍ଟ ସଫେଇ ସାକ୍ଷୀ ଦେଇପାରିବ । କିନ୍ତୁ ତୁମ ପରି ପ୍ରତିହିଂସା ପରାୟଣ ଦସ୍ୟୁ—ଯେ କି ଜେଲଖାନା ଡେଇଁ ପୂର୍ବେ ବହୁଥର ପଳାଇ ଯାଇଛି ତା ପକ୍ଷରେ ଏଇଟା ଅଦ୍ଭୁତ ହେଲେ ଯେ ଅସମ୍ଭବ ନୁହେଁ–ଏକଥା ବୋଧହୁଏ ତୁମେ ବି ସ୍ୱୀକାର କରିବ ।’’ କିଛିକ୍ଷଣ ମୌନ ରହି ଧନୁ ସିଂ ଉତ୍ତର ଦେଲା ‘‘ହଁ ସ୍ୱୀକାର କରିବି ।’’

 

—‘‘ତେବେ ମୁଁ ଯାହା ପଚାରିବି ତାର ଠିକ୍‌ ଉତ୍ତର ଦିଅ । ମୁଁ ଜାଣେ ତୁମେ ନିର୍ଦ୍ଦୋଷ । ତୁମର ସତ କହିବା ଉପରେ ତୁମର ଭଲ ମନ୍ଦ ନିର୍ଭର କରୁଛି । ସତ କହିବ ?’’

 

‘‘କହିବି ।’’

 

‘‘ତୁମେ ନଟବରକୁ ଚିହ୍ନ ?’’

 

‘‘ହଁ । ସେ ସାତ ଦିନର ମିଆଦ ପାଇ ଏହି ଜେଲକୁ ଆସିଥିଲା । ପ୍ରାୟ ଦୁଇ ତିନି ଦିନ ତଳେ ଖଲାସ ହୋଇଗଲା ।’’

 

‘‘ତାରି ଉପଦେଶରେ ତୁମେ ଖଣ୍ଡିଏ କାଗଜକୁ ନିଜ ହାତ ମୁଠାରେ କିଛିକ୍ଷଣ ଚାପି ଧରି ତାକୁ ଦେଇଥିଲ ?’’

 

‘‘ନା, ମୁଁ ଏ ବିଷୟରେ କିଛି ଜାଣେନାହିଁ । ମୋ କଥା ବିଶ୍ୱାସ କରିବା ବା ନ କରିବା ଆପଣଙ୍କ ଖୁସି ଉପରେ ନିର୍ଭର କରେ । କିନ୍ତୁ ମୁଁ କୌଣସି କାଗଜ ସ୍ପର୍ଶ କରିନାହିଁ ।’’

 

କିଛିକ୍ଷଣ ଭାବି ଭବାନୀ ବାବୁ ପୁଣି ପଚାରିଲେ ‘‘ଆଚ୍ଛା ତୁମ ସହିତ ତାର ବିଶେଷ ଘନିଷ୍ଠତା ଥିଲା ?’’

 

—‘‘ହଁ—ତା ଥିଲା । ଯେ କେତୁଟା ଦିନ ସେ ଏଠାରେ ଥିଲେ ଆମେମାନେ ଏକା ବାରେକରେ ଥିଲୁ । ତାଛଡ଼ା ତା ସହିତ ଘନିଷ୍ଠତାର ଅନ୍ୟ କାରଣ ମଧ୍ୟ ଅଛି । ଲୋକଟା ଓସ୍ତାତ୍‌ ହାତ ସଫେଇ ବାଲା । ଜେଲକୁ ଆସିବାବେଳେ ସେ ଲୁଚାଇ କିଛି ଗଞ୍ଜେଇ ସାଙ୍ଗରେ ଆଣିଥିଲା । ସେହି ବରଂ ଆମ ଦୁଇଙ୍କ ଘନିଷ୍ଠତାର କାରଣ ।’’

 

ଭବାନୀ ବାବୁ ସ୍ମିତ ମୁଖରେ ଜେଲର ବାବୁଙ୍କ ଆଡ଼େ ଚାହିଁଲେ । ଜେଲର ସାମାନ୍ୟ ଲଜ୍ଜିତ ହେଲେ ।

 

ଭବାନୀ ବାବୁ ପୁଣି ପଚାରିଲେ ‘‘ଆଚ୍ଛା—ଯେଉଁଦିନ ସକାଳ ନଟବଲ ଖଲାସ ହେବ, ତା ପୂର୍ବ ଦିନ ରାତିରେ ତୁମେ ଖୁବ ଗଞ୍ଜେଇ ଟାଣିଥିଲ କି ?’’

 

ନିର୍ବିକାର ଭାବରେ ଧନୁ ସିଂ ଜବାବ ଦେଲା ‘‘ହଁ, ତା ପରଦିନ ନଟବର ଖଲାସ ହୋଇ ଚାଲିଯିବ ବୋଲି ତାର ସବୁ ପାଣ୍ଠି ପୂର୍ବଦିନ ରାତିରେ ଶୋଇଲାବେଳେ ଟଣା ହୋଇଥିଲା ।

 

ଆଉ କିଛି ଭବାନୀ ବାବୁଙ୍କର ପଚାରିବାକୁ ନଥିଲା ।’’

 

ଧନୁ ସିଂକୁ ବିଦାୟ ଦେଇ ଭବାନୀ ବାବୁ ମଧ୍ୟ ଉଠିଲେ ।

 

କଟକ ସହରର ବାହାରେ ମହାନଦୀ କୂଳରେ ବହୁକାଳରୁ ଗୋଟିଏ ଜୀର୍ଣ୍ଣ ଅଟ୍ଟାଳିକା ପଡ଼ି ରହିଥିଲା । ଚାରିପଟର ଜଙ୍ଗଲ ବଢ଼ି ଘରଟି ମଧ୍ୟ ଘୋଡ଼େଇ ଦେଇଛି । ବହୁ ପ୍ରବୀଣ ଲୋକେ କହନ୍ତି ଯେ ଏହି ଅଟ୍ଟାଳିକାଟି କେଶରୀ ରାଜବଂଶଙ୍କ ସମୟର । ଚାରିଆଡ଼ ନିଛାଟିଆ । ବହୁଦୂର ପର୍ଯ୍ୟନ୍ତ ଘର ଦ୍ୱାର କେଉଁଠି ନାହିଁ । ଗୋଟିଏ ବିଭୀଷିକାମୟ ବର୍ଷା ରାତିରେ ଏହି ଅଟ୍ଟାଳିକାର ଗୋଟିଏ କକ୍ଷରେ କତୋଟି ଲୋକ ମୌନ ହୋଇ ବସିଛନ୍ତି । କିଛି ସମୟ ପରେ ପାକ କୋଠରୀରୁ ଗୋଟିଏ ଲୋକ ସେହି ଘରେ ପ୍ରବେଶ କଲା । ସମସ୍ତେ ଉଠି ତାକୁ ସମ୍ମାନ ପ୍ରଦର୍ଶନ କଲେ ଓ ପୁଣି ବସିଲେ । ଆଗନ୍ତୁକକୁ ଦେଖିଲେ ଚିହ୍ନି ହେବନାହିଁ । କାରଣ ତା ମୁହଁରେ ଗୋଟିଏ କାଗଜର ଦୀର୍ଘ ମୁଖା । ମୁଖାଟି ଉପରେ ଦୁଇଟି ଛୋଟ ଛୋଟ ରନ୍ଧ୍ର ମଧ୍ୟରୁ ଦୁଇଟି ଉଜ୍ଜ୍ୱଳ ଚକ୍ଷୁ ଅଳ୍ପ ଆଲୋକରେ ହୀରା ଖଣ୍ଡ ପରି ଚକ୍‌ ଚକ୍‌ କରୁଛି । ସମସ୍ତଙ୍କଆଡ଼େ ଥରେ ସେ ଭଲ କରି ଚାହିଁ ଆରମ୍ଭ କଲା ।

 

‘‘ବନ୍ଧୁଗଣ, ତୁମେମାନେ ସମସ୍ତେ ଆସିଥିବାର ଦେଖି ମୁଁ ପ୍ରୀତ ହେଲି । ଦୁନିଆ ଆଖିରେ, ପୁଞ୍ଜିବାଦୀ ସରକାର ଗଢ଼ିଥିବା ଆଇନ ଆଖିରେ ହୁଏତ ତୁମେମାନେ ଅପରାଧୀ, ଦସ୍ୟୁ-। କିନ୍ତୁ ମୁଁ ଏ କଥା ଦୃଢ଼ ଭାବରେ କହୁଛି ଯେ ଦେଶର ଭବିଷ୍ୟତ ବଂଶଧରମାନେ ଦିନେ ତୁମର କୀର୍ତ୍ତିକଳାପର ଇତିହାସ ପଢ଼ି ଗର୍ବ ଅନୁଭବ କରିବେ । ମୁଁ ଯେ ଏକଥା କେବଳ ବକ୍ତୃତା ଛଳରେ କହୁଛି ତା ନୁହେଁ । ସମଗ୍ର ପୃଥିବୀ ବୁଲି ବିଭିନ୍ନ ଜାତିର ଇତିହାସ ପଢ଼ି ଓ ନିଜ ଆଖିରେ ସେମାନଙ୍କର ସଭ୍ୟତାର ଅଗ୍ରଗତି ଓ ସ୍ୱରୂପ ଦେଖି ମୁଁ ଏହି କଥା ଠିକ୍ କରିଛି ଯେ ସ୍ୱାଧୀନତା ହାସଲ କରିବାକୁ ହେଲେ ଗୋଟିଏ ଦେଶ ବ୍ୟାପୀ ବିରାଟ ରକ୍ତାକ୍ତ ଆନ୍ଦୋଳନ ଲୋଡ଼ା । ଘରେ ବସି କାନ୍ଦିଲେ ବା ଉପାସ ରହି ବକ୍ତୃତା ଦେଲେ ବିଦେଶୀ ଶାସକ ଆମମାନଙ୍କୁ ସ୍ୱାଧୀନତା ଦେଇ ଯିବେ ନାହିଁ । ଚାଳିଶ କୋଟିର ରକ୍ତର ସ୍ୱାଧୀନତା ପାଇଁ ରକ୍ତ ଲୋଡ଼ା ।

 

କିଛିକ୍ଷଣ ନୀରବରେ ସମସ୍ତଙ୍କୁ ତୀକ୍ଷ୍‌ଣ ଭାବରେ ଚାହିଁଲେ । ତାପରେ ଆରମ୍ଭ କଲେ–

 

‘‘ଏହି ସଂଘର ନାମ କରା ହୋଇଛି ‘ରକ୍ତ ଚକ୍ର ସମିତି’ । ଏହାର ଉଦ୍ଦେଶ୍ୟ ପ୍ରତ୍ୟେକ ସଭ୍ୟଙ୍କୁ ଭଲ ଭାବରେ ବୁଝାଇ ଦିଆହୋଇଛି । ସମସ୍ତେ ନିଜ ନିଜ ଦେହର ରକ୍ତ ଦେଇ ଲେଖିଛନ୍ତି ଏ ସଂଘର ଶପଥ ପତ୍ର । ମୋ ନିଜ ଜୀବନର କେତୋଟି କଥା ମୁଁ ଆଜି କହିବି । କାଳରୁ ମୁଁ ଲକ୍ଷ୍ୟ କରି ଆସୁଛି ମାନବ ଜାତିର କାର୍ଯ୍ୟକଳାପକୁ । ଗୋଟିଏ ଶ୍ରେଣୀର ଲୋକ ଧନୀ । ଆଉ ଗୋଟିଏ ଦରିଦ୍ର । ଯେ ଧନୀ, ସେ ଗଣ୍ଡ ମୂର୍ଖ ବା ନିଷ୍କର୍ମୀ ହେଲେ ମଧ୍ୟ ସେ ଅନାୟାସରେ କିଣି ରଖିପାରିଛି ସହସ୍ର ଦରିଦ୍ରର ଉଜ୍ଜ୍ୱଳ ପ୍ରତିଭା । ଦରିଦ୍ର ମଜଦୂର ତାର ଜୀବନ ପଣ କରି ଧନୀ ମାଲିକର ଧନାଗାର ପୂର୍ଣ୍ଣ କରିବ । କିନ୍ତୁ ନିଜେ ମୁଠାଏ ପେଟପୂରା ଖାଇବାକୁ ନ ପାଇ ଅକାଳରେ ମରିଯିବି-। ଯେଉଁଆଡ଼େ ଚାହିଁ ଦେଖ ସବୁଆଡ଼େ ମୁକ୍ତ ଦିବାଲୋକରେ ଚୋରି ଜୁଆଚୋରି, ଡକାୟତି, ଖୁନ ପ୍ରଭୃତି ଚାଲିଛି । ଜୀବନଧାରର କରିବାକୁ ହେଲେ ଏ ସବୁ ଅନିବାର୍ଯ୍ୟ । କିନ୍ତୁ ଏ ସବୁ କେବଳ ଧନୀମାନଙ୍କର ଏକ ଚାଟିଆ—ଆଇନ ସାହାଯ୍ୟରେ ଧନୀ ଦରିଦ୍ରର ସର୍ବସ୍ୱ ଅପହରଣ କରିପାରେ-। କାରଣ ସେ ଆଇନ ତାହାରି ପରି ଧନୀ ମାନଙ୍କ ଦ୍ୱାରା ତିଆର ହୋଇଛି-। ଆଉ ଦରିଦ୍ର ପେଟ ବିକଳରେ ଯଦି ମୁଠାଏ ଚାଉଳ କେଉଁଠାରୁ ଉଠାଏ ତେବେ ସେ ଚୋର-। ସେ ଦାଗୀ । ତାର ସ୍ଥାନ ଜେଲଖାନାରେ ।’’

 

ଆଉ କିଛିକ୍ଷଣ ମୌନ ରହିଲା ଆଗନ୍ତୁକ । ପୁଣି ଥରେ ସମସ୍ତଙ୍କୁ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁ ଆରମ୍ଭ କଲା—

 

‘‘ଏ ସଂଘର ସଭ୍ୟମାନେ ଆଣିବେ ସ୍ୱାଧୀନତା । ଭବିଷ୍ୟତରେ କେହି ଏହି ବୀରମାନଙ୍କର ନାମ ଜାଣିପାରିବେ ନାହିଁ । କଂଗ୍ରେସ ନେତାମାନଙ୍କ ପରି ଫୁଲମାଳ ପିନ୍ଧାଇ କେହି ଅଭିନନ୍ଦନ କରିବେ ନାହିଁ । କିନ୍ତୁ ତଥାପି ଏହି ଆନ୍ଦୋଳନରେ ହିଁ ସ୍ୱାଧୀନତା ମିଳିବ । ଗାନ୍ଧିଙ୍କର ଅହିଁସାତ୍ମକ ଆନ୍ଦୋଳନରେ କଦାପି ସ୍ୱାଧୀନତା ମିଳିବ ନାହିଁ । ଏତେ ଦିନ ଏହି ଅହିଂସାତ୍ମକ ଆନ୍ଦୋଳନ ପରେ ଦେଶ ପାଇଛି କଣ ? କିଛି ନାହିଁ । ବରଂ ଦେଶବାସୀ ଆହୁରି ପଙ୍ଗୁ ହୋଇ ଯାଇଛନ୍ତି । କେତୁଟା ମାତ୍ର ସ୍ୱାର୍ଥପର ଲୋକଙ୍କର ନେତା ବନିବା ଉଦ୍ଦେଶ୍ୟ ସାର୍ଥକ କରିବା ପାଇଁ ହଜାର ହଜାର ନିରୀହ ଦେଶବାସୀ ଜେଲଖାନାରେ ସଢ଼ୁଛନ୍ତି । କିନ୍ତୁ ଦେଶ ପୂର୍ବେ ଯେଉଁଠି ଥିଲା ଆଜି ମଧ୍ୟ ସେହିଠାରେ । ଏ ସଂଘକୁ ଶକ୍ତିଶାଳୀ କରିବା ପାଇଁ ପ୍ରଥମେ ଲୋଡ଼ା ଅର୍ଥ । ସେ ଅର୍ଥ ଏ ସମିତି ଚାନ୍ଦା କରି ବା ଭିକ୍ଷା ମାଗି ସଂଗ୍ରହ କରିବ ନାହିଁ । ସଂଗ୍ରହ କରିବ ଯାର ଅଧିକା ଅଛି । ତାଠାରୁ ଛଡ଼ାଇ ନେଇ । ବୈଜ୍ଞାନିକ ଉପାୟରେ କୌଣସି ଅପରାଧ କଲେ ପୁଲିସ ତାର ସନ୍ଧାନ ପାଇବ ନାହିଁ । ସରକାରର କୌଣସି ଶକ୍ତି ଆମମାନଙ୍କର ଅଗ୍ରଗତି ରୋକି ପାରିବ ନାହିଁ । ଏହି କେତୋଟି ଦିନ ମଧ୍ୟରେ ଆମେମାନେ ଦୁଇଟି କାର୍ଯ୍ୟ ନିର୍ବିଘ୍ନରେ କରି ପାରିଛୁ । କୃପଣ ବୃଦ୍ଧଠାରୁ ୫୦ ହଜାର ଟଙ୍କା ଆଣି ଆମେମାନେ କୌଣସି ଅପରାଧ କରିନାହୁଁ । ନୀଳାମ୍ବରକୁ ହତ୍ୟା କରି ହଜାରିମଲଠାରୁ ୧୦ ହଜାର ଟଙ୍କା ପାଇଛୁ ଓ ଏ ଦୁଇଟି ଏପରି କୌଶଳରେ କରା ହୋଇଛି ଯେ ପୁଲିସ ଦିନ ରାତି, ଚେଷ୍ଟା କରି ମଧ୍ୟ କିଛି ଠିକ୍‌ କରି ପାରିନାହିଁ । ଏଥର ହେବ ଆମର ତୃତୀୟ ଚେଷ୍ଟା ଏବଂ ମୁଁ ଦୃଢ଼ ନିଶ୍ଚିନ୍ତ ଯେ ଏଥର ବି ଆମେମାନେ ନିର୍ବିଘ୍ନରେ କୃତକାର୍ଯ୍ୟ ହେବୁ । ଏଥର କଣ କରିବା ମୁଁ ଠିକ୍‌ କରିଛି ତା କହିବା ପୂର୍ବରୁ ଏ ବିଷୟରେ ଟିକିଏ ଭୂମିକା ପ୍ରୟୋଜନ । ତୁମେମାନେ ଜାଣ ବଙ୍ଗ ଦେଶରେ ଗତ ବର୍ଷ ଦୁର୍ଭିକ୍ଷ ସମୟରେ ମୁଠାଏ ଖାଇବାକୁ ନ ପାଇ ଲକ୍ଷ ଲକ୍ଷ ଲୋକ ମଲେ । ମୁଠାଏ ଚାଉଳ ବା ଖୁଦ ପରିବର୍ତ୍ତରେ ଲୋକେ ଅନାୟାସରେ ମୁଠାଏ ଟଙ୍କା ଦେଇ ଦେଉଥିଲେ । ଏହିପରି ଦୁର୍ଦ୍ଦିନର ସୁଯୋଗ ପାଇ ଅନେକ ସ୍ୱାର୍ଥପର ଲୋକ ସାମାନ୍ୟ ଖାଦ୍ୟ ସାମଗ୍ରୀ ବିନିମୟରେ ଅନ୍ନାଭାବରେ ମରୁଥିବା ଲୋକଙ୍କର ସର୍ବସ୍ୱ ଲୁଟି କରିବାକୁ ଲାଗିଲେ । ଶହ ଶହ ଦରିଦ୍ରକୁ ବହୁକାଳରୁ ଝାଳବୁହା ସାମାନ୍ୟ ପୁଞ୍ଜି ସ୍ୱାର୍ଥପର ଧନଭଣ୍ଡାର ପୂର୍ଣ୍ଣ କରିବାକୁ ଲାଗିଲା-। ଆମର ନୀଳାମ୍ବର ସେହିପରି କରି ମେଦିନୀପୁରର ଦୁର୍ଭିକ୍ଷ ପ୍ରପୀଡ଼ିତ ସହସ୍ର ସହସ୍ର ଲୋକଙ୍କର ସଞ୍ଚିତ ଅର୍ଥ ଅନାୟାସରେ ସାମାନ୍ୟ ଖାଦ୍ୟ ଦ୍ରବ୍ୟ ବିନିମୟରେ ପାଇଥିଲା । ବଞ୍ଚି ରହିବା ପାଇଁ ଲୋକ ସର୍ବସ୍ୱ ଦେଲେ । ତଥାପି ସର୍ବଗ୍ରାସୀ କ୍ଷୁଧାର ବିରାମ ନାହିଁ କିମ୍ବା ଦୁର୍ଭିକ୍ଷର ଅବସାନ ନାହିଁ । ତାପରେ ପେଟ ଜ୍ୱାଳାରେ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକେ କଲେ ବେଆଇନ କାମ । ଚୋରି କରି, ଡକାୟତି କରି ଖୁନ୍‌ କରି କାଙ୍ଗାଳ ପଲ ଯାହା ଘରେ ଖାଇବାକୁ ଅଛି ତାଠାରୁ ଖାଦ୍ୟ ଦ୍ରବ୍ୟ ଓ ଧନ ରତ୍ନ ଛଡ଼ାଇ ନେଲେ । ସେହି ଭୟରେ ଲକ୍ଷ ଲକ୍ଷ ଟଙ୍କାର ଜହରତ ଓ ନଗଦ ଟଙ୍କା ନେଇ ନୀଳାମ୍ବର ମେଦିନୀପୁର ଛାଡ଼ି କଟକ ପଳାଇ ଆସିଲା । ଏଠାରେ ଆସି ମଧ୍ୟ ତାର ଦଗାବାଜିରେ ପାଇଥିବା ଧନ ରତ୍ନ ବ୍ୟାଙ୍କ ପ୍ରଭୃତିରେ ରଖିବାକୁ ସାହସ କଲାନାହିଁ । ହଜାରିମଲ ସଙ୍ଗେ ତାର ପୂର୍ବରୁ ଚିହ୍ନା ଥିଲା । ହଜାରିମଲ ଜଣେ ବଡ଼ ଚୋରା ମାଲ ବେପାରୀ । ଏଠାରୁ ଚୋରା ଲୁଗା ଓ ଚାଉଳ ପ୍ରଭୃତି ଖୁବ୍‌ ଉଚ୍ଚ ଦରରେ ସେ ଏଥିପୂର୍ବରୁ ନୀଳାମ୍ବରକୁ ବିକୁଥିଲା ।

 

ନୀଳାମ୍ବର ଆସି ତା ଧନ ସମ୍ପତ୍ତି ସହିତ ହଜାରିମଲର ଶରଣ ନେଲା । କିଛି ଦିନ ପରେ ଲୋଭୀ ହଜାରିମଲ ମନରେ ଗୋଟିଏ ଫନ୍ଦି ଜାଗିଲା । ଯଦି ନୀଳାମ୍ବରକୁ କୌଣସି ରକମର ହତ୍ୟା କରିପାରେ ତେବେ ସେ ଅନାୟସରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପାଇ ପାରିବ । କିନ୍ତୁ ସେ ନିଜେ ଧୂର୍ତ୍ତ ନୀଳାମ୍ବରକୁ ହତ୍ୟା କରିବାକୁ ସାହାସ କଲାନାହିଁ । ତହୁଁ ସେ ଏ ସମିତିର ଜଣେ ସଭ୍ୟ ସହିତ ଗୋପନରେ ନୀଳାମ୍ବରର ଜୀବନ ବିନିମୟ ଏ ସଂଘକୁ ଦଶହଜାର ଟଙ୍କା ଦବେ ବୋଲି ଠିକ୍‌ କଲା । ତାପରେ ନୀଳାମ୍ବର ମୃତ୍ୟୁ କଥା ସମସ୍ତେ ଜାଣ । ଏ ସମିତିର ଜଣେ ସଭ୍ୟ ଅନାୟାସରେ କାର୍ଯ୍ୟ ଶେଷ କରି ପାରିଛି । ହଜାରିମଲ ମଧ୍ୟ ପ୍ରତିଶ୍ରୁତି ଦଶ ହଜାର ଟଙ୍କା ଦେଇଛି । କିନ୍ତୁ ଆହୁରି ବହୁ ସହସ୍ର ଟଙ୍କା ତା ନିକଟରେ ଏ ପର୍ଯ୍ୟନ୍ତ ଗଚ୍ଛିତ ଅଛି । ଏ ଟଙ୍କାରେ ତାର କୌଣସି ଦାବୀ ନାହିଁ । ଏ ଟଙ୍କା ଓ ଜହରତ ଚୋରି କରିବାକୁ ହେବ । ମୋର ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହେଲେ ଏଥିରେ ବିପଦର କୌଣସି ଭୟ ନାହିଁ । ତୁମେମାନେ ସମସ୍ତେ ଶିକ୍ଷିତ । ସମସ୍ତେ ଅତ୍ୟନ୍ତ ବୁଦ୍ଧିମାନ ଓ ସାହସୀ ।

 

‘‘ତୁମମାନଙ୍କୁ ଜଣାଥିବ ଯେ ଆମମାନଙ୍କର ଗତ ଦୁଇଟି କାର୍ଯ୍ୟର ତଦନ୍ତ ଇନସ୍‌ପେକ୍‌ଟର ଭବାନୀ ମହାପାତ୍ର ଓ ଡିଟେକ୍‌ଟିଭ ଶାନ୍ତନୁ ଦାସ ଏ ପର୍ଯ୍ୟନ୍ତ କରୁଛନ୍ତି । କୌଣସି ପତ୍ତା କିନ୍ତୁ ମିଳିନାହିଁ—କିମ୍ବା ମିଳିବାର କୌଣସି ଆଶାନାହିଁ ।

 

ତା’ପରେ ବହୁକ୍ଷଣ ପର୍ଯ୍ୟନ୍ତ ହଜାରିମଲ ଘରୁ ଚୋରି କରିବାର ଉପାୟ ଓ କୌଶଳ ଆଲୋଚନା ହୋଇ ସଭା ଭଙ୍ଗ ହେଲା । ସମିତିର ସଭ୍ୟମାନେ ସେହି ବର୍ଷା ରାତିରେ ଯେ ଯାହା ଘରକୁ ଗଲେ ।

 

X X X

 

ଠିକ୍‌ ସେତିକିବେଳେ ଡିଟେକ୍‌ଟିଭ ଶାନ୍ତନୁ ବାବୁଙ୍କ ଘରେ ଇନ୍‌ସପେକ୍‌ଟର ଭବାନୀ ବାବୁ ଶାନ୍ତନୁ ବାବୁଙ୍କୁ ଅପେକ୍ଷା କରିଥିଲେ । ଶାନ୍ତନୁ ବାବୁ ବହୁକ୍ଷଣରୁ ନଥିଲେ । କେତେବେଳେ ପରେ ବର୍ଷାରେ ଓଦା ହୋଇ ଶାନ୍ତନୁ ବାବୁ ଘର ଭିତରକୁ ପଶି ଆସି ଭବାନୀ ବାବୁଙ୍କୁ ଦେଖି ଅତ୍ୟନ୍ତ ଦୁଃଖିତ ହୋଇ କହିଲେ—

 

‘‘ନମସ୍କାର ଭବାନୀ ବାବୁ ।’ ମୁଁ ଚାକରଠାରୁ ଶୁଣିଲି ଯେ ଆପଣ ବହୁକ୍ଷଣରୁ ଆସି ଏଠାରେ ଅପେକ୍ଷା କରିଛନ୍ତି, ମୁଁ ବଡ଼ ଦୁଃଖିତ ।’’

 

ପ୍ରତି ନମସ୍କାର କରି ଭବାନୀ ବାବୁ କହିଲେ ‘‘ନା ନା, ମୋର କୌଣସି ଅସୁବିଧା ହୋଇନାହିଁ । ତାପରେ କହନ୍ତୁ, ଖୁନ୍‌ର କୌଣସି ସୂତ୍ର ପାଇଲେ କି ନାହିଁ ।’’

 

—ଦୁଃଖିତ ହୋଇ ଶାନ୍ତନୁ ବାବୁ ଉତ୍ତର ଦେଲେ ‘‘ନା, ଏ ପର୍ଯ୍ୟନ୍ତ କୌଣସି ସୂତ୍ର ଆବିଷ୍କାର କରି ପାରିଲି ନାହିଁ । ଏ ମୋ ଜୀବନରେ ଗୋଟାଏ ଖୁବ ବଡ଼ ପରାଜୟ । ମିନିଷ୍ଟର ମଧ୍ୟ ମୋତେ ଆଜି ଏ ବିଷୟରେ ପଚାରୁଥିଲେ । କିନ୍ତୁ ଆପଣ କିଛି ପାଇଲେ କି ?’’

 

—‘‘ମୁଁ ହତ୍ୟାକାରୀର ଫଟୋ ପାଇ ପାରିଛି । ଏତିକି କହି ଥରେ ଶାନ୍ତନୁ ବାବୁଙ୍କ ଆଡ଼େ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁଲେ । ଶାନନ୍ତୁ ବାବୁ ହଠାତ୍‌ ଚମକି ଉଠିଲା ପରି ହୋଇ ପଚାରିଲେ ତାହେଲେ ହତ୍ୟାକାରୀ କିଏ ଆପଣ ଚିହ୍ନନ୍ତି ?’’

 

ଭବାନୀ ବାବୁ ସାମାନ୍ୟ ହସି କହିଲେ ‘‘ନା ତା ଚିହ୍ନି ପାରିଲି ନାହିଁ । ଫଟୋଟି ମୋଟେ ଭଲ ଉଠିନାହିଁ । ଏହି ଦେଖନ୍ତୁ କହି ପକେଟରୁ ଖଣ୍ଡିଏ କ୍ଷୁଦ୍ର ଫଟୋ କାଢ଼ି ଟେବୁଲ ଉପରେ ଥୋଇଲେ । ଶାନ୍ତନୁ ବାବୁ ଅତ୍ୟନ୍ତ ଆଗ୍ରହରେ ଫଟୋଟି ଉଠାଇ ନେଇ ଦେଖିଲେ । କିନ୍ତୁ ସେଥିରେ ଗୋଟିଏ ଝାପ୍‌ସା କଳା ଚିହ୍ନ ଛଡ଼ା ଆଉ କିଛି ନ ଥିଲା । କିଛିକ୍ଷଣ ଚାହିଁ ଚାହିଁ ଶାନ୍ତନୁ ବାବୁଙ୍କର ମୁଖ ଭାଗର ପରିବର୍ତ୍ତନ ହେଲା; ଫଟୋଟି ଫେରାଇ ଦେଇ କହିଲେ, ‘‘ଏତ ମୋଟେ ଚିହ୍ନା ଯାଉନାହିଁ । କିପରି ସଂଗ୍ରହ କଲେ ଏ ଖଣ୍ଡିକ ?’’

 

ଭବାନୀ ବାବୁ ବିନା ଆପତ୍ତିରେ କହିଗଲେ ତାଙ୍କ ବୈଜ୍ଞାନିକ ଉପାୟରେ ଫଟୋ ନେବା କଥା । ତାପରେ ଶାନ୍ତନୁ ବାବୁ ପଚାରିଲେ ‘‘ଅଚ୍ଛା, ମୃତ ବ୍ୟକ୍ତିର କୌଣସି ଠିକଣା ଜଣାପଡ଼ିଲା କି ?’’

 

ଭବାନୀ ବାବୁ କହିଲେ ‘‘ଜଣା ପଡ଼ିନାହିଁ । କିନ୍ତୁ ଏହି ଦୁଇ ତିନି ଦିନ ମଧ୍ୟରେ ଯେ ଜଣାପଡ଼ିବ ଏଥିରେ କୌଣସି ସନ୍ଦେହ ନାହିଁ । ଆମେମାନେ ଜାଣି ପାରିଛୁ ମୃତ ବ୍ୟକ୍ତି ବଙ୍ଗଦେଶୀୟ । ସୁତରାଂ ତାର ଫଟୋ ବଙ୍ଗ ଦେଶର ସବୁ ଜିଲ୍ଲାମାନଙ୍କୁ ବିଶେଷ ଜରୁରୀ ଚିହ୍ନିତ କରାହୋଇ ପଠାହୋଇଛି ।’’

 

—‘‘ମୋର ଏହିଠାରେ ଆପଣଙ୍କ ସଙ୍ଗେ ମତ ମିଳିଲା ନାହିଁ ଭବାନୀ ବାବୁ । ମୃତ ବ୍ୟକ୍ତି ବଙ୍ଗାଳି ବୋଲି ତାର ପ୍ରମାଣ କଣ ? ବରଂ ସେ ଯେ ଓଡ଼ିଆ ତାର ପ୍ରମାଣ ଅଛି । ମିନିଷ୍ଟର କଣ କହି ନାହାନ୍ତି ଯେ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ତାଙ୍କ ସହିତ ମୃତ ବ୍ୟକ୍ତି ଟେଲିଫୋନରେ ଓଡ଼ିଆରେ କଥା କହିଥିଲା । ମିନିଷ୍ଟରଙ୍କ ମତରେ ସେପରି ଖାଣ୍ଟି ଓଡ଼ିଆ ବଙ୍ଗଦେଶୀୟ ଲୋକେ କହି ପାରିବେ ନାହିଁ ।’’

 

ସାମାନ୍ୟ ହସି ଭବାନୀ ବାବୁ କହିଲେ ‘‘ହଁ, ତା ଠିକ୍‌ । ସେପିର ଖାଣ୍ଟି ଓଡ଼ିଆ ବଙ୍ଗ ଦେଶୀୟ ଲୋକେ କହି ପାରିବେ ନାହିଁ କିମ୍ବା ଆମର ବଙ୍ଗ ଦେଶୀୟ ନୀଳାମ୍ବର ଘୋଷ ସେ କଥା କହିନାହିଁ । ଜେଲଖାନାରୁ ଧନୁ ସିଂର ଟିପ ଚିହ୍ନ ଯଦି ମୃତ ବ୍ୟକ୍ତି ପାଖରେ ପଡ଼ିଥାଇ ପାରେ ତେବେ ମୃତ ବ୍ୟକ୍ତି ନାଁରେ ଆଉ କେହି ମିନିଷ୍ଟରଙ୍କ ସଙ୍ଗେ ଓଡ଼ିଆରେ ଆଳାପ କରିବାରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ?’’

 

ଇନ୍‌ସପେକ୍‌ଟର ଲକ୍ଷ୍ୟ କଲେ ତାଙ୍କ କଥା ଶୁଣି ଶାନ୍ତନୁ ବାବୁଙ୍କର ମୁହଁ ଶୁଖିଗଲା । ତାପରେ ଯଥା ସମ୍ଭବ ପ୍ରକୃତିସ୍ଥ ହୋଇ ଶାନ୍ତନୁବାବୁ ପଚାରିଲେ ‘‘ତା ହେଲେ ଆପଣ ମୃତ ବ୍ୟକ୍ତିର ନା ମଧ୍ୟ ଜାଣିପାରିଛନ୍ତି ?’’

 

—‘‘କାହିଁକି ଆପଣ ଜାଣି ପାରି ନାହାନ୍ତି କି ? ମୋର ଧାରଣା ଥିଲା ଆପଣ ମଧ୍ୟ ଜାଣି ପାରିଛନ୍ତି । ଯାହାର ତୀକ୍ଷ୍‌ଣ ଦୃଷ୍ଟିରେ ରାତିର ଅଳ୍ପ ଆଲୁଅରେ ମଧ୍ୟ ଖଣ୍ଡିଏ କ୍ଷୁଦ୍ର କାଗଜ ଉପରେ ଅସ୍ପଷ୍ଟ କୋତୋଟି ଟିପ ଚିହ୍ନ ଦେଖାଯାଏ ସେ ଯେ ମୃତ ବ୍ୟକ୍ତିର ବାଁ ହାତ ଉପରେ ଉକ୍ତ ନାଁଟି ବଙ୍ଗଳାରେ ଚିତା କୁଟା ହୋଇଥିବାରୁ ଦେଖି ନଥିବେ ଏ କଥା ମୁଁ ଧାରଣା କରନ୍ତି କିପରି ?’

 

ଲଜ୍ଜ୍ୟା ଓ ଅସ୍ୱସ୍ତିରେ ଶାନ୍ତନୁ ବାବୁଙ୍କର ମୁହଁ ଶୁଖିଗଲା । ପ୍ରବୀଣ ଇନ୍‌ସପେକ୍‌ଟର ଏହା ଲକ୍ଷ୍ୟକରି ମନେ ମନେ ହସିଲେ । କିଛିଦୂର ଆସିବା ପରେ ଗୋଟିଏ ଭିକାରୀ ମୁଣ୍ଡରେ ହାତ ଛୁଆଁଇ ଗୋଟିଏ ପଇସା ମାଗିଲା । ଭବାନୀ ବାବୁ ପକେଟରୁ ଗୋଟିଏ ପଇସା କାଢ଼ି ତା ହାତରେ ଦେଲେ । ତା ପରେ ସାମାନ୍ୟ ହସି କହିଲେ, ‘‘ଠିକ ହୋଇଛି । ଔଷଧ ଠିକ୍‌ ଧରିଛି । ତୁମେ ହୁସିଆର ଥିବ ।’’

 

ତା ପରେ ଲୋକାରଣ୍ୟରେ ଇନ୍‌ସପେକ୍‌ଟର ଭବାନୀ ମହାପାତ୍ର ଧୀରେ ଧୀରେ ମିଶିଗଲେ । ଭିକାରୀଟି ସେହିପରି ଲାଇଟ ପୋଷ୍ଟ ପାଖରେ ଛିଡ଼ା ହୋଇ ରହିଲା ।

 

ପାଠକ ଜାଣି ପାରିଥିବେ ଯେ ଏହି ଭିକାରୀଟି ଭବାନୀ ବାବୁଙ୍କର ସୁଯୋଗ୍ୟ ସହକାରୀ ସବଇନ୍‌ସପେକ୍‌ଟର ଇଉସୁଫ ।

 

ସଞ୍ଜବେଳେ ସ୍ନାନ ଓ କେଶ ବିନ୍ୟାସ କରି ବିଜୟ କେତନ ବୁଲି ବାହାରିଗଲେ । ପରିଚ୍ଛନ୍ନ ଚେହେରା । ଆଖିରେ ବୁଦ୍ଧିର ଦୀପ୍ତି । ଘରୁ ବାହାରି ଆସି ଦେଖିଲେ ଗୋଟିଏ ବୃଦ୍ଧ ଅନ୍ଧ କ’ଣ ଖୋଜି ହଉଛି । ଜଣେ ଲୋକର ଆଗମନ ଅନୁଭବ କରି ଅନ୍ଧ କରୁଣ ଭାବରେ ହାତଯୋଡ଼ି କହିଲା ‘ବାବୁ ବାଡ଼ି ଖଣ୍ଡି ଏଇଠି କେଉଁଠି ପଡ଼ିଗଲା ପାଉନାହିଁ ।’

 

ବିଜୟକେତନ ଦେଖିଲେ ଯେ କିଛି ଦୂରରେ ଗୋଟିଏ ମୋଟା ବାଉଁଶ ବାଡ଼ି ପଡ଼ିଛି । କିଛି ନ କହି ବାଡ଼ିଟି ଉଠାଇ ଅନ୍ଧ ହାତକୁ ଦେଲେ । ତୈଳାକ୍ତ ବାଡ଼ିଟିରେ ହାତଲାଗି ତାଙ୍କ ହାତ ପାପୁଲି ମଧ୍ୟ ତୈଳାକ୍ତ ହୋଇଗଲା । ରୁମାଲ କାଢ଼ି ହାତ ପୋଛୁ ପୋଛୁ ସାମାନ୍ୟ ବିରକ୍ତ ହୋଇ ବିଜୟ କେତନ ପୁଣି ଚାଲିଲେ । ଅନ୍ଧଟି ନିଜ ବାଟ ଖୋଜି ଖୋଜି କିଛିଦୂର ଯାଇ ହଠାତ୍‌ ଛିଡ଼ା ହେଲା । ଚାଲି ଯାଉଥିବା ବିଜୟକେତନ ଆଡ଼େ ଚାହିଁ ସେ ସାମାନ୍ୟ ଆଖି ଖୋଲି ଟିକିଏ ମୁରୁକି ହସି ପୁଣି ଚାଲିଲା ।

 

ଠିକ୍‌ ସେତିକି ବେଳେ ଭବାନୀ ବାବୁ ନଟବରକୁ ଗୋଟିଏ ଚାହା ଦୋକାନରେ ପାଇ ତା ସହିତ ଟିକିଏ ଆଳାପ କରୁଥିଲେ । ଅବଶ୍ୟ ଭବାନୀ ବାବୁ ସାଧାରଣ ପରିଚ୍ଛଦରେ ଥିଲେ । କିନ୍ତୁ ସେ ହୋଟେଲରେ ପଶିବା ମାତ୍ରେ ନଟବରନାଟକୀୟ ଭାବରେ ଛିଡ଼ା ହୋଇ ଗୋଟିଏ ନମସ୍କାର କଲା । ମୁଣ୍ଡରେ ତୈଳାକ୍ତ ବଡ଼ ବଡ଼ ବାଳ । ଗାଲ ଓ ବେକରେ ହାଡ଼ ଉପରେ କେବଳ ଚମଡ଼ାର ଆଚ୍ଛାଦାନ । ଦୁଇଟି କୋଟରାଗତ ଆଖି । କାନରେ ଗୋଟିଏ ଅର୍ଦ୍ଧ ଦଗ୍‌ଧ ବିଡ଼ି । ଓଠ ଦୁଇଟି ଗଞ୍ଜିକା ସେବୀମାନଙ୍କ ପରି କୃଷ୍ଣବର୍ଣ୍ଣ । ଏପରି ଗୋଟିଏ ଜୀବନ୍ତ କଙ୍କାଳ ନଟବରକୁ ଦେଖି ସେ ଯେ କୌଣସି ବଡ଼ ଅପରାଧ ଜନକ ଷଡ଼ଯନ୍ତ୍ରରେ ଲିପ୍ତ ଥାଇପାରେ ଏକଥା ଭାବିବା ପାଇଁ ବହୁଦର୍ଶୀ ଇନ୍‌ସପେକ୍‌ଟରଙ୍କର ଇଚ୍ଛା ହେଲାନାହିଁ ।

 

କିଛିକ୍ଷଣ ଚାହିଁ ଭବାନୀବାବୁ ପଚାରିଲେ ‘‘ତୁମର ନାମ ନଟବର ନା ?’’

 

‘‘ହଁ ସାର୍‌, ମୋ ନା ନଟବର ସାମନ୍ତ । ଖାଣ୍ଟି କ୍ଷତ୍ରୀୟ ବଂଶରେ ଜନ୍ମ । ଏଇ ଓଡ଼ିଶା ସ୍ୱାଧୀନ ଥିଲାବେଳେ ମୋର ପୂର୍ବ ପୁରୁଷ ସେଇ ସ୍ୱାଧୀନ ରାଜାମାନଙ୍କର ସେନାପତି ଥିଲେ ।’’

 

‘‘କିନ୍ତୁ ବର୍ତ୍ତମାନ କ୍ଷତ୍ରିୟ ସନ୍ତାନ କରୁଛନ୍ତି କଣ ?’’ ସାମାନ୍ୟ ହସି ଭବାନୀ ବାବୁ ପଚାରିଲେ ।

 

‘‘ଆଉ କ’ଣ ସାର । ବର୍ତ୍ତମାନ ଏକରକମ ବେକାର । ପାଠ ପଢ଼ିଲି । ନାଟ୍ୟକଳା ଶିଖିଲି । କିନ୍ତୁ ସେଥିରେ କଣ କ୍ଷତ୍ରିୟ ସନ୍ତାନର ଅନ୍ନ ମିଳେ ? ମିଛରେ କଅଣ ଆମ ପୂର୍ବ ପୁରୁଷ ଜାତି ଭେଦ କରିଥିଲେ ? ଯେ ଯାହାର କାମ କରିବ । ବ୍ରାହ୍ମଣ କରିବ ପୂଜା । କ୍ଷତ୍ରିୟ ଯୁଦ୍ଧ କରିବ-। ଏ ପରାଧୀନ ଦେଶରେ କଣ ଆଉ ସେ ସବୁ ଜାତିଗତ କର୍ମ ଅଛି ? କିଛି ମନେକରିବେ ନାହିଁ ସାର । ଆପଣ ପୁଲିସ ଅଫିସର ।’’ ଏହାକହି ନଟବର ବଡ଼ ବଡ଼ ମଇଳା ଦନ୍ତ ଦେଖାଇ ପ୍ରଶାନ୍ତ ହସ ହସିଲା ।

 

ଭବାନୀ ବାବୁ ତାର ଜ୍ଞାନ ଗର୍ଭକ ଜାତି ଭେଦ ତତ୍ତ୍ୱ ଶୁଣି ମୁଗ୍‌ଧ ହେଲେ ବା ଯୁଦ୍ଧ ସ୍ପୃହା ଦେଖି କୌତୁକ ଅନୁଭବ କଲେ, —ଜଣାଗଲା ନାହିଁ । କିନ୍ତୁ ଆଶ୍ଚର୍ଯ୍ୟ ହେଲେ ସେ ତାଙ୍କୁ ଚିହ୍ନି ପାରିଛି ଜାଣି ।

 

‘‘ତୁମେ ମୋତେ ଚିହ୍ନି ପାରିଲ କିପରି ?’’

 

—‘‘ହେଁ—ହେଁ । ଆପଣଙ୍କ ପରି ବିଖ୍ୟାତ ଲୋକଙ୍କୁ ପୁଣି ଚିହ୍ନିବାରେ ଅସୁବିଧା ?’’

 

‘‘ତୁମେ ଜେଲରୁ ଫେରିଲ କେବେ ?’’ ଭବାନୀ ବାବୁ ପଚାରିଲେ ।

 

‘‘କେଉଁ ଜେଲରୁ ସାର୍‌ ?’’ ନଟବର ଅମ୍ଳାନ ବଦନରେ ଭବାନୀ ବାବୁଙ୍କୁ ପ୍ରଶ୍ନ କଲା ।

 

‘‘ଅର୍ଥାତ୍‌ ? ତୁମେ କେଉଁ କେଉଁ ଜେଲକୁ ଯାଇଛ ?’’

 

ହାବଡ଼ା ଠାରୁ ପୁରୀ ପର୍ଯ୍ୟନ୍ତ ରେଳ ଲାଇନ୍‌ ନିକଟବର୍ତ୍ତୀ ପ୍ରାୟ ସବୁ ଜେଲକୁ ସାର । ବିନା ଟିକଟରେ ରେଳରେ ଯିବା ଓ ଟିକଟର ଦାମ ଦେବାକୁ କ୍ଷମତା ନଥିବା ମୋର ଅପରାଧ ।

 

‘‘କଟକରେ ତୁମେ ଥାଅ କେଉଁଠାରେ ?’’ ଭବାନୀ ବାବୁ ଦୃଢ଼ କଣ୍ଠରେ ପଚାରିଲେ ।

 

‘‘ଦୁଃଖର ବିଷୟ ସାର, ଏ ପ୍ରଶ୍ନର ଉତ୍ତର ମୁଁ ଦେଇପାରିବି ନାହିଁ ।’’

 

‘‘କାହିଁକି ?’’ ଆହୁରି ଶକ୍ତି ହୋଇ ଭବାନୀ ବାବୁ ପଚାରିଲେ ।

 

‘‘ତାର କାରଣ ସାର୍‌’’ ଟିକିଏ ସୁଦ୍ଧା ଦ୍ୱିଧା ନ କରି ନଟବର ଉତ୍ତର ଦେଲା ‘‘ମୋର ସେପରି ଗୋଟାଏ ଧରାବନ୍ଧା ବାସସ୍ଥାନ ନାହିଁ । ଆଜିକାଲି ଖରା ଦିନରେ ମୋତେ ରାତିବେଳେ ଆପଣ ପ୍ରାୟ ମୁନିସିପାଲିଟି ଉପର ବେଞ୍ଚରେ ପାଇବେ । ପରିଷ୍କାର ସ୍ଥାନ, ହାୱା ମଧ୍ୟ ପ୍ରଚୁର । ଆପଣ ସେହି ଠିକଣା ଲେଖି ନିଅନ୍ତୁ ।’’

 

‘‘କିନ୍ତୁ ତୁମର ଅନ୍ନ ସଂସ୍ଥାନ ହୁଏ କିପରି ? ଇନ୍‌ସପେକ୍‌ଟର ଜେରା କଲେ ।

 

‘‘ସେ କଥା ଆଉ ପଚାରନ୍ତୁ ନାହିଁ ସାର୍‌ । ଆମେମାନେ ଖାନଦାନୀ ଭଦ୍ରଲୋକ । ଆମମାନଙ୍କ ଖର୍ଚ୍ଚ ସାଧାରଣତଃ ଟିକିଏ ବେଶି । ଏହି ସହରର କେତୁଟା ରାସ୍ତାରେ ମୁଁ ଯିବା ଆସିବା ବନ୍ଦ କରିବାକୁ ବାଧ୍ୟ ହୋଇଛି । କାରଣ ପ୍ରାୟ ସବୁ ଦୋକାନରୁ ମୋର ଉଧାର ।’’

 

ଏହି ସ୍ଥାନରେ ବହୁଦର୍ଶୀ ଇନ୍‌ସପେକଟର ଗୋଟିଏ ଶର ନିକ୍ଷେପ କଲେ । ‘‘କିନ୍ତୁ ତୁମେ ତ ନିଶ୍ଚିନ୍ତରେ ତୁମର ଖାନଦାନୀ ଖରଚ ଚଳାଇ ପାରିବ—ଯଦି ତୁମେ ମୋତେ ସାହାଯ୍ୟ କର ।’’ ଏହାକହି ଭବାନୀ ବାବୁ ପକେଟରୁ ଖଣ୍ଡିଏ ଦଶ ଟଙ୍କିଆ ନୋଟ ବାହାର କରି ନଟବର ସାମନାରେ ଧରିଲେ । ‘‘ଗୋଟିଏ ସାମାନ୍ୟ କଥାର ସତ ଜବାବ ଦେଇ ତୁମେ ଅକ୍ଳେଶରେ ଏ ନୋଟ୍‌ ଖଣ୍ଡି ପାଇ ପାର ।’’

 

ଗୋଟିଏ ପୁରା ଦଶଟଙ୍କିଆ ନୋଟ ସାମନାରେ ଦେଖି ନଟବରର ଚକ୍ଷୁ ଲୋଭରେ ଉଜ୍ଜ୍ୱଳ ହୋଇ ଉଠିଲା । ଇନ୍‌ସପେକଟରଙ୍କ ନିକଟକୁ ଘୁଞ୍ଚି ଆସି ଅପେକ୍ଷାକୃତ ନିମ୍ନସ୍ୱରରେ କହିଲା ‘‘ପୁରା ନୋଟ୍‌ଟା ଦେବେ ସାର୍ ? କିନ୍ତୁ ସାର୍‌, ହୋଟେଲ ବାଲା ଯେପରି ନ ଜାଣେ । ତା ହେଲେ ତା’ ପାଉଣା ଏହିକ୍ଷଣି ଦାବୀ କରିବ ।’’

 

ତେବେ ମୋ ସଙ୍ଗେ ମୋ ଅଫିସକୁ ଚାଲ । ସେହିଠାରେ ସବୁ କଥାବାର୍ତ୍ତା ହେବା । ତୁମକୁ କେବଳ ଏତିକି ମୁଁ ଏହିକ୍ଷଣି କହିରଖେ ଯେ ଏହାଠାରୁ ବହୁତ ଟଙ୍କା ତୁମେ ମୋ ଠାରୁ ଯଥା ସମୟରେ ପାଇବ । କିନ୍ତୁ ତୁମେ ସତକଥା ନ କହିଲେ ଏପରି ଦଣ୍ଡ ଦେବି ଯାହା ତୁମର ଧାରଣା କରିବାର ଶକ୍ତି ନାହିଁ ।’’

 

‘‘କିନ୍ତୁ ସାର୍‌,’’ ନଟବର ଅପେକ୍ଷାକୃତ ଗମ୍ଭୀର ହୋଇ କହିଲା ମୁଁ ତ ଏପରି କିଛି କଥା ଜାଣିନାହିଁ ଯେ ଯାହାପାଇଁ ଆପଣ ଏତେ ଟଙ୍କା ଦେବାକୁ ପ୍ରସ୍ତୁତ ! ଆପଣଙ୍କର ଆଉ କିଛି ଉଦ୍ଦେଶ୍ୟ ନାହିଁ ତ ?’’

 

‘‘ତୁମେ କଟକ ଜେଲରେ ଧନୁସିଂକୁ ଚିହ୍ନ ?’’ ଦୃଢ଼ କଣ୍ଠରେ ଭବାନୀ ବାବୁ ପଚାରିଲେ ।

 

କିଛିକ୍ଷଣ ମୌନ ରହି ନଟବର କହିଲା ‘‘ଚିହ୍ନେ ସାର୍‌ ।’’

 

ସେଇ ବିଷୟରେ ମୁଁ ତୁମକୁ କିଛି ପଚାରିବି । ତୁମେ ଏ କଥା । ତୁମେ କୌଣସି କଥା ଲୁଚାଇବାକୁ ଚେଷ୍ଟା କଲେ ମହା ବିପଦରେ ପଡ଼ିବ । କିନ୍ତୁ ପରିଷ୍କାର ଭାବରେ ସତ କଥା କହିଲେ ତୁମର କୌଣସି ଭୟ ନାହିଁ । ବରଂ ତୁମର ଲାଭର ଆଶା ସୁନିଶ୍ଚିତ । ସତ କଥା କହିବ ?’’ ଅନ୍ତର୍ଭେଦୀ ଦୃଷ୍ଟିରେ ଭବାନୀ ବାବୁ ନଟବର ଆଡ଼େ ଚାହିଁ ରହିଲେ ।

 

କିଛିକ୍ଷଣ ନୀରବ ରହି ନଟବର କହିଲା ‘‘ଚାଲନ୍ତୁ କହିବି ।’’

 

ଉଭୟେ ଚାହା ଦୋକାନ ଛାଡ଼ି ବାହାରକୁ ଆସିଲେ । ନଟବର ଇନ୍‌ସପେକଟରଙ୍କ ହାତରୁ ଦୋକାନୀର ଅଲକ୍ଷ୍ୟରେ ଦଶ ଟଙ୍କିଆ ନୋଟଟି ନେଇ ପକେଟରେ ରଖିଦେଲା ।

 

ଜନବହୁଳ ରାଜପଥ ଦେଇ ଉଭୟେ ଥାନା ଆଡ଼େ ଚାଲିଲେ । କିଛି ଦୂର ଯିବା ପରେ ହଠାତ୍‌ ନଟବର ଚିତ୍କାର କରି ଉଠିଲା । ଭବାନୀ ବାବୁ ଟିକିଏ ଅନ୍ୟମନସ୍କ ହୋଇଯାଇଥିଲେ । ନଟବରର ଚିତ୍କାରରେ ଚାହିଁ ଦେଖିଲେ ଯେ ନଟବର ରାସ୍ତା ଉପରେ ପଡ଼ି ଯାଇଛି । କୌଣସି କାରଣ ଜାଣି ନପାରି ଭବାନୀ ବାବୁ ନଟବରକୁ ଦୁଇ ହାତରେ ଟେକି ଧରିଲେ । କିନ୍ତୁ ସେତେବେଳକୁ ତା’ର ପ୍ରାଣବାୟୁ ଉଡ଼ି ଯାଇଥିଲା । ଗୋଟିଏ ୩୮ ବୋର୍‌ର ରିଭଲଭର ଗୁଳି ତା ପିଠିବାଟେ ପଶି ବାହାରି ଯାଇଥିଲା ।

 

କିନ୍ତୁ ରିଭଲଭର ଶବ୍ଦ ହେଲା ନାହିଁ । ସାଇଲେନ୍‌ ସର ଲଗାଇ ଆତତାୟୀ ଗୁଳି ଚଳାଇ ଥିଲା ।

 

ଗୋଟାଏ ପରାଜୟର ଭାରରେ ଭବାନୀବାବୁଙ୍କର ଦୃଢ଼ମନ କ୍ରମେ ଭାଙ୍ଗି ପଡ଼ୁଥିଲା । ସେ ଯେପରି ଅନୁଭବ କରୁଥିଲା ଯେ ହତଭାଗ୍ୟ ନଟବରର ଅପମୃତ୍ୟୁ ପାଇଁ ସେ ନିଜେ ଦାୟୀ । ଜନବହୁଳ ରାଜପଥରେ–ତାଙ୍କ ସାମନାରେ ଯଦି ଗୋଟିଏ ଲୋକକୁ ଏପରି ନିର୍ଦ୍ଦୟ ଭାବରେ ଗୁଳି କରି ଆତତାୟୀ ନିର୍ଭୟରେ ଚାଲି ଯାଇପାରେ—ତେବେ ଜନସାଧାରଣଙ୍କର ଆଉ ନିରାପଦରେ ରହିବାର ଉପାୟ କାହିଁ ଭାବି ଭାବି ଭବାନୀ ବାବୁ କ୍ଳାନ୍ତ ହୋଇପଡ଼ିଲେ । ଏହି ସମୟରେ ଅର୍ଡରଲି ଆସି ଖଣ୍ଡିଏ ଜରୁରୀ ଚିହ୍ନିତ ସରକାରୀ ଚିଠି ଦେଲା । ଚିଠିଟି ଖୋଲି ଭବାନୀ ବାବୁ ପଢ଼ିଲେ । ପଢ଼ୁ ପଢ଼ୁ ତାଙ୍କ ମୁଖ ଉଜ୍ଜ୍ୱଳ ହୋଇଉଠିଲା ଚିଠିଟିରେ ଫିଙ୍ଗର ପ୍ରିଣ୍ଟ ବୁରୋର ରିପୋର୍ଟ ଥିଲା । ଯେଉଁ ତୈଳାକ୍ତ ବାଉଁଶ ଠେଙ୍ଗାଟିରେ ବିଜୟ କେତନର ହାତ ପାପୁଲି ଓ ଟିପର ଚିହ୍ନ ନିଆ ହୋଇଥିଲା, ସେହି ଚିହ୍ନଗୁଡ଼ିକର ଫଟୋ ଉଠାଇ ପରୀକ୍ଷା କରାଯାଇଥିଲା । ତାହାରି ରିପୋର୍ଟ ଜରୁରୀ ଚିହ୍ନିତ ହୋଇ ଉକ୍ତ ଲଫାଫା ମଧ୍ୟରେ ପଠା ହୋଇଥିଲା । ରିପୋର୍ଟର ସାଂରାଶ ଏହି —

 

‘‘ଟିପ ଚିହ୍ନର ମାଲିକର ପ୍ରକୃତ ନାମ ଚୁନିଲାଲ ବର୍ମା ଓରଫ ରାମ ରତନ ମିତ୍ର । ଘର ମେଦିନୀପୁର । ଭାରତବର୍ଷର ବିଭିନ୍ନ ସ୍ଥାନରେ ପାଞ୍ଚଥର କାରାଦଣ୍ଡ ହୋଇଛି । କଲିକତା ଓ ପଞ୍ଜାବର ସରକାର ତାର ଗିରଫଦାରୀ ପାଇଁ ଦୁଇହଜାର ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ।’’

 

ଏହି ରିପୋର୍ଟ ପାଇ ଭବାନୀ ବାବୁଙ୍କର ସବୁ କ୍ଳାନ୍ତ ନିମିଷକେ ଉଭାଇଗଲା । ସେହିକ୍ଷଣି ସେ ଟେଲିଫୋନ କରି ୟୁସୁଫକୁ ଆଦେଶ ଦେଲେ ଯଥେଷ୍ଟ ସଶସ୍ତ୍ର ପୁଲିସ ଫୌଜ ନେଇ ସାଙ୍ଗେ ସାଙ୍ଗେ ବିଜୟ କେତନର ଘର ଘେରାଉ କରିବାକୁ ଓ ତାକୁ ଗିରଫ କରିବାକୁ । ତାପରେ ସେ ବସିଲେ ସାଙ୍କେତିକ ଭାଷାରେ ଗୋଟିଏ ଦୀର୍ଘ ଟେଲିଗ୍ରାମ ଲେଖି ଭବାନୀ ବାବୁ ବେତାର ଅଫିସକୁ ପଠାଇଲେ—ପଞ୍ଜାବ ଓ କଲିକତା ପଠାଇବା ପାଇଁ । ତାପରେ ଅସ୍ଥିର ପ୍ରତୀକ୍ଷାରେ ବସି ରହିଲେ ବିଜୟ କେତନର ଘର ତଲାସର ଫଳାଫଳକୁ ଅପେକ୍ଷା କରି । ଏହି ସମୟରେ ତାଙ୍କ ଟେବୁଲର ଟେଲିଫୋନ ବାଜି ଉଠିଲା । ରିସିଭର କାନରେ ଲଗାଇ ଭବାନୀ ବାବୁ ଶୁଣିଲେ । ଅଜଣା ବକ୍ତା ଗୋଟାଏ ଶ୍ଳେକ୍ଷର ସ୍ୱରରେ କହିଗଲା ‘ନମସ୍କାର ଭବାନୀ ବାବୁ । ବିଜୟକେତନର ଘର ତଲାସ କରି ଆପଣଙ୍କ ଫଉଜ ଅକ୍ଷତ ଦେହରେ ଏହିକ୍ଷଣି ଫେରି ଆସିବେ-। ଆପଣଙ୍କର କିଞ୍ଚିତ ବୁଦ୍ଧି ନେଇ ଆମମାନଙ୍କ ପଛରେ ଲାଗିବା ଅତ୍ୟନ୍ତ ବୋକାମି । ମୁଁ ଆପଣଙ୍କର ଓ ମୋର ମୂଲ୍ୟବାନ ସମୟ ବାଜେ କଥାରେ ନଷ୍ଟ କରିବାକୁ ଚାହୁଁ ନାହିଁ । ଆପଣଙ୍କୁ ମୁଁ ହୁସିଆର କରି ଦେଉଛି—ଯଦି ଆପଣଙ୍କ ଜୀବନ ପ୍ରତି ଟିକିଏ ହେଲେ ମମତା ଥାଏ, ତେବେ ଯେତେଦୂର ଆଗେଇଛନ୍ତି ଏହି ମୁହୂର୍ତ୍ତରେ ସେହିଠାରୁ ଫେରିଯାନ୍ତୁ । ଯେଉଁ ସଂଘ ତରଫରୁ ମୁଁ ଆପଣଙ୍କୁ ଏ କଥା କହୁଛି—ସେ ସଂଘର ଶକ୍ତିର ପରିମାଣ ଧାରଣା କରିବାର ବୁଦ୍ଧି ଆପଣଙ୍କର ନାହିଁ । ଯଦି ମୋ କଥା ନ ମାନି ଆପଣ ପାଦେ ହେଲେ ଅଗ୍ରସର ହୁଅନ୍ତି—ତେବେ ଏହାର ଫଳ ଆପଣ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଇବେ ।’

 

ବକ୍ତା ଟେଲିଫୋନ ଛାଡ଼ି ଦେଲା । ଭବାନୀ ବାବୁ କେତେକ ସମୟ ମୌନ ରହି ସାମାନ୍ୟ ହସିଲେ—ଯୁଦ୍ଧକ୍ଷେତ୍ରରେ ଭୟାବହ ବିପଦର ସମ୍ମୁଖୀନ ହୋଇ ସୈନିକ ଯେଉଁ ହସ ହସେ । କାନ୍ଥରେ ଝୁଲୁଥିବା ତାଙ୍କ ସାହାସର ପ୍ରତୀକ Kings Police Medal ସାର୍ଟିଫିକେଟ ଖଣ୍ଡିକୁ ଥରେ ଚାହିଁଲେ । ତାପରେ ଟେବୁଲ ଡ୍ର ମଧ୍ୟରୁ ତାଙ୍କର ଆଜୀବନର ପ୍ରିୟ ସାଥି ଛ’ନଳା ଓୟେବ୍‌ଲି ରିଭଲଭରଟିକୁ କାଢ଼ି ଥରେ ଦେଖିଲେ । ଗୋଟାଏ ଦାରୁଣ କ୍ରୋଧ–ଗୋଟାଏ ଅସ୍ପଷ୍ଟ ଶପଥ ଆକାରରେ ତାଙ୍କ ଓଠ ଥରାଇ ବାହରିଗଲା ‘‘ଜୀବନ ବିନିମୟରେ ମଧ୍ୟ ନରହନ୍ତା ସଘଂର ଧ୍ୱଂସ ସାଧନ କରିବି ।’’

 

‘‘ଏ ଯୁଦ୍ଧରେ ମୋ ତରଫରେ ଅଛି ରାଜଶକ୍ତି ଓ ଧର୍ମବଳ ।’’

 

ୟୁସୁଫ ତା ଫଉଜ ନେଇ ଯଥା ସମୟରେ ଫେରିଆସି ଜଣାଇଲା ଯେ ତନ୍ନ ତନ୍ନ କରି ତଲାସ କରି ମଧ୍ୟ ବିଜୟକେତନର କୌଣସି ପତ୍ତା ମିଳିଲା ନାହିଁ । ଏପରି କୌଣସି ସୂତ୍ର ମଧ୍ୟ ମିଳିଲା ନାହିଁ ଯାହା ସାହାଯ୍ୟରେ ତାକୁ କୌଣସି ଅପରାଧରେ ଲିପ୍ତ ବୋଲି ସନ୍ଦେହ କରାଯାଇପାରେ ।

 

ତା ପରଦିନ । ସକାଳ ଦଶଟାବେଳେ କଲିକତା ପୁଲିସ ନିକଟର ସାଙ୍କେତିକ ଭାଷାରେ ବେତାର ଆସିଲା । ବହୁ କଷ୍ଟରେ ସାଙ୍କେତିକ ଭାଷା ଉଦ୍ଧାର କରି ଭବାନୀ ବାବୁ ଯାହା ପାଇଲେ ତା ମର୍ମ—

 

‘‘ଚୁନିଲାଲ ଓରଫ ରାମ ରତନ ମିତ୍ର ପ୍ରଥମେ ଉଚ୍ଚଶିକ୍ଷା ଲାଭ କରି ବିଜ୍ଞାନ, ରାଜନୀତି ଓ ସମ୍ମୋହନ ଶାସ୍ତ୍ରରେ ବିଶେଷ ଉତ୍କର୍ଷ ଲାଭ କଲା । ମାନସିକ ଅସାଧାରଣତ୍ୱ (Mental abnormality) ହେତୁ ସେ ଲୋହ ଅସାଧାରଣ ଅପରାଧୀ । ତାପରି ଧୃର୍ତ୍ତ ଓ ଫନ୍ଦିବାଜ ଲୋକ ସାଧାରଣତଃ ଦେଖାଯାନ୍ତି ନାହିଁ । ଛଦ୍ମ ବେଶରେ ଅଦ୍ୱିତୀୟ । ସଘଂ ସୃଷ୍ଟି ଓ ନେତୃତ୍ୱ ଗ୍ରହଣ କରିବାର ଅସାଧାରଣ କ୍ଷମତା । ଚୋରି ଓ ଖୁନ୍‌ ପ୍ରଭୃତି ଯେ କୌଣସି ଅପରାଧରେ ଅକୁଣ୍ଠ ହୃଦୟ । ବା କାନପତାରେ ଗୋଟିଏ ବଡ଼ କଳାଯାଇ ଅଛି । ୧୯୪୨ ମସିହାରେ ଭାରତବର୍ଷରୁ ବର୍ମା ପଳାଇ ଯାଇଥିଲା । ବର୍ମାର ପୁନରୁଦ୍ଧାର ସଙ୍ଗେସଙ୍ଗେ ଛଦ୍ମବେଶରେ ପୁଣି ଭାରତ ବର୍ଷକୁ ପଳାଇ ଆସିଛି । ତାର ବର୍ତ୍ତମାନ ଚିତିବିଧି ଅଜ୍ଞାତ ।’’

 

କଟକର ସମଗ୍ର ପୁଲିସ ଶକ୍ତି କଟକ ସହରର ପ୍ରାୟ ସମସ୍ତ ସ୍ଥାନ ତନ୍ନତନ୍ନ କରି ଖୋଜିଲେ । କିନ୍ତୁ ଚୁନିଲାଲ ଓରଫ ବିଜୟ କେତନର କୌଣସି ପତ୍ତା ମିଳିଲା ନାହିଁ ।

 

ସେହି ଦିସ ପୁଲିସ୍‌ ଅଫିସରେ ଏସ, ପି, ଓ ଡି, ଏସ, ପି, ପ୍ରଭୃତି ବଡ଼ ବଡ଼ ଅଫିସରମାନଙ୍କର ଗୋଟିଏ ଜରୁରି ବୈଠକ ବସିଲା । ଭବାନୀ ବାବୁ ମଧ୍ୟ ଉପସ୍ଥିତ ଥିଲେ । ଭବାନୀବାବୁଙ୍କ ଇଚ୍ଛା ଅନୁସାରେ କେତେକ ବିଶେଷ କ୍ଷମତା ତାଙ୍କୁ ଦିଆହେଲା ।

 

+ + +

 

ଡିଟେକ୍‌ଟିଭ୍‌ ଶାନନ୍ତୁ ଦାସଙ୍କ ଘର ସାମନା । ଗଭୀର ରାତି । ଖଣ୍ଡିଏ ମଟରକାର ଆସି ଘର ସାମନାରେ ରହିଲା । ମଟକାରର ଜଣେ ଆଧୁନିକା ରମଣୀ ଓହ୍ଲାଇ ଘର ଭିତରକୁ ଗଲେ । ମଟରକାରଟି ସେହି ମହିଳା ନିଜେ ଚଳାଇ ଆଣିଥିଲେ । ମହିଳାଟି ଘର ଭିତରକୁ ଚାଲିଗଲା ପରେ ଅନ୍ଧକାରରୁ ଗୋଟିଏ ମନୁଷ୍ୟ ମୂର୍ତ୍ତି ବାହାରି ଆସି ମଟରଟିର ନମ୍ବର ପ୍ରଭୃତି ଦେଖିଲା ଓ ପୁଣି ଅନ୍ଧକାର ଭିତରେ ମିଶିଗଲା । ପ୍ରାୟ ଘଣ୍ଟାକ ପରେ ମହିଳାଟି ପୁଣି ଗାଡ଼ି ଭିତରକୁ ଫେରି ଆସିଲେ । ପୂର୍ବୋକ୍ତ ମନୁଷ୍ୟଟି ପୁଣି ଧୀରେ ଧୀରେ ଅନ୍ଧକାର ମଧ୍ୟରୁ ବାହାରି ମଟରକାରର ଲଗେଜ କ୍ୟାରିଅରରେ ବସିଲା । ଇଞ୍ଜିନ ନିମିଷେକ ମଧ୍ୟରେ ମଜବୁତ ଗାଡ଼ିଟି ଉଡ଼ି ଚାଲିଲା । ପଛରେ ବସିଥିବା ପୂର୍ବୋକ୍ତ ମନୁଷ୍ୟ ମୂର୍ତ୍ତିଟି ଉନ୍ମୁକ୍ତ ଦୃଷ୍ଟିରେ ବାଟ ଚିହ୍ନିବାକୁ ଲାଗିଲା । ପ୍ରକାଶ ଥାଉକି ଏହି ମୂର୍ତ୍ତିଟି ସବ୍‌ଇନ୍‌ସପେକ୍‌ଟର ୟୁସୁଫ । କଟକ ସହର ଛାଡ଼ି ରାଜପଥ ସଡ଼କରେ ଗାଡ଼ି ଉଡ଼ି ଚାଲିଲା । ୟୁସୁଫ ନୋଟ ବହି ଓ ପେନ୍‌ସିଲ କାଢ଼ି ଏହା ଲେଖିନେଲା । କ୍ରମେ ଭୁବନେଶ୍ୱରରେ ପହଞ୍ଚିଲା । ସହରରେ ଜନ ସମାଗମ ହେତୁ ଗାଡ଼ିର ଗତି ଟିକିଏ ମନ୍ଥର ହେଲା । କିଛି ସମୟ ପରେ ସହର ଛାଡ଼ି ପୁଣି ଗାଡ଼ି ଉଲ୍‌କା ବେଗରେ ଧାଇଁଲା । ବହୁଦୂର ଯାଇ ଜଙ୍ଗଲ ମଧ୍ୟରେ ଗୋଟିଏ ସ୍ଥାନରେ ଗାଡ଼ି ରହିଲା । କିଛି ସମୟ ପରେ ଗାଡ଼ି ଭିତରୁ ଆରୋହୀ ବାହାରି ଜଙ୍ଗଲ ମଧ୍ୟକୁ ଚାଲିଲେ । ୟୁସୁଫ୍‌ ଖୁବ୍‌ ଭଲ ଭାବରେ ଦେଖିଥିଲା ଯେ ଗାଡ଼ିର ଆରୋହୀ କେବଳ ମାତ୍ର ଜଣେ ଆଧୁନିକା ମହିଳା । କିନ୍ତୁ ସେ ଦେଖି ଆଶ୍ଚର୍ଯ୍ୟ ହେଲା ଯେ ମହିଳା ପରିବର୍ତ୍ତେ ଗାଡ଼ି ମଧ୍ୟରୁ ବାହାରି ଗଲେ ଜଣେ ସାହେବୀ ପୋଷାକ ଶୋଭିତ ଯୁବକ ।

 

ୟୁସୁଫ ଧୀର ଓ ନିଶବ୍ଦ ଓ ପଦକ୍ଷେପରେ ଯୁବକଟିର ଅନୁସରଣ କଲା । ଯୁବକଟି ବଣ ବାଡ଼ ପାର ହୋଇ ଗୋଟିଏ କ୍ଷୁଦ୍ର ପାହାଡ଼ ପଛଆଡ଼େ ଅଦୃଶ୍ୟ ହୋଇଗଲେ । ୟୁସୁଫ ସାମାନ୍ୟ ହତାଶ ହେଲା । ତଥାପି ଅନ୍ଧାର ରାତିରେ ଅଜଣା ଜଙ୍ଗଲ ମଧ୍ୟରେ ୟୁସୁଫ ତାର ଅଟୋମେଟିକକୁ ଦୃଢ଼ ହସ୍ତରେ ଧରି ଅଗ୍ରସର ହେଲା । କିଛିଦୂର ଯିବା ପରେ ପାହାଡ଼ ଭିତର ଗୋଟିଏ ଗୁମ୍ପାରେ ଗୋଟିଏ କ୍ଷୀଣ ଆଲୋକ ରେଖା ଦେଖାଗଲା । ୟୁସୁଫ୍‌ ନିଶବ୍ଦ ପଦକ୍ଷେପରେ ଅଗ୍ରସର ହେଲା । କିଛିଦୂର ଯିବାପରେ ସାମନାରେ ତାର ଗତିରୋଧ ହେଲା । ଗୋଟାଏ ପଥର ପାଚେରୀ ତା ସମ୍ମୁଖରେ । ବହୁ କଷ୍ଟରେ ପାଚେରୀ ଉପରେ ଚଢ଼ି ସେ ଯାହା ଦେଖିଲା ସେଥିରେ ତାର ଚକ୍ଷୁ ସ୍ଥିର ହୋଇଗଲା ।

 

ସେ ଦେଖିଲା ସେଠାରେ ଦଶ ବାର ଜଣ ଲୋକ ଧୀର ଭାବରେ ବସି ଅଛନ୍ତି । ଗୋଟିଏ ଲୋକ ଛିଡ଼ାହୋଇ ବକ୍ତୃତା ଦେଉଛି । ଲୋକଟିକୁ ଚିହ୍ନିବାର ଉପାୟ ନାହିଁ । କାରଣ ତା ମୁଖ ଗୋଟିଏ ବଡ଼ ମୁଖା ଦ୍ୱାରା ଆବୃତ । ଯେଉଁ ଲୋକଟି ଅଳ୍ପକ୍ଷଣ ପୂର୍ବରୁ ମଟର ଗାଡ଼ିରେ ଆସିଥିଲା ସେହି ଲୋକଟି ବକ୍ତା କି ନୁହେଁ ସେ କଥା ମଧ୍ୟ ଜାଣିବାର ଉପାୟ ନାହିଁ । ଲୋକଟିର କଥା ଶୁଣି କେବଳ ଇଉସୁଫର ମନେହେଲା ଯେପରି ଏ ସ୍ୱର ସେ ପୂର୍ବେ କେଉଁଠାରେ ଶୁଣିଛି । କିନ୍ତୁ କେଉଁଠାରେ କେବେ ଶୁଣିଥିଲା—ସେ ଆଦୌ ତାର ମନେପଡ଼ିଲା ନାହିଁ । ବକ୍ତା କହି ଯିବାକୁ ଲାଗିଲେ,

 

‘‘ବନ୍ଧୁଗଣ, ଆଜି ଏ ବିଶେଷ ସଭାଟିର ଉଦ୍ଦେଶ୍ୟ ମୁଁ ସମସ୍ତଙ୍କୁ ବୁଝାଇ ଦେବି । ଯେଉଁ ମହତ କାର୍ଯ୍ୟର ପ୍ରେରଣାରେ ଆମେମାନେ ଏହି କେତେକ ଦିନ ମଧ୍ୟରେ ଦୁଇଟି ନରହତ୍ୟା ଓ ଗୋଟିଏ ଚୋରି ନିର୍ବିଘ୍ନରେ କରି ପାରିଛୁ—ସେଗୁଡ଼ିକ ଆଇନ ଚକ୍ଷୁରେ ଅପରାଧ ହେଲେହେଁ ଧର୍ମ ଚକ୍ଷୁରେ ନୁହେଁ । ନରହତ୍ୟା ପାପ—ଏ କଥା ଆଇନରେ ଲେଖିଛି ଦେଶର ରାଜା । କିନ୍ତୁ ସେହି ରାଜାର ଯୁଦ୍ଧ ଲାଳସା ଚରିତାର୍ଥ କରିବାରେ କଣ ଲକ୍ଷ ଲକ୍ଷ ନରହତ୍ୟା ହୁଏନାହିଁ । ସେ ଯାହା ହେଉ ଆଜିକାର ସଭାର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭିନ୍ନ । ଯେଉଁ ପଥରେ ଆମେମାନେ ଏତେଦୂର ନିରାପଦରେ ଅଗ୍ରସର ହୋଇଛୁ ସେହି ପଥରେ ବିଘ୍ନ ଦେଖା ଦେଇଛି । ମୁଁ ମାନିବାକୁ ବାଧ୍ୟ ଯେ ଆରମ୍ଭରୁ ଆମମାନଙ୍କର ସାମାନ୍ୟ ଭୁଲ ହେଲା । ଇନ୍‌ସପେକ୍‌ଟର ଭବାନୀ ମହାପାତ୍ରଙ୍କୁ ଏକାନ୍ତ ବୁଦ୍ଧିହୀନ ଭାବିବା ଆମମାନଙ୍କର ମହା ଭୁଲ ହୋଇଛି । କିନ୍ତୁ ତାଙ୍କୁ ଆଉ ଆଉ ବେଶିଦୂର ଅଗ୍ରସର ହେବାକୁ ଦେବା ଉଚିତ ନୁହେଁ । ତାଙ୍କ ମୃତ୍ୟୁ ଅନିବାର୍ଯ୍ୟ । ବନ୍ଧୁଗଣ, ତୁମମାନଙ୍କ ମଧ୍ୟରୁ ଏହି ସତ୍‌କାର୍ଯ୍ୟର ଭାର ନେବାକୁ କିଏ ରାଜି ଅଛ ମୁଁ ଜାଣିବାକୁ ଚାହେଁ । ମୁଁ ତୁମମାନଙ୍କୁ ସମସ୍ତଙ୍କୁ ଏ ଗୌରବରେ ଭାଗୀ କରିବାକୁ ଚାହେଁ । ସମସ୍ତଙ୍କର ସମବେତ ଚେଷ୍ଟାରେ ଏ କାର୍ଯ୍ୟ ନିଶ୍ଚୟ ସଫଳ ହେବ । ବର୍ତ୍ତମାନ ମୁହୂର୍ତ୍ତରୁ ଚବିଶ ଘଣ୍ଟା ମଧ୍ୟରେ ଯେ ଏହି କାର୍ଯ୍ୟ କରିପାରିବ—ତାର ନାମ ଆମମାନଙ୍କର ଏହି ରକ୍ତ ଚକ୍ର ସଂଘର ଇତିହାସରେ ସୂର୍ଣ୍ଣାକ୍ଷରରେ ଲେଖା ହେବ । ବର୍ତ୍ତମାନ ତୁମେମାନେ ଏହି କାର୍ଯ୍ୟଭାର ନେବାକୁ ରାଜି ଅଛକି ନା ମୁଁ ଜାଣିବାକୁ ଚାହେଁ । ଯଦି ରାଜି ଥାଅ ତେବେ ହାତ ଟେକ ।’’

 

ସମସ୍ତେ ମହା ଉତ୍ସାହରେ ହାତ ଟେକିଲେ । ଇଉସୁଫ ପାଷାଣ ପାଚେରି ମଧ୍ୟରେ ଚମକି ଉଠିଲା । ଗୋଟିଏ ଅଜ୍ଞାତ ଆଶଙ୍କାରେ ତାର ଅଙ୍ଗ ପ୍ରତ୍ୟଙ୍ଗ ରୋମାଞ୍ଚିତ ହୋଇ ଉଠିଲା । ଏହି କେତେଦିନ ଭିତରେ ତାର ଏହି ସଂଘର ଶକ୍ତି ଓ ନିଷ୍ଠୁରତା ବିଷୟରେ ଯଥେଷ୍ଟ ଅଭିଜ୍ଞତା ହୋଇଛି । ପୁଲିସ୍‌ ଜୀବନରେ ଗୁରୁତୁଲ୍ୟ ତାର ପରମ ହିତୈଷୀ ଭବାନୀ ବାବୁଙ୍କ ଜୀବନ ନେବାରେ ଏହି ନିଷ୍ଠୁର ସଂଘର ଏତେ ଗୁଡ଼ିକ ସଭ୍ୟ ଏକମତ ହେବାର ଦେଖି ୟୁସୁଫର ହୃଦୟ ହାହାକାର କରିଉଠିଲା । ଅଳ୍ପ କେତେଦିନ ମଧ୍ୟରେ ଦୁଇ ଦୁଇଟି ହତଭାଗ୍ୟର ମୃତ୍ୟୁ ତା ମାନସ ନେତ୍ରରେ ଭାସି ଉଠିଲା ।

 

ପୁଣି ବକ୍ତା ଆରମ୍ଭ କଲା ‘‘ମୁଁ ନିଜେ ଏ କାର୍ଯ୍ୟର ଭାର ନେଇଥାନ୍ତି । କିନ୍ତୁ ମୋତେ ଆଉ କେତେକ ସଭ୍ୟଙ୍କ ସଙ୍ଗେ ଆଜି ରାତିରେ ସେଠ ହଜାରିମଲ ଘରକୁ ଯିବାକୁ ହେବ । ମୁଁ ଅନୁଭବ କରୁଛି ଯେ ଏଠାରେ ଆମମାନଙ୍କ ପଥ କ୍ରମଶଃ ପିଚ୍ଛିଳ ହୋଇ ଆସୁଛି । ହଜାରି ମଲ ଘରୁ ତାର ପାପାର୍ଜିତ ଧନର ଆଜି କୌଣସି ସଦ୍‌ଗତି କରିବାକୁ ହେବ । ମୁଁ ଏହି କାର୍ଯ୍ୟ ସମ୍ପନ୍ନ କରିବାର ଗୌରବ ଅନ୍ୟ କାହାକୁ ଦେଇଥାନ୍ତି । କିନ୍ତୁ ଏଥିରେ ବିଶେଷ ସତର୍କତା ଆବଶ୍ୟକ । ମୁଁ ଖବର ପାଇଛି ଯେ ଧୂର୍ତ୍ତ ହଜାରି ମଲ ତାର ଆଇରନ୍‌ ସେଫରେ ବହୁଶତ ଭୋଲ୍‌ଟ ଶକ୍ତିର ବିଦ୍ୟୁତ୍‌ ଚଳାଇ ରଖେ । ବିଶେଷ ବୈଜ୍ଞାନିକ ଉପାୟରେ ଏହିକାର୍ଯ୍ୟ ସମ୍ପନ୍ନ କରିବାକୁ ହେବ ।’’

 

ଏହି ଶକ୍ତିଶାଳୀ ସଂଘର କେନ୍ଦ୍ର ସ୍ଥଳରେ ପହଞ୍ଚି ୟୁସୁଫ ଏକପ୍ରକାର ମୋହାଚ୍ଛନ୍ନ ହୋଇ ଯାଇଥିଲା । ଏ ସଭା ଶେଷ ହୋଇଆସିଲା ଦେଖି ୟୁସୁଫ ତାର ପରବର୍ତ୍ତୀ କାର୍ଯ୍ୟ ପନ୍ଥା କଣ ସେଇ କଥା ଭାବିବାକୁ ଲାଗିଲା । କିଛିକ୍ଷଣ ପରେ ଗୋଟିଏ ସୂତ୍ର ସେ ଆବିଷ୍କାର କରି ପାରିଲା । ଦୃଢ଼ ହସ୍ତରେ ପକେଟରୁ ନୋଟବହି ଓ ପେନ୍‌ସିଲ କାଢ଼ି ସେ କେତେକ କଥା ଲେଖିଦେଲା । ତାପରେ ନିଜ ପିଠିରେ ବନ୍ଧା ହୋଇଥିବା ଗୋଟିଏ କ୍ଷୁଦ୍ର ଝୁଡ଼ି ମଧ୍ୟରୁ ଗୋଟିଏ ପାରା ବାହାରକରି ତା ଗୋଡ଼ରେ ଉକ୍ତ ଚିଠିଟି ବାନ୍ଧିଲା । ଏଇଟି ପୁଲିସ ବିଭାଗ ଦ୍ୱାରା ପାଳିତ ବିଶେଷ ଶିକ୍ଷିତ ପାରା-। ତାପରେ ପାରାଟିକୁ ଧରି ୟୁସୁଫ ଶୂନ୍ୟକୁ ଛାଡ଼ି ଦେଲା ।

 

ଗୋଟିଏ ଗୋଟିଏ ମୁହୂର୍ତ୍ତର ସାମାନ୍ୟ ଭୁଲରେ ଜଗତର କେତେ ବଡ଼ ବଡ଼ କ୍ଷତି ହୋଇଯାଇଛି । ଇଉସୁଫର ମଧ୍ୟ ସେହିପରି ଗୋଟିଏ ଭୁଲ ହେଲା । ଗୁରୁତୁଲ୍ୟ ଭବାନୀ ବାବୁଙ୍କର ମୃତ୍ୟୁ ଆଶଙ୍କାରେ ସେ ଏତେଦୂର ବିଚଳିତ ହୋଇପଡ଼ିଥିଲା ଯେ, ସେ ପାରାଟିକୁ ଆଣି ଅନ୍ୟସ୍ଥାନରୁ ଉଡ଼ାଇ ଦେବା ଲାଗି ଭୁଲିଗଲା । ସେହି ପଥର ପାଚେରୀ ଉପରୁ ଛାଡ଼ପାଇ ଶିକ୍ଷିତ ପକ୍ଷୀ ଶୂନ୍ୟକୁ ଉଡ଼ିଗଲା । କିନ୍ତୁ ତାର ପକ୍ଷ୍ୟର ଫଟ ଫଟ ଶବ୍ଦରେ ସଭାସ୍ଥ ସମସ୍ତେ ନିକଟସ୍ଥ ପାଚେରୀ ଉପରକୁ ଚାହିଁଲେ, ସହସା କୌଣସି ଗୋଟିଏ ସଭ୍ୟ ହାତରେ ଥିବା ଗୋଟିଏ ଶକ୍ତିଶାଳୀ ବିଜୁଳି ଆଲୁଅରେ ପାଚେରୀ ଉପର ଉଦ୍ଭାସିତ ହେଲା ଓ ତା ଉପରେ ଛିଡ଼ା ହୋଇଥିବା ୟୁସୁଫର ପୂର୍ଣ୍ଣାଙ୍ଗ ସମସ୍ତଙ୍କର ନୟନ ଗୋଚର ହେଲା । କେହି ଜଣେ ଚିତ୍କାର କରି ଉଠିଲା ‘ସ୍ପଇ’ ସଙ୍ଗେ ସଙ୍ଗେ କୋତୋଟି ରିଭଲଭର ୟୁସୁଫ ଉପରକୁ ଉଦ୍ୟତ ହେଲା । ୟୁସୁଫ ସଙ୍ଗରେ ମଧ୍ୟ ଗୋଟିଏ ଅଟୋମେଟିକ ଥିଲା କିନ୍ତୁ ଏ କ୍ଷେତ୍ରରେ ସେଇଟିକୁ ବ୍ୟବହାର କରିବାର ଚେଷ୍ଟା ଆତ୍ମଘାତୀ ହେବ ଭାବି ସେ ସ୍ଥିର ଭାବରେ ଛିଡ଼ାହୋଇ ରହିଲା ।

 

ଗମ୍ଭୀର କଣ୍ଠରେ ଦଳପତି ଆଦେଶ ଦେଲେ ‘‘ଓହ୍ଲାଇ ଆସ ।’’ ଇଉସୁଫ ନୀରବରେ ଓହ୍ଲାଇ ତାଙ୍କ ସମ୍ମୁଖରେ ଛିଡ଼ା ହେଲା । ସେ ସାଧାରଣ ମୁସଲମାନ ଗୁଣ୍ଡାଇ ଛଦ୍ମବେଶରେ ଥିଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଦଳପତି ତାକୁ ମୁହୂର୍ତ୍ତକେ ଚିହ୍ନିପାରି ପଚାରିଲେ ‘‘ଓ ସବ୍‌ଇନ୍‌ସପେକ୍‌ଟର ଇଉସୁଫ ! ନିଜ କବର ମଧ୍ୟକୁ ସ୍ୱେଚ୍ଛାରେ ଆସି ଯାଇଛ ଦେଖୁଛି । ଆଉ କେହି ସଙ୍ଗରେ ଅଛନ୍ତି ନା ଏକା ମରିବାକୁ ଆସିଛ ?’’

 

ୟୁସୁଫ ନୀରବରେ ଛିଡ଼ା ହୋଇ ରହିଲା । ଅଧୀର ହୋଇ ଦଳପତି ପୁଣି ପ୍ରଶ୍ନକଲେ ‘ଶୀଘ୍ର ଉତ୍ତର ଦିଅ, ମୋତେ ଯଦି ବିରକ୍ତିର ତେବେ ଏପରି କଷ୍ଟଦେଇ ତୁମକୁ ହତ୍ୟା କରିବାର ବ୍ୟବସ୍ଥା କରିବି ଯେ ତୁମର ତା ଧାରଣା କରିବାର କ୍ଷମତା ନାହିଁ । ଏହାକହି ଦାରୁଣ କ୍ରୋଧରେ ଦଳପତି ଜ୍ଞାନଶୂନ୍ୟ ହୋଇ ଉଦ୍ଧତ ରିଭଲଭର ନଳିରେ ଇଉସୁଫ ଛାତି ଉପରେ ଆଘାତ କଲେ ।

 

ସେ ନିର୍ମମ ଆଘାତ ସହ୍ୟ କରିନପାରି ଇଉସୁଫ ମୁଖ ବିକୃତ କରି ସେହିଠାରେ ବସିପଡ଼ିଲା । କିନ୍ତୁ କିଛି ଉତ୍ତର ଦେଲାନାହିଁ । ତା ପରେ ଦଳପତି ହିଂସ୍ର ପଶୁପରି ତାକୁ ପଦାଘାତ କଲେ । ପିସ୍ତଲ ତା ମୁଣ୍ଡ ଉପରକୁ ଲକ୍ଷ୍ୟ କରି କହିଲେ ‘‘କୁକୁର, ବାଘ ଗୁହାକୁ ଯେବେ ସ୍ୱେଚ୍ଛାରେ ମରିବାକୁ ଆସିଛୁ ତେବେ ମର ।

 

ଠିକ୍‌ ଟ୍ରିଗର ଦବାଇବା ବେଳେ କଣ ଭାବି ପୁଣି ପିସ୍ତଲ ନିଜ ପକେଟରେ ରଖିଲେ । ଇଉସୁଫକୁ ଛିଡ଼ାକରି ତାଙ୍କ ମୁଖାଭରଣ ସ୍ଥିତ ଦୁଇଟି ଉଜ୍ଜଳ ଚକ୍ଷୁର ଦୃଷ୍ଟି ଇଉସୁଫ ଉପରେ ନିବଦ୍ଧ କଲେ । ଗୋଟାଏ ବିରାଟ ସମ୍ମୋହନ ଶକ୍ତି ବଳରେ ଇଉସୁଫର ବାହ୍ୟଜ୍ଞାନ କ୍ରମେ ଲୋପ ହୋଇଆସିଲା । ଅର୍ଦ୍ଧଚେତନ ଅବସ୍ଥାରେ ୟୁସୁଫକୁ ପୁଣି ପ୍ରଶ୍ନହେଲା—‘‘ତୁମେ ଏକା ଏଠାକୁ ଆସିଛ ନା ସଙ୍ଗରେ ଆଉକେହି ଅଛି ?’’

 

ୟୁସୁଫ ଉତ୍ତର ଦେଲା ‘ମୁଁ ଏକା ।’

 

ପୁଣି ପ୍ରଶ୍ନହେଲା ‘‘କିପରି ଆସିଲ ?’’

 

‘‘ଶାନ୍ତନୁ ବାବୁଙ୍କ ଘର ପାଖରୁ ମଟର ପଛରେ ବସି ଆସିଲି ।’’ ମନ୍ତ୍ର ମୁଗଧ ୟୁସୁଫ ଉତ୍ତର ଦେଲା ।

 

‘‘ମୋତେ ଚିହ୍ନ ?’’

 

‘ନା’ ।

 

ଆଉ କିଛି ପ୍ରଶ୍ନ କଲେ ନାହିଁ । କିଛିକ୍ଷଣ ପରେ ୟୁସୁଫ ସମ୍ପୂର୍ଣ୍ଣ ଅଜ୍ଞାନ ହୋଇଗଲେ । ତାପରେ ଦଳପତି ତାକୁ ଖଣ୍ଡିଏ ଶକ୍ତ ଦଉଡ଼ିରେ ବାନ୍ଧି ଗୋଟିଏ ଅନ୍ଧାରୁଆ ଗୁହା ଭିତରକୁ ନେଇଗଲେ ।

 

X X X

 

ଗଭୀର ରାତ୍ରିର କାହାରି ଡାକିବା ଶବ୍ଦରେ ଇନ୍‌ସପେକ୍‌ଟର ଭବାନୀ ବାବୁଙ୍କର ନିଦ ଭାଙ୍ଗିଗଲା । ଜଣେ ବାର୍ତ୍ତାବହ ପିଜିଅନ୍‌ ଷ୍ଟେସନରୁ (pigeon station) ଭବାନୀ ବାବୁଙ୍କ ନାମରେ ଖଣ୍ଡିଏ ଜରୁରୀ ପତ୍ର ନେଇ ଆସିଛି । ଲଫାପା ଛିଣ୍ଡାଇ ଭବାନୀ ବାବୁ ୟୁସୁଫ ପଠାଇଥିବା ସମ୍ବାଦ ପଢ଼ିଲେ । କିଛିକ୍ଷଣ ମୌନ ରହି ଭାବିଲେ । ୟୁସୁଫର ବିପଦ ଆଶଙ୍କାରେ ତାଙ୍କ ହୃଦୟ ଆନ୍ଦୋଳିତ ହେଲା । ଅଳ୍ପ ସମୟ ପରେ ସେ କର୍ତ୍ତବ୍ୟ ଠିକ୍‌ କରି ପକାଇଲେ । ସେହିକ୍ଷଣି କେତେକ ବିଶ୍ୱାସୀ ଓ କର୍ତ୍ତବ୍ୟନିଷ୍ଠ ଅଫିସର ଓ କେତେକ ସଶସ୍ତ୍ର କନଷ୍ଟେବଲଙ୍କୁ ଯଥୋଚିତ ଉପଦେଶ ଦେଇ ହଜାରମଲର ଘର ଘେରାଇ କରିବା ପାଇଁ ପଠାଇଲେ । ତା ପରେ ପୁଣି କିଛିକ୍ଷଣ ଭାବି ନିଜ ଶୋଇଲା ଘରେ କେତେକ ବନ୍ଦୋବସ୍ତ କଲେ । ଭବାନୀବାବୁଙ୍କର ଶୋଇବା ଘରେ ପ୍ରବେଶ କଲେ । ଅନ୍ଧକାର ଘର । ପୂର୍ବୋକ୍ତ ଛାୟା ମୂର୍ତ୍ତି ମଧ୍ୟରୁ ଜଣେ ଗୋଟିଏ ବିଜୁଳି ବତି କ୍ଷଣକ ପାଇଁ ଜଳାଇ ପୁଣି ଲିଭାଇ ଦେଲା । ଭବାନୀବାବୁଙ୍କୁ ତାଙ୍କ ବିଛଣାରେ ଗଭୀର ନିଦ୍ରାରେ ଶୋଇଥିବାର ଦେଖାଗଲା । ତାପରେ ଦୁଇଟି ଛାୟାମୂର୍ତ୍ତି ଦୁଇଖଣ୍ଡି ତୀକ୍ଷ୍‌ଣ ଛୁରୀ ବାହାର କରି ଧୀରେ ଧୀରେ ଭବାନୀବାବୁଙ୍କ ବିଛଣା ନିକଟକୁ ଗଲେ । ମୁହୂର୍ତ୍ତକ ପାଇଁ ବୋଧହୁଏ ସେମାନଙ୍କର ହୃଦୟ ଥରି ଉଠିଲା କିନ୍ତୁ ପରକ୍ଷଣରେ ହୃଦୟରେ ଶକ୍ତି ସଞ୍ଚୟ କରି ଭବାନୀବାବୁଙ୍କ ଛାତି ଉପରେ ଦୁଇଟି ଛୁରୀ ଆମୂଳ ବସାଇ ଦେଲେ ।

 

କ୍ଷଣକ ମଧ୍ୟରେ ଘରଟି ହଠାତ୍‌ ଉଜ୍ଜ୍ୱଳ ବିଜୁଳି ଆଲୁଅରେ ଉଦ୍ଭାସିତ ହୋଇ ଉଠିଲା । ଘାତକ ଦୁଇଜଣ ସ୍ତମ୍ଭିତ ହୋଇ ପଛକୁ ଚାହିଁଲେ । ଗମ୍ଭୀର ଓ ସଦୟ କଣ୍ଠରେ ଭବାନୀବାବୁ ଆଦେଶ ଦେଲେ ‘‘ହାତ ଉପରକୁ ଟେକି ରଖ ।’’

 

ଆତଙ୍କିତ ହୋଇ ଆତତାୟୀ ମାନେ ଘରର ଚାରି ଆଡ଼କୁ ଚାହିଁଲେ । ଦେଖିଲେ ସବୁ ଦ୍ୱାର ବନ୍ଦ । ଗୋଟିଏ ମୁକ୍ତ ବାତାୟନ ପଛଆଡ଼ୁ ଦୀର୍ଘଦେହୀ ଭବାନୀବାବୁ ତାଙ୍କର ଉଦ୍ୟତ ରିଭଲଭର ଧରି ପୁଣି ଆଦେଶ ଦେଲେ ‘‘ହାତ ଉପରକୁ ଟେକି ବାହାରି ମସ । ପଳାଇବାର ଚେଷ୍ଟା କଲେ କୁକୁର ପରିଗୁଳି କରି ମାରିଦେବି ।’’ ଧୀରେ ଧୀରେ ଦୁଇଜଣ ଯାକ ବାହାରି ଆସିଲେ । କ୍ଷିପ୍ର ହସ୍ତରେ ଭବାନୀବାବୁ ହାତକଡ଼ି ପିନ୍ଧାଇଦେଲେ ।

 

ଉଜ୍ଜ୍ୱଳ ଆଲୋକରେ ଦୁହିଁଙ୍କି ଚାହିଁ ଦେଖିଲେ । ସେ ଦୁଇ ଜଣ ଯାକ ଭବାନୀ ବାବୁଙ୍କର ଚିହ୍ନା ଓ ସ୍ଥାନୀୟ ଶିକ୍ଷିତ ଯୁବକ ।

 

ଦୁହିଁଙ୍କି ଯଥାବିଧି ହେପାଜତରେ ରଖି ଭବାନୀବାବୁ ବାହାରିଲେ ସେଠ୍‌ ହଜାରିମଲ ଘରକୁ । ସେଠାରେ ପହଞ୍ଚି ଦେଖିଲେ ଯେ ସେ ପଠାଇଥିବା ପୋଲିସ ବାହିନୀ ସତର୍କ ଅଛନ୍ତି । ଦଳର ଭାର ପ୍ରାପ୍ତ ଅଫିସର ଜଣାଗଲେ ଯେ ସେ ପର୍ଯ୍ୟନ୍ତ କୌଣସି ଦୁର୍ଘଟଣା ହୋଇନାହିଁ ।

 

ବିରାଟ ତିନି ମହଲା ଅଟ୍ଟାଳିକା । ଉପର ମହଲାଟି ଅତି ଉଜ୍ଜ୍ୱଳ ବିଜୁଳି ଆଲୁଅରେ ଉଦ୍ଭାସିତ । ଚତୁର୍ଦ୍ଦିଗ ନୀରବ । ଧନୀ ହଜାରି ମାଲ ଗାଢ଼ ନିଦ୍ରା ମଗ୍ନ ହଜାରିମଲର ଧାରଣା ଥିଲା ଯେ ତାର କୋଷାଗାର ଅତ୍ୟନ୍ତ ସୁରକ୍ଷିତ । କିନ୍ତୁ ତାହା ଯେ ତାର କି ଭ୍ରମ ଧାରଣା, କେତେ ସହଜରେ ଯେ ତାର ସର୍ବସ୍ୱ ଲୁଣ୍ଠିତ ହୋଇପାର ସେକଥା ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା ।

 

ରାତି ଶେଷ ପହର । ଅଟ୍ଟାଳିକାର ସବୁ ବିଜୁଳି ଆଲୁଅ ହଠାତ୍‌ ଲିଭିଗଲା । ଭବାନୀ ବାବୁ ସନ୍ତ୍ରସ୍ତ ହୋଇ ଉଠିଲେ ।

 

କିଛିକ୍ଷଣ ପରେ ଗୋଟିଏ ତୀବ୍ର ଚିତ୍କାରରେ ଚତୁର୍ଦ୍ଦିଗ କମ୍ପି ଉଠିଲା । ମନୁଷ୍ୟ କଣ୍ଠର କରୁଣ ଚିତ୍କାର । ଭବାନୀବାବୁ ସେହିକ୍ଷଣି ଘରଭିତରେ ପଶିବା ଲାଗି ଦୁଆରେ ଧକ୍‌କା ମାରିଲେ । ହଜାରିମଲର ଅଟ୍ଟାଳିକାରେ ବହୁ ଦାସ ଦାସୀ ବାସ କରୁଥିଲେ । ଗଭୀର ରାତ୍ରିରେ ହଠାତ୍‌ ଏପରି ଅସ୍ୱାଭାବିକ ଚିତ୍କାରରେ ସେମାନଙ୍କର ନିଦ ଭାଙ୍ଗି ଯାଇଥିଲା ଓ ବିଜୁଳିବତି ଲିଭିତ ଯାଇଥିବାରୁ ନିବିଡ଼ ଅନ୍ଧାରରେ କିଛି ଦେଖି ନ ପାରି ସେମାନେ ଆତଙ୍କିତ ହୋଇପଡ଼ିଲେ ।

 

କିଛିକ୍ଷଣ ପରେ କ୍ରମାଗତ ଧକ୍‌କାରେ ଦୁଆର ଖୋଲିଗଲା । ସଶସ୍ତ୍ର ପୁଲିସବାଲାମାନେ ଘର ଭିତରକୁ ପଶିଗଲେ । ଅନ୍ଧକାର ଘର ଭିତର ଟର୍ଚ୍ଚଲାଇଟ ଜଳାଇ ଇନ୍‌ସପେକ୍‌ଟର ଉପର ମହାଲାକୁ ଉଠିଲେ । ତାଙ୍କ ପଛେ ପଛେ ଅନ୍ୟାନ୍ୟ ଅଫିସର ଓ ସିପାହୀମାନେ ମଧ୍ୟ ଦୌଡ଼ିଲେ । ରାତି ଅଧରେ ଏପରି ଆଶ୍ଚର୍ଯ୍ୟ କାଣ୍ଡ ଦେଖି ଦାସ ଦାସୀ ମାନେ ନିର୍ବାକ ହୋଇ କେବଳ ଚାହିଁ ରହିଲେ ।

 

ତିନି ମହଲାର ସବୁ କୋଠରୀଗୁଡ଼ିକ ଖୋଜି ଭବୀନବାବୁ ଆଉ ଗୋଟିଏ କୋଠରୀକୁ ଆସିଲେ । ଏହି କୋଠରୀଟିରେ ଟର୍ଚ୍ଚ ଆଲୁଅ ପଡ଼ିବାରୁ ଭବାନୀବାବୁ ଯାହା ଦେଖିଲେ ସେଥିରେ ତାଙ୍କର ଚକ୍ଷୁ ସ୍ଥିର ହୋଇଗଲା । ଦେଖିଲେ ସେଠ ହଜାରିମଲ ରକ୍ତାକ୍ତ କଳେବରରେ ଅଜ୍ଞାନ ହୋଇ ପଡ଼ିଛି ଓ ନିକଟରେ ତାର ଲୁହା ସିନ୍ଦୂକ ଖୋଲାପଡ଼ିଛି । ଭବାନୀବାବୁ ସ୍ତମ୍ଭିତ ହୋଇଗଲେ-। କିଏ ଏହା କଲା ? ସତର୍କ ପୁଲିସ ଘରର ଚୁତର୍ଦ୍ଦିଗରେ ପହରା ଦେଉଥିଲେ । ସେମାନଙ୍କ ସତର୍କ ଦୃଷ୍ଟିକୁ ଫାଙ୍କିଦେଇ କେହି ବାହାରୁ ଘରଭିତରକୁ ପଶିବା ଅସମ୍ଭବ । ତେବେ କଣ କେହି ଘରର ଚାକର ବା କର୍ମଚାରୀମାନଙ୍କ ମଧ୍ୟରୁ ଏହା କରିଛି ? ସେହିକ୍ଷଣି ଇନସପେକ୍‌ଟର ଘରର ସମସ୍ତଙ୍କୁ ଅଟକାଇ ରଖିବା ଲାଗି ଆଦେଶ ଦେଲେ । ଅଜ୍ଞାନ ହଜାରିମଲର ଶୁଶ୍ରୁଷାର ବ୍ୟବସ୍ଥା କରି ସେ ଦ୍ରୁତ ପଦରେ ଛାତ ଉପରକୁ ଉଠିଲେ । ଚତୁର୍ଦ୍ଦିଗକୁ ଉଜ୍ଜ୍ୱଳ ଆଲୋକ ପକାଇ ଦେଖିଲେ ଗୋଟାଏ ବୃହତ ଗୋଲାକାର ପଦାର୍ଥଧୀରେ ଧୀରେ ଶୂନ୍ୟରେ ତଳକୁ ଓହ୍ଲାଇ ଯାଉଛି ।

 

ତୀବ୍ର ସ୍ୱରରେ ଇନ୍‌ସପେକ୍‌ଟରଙ୍କର ହୁଇସିଲ ବାଜି ଉଠିଲା । ପାଖ ଆଖରୁ ହୁଇସିଲର ଜବାବ ଆସିଲା । କିନ୍ତୁ ସେତେବେଳକୁ ଗୋଲାକାର ପଦାର୍ଥଟି ଭୂମି ସ୍ପର୍ଶ କଲାଣି । ଛାତ ଉପରୁ ଭବାନୀ ବାବୁ ଦେଖିଲେ ଗୋଟିଏ ମନୁଷ୍ୟ ମୂର୍ତ୍ତି ଉକ୍ତ ଗୋଲାକାର ପଦାର୍ଥ ତଳୁ ବାହାରି ଦୌଡ଼ି ପଳାଇଲା । ଇନ୍‌ସପେକ୍‌ଟର ସେହିକ୍ଷଣି ଦ୍ରୁତ ପଦରେ ମୂର୍ତ୍ତିଟିର ଅନୁସରଣ କଲେ-। କିନ୍ତୁ ସବୁ ବ୍ୟର୍ଥ ହେଲା । ନିମିଷକ ମଧ୍ୟରେ ଅନ୍ଧକାରରେ ସେ ମିଶିଗଲା ।

 

ଫେରି ଆସି ଇନ୍‌ସପେକ୍‌ଟର ଉକ୍ତ ଗୋଲାକାର ପଦାର୍ଥଟି ପରୀକ୍ଷା କଲେ । ଏହା ଗୋଟିଏ ଗ୍ୟାସ ପରିପୂର୍ଣ୍ଣ ରବର ନିର୍ମିତ ବେଲୁନ । ଏହାରି ସାହାଯ୍ୟରେ ଚତୁର୍ଦ୍ଦିଗରେ ପୁଲିସ ପହରା ଥିବା ସତ୍ୱେ ଚୋର ଶୂନ୍ୟ ପଥରେ ଘରର ଛାତ ଉପରକୁ ଆସିଥିଲା ତା ପରେ ଲୁହା ସିନ୍ଦୁକରେ ୪୦୦ ଭୋଲ୍‌ଟ ଶକ୍ତିର ବିଦ୍ୟୁତ ପ୍ରବାହିତ ହେଉଥିବା ସତ୍ୱେ ମେନ ସୁଇଚକୁ ବିକଳ କରି ଲୁହା ସିନ୍ଦୁକ ଲୁଟ କରି ଏବଂ ଗୃହ ସ୍ୱାମୀକୁ ଜଖମକରି ଚୋର ଉକ୍ତ ବେଲୁନ ସାହାଯ୍ୟରେ ଅନାୟାସରେ ତିନି ମହଲାର ଛାତ ଉପରକୁ ତଳକୁ ଓହ୍ଲାଇ ପଳାଇ ଯାଇ ପାରିଛି । ବହୁ ପରି ଶ୍ରମରେ ହଜାରିମଲର ଜ୍ଞାନ ଫେରିଲା । ତା ଠାରୁ ଜଣାଗଲା ଯେ ଲୁହା ସିନ୍ଦୂକ ମଧ୍ୟରୁ ପ୍ରାୟ ଲକ୍ଷେ ଟଙ୍କାର ସୁନା ଓ ଜହରତ ଚୋରି ହୋଇ ଯାଇଛି ।

 

ସେତେବେଳକୁ ରାତି ପାହି ଆସିଲାଣି । ଭବାନୀବାବୁ ହଜାରିମଲର ଓ ଅନ୍ୟାନ୍ୟ ଗୃହବାସୀମାନଙ୍କର ଯଥାବିଧି ଜବାନବନ୍ଦି ନେଇ ଓ ଆଉ କିଛି ସେଠାରେ କରିବାର ନାହିଁ ଜାଣି ଥାନାକୁ ଫେରିଲେ । ପୂର୍ବ ରାତିରେ ହତ୍ୟା ଚେଷ୍ଟାର ଅପରାଧରେ ଗିରଫ ହୋଇଥିବା ଦୁଇଜଣ ଲୋକଙ୍କୁ ବହୁତ ଜେରାକରି ମଧ୍ୟ ଭବାନୀ ବାବୁ ବିଶେଷ କୌଣସି ସମ୍ବାଦ ପାଇଲେ ନାହିଁ । ବହୁକ୍ଷଣ ସେ ମୌନ ହୋଇ ବସି ରହିଲେ । ଭାବି ଭାବି ହଠାତ୍‌ ତାଙ୍କ ମୁଖ ଉଜ୍ଜ୍ୱଳ ହୋଇ ଉଠିଲା-

 

X X X

 

ବେଳ ପ୍ରାୟ ଦଶଟା । ଡିଟେକ୍‌ଟିଭ ଶାନ୍ତନୁଦାସ ମୂଲ୍ୟବାନ୍‌ ପୋଷାକ ପିନ୍ଧି ବାହାରିଲେ-। ଡାହାଣ ହାତରେ ଖଣ୍ଡିଏ ମୂଲ୍ୟବାନ ୱାକିଙ୍ଗ୍‌ଷ୍ଟିକ୍‌ ଓ ଅନ୍ୟ ହାତରେ ଗୋଟିଏ ହାତବ୍ୟାଗ-। ନିକଟସ୍ଥ ଘୋଡ଼ାଗାଡ଼ିବାଲାକୁ ହାତଠାରି ଡାକିଲେ । ଗୋଟିଏ ବୃଦ୍ଧ ଗାଡ଼ିବାଲା ତା ଗାଡ଼ି ନେଇ ଆସି ସାହେବଙ୍କ ସଲାମ କଲା । ଗାଡ଼ି ଦୁଆର ଖୋଲି ଶାନ୍ତୁନୁ ବାବୁ ଭିତରକୁ ପଶିଲେ ଓ ଗାଡ଼ିକୁ ଷ୍ଟେସନ ଚଳାଇବା ପାଇଁ ଆଦେଶ ଦେଲେ ।

 

ଗାଡ଼ି ଚାଲିଲା । କିଛି ଦୂର ଯାଇ ଗୋଟିଏ ପୁଲିସ ଫାଣ୍ଠି ନିକଟରେ ହଠାତ୍‌ ଗାଡ଼ିର ଗୋଟିଏ ଟାୟାର ଖସିଗଲା । ବୃଦ୍ଧ ଗାଡ଼ିବାଲା ବ୍ୟସ୍ତ ହୋଇ ତଳକୁ ଓହ୍ଲାଇ ଚକ ମରାମତି କରିବାରେ ଲାଗିଲା । ସଡ଼କ ମଝିରେ ଗୋଟିଏ ଘୋଡ଼ାଗାଡ଼ି ରହି ଅନ୍ୟାନ୍ୟ ଟ୍ରାଫିକର ଅସୁବିଧା ଘଟାଉଛି ଦେଖ ଦୁଇଜଣ ସିପାହି ଗାଡ଼ି ନିକଟକୁ ଆସିଲେ । ଶାନ୍ତନୁ ବାବୁ ମଧ୍ୟ ବିରକ୍ତ ହୋଇ ବାହାରକୁ ଚାହିଁଲେ । ଏହି ସମୟରେ ଗାଡ଼ିର ଚକ ମରାମତି କରୁ କରୁ ବୃଦ୍ଧ ଗାଡ଼ିବାଲା ସିଧା ହୋଇ ଛିଡ଼ା ହେଲା ଓ କ୍ଷିପ୍ର ହସ୍ତରେ ଗୋଟିଏ କ୍ଷୁଦ୍ର ଅଟୋମାଟିକ୍ ବାହାର କରି ଶାନ୍ତନୁ ବାବୁଙ୍କ ଛାତି ଉପରକୁ ଲକ୍ଷ୍ୟକରି କହିଲା ‘‘ହୁସିଆର ଶାନ୍ତନୁ ବାବୁ ! ଅପମୃତ୍ୟୁର ଇଚ୍ଛା ନ ଥିଲେ ଦୁଇହାତ ଉପରକୁ ଟେକି ଛିଡ଼ା ହୁଅ ।’’

 

ଶାନ୍ତନୁ ବାବୁ ଆଶ୍ଚର୍ଯ୍ୟ ହୋଇ କିଛିକ୍ଷଣ ଚାହିଁ ରହିଲେ । ତା’ପରେ ସାମାନ୍ୟ ହସି କହିଲେ ‘‘ଓଃ, ଇନ୍‌ସପେକ୍‌ଟର ଭବାନୀ ମହାପାତ୍ର ଯେ !’’ ନମସ୍କାର କହି ହାତରେ ଧରିଥିବା ବାଡ଼ି ସହ ଦୁଇହାତ କପାଳରେ ଲଗାଇବା ପାଇଁ ଉଠାଇଲେ ।

 

ଭବାନୀ ବାବୁ ଗୋଟିଏ ହାତରେ ଦାଢ଼ି ନିଶ ଖସାଇ ଦେଉଁ ଦେଉ ରିଭଲଭରଟିକୁ ଆହୁରି ନିକଟକୁ ନେଇ କହିଲେ ‘‘ଧୀରେ ତୁମର ସେହି ଛଡ଼ି ଖଣ୍ଡିକ ତଳେ ରଖି କଥା କୁହ ।’’

 

ଇନ୍‌ସପେକ୍‌ଟରଙ୍କ ନିର୍ଦ୍ଦେଶରେ କନ୍‌ଷ୍ଟେବଲ ଦୁଇଜଣ ଶାନ୍ତନୁବାବୁଙ୍କ ହସ୍ତରେ ହାତକଡ଼ି ପିନ୍ଧାଇ ଦେଲେ । ଶାନ୍ତନୁବାବୁ ନିର୍ବିକାର ଭାବରେ ଥରେ ହସି କହିଲେ ‘‘ଇନ୍‌ସପେକ୍‌ଟର, ମୁଁ ତୁମକୁ ଯେତେ ବୁଦ୍ଧିମାନ ମନେ କରିଥିଲେ ତୁମେ ତା’ଠାରୁ ମଧ୍ୟ ଅଧିକ ବୁଦ୍ଧିମାନ୍‌ ।’’

 

ଶାନ୍ତନୁବାବୁଙ୍କ ବ୍ୟାଗରୁ ହଜାରିମଲ୍‌ର ଅପହୃତ ଗହଣା ଓ ବହୁ ସହସ୍ର ଟଙ୍କାର ନୋଟ ମିଳିଲା । ତାଙ୍କର ସେହି ଛବିଟି ମଧ୍ୟରେ ଅତି ସାଂଘାତିକ ଡିନାମାଇଟ୍‌ ତା ସହିତ ସଂପୃକ୍ତ ଗୋଟିଏ କ୍ଷୁଦ୍ର ବ୍ୟାଟେରି ଥିଲା । କୌଣସି ଉପାୟରେ ଯଦି ଉକ୍ତ ଛଡ଼ିକୁ ସେ ଭବାନୀ ବାବୁଙ୍କ ଦେହରେ ଆଘାତ କରି ପାରନ୍ତେ—ତେବେ ଭୀଷଣ ବିଷ୍ଫୋରଣରେ ଭବାନୀବାବୁଙ୍କର ସେହିକ୍ଷଣି ମୃତ୍ୟୁ ହୁଅନ୍ତା । ଭଗବାନଙ୍କ ଦୟାରୁ ଭବାନୀବାବୁଙ୍କ ଜୀବନ ରକ୍ଷା ହେଲା ।

 

X X X

 

ଜଗତ ପ୍ରସାଦର ଏହା ଗୋଟିଏ ପରାଜୟ ହେଲେ ମଧ୍ୟ ତାର ଲୋମ ହର୍ଷଣକାରୀ କୀର୍ତ୍ତିମାଳାର ଏହା ଆରମ୍ଭ ମାତ୍ର ।

 

ଡିଟେକଟିଭ୍‌ ଶାନ୍ତନୁ ବାବୁ ଗିରଫଦାର ହେଲେ । ତାଙ୍କର ଟିପ ମିଳାଇ ଦେଖାଗଲା ସେ ଓ ବିଜୟକେତନ ଅଭିନ୍ନ ବ୍ୟକ୍ତି । ଉଭୟେ ଭୀଷଣ ନରହନ୍ତା ଦସ୍ୟୁ ଚୁନିଲାଲ ଓରଫ ଜଗତ ପ୍ରସାଦର ନବ ଅବତାର ।

 

ଭବାନୀବାବୁଙ୍କର ଚେଷ୍ଟାରେ ୟୁସୁଫ ଅନ୍ଧକାର ଗହ୍ୱର ମଧ୍ୟରୁ ଅକ୍ଷତ ଦେହରେ ମୁକ୍ତିଲାଭ କରିଥିଲା ।

 

ଭବାନୀବାବୁଙ୍କର ବିଚକ୍ଷଣ ତଦନ୍ତ ପ୍ରଣାଳୀରେ ଚୁନିଲାଲ ବିରୁଦ୍ଧରେ ସବୁ ଅପରାଧର ଯଥେଷ୍ଟ ପ୍ରମାଣ ସଂଗ୍ରହ କରାଗଲା । ଓଡ଼ିଶାର ପ୍ରତ୍ୟେକ ସମ୍ବାଦ ପତ୍ରରେ ଏହି ବିଷୟର ଚର୍ଚ୍ଚା କେତେଦିନ ଧରି ଚାଲିଲା । ଦିନେ ଗୋଟିଏ କ୍ଷୁଦ୍ର ଘରୋଇ ବୈଠକରେ ମାନ୍ୟବର ମନ୍ତ୍ର୍ୟ ଭବାନୀବାବୁଙ୍କ ସମ୍ବର୍ଦ୍ଧନା ପାଇଁ ଭବାନୀବାବୁ ଓ ଆଉ କେତେକ ଉଚ୍ଚପଦସ୍ଥ ପୋଲିସ କର୍ମଚାରୀଙ୍କୁ ନିମନ୍ତ୍ରଣ କରିଥିଲେ । ୟୁସୁଫ ମଧ୍ୟ ଉପସ୍ଥିତ ଥିଲା । ମାନ୍ୟବର ମନ୍ତ୍ରୀ ଆନନ୍ଦ ଗଦଗଦ କଣ୍ଠରେ କହିଲେ ‘‘ଭବାନୀ ବାବୁ, ଆପଣଙ୍କର ସାହସ ଓ ବିଚକ୍ଷଣତା ଯୋଗୁଁ ସମାଜର ଯେଉଁ ଉପକାର ହୋଇଛି—ସେଥିପାଇଁ ମୁଁ ସମଗ୍ର ଜାତି ତରଫରୁ ଆପଣଙ୍କୁ ମୁଁ ସମଗ୍ର ଜାତି ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । କିନ୍ତୁ ଆପଣଙ୍କୁ କେତୋଟି କଥା ମୁଁ ପଚାରିବି ।’’

 

ଭବାନୀବାବୁ ସସମ୍ମାନରେ କହିଲେ, ‘‘ପଚାରନ୍ତୁ, ସର୍‌, ମୁଁ ଯଥା ସାଧ୍ୟ ଆପଣଙ୍କ ପ୍ରଶ୍ନର ଜବାବ ଦେବି ।’’

 

ମନ୍ତ୍ରୀ—‘‘ଆପଣ ଯଦି ଜାଣିଲେ ଯେ ଡିଟେକ୍‌ଟିଭ ଶାନ୍ତନୁଦାସ ଏସବୁ କର୍ମର କର୍ତ୍ତା, ତେବେ ତାଙ୍କୁ ଆପଣ ଆଗରୁ ଗିରଫ ନ କଲେ କାହିଁକି ?

 

ଭବାନୀବାବୁ—‘‘ପ୍ରମାଣର ଅଭାବ ସାର । ମୁଁ ଜାଣିଥିଲି ଶାନ୍ତନୁ ଦାସ ଏତେ ଚାଲାକ ଲୋକ ଯେ ତାକୁ ଗିରଫଦାର କଲେ ମଧ୍ୟ ଚୋରାମାଲ ମିଳବି ନାହିଁ । ସେଦିନ ରାତିରେ ଦୁଇଜଣ ଲୋକ ମୋ ଘରେ ଗିରଫଦାର ହେବା ପରେ ଓ ହଜାରିମଲ୍‌ ଘରୁ ଅଦ୍ଭୁତ କୌଶଳରେ ଚୋରି ହେବା ପରେ ମୋର ଦୃଢ଼ ବିଶ୍ୱାସ ହେଲା ଯେ ଏହାପରେ ପ୍ରକୃତ ଅପରାଧୀ ନିଶ୍ଚୟ ଏଠାରୁ ଚାଲିଯିବାର ଚେଷ୍ଟା କରିବ । ମୁଁ ସେଥିଲାଗି ଛଦ୍ମବେଶରେ ଶାନ୍ତନୁଦାସର ଦୁଆରକୁ ଘୋଡ଼ାଗାଡ଼ି ନେଇଥିଲି । ମୋର ସନ୍ଦେହ ଯଥାର୍ଥ ହେଲା । ଶାନ୍ତନୁ ଦାସ ବାହରିଲା । ତା’ ହାତରେ ବ୍ୟାଗଟି ଦେଖି ମୋର ଦୃଢ଼ ଧାରଣା ହେଲା ଯେ ସେଥିରେ ଚୋରି ମାଲ ଅଛି । ଏଥି ପୂର୍ବରୁ ମୋର ସନ୍ଦେହ ଥିଲେ ମଧ୍ୟ ପ୍ରମାଣ ନ ଥିଲା ।’’

 

ମାନ୍ୟବର ମନ୍ତ୍ରୀ ଓ ଅନ୍ୟ କେତେକ ବିଶିଷ୍ଟ ଲୋକଙ୍କ ଇଚ୍ଛାକ୍ରମେ ଦସ୍ୟୁ ଚୁନିଲାଲକୁ ମଧ୍ୟ ସେ ଘରୋଇ ସଭାରେ ହାଜର କରାଗଲା । ହାତରେ କଡ଼ି ଓ ଗୋଡ଼ରେ ବେଡ଼ି ପଡ଼ିଥିବା ସତ୍ୱେ ଉନ୍ନତ ମସ୍ତକରେ ଚୁନିଲାଲ ସଭାମଧ୍ୟରେ ପ୍ରବେଶ କଲା ।

 

ମାନ୍ୟବର ମନ୍ତ୍ରୀ ଚୁନିଲାଲ ଆଡ଼େ ଚାହିଁ ପ୍ରଶ୍ନକଲେ ‘‘ତୁମର କହିବାର ଅଛି ଚୁନିଲାଲ-?

 

ନିର୍ଭିକ ଭାବରେ ଚୁନିଲାଲ ଉତ୍ତର ଦେଲା । ‘‘ମୁଁ ଏତିକି ମାତ୍ର କହିବାକୁ ଚାହେଁ ମାନ୍ୟବର ମନ୍ତ୍ରୀ ! ଯେ ଇନ୍‌ସପେକ୍‌ଟର ଭବାନୀ ମହାପାତ୍ରଙ୍କୁ ପାଇଁ ଓଡ଼ିଶାର ପୋଲିସ ଶକ୍ତି ଧନ୍ୟ ହେଇଛି । ଭବାନୀ ବାବୁଙ୍କୁ ଅତ୍ୟନ୍ତ ବୁଦ୍ଧିହୀନ ଭାବି ମୁଁ ପ୍ରଥମରୁ ଭୁଲ କରିଛି । ମୋର ବିଶ୍ୱାସ ଏହାପରେ ମୋ ସହିତ ଭବାନୀ ବାବୁଙ୍କର ଯେଉଁ ସଂଘର୍ଷ ହେବ, ସେଥିରେ ଏପରି ଛୋଟଭୁଲ ମୁଁ ଆଉ ରଖିବି ନାହିଁ । ଭବାନୀବାବୁ ବୁଦ୍ଧିମାନ ଓ ଶକ୍ତିଶାଳୀ । ମୋର ବିଶ୍ୱାସ ସରକାର ତାଙ୍କୁ ଏଇଥିପାଇଁ ଯଥେଷ୍ଟ ପୁରସ୍କାର ଦେବେ । ମୁଁ ମଧ୍ୟ ତାଙ୍କ ଯୋଗ୍ୟତାର ଉପଯୁକ୍ତ ପୁରସ୍କାର ଦେବି ବୋଲି ଆଜି ଏହି ସଭାରେ ପ୍ରତିଶ୍ରୁତି ଦେଲି । ମୋର ପୁରସ୍କାର ଏହି ହେବ ଯେ ଏହାପରେ ତାଙ୍କ ସହିତ ମୋର ଯେଉଁ ସଂଘର୍ଷ ହେବ—ସେଥିରେ ତାଙ୍କପରି ଯୋଗ୍ୟ ଲୋକଙ୍କୁ ଅନ୍ୟ କାହାରି ଦ୍ୱାରା ହତ୍ୟା ନ କରି ମୁଁ ସ୍ୱହସ୍ତରେ ହତ୍ୟା କରିବି ।’’

 

ମନ୍ତ୍ରୀ ଗମ୍ଭୀର ଭାବରେ ପଚାରିଲେ । କିନ୍ତୁ ତୁମେ ଜାଣ ବୋଧହୁଏ ଯେ ତୁମ ବିରୁଦ୍ଧରେ ଏକାଧିକ ନରହତ୍ୟାର ଅଭିଯୋଗ ଅଛି । ତୁମକୁ ପ୍ରାଣଦଣ୍ଡ ହୋଇପାରେ । ତୁମର ପ୍ରାଣଦଣ୍ଡ ହେଲେ ତୁମେ ଇନ୍‌ସପେକ୍‌ଟରଙ୍କୁ ସ୍ୱହସ୍ତରେ ହତ୍ୟା କରିବାର ସୁବିଧା ପାଇବ କିପରି ?

 

ଏହା ଶୁଣି ଚୁନିଲାଲ ନିର୍ଭୀକ ହସି ହସି କହିଲା ‘‘ଚୁନିଲାଲ ଆପଣମାନଙ୍କ ସମ୍ମୁଖରେ ଆଜି ଶୃଙ୍ଗଳିତ ହୋଇଥାଇ ପାରେ । କିନ୍ତୁ ଭାରତବର୍ଷରେ ଏପରି ଜେଲଖାନା ନାହିଁ ଯେଉଁଠାରେ ଚୁନିଲାଲ ଫାସ ବହୁଦିନ ପର୍ଯ୍ୟନ୍ତ ଅଟକାଇ ରଖାଯାଇ ପାରିବ ।’’

 

ସଭାସ୍ଥ ଅନେକେ ଚୁନିଲାଲରେ ଉଦ୍ଧତ ବାଣୀକୁ ଅବିଶ୍ୱାସ କଲେ । କିନ୍ତୁ ତାର ସେହି ଭବିଷ୍ୟବାଣୀ ଯେ ଅକ୍ଷର ଅକ୍ଷରେ ସତ୍ୟ ଏକଥା ଯଥା ସମୟରେ ପ୍ରମାଣିତ ହୋଇଥିଲା । ସରକାର ଓ ଜେଲ ପରି ଗୋଟିଏ ସୁରକ୍ଷିତ କାରାଗାରର ଗୋଟିଏ କ୍ଷୁଦ୍ର ସେଲ୍‌ ମଧ୍ୟରୁ ଯଥା ସମୟରେ ପଳାୟନ କରି ଚୁନିଲାଲ ଯେ ଦେଶରେ ପୁଣି ଅରାଜକତା ଓ ବିଭୀଷିକାର ସ୍ରୋତ ବୁହାଇବ ତା ସେତେବେଳେ ଧାରଣାର ଅତୀତ ଥିଲା ।

 

ଦୁଇ

 

ବିଖ୍ୟାତ ଦସ୍ୟୁ ଚୁନିଲାଲର ଗିରଫଦାର କାହାଣୀ ନାନାରଙ୍ଗରେ ରଂଜିତ ହୋଇ ପ୍ରତ୍ୟେକ ସମ୍ବାଦ ପତ୍ରର ଦିନାକେତେ ପ୍ରଧାନ ବିଷୟ ହୋଇ ଉଠିଲା । ଚାହା ଦୋକାନ, ଷ୍ଟେସନ ଓୟେଟିଂ ରୁମ୍‌, ସାନ୍ଧ୍ୟକ୍ଲବ୍‌ ପ୍ରଭୃତିରେ ଏହି ବିଷୟଟି କିଛିଦିନ ନାନାରୂପ ଧାରଣ କରିବାକୁ ଲାଗିଲା-। ଇନ୍‌ସପେକ୍‌ଟର ଭବାନୀ ବାବୁଙ୍କର ବାହାଦୂରୀ ତାଙ୍କର ଅତିବଡ଼ି ଶତ୍ରୁ ମୁଖରୁ ମଧ୍ୟ ଥରେ ଅଧେ ଶୁଣିବାକୁ ମିଳିଲା । ତା’ପରେ ସବୁ ଜିନିଷ ପରି ଏହାର ମଧ୍ୟ ଶେଷ ହେଲା ।

 

କେତେକ ମାସ ତଦନ୍ତ କରି ଅଭିଜ୍ଞ ଇନ୍‌ସପେକ୍‌ଟର ଭବାନୀବାବୁ ଚୁନିଲାଲ ବିରୁଦ୍ଧରେ ନାନା ପ୍ରମାଣ ସଂଗ୍ରହ କରି ନାନା ଦଫାରେ ଚାର୍ଜସିଟ୍‌ ଦାଖଲ କଲେ । ଜେଲ ତତ୍ୱାବଧାନରୁ ପୁଲିସ ପ୍ରହରୀ ବେଷ୍ଟିତ ହୋଇ ପୁଲିସ ଭ୍ୟାନରେ ଦସ୍ୟୁ ଚୁନିଲାଲ କଚେରୀର ହଜାର ହେଲା । ଏହା ମଧ୍ୟରେ ପୁଲିସ ଓ ଫୌଜଦାରୀ ତଦନ୍ତ ବିଭାଗ ଚୁନିଲାଲ ସଙ୍ଗରେ ବହୁଥର ଜେଲରେ ଦେଖାକରି ତାକୁ ନାନା ପ୍ରଶ୍ନ କରିଥିଲେ । କିନ୍ତୁ କିଛି ଫଳ ହୋଇନାହିଁ । ଚୁନିଲାଲ ଉନ୍ନତ ଶିରରେ ପୁଲିସ ଅଫସରମାନଙ୍କୁ କେବଳ ଶୁଣାଇ ଦେଇଛି ଯେ ସେ ଫାଶିକାଠରେ ଝୁଲି ମରିବା ପାଇଁ ଜନ୍ମ ହୋଇନାହିଁ । ଯଦି ଭଗବାନ ବୋଲି କୌଣସି ଶକ୍ତି ଥାଏ ତେବେ ସେଇ କେବଳ ତାର ବିଚାର କରିବ । ତାର କର୍ମଫଳ ମାନବ ଶକ୍ତି....ମଧ୍ୟରେ ନୁହେଁ । ପୁଲିସର ବନ୍ଦୋବସ୍ତରେ ଜେଲଖାନାରେ ଚୁନିଲାଲ ଉପରେ ବିଶେଷ ପହରା ରଖା ହୋଇଥିଲା, ଦସ୍ୟୁର ଏହି ସଗର୍ବ ପ୍ରତିଜ୍ଞା ଯେପରି ଜନସାଧାରଣରେ ପ୍ରକାଶ ପାଇ ବୃଥା ଆତଙ୍କର ସୃଷ୍ଟି ନକରେ ସେଥିପାଇଁ ପୁଲିସ କର୍ତ୍ତୃପକ୍ଷ ବିଶେଷ ନଜର ରଖିଥିଲେ । ଚୁନିଲାଲ ହାତକଡ଼ା ଓ ଗୋଡ଼ ବେଡ଼ି ମଣ୍ଡିତ ହୋଇ ସଶସ୍ତ୍ର ପୁଲିସ ହେପାଜତରେ ହାକିମଙ୍କ ସାମନାରେ ହାଜର ହୋଇ ନିର୍ବିକାର ଭାବରେ ବିଚାରର ତାରିଖ ଶୁଣିଲା ଓ କୌଣସି କଥା ନ କହି ପୁଣି ପୁଲିସ ଭ୍ୟାନରେ ବସି ଜେଲକୁ ଫେରିଗଲା । ଅଦାଲତରେ ତାର ହାଜର ତାରିଖ ମାନଙ୍କରେ ଯେପରି ବହୁଲୋକର ସମାଗମ ନ ହୁଏ ସେଥିପ୍ରତି କର୍ତ୍ତୃପକ୍ଷଙ୍କର ତୀକ୍ଷ୍‌ଣ ଦୃଷ୍ଟି ଥିଲା ।

 

କ୍ରମେ ଚୁନିଲାଲର ବିଚାରର ଦିନ ଉପସ୍ଥିତ ହେଲା । ଏଥର ଆଉ ଅଦାଲତ ପ୍ରାଙ୍ଗଣରେ ଜନସ୍ରୋତ ବନ୍ଦକରି ହେଲାନାହିଁ ବିଖ୍ୟାତ ଦସ୍ୟୁ ଚୁନିଲାଲର ବିଚାର ଶୁଣିବା ପାଇଁ ସହର ଶୁଣିବା ପାଇଁ ସହରର ଅଧିକାଂଶ ଲୋକ କଚେରୀରେ ଜମା ହେଲେ । ପୁଲିସ ଯଥେଷ୍ଟ ଗୋପନ ରଖିଥିଲେ ସୁଦ୍ଧା ଦସ୍ୟୁର ପଳାଇଯିବା ପ୍ରତିଜ୍ଞା ବହୁ ଭାବରେ ବହୁଲୋକଙ୍କ ମଧ୍ୟରେ ପ୍ରଚାର ଲାଭ କରିଛି । ନାନା ରକମର ଗୁଞ୍ଜନ ଧ୍ୱନିରେ ବିରାଟ ଜନତା ମୁଖରିତ । ଏହି ସମୟରେ ବନ୍ଧୁକଧାରୀ ପ୍ରହରୀ ବେଷ୍ଟିତ ହୋଇ ଚୁନିଲାଲ ପୁଲିସ ଭ୍ୟାନରେ ଅଦାଲତ ସମ୍ମୁଖରେ ଉପସ୍ଥିତ ହେଲା । ପୂର୍ବରୁ ନାନା ବନ୍ଦୋବସ୍ତ ସତ୍ୱେ ବି କୌତୁହଳୀ ଜନତା ଏପରି ଭିଡ଼ କଲେ ଯେ ପୁଲିସ ଅଫିସରମାନେ ଏହି ଅବସରରେ ଦସ୍ୟୁ ତା’ ପ୍ରତିଜ୍ଞା ପାଳନ କରିପାରେ ଭାବି ଶଙ୍କିତ ହୋଇ ଉଠିଲେ । ଦସ୍ୟୁ ଥରେ ଛିଡ଼ାହୋଇ ଜନତା ଆଡ଼େ ଚାହିଁଲା ଓ କଣ ଭାବିଲା । ଇନ୍‌ସପେକ୍‌ଟର ଭବାନୀବାବୁ ମଧ୍ୟ ଅଦାଲତରେ ଉପସ୍ଥିତ ଥିଲେ । ଏହି ଭୟାନକ ମୁହୂର୍ତ୍ତଟିର ସମୂହ ବିପଦ ବୁଝିପାରି ସେ ତୁରନ୍ତ ନିଜ ପକେଟରୁ ରିଭଲଭର କାଢ଼ି ଚୁନିଲାଲର ଛାତି ଉପରକୁ ଉଦ୍ୟତ କରି ଧରିଲେ । ଚୁନିଲାଲ ଭବାନୀବାବୁଙ୍କ ଆଡ଼େ ନିର୍ବିକାର ଭାବରେ ଥରେ ଚାହିଁଲା ଓ ସାମାନ୍ୟ ହସି ଅଦାଲତ ଘର ଭିତରକୁ ପଶିଲା । ଏହି ମୁହୂର୍ତ୍ତଟିର ପରିଣତି ନାନା ଭାବରେ କଳ୍ପନା କରି ଜନତା ନିର୍ବାକ୍‌ ହୋଇ ଚାହିଁ ରହିଥିଲେ । କେହି କେହି ଭାବିସାରିଥିଲେ ଯେ ଏହିକ୍ଷଣି ଦସ୍ୟୁ ପଳାଇବ ଓ ସଶସ୍ତ୍ର ପୁଲିସ ନିର୍ବିଚାରରେ ଗୁଳି ଚଳାଇବା ଫଳରେ ବହୁଲୋକ ମୃତାହତ ହେବେ । ଆଉ ଯେଉଁ ଗୁଜବ ପ୍ରିୟ ଲୋକ ଦସ୍ୟୁକୁ ଗୋଟିଏ ଅଲୌକିକ ଶକ୍ତିଶାଳୀ ବୋଲି ଧାରଣା କରିଥିଲେ—ସେମାନେ ଭାବିଥିଲେ ଯେ ଏହିକ୍ଷଣି ଦସ୍ୟୁ ଯାଦୁବଳରେ ଅଦୃଶ୍ୟ ହୋଇଯିବ । କିନ୍ତୁ କିଛି ହେଲାନାହିଁ ଦେଖି ଅନେକେ ନିରାଶ ହେଲେ । ଅଦାଲତ ପ୍ରାଙ୍ଗଣରେ ଜନତାର ଭୀଷଣ ଭିଡ଼ ଦେଖି ହାକିମ କବାଟ ବନ୍ଦ କରି ଦେବାକୁ ଆଦେଶ ଦେଲେ । ଫଳତଃ ଅଦାଲତ ଗୃହ ମଧ୍ୟରେ କେବଳ କେତେକ ବିଶେଷ ଅନୁମତି ପ୍ରାପ୍ତ ସମ୍ବାଦ ପତ୍ରର ରିପୋର୍ଟର ଓ ପୁଲିସ ପ୍ରହରୀ ଛଡ଼ା ଆଉ କେହି ରହିଲେ ନାହିଁ ।

Unknown

 

ବିଚାର ଚାଲିଲା । କେବଳ ଇନ୍‌ସପେକ୍‌ଟର ଭବାନୀବାବୁ ଛଡ଼ା ବାକି ସବୁ ସାକ୍ଷୀ ଆସାମୀ ଆଡ଼କୁ ଚାହିଁ ବିଚାରର ଫଳାଫଳ ଉପରେ ବିଶ୍ୱାସ ହରାଇଲେ । ଫଳତଃ ନାନା ରକମ ଅବାନ୍ତର ସାକ୍ଷୀ ଦେବାକୁ ଲାଗିଲେ । ଏହିପରି ଦୁଇଦିନ ବିଚାର ପରେ ମକଦ୍ଦମା ସେସନ୍‌ସ ଅଦାଲତକୁ ପଠାଗଲା । ସରକାରଙ୍କର ବିଶେଷ ଆଦେଶମତେ ସେସନ୍‌ସ ଅଦାଲତ ମଧ୍ୟ ଅତିଶୀଘ୍ର ବିଚାର ସମୟରେ ଅଭିଜ୍ଞ ଭବାନୀବାବୁ ସାକ୍ଷୀମାନଙ୍କ ନିରାପତ୍ତା ପାଇଁ ଯଥେଷ୍ଟ ପୁଲିସ ପ୍ରହରୀ ବନ୍ଦୋବସ୍ତ କରିଥିଲେ । କାରଣ ପୁଲିସର ଅନ୍ୟାନ୍ୟ ହାକିମମାନେ ବିଶ୍ୱାସ ନ କଲେ ମଧ୍ୟ ସେ ଜାଣନ୍ତି ଯେ ଧୂର୍ତ୍ତ ବୈଜ୍ଞାନିକ ଚୁନିଲାଲର ଷଡ଼ଯନ୍ତ୍ର କେଡ଼େ ବ୍ୟାପକ ଓ ତାର ପ୍ରତିହିଂସା କେଡ଼େ ସାଘାଂତିକ । ଆସାମୀ ଆତ୍ମପକ୍ଷ ସମର୍ଥନ ପାଇଁ କୌଣସି ଚେଷ୍ଟା କଲାନାହିଁ । ବିଚାର ସମୟରେ ଆସାମୀ ପକ୍ଷ ସମର୍ଥନ ପାଇଁ ସରକାର ଜଣେ ଓକିଲ ଦେଇଥିଲେ । କିନ୍ତୁ ଆସାମୀ ବିରୁଦ୍ଧରେ ପୁଲିସ ଦାଖଲ କରିଥିବା ଅକଟ୍ୟ ପ୍ରମାଣ ସମ୍ମୁଖରେ ତାଙ୍କର ଆଉ ବିଶେଷ କିଛି କହିବାର ନ ଥିଲା । ସେସନ୍‌ସ ବିଚାର ଯଥା ସମୟରେ ଶେଷ ହେଲା । ବିଚାର ପତି ଜୁରୀମାନଙ୍କୁ ଯଥା ନିୟମ ପଚାରିଲେ, ଆସାମୀ ଦୋଷୀ ନା ନିର୍ଦ୍ଦୋଷ ?’’ ଜୁରୀମାନେ ଏକବାକ୍ୟରେ ଜଣାଇଲା ଯେ ଆସାମୀ ଦୋଷାବହ ଷଡ଼ଯନ୍ତ୍ର, ନରହତ୍ୟା ଓ ହତ୍ୟାର ଚେଷ୍ଟା ଏବଂ ଚୋରି ଅପରାଧରେ ଦୋଷୀ । ସେ ଦିନର ବିଚାର ବନ୍ଦ ହେଲା । ତା ପରଦିନ ରାୟ ବାହାରିବ । ଉତ୍‌କଣ୍ଠା ଜନତା ଏପରି ଗୋଟାଏ ବିଶେଷ ଅପରାଧୀର ବିଚାର ଏପରି ସାଧା ସାଧା ଭାବରେ ଶେଷ ହେବାର ଦେଖି ନିରାଶ ହେଲେ । ଖବର କାଗଜର ମାଲିକମାନେ—ଯେଉଁମାନେ କି ଦସ୍ୟୁର ଆକସ୍ମିକ ଅର୍ନ୍ତଦ୍ଧାନ ପ୍ରଭୃତି କଳ୍ପନା ଓ ଆଶା କରି ସେମାନଙ୍କର କାଗଜର ଗୋଟିଏ ଗୋଟିଏ ବିଶେଷ ସଂଖ୍ୟା ବାହାର କରିବେ ବୋଲି ଭାବିଥିଲେ ସେମାନେ ମଧ୍ୟ ନିରାଶ ହେଲେ ।

 

ସେହିଦିନ ସନ୍ଧ୍ୟାବେଳେ ପୁଲିସର ଗୋଟିଏ ବିଶେଷ ବୈଠକରେ ପୁଲିସ ସାହେବ ଇନ୍‌ସପେକ୍‌ଟର ଭବାନୀ ମହାପାତ୍ରଙ୍କୁ ଲକ୍ଷ୍ୟ କରି କହିଲେ ‘‘ଚୁନିଲାଲର ସବୁକଥା କେବଳ ଫାଙ୍କା ଆୱାଜ ମାତ୍ର ନୁହେଁ କି ? ଆପଣଙ୍କର କଣ ମତ ?’’

 

ପ୍ରବୀଣ ଇନସପେକ୍‌ଟର କେବଳ ଚୁପ୍‌ ହୋଇ ରହିଲେ । ମତାମତ ଦେଲେ ନାହିଁ ।

 

ତା’ ପରଦିନ ।

 

ଆଜି ଜଜ୍‌ସାହେବ ରାୟ ଦେବେ । ଅଦାଲତ ସମୟରେ ବହୁ ପୂର୍ବରୁ ଭୀଷଣ ଭିଡ଼ ହେବାକୁ ଲାଗିଲା । ଚୁନିଲାଲର ବିଚାରର ରାୟ ଶୁଣିବା ପାଇଁ ବହୁଲୋକ କ୍ରମେ ଅଦାଲତ ସମ୍ମୁଖରେ ରୁଣ୍ଡ ହେବାକୁ ଲାଗିଲେ । ପୁଲିସ ଭ୍ୟାନ୍ ଯଥାରୀତି ପ୍ରହରୀ ବେଷ୍ଟିତ ହୋଇ ଆସାମୀକୁ ଆଣିବା ପାଇଁ ଜେଲଖାନାକୁ ଚାଲିଲା । ଉତ୍‌କଣ୍ଠ ଜନତା ଚାହିଁ ରହିଲେ ଆଜି କିପରି ଭାବରେ ଚୁନିଲାଲ ତାର ମୃତ୍ୟୁଦଣ୍ଡ ଗ୍ରହଣ କରିବ ।

 

X X X

 

କଟକ ଜେଲ । ସମୟ ସକାଳ ନ’ଟା । ଅନ୍ୟ ଦିନଠାରୁ ଆଜି ଏକଘଣ୍ଟା ପୂର୍ବରୁ ପୁଲିସ ଭ୍ୟାନ ଆସାମୀ ଚୁନିଲାଲକୁ ଅଦାଲତକୁ ନେବା ପାଇଁ ପହଞ୍ଚିଲା । ଜେଲ କର୍ତ୍ତୃପକ୍ଷ ମଧ୍ୟ ଜାଣନ୍ତି ଯେ ଆଜି ତା’ର ରାୟ ବାହାରିବ । ରାୟର ଫଳାଫଳ ମଧ୍ୟ ଅନ୍ଦାଜକରିବାକୁ କାହାକୁ ବିଶେଷ କଷ୍ଟ ହୋଇନାହିଁ । ଜେଲର ଆସାମୀର ହାଜିରା ପରୋୟାନା (Production wirrant) ଯଥାବିଧି ପରୀକ୍ଷା କରି ଆସାମୀର ବିଶେଷ ସେଲରୁ ତାକୁ ଅଣାଇ ପୁଲିସର ଜିମା କଲେ । ଆସାମୀ ହାତରେ ଲୌହ ବଳୟ ପିନ୍ଧାଉ ପିନ୍ଧାଉ ପୁଲିସ ଭ୍ୟାନର ଭାରପ୍ରାପ୍ତ ସର୍ଜେଣ୍ଟ ଚୁନିଲାଲ ପିଠିରେ ଥରେ ନିଜ ଧରିଥିବା ବେତଟା କେଞ୍ଚି ଦେଇ ଉଦ୍ଧତ କୌତୁକରେ କହିଲେ, ‘‘କିରେ ଚୋର, ପଳାଇଯିବୁ ବୋଲି ବଡ଼ ଧମକ ଦେଉଥିଲୁ । ଆଜି ତୋର ଫାଶିର ଆଦେଶ ହେବ ଜାଣୁ ତ ?’’

 

ଚୁନିଲାଲ କୌଣସି ଉତ୍ତର ନ ଦେଇ ଥରେ କଟମଟ କରି ଅଫିସରଟି ଆଡ଼େ ଚାହିଁଲା ଓ ତା’ପରେ ନିର୍ଭୀକ ପଦକ୍ଷେପରେ ଯାଇ ପୁଲିସ ଭ୍ୟାନ ମଧ୍ୟରେ ପଶିଲା । ପୁଲିସ ଭ୍ୟାନ୍‌ ହର୍ଣ୍ଣ ବଜାଇ ଚାଲିଗଲା । ପ୍ରବୀଣ ବହୁଦର୍ଶୀ ଜେଲରେ ଗୋଟାଏ ଏତେବଡ଼ ପ୍ରତିଭାର ଏପରି କରୁଣ ପରିଣତି ବିଷୟରେ ଭାବି ଗୋଟିଏ ଦୀର୍ଘ ନିଶ୍ୱାସପକାଇ ନିଜ ଅଫିସ ଭିତରକୁ ଗଲେ ।

 

ଜଜ୍‌ ସାହେବ ଅଦାଲତକୁ ଆସିଲେଣି । ବିରାଟ ଜନତା ସ୍ତବ୍‌ଧ ଉତ୍କଣ୍ଠାରେ ପୁଲିସ ଭ୍ୟାନ୍‌ ଚାହିଁ ରହିଛନ୍ତି । ଏହି ସମୟରେ ଗୋଟିଏ ମଟର ହର୍ଣ୍ଣଶୁଣି ସମସ୍ତେ ପଛକୁ ଚାହିଁଲେ । କିନ୍ତୁ ଏହା ପୁଲିସ ଭ୍ୟାନ୍ ନୁହେଁ । ପୁଲିସ ସାହେବ ତାଙ୍କ ନିଜ ଗାଡ଼ିରେ ବେଆଇନୀ ଗତିରେ ଗତିରେ ଜନତା ଭିତରକୁ ମାଡ଼ି ଆସୁଛନ୍ତି । ପୁଲିସ ପ୍ରହରୀମାନେ ବାଟ କରାଇ ଦେଲେ । ସାହେବ ଉନ୍ମାଦ ପରି ଗାଡ଼ି ଭିତରୁ ଡେଇଁପଡ଼ି ଅଦାଲତ ଭିତରକୁ ପଶିଗଲେ ଓ ଅଦାଲତର ପର୍ଯ୍ୟାଦା ଭୁଲିଯାଇ ପାଗଳ ପରି ଚିତ୍କାର କରି ଯାହା କହିଲେ ସେଥିରେ ସମସ୍ତେ ସ୍ତବ୍‌ଧ ହୋଇଗଲେ ।

 

ସାହେବଙ୍କ ଖବରର ସାରାଂଶ ଏହି ଯେ ପୁଲିସ ଭ୍ୟାନ୍ ଜେଲରେ ପହୁଞ୍ଚିବା ପ୍ରାୟ ଘଣ୍ଟାକ ପୂର୍ବରୁ ସେହିପରି ରଙ୍ଗ ଓ ସେହି ନମ୍ବରର ଆଉ ଗୋଟିଏ ଭ୍ୟାନ୍‌ କେତେଗୁଡ଼ିଏ ଜାଲ ପୋଲିସ ପ୍ରହରୀ ସଜ୍ଜିତ ହୋଇ ଦସ୍ୟୁକୁ ଜେଲଖାନାରୁ ନେଇ ଯାଇଛନ୍ତି । ଜେଲ କର୍ମଚାରୀଗଣ ଯଥାରୀତି କାଗଜପତ୍ର ପରୀକ୍ଷା କରି ସନ୍ଦେହର କୌଣସି କାରଣ ନ ପାଇ ସେମାନଙ୍କ ହାତରେ ଆସାମୀକୁ ସମର୍ପଣ କରିଛନ୍ତି । ମୋଟକଥା ଆସାମୀ ତା’ର ଉଦ୍ଧତ ପ୍ରତିଜ୍ଞା ରକ୍ଷା କରିଛି ଓ ପୁଲିସର ଏତେ ସାବଧାନତା ସତ୍ତ୍ୱେ ଜେଲଖାନାରୁ ନିରାପଦରେ ପଳାୟନ କରିପାରିଛି ।

 

ନିମିଷକ ମଧ୍ୟରେ ଏ ଖବର ଚାରିଆଡ଼େ ନାନାଭାବରେ ଅତିରଞ୍ଜିତ ହୋଇ ବିସ୍ତାର ଲାଭ କଲା । ପୁଲିସ ସୁପାରିଶରେ ପ୍ରାଦେଶିକ ସରକାର ଆସାମୀକୁ ଗିରଫଦାର କରିବା ଲାଗି ପାଞ୍ଚହଜାର ଟଙ୍କା ପୁରସ୍କାର ଘୋଷଣା କଲେ । ବିରାଟ ପୁଲିସ ଶକ୍ତି ଆସାମୀକୁ ଗିରଫଦାର କରିବାଲାଗି ଯଥାସାଧ୍ୟ ଚେଷ୍ଟା କରି ମଧ୍ୟ ବିଫଳ ହେଲେ । ଯେଉଁ ଖବର ସବୁ ଅଳ୍ପ କିଛିଦିନ ତଳେ ପୁଲିସର କର୍ମତତ୍ପରତା ପ୍ରଚାର କରିବାରେ ପଞ୍ଚମୁଖ ହୋଇଥିଲେ ସେହିମାନେ ପୁଣି ପୁଲିସର ଅକର୍ମଣ୍ୟତା ଘୋଷଣାରେ ମୁଖର ହୋଇ ଉଠିଲେ ।

 

ସାରା ସହରରେ ଗୋଟିଏ ରୋମାଞ୍ଚକର ଚାଞ୍ଚଲ୍ୟ ପଡ଼ିଗଲା । ଧନୀଲୋକମାନେ ଆତଙ୍କରେ ବିନୀଦ୍ର ରଜନୀ ଯାପନ କରିବାକୁ ଲାଗିଲେ । ଆଉ ଯେଉଁମାନେ ପୁଲିସର ସାହସ ପାଇ ଚୁନିଲାଲ ବିରୁଦ୍ଧରେ ସାକ୍ଷ୍ୟ ହୋଇଥିଲେ ସେମାନେ ପୁଲିସର ଏପରି ପରାଜୟ ଦେଖି ପ୍ରତି ଅନାଗତ ମୁହୂର୍ତ୍ତ ପାଇଁ ଗୋଟାଏ ଗୋଟାଏ ଅଜ୍ଞାତ ଆତଙ୍କର ଦୃଶ୍ୟ କଳ୍ପନା କରିବାକୁ ଲାଗିଲେ ।

 

X X X

 

ଚୁନିଲାଲକୁ ଅଦ୍ଭୁତ ଉପାୟରେ ଜେଲଖାନାରୁ ଖଲାସ କରି ନେଇ ତାର ଅନୁଚରମାନେ ଘଣ୍ଟାକୁ ଷାଠିଏ ମାଇଲ ବେଗରେ ଉଲ୍‌କା ଗତିରେ ମଟର ଚଳାଇ ପଳାଇଲେ । ଅଳ୍ପକ୍ଷଣ ପରେ କଟକ ସହର ଛାଡ଼ି ମଟରଗାଡ଼ି ଉଡ଼ି ଚାଲିଲା । ଛଦ୍ମବେଶ ତ୍ୟାଗକରି ଚୁନିଲାଲ ହାତରୁ ହାତକଡ଼ା ଫିଟାଇ ଦେଲା । ଚୁନିଲାଲ ସାମାନ୍ୟ ହସି ଟିକିଏ ଖୁସିଥିବା ପରି ଜଣାଗଲା ଓ ପଚାରିଲା ‘‘ମୋର ଇଚ୍ଛାଶକ୍ତି (will power) ଦ୍ୱାରା ପ୍ରେରିତ ଉପଦେଶ ତୁମେମାନେ ଠିକ୍‌ ଭାବରେ ଗ୍ରହଣ କରିପାରିଛ ଦେଖି ମୁଁ ଖୁସି ହେଲି । ଆଉ ଅନ୍ୟାନ୍ୟ ବ୍ୟବସ୍ଥା ସବୁ କିପରି ହୋଇଛି ?’’

 

ସର୍ଦ୍ଦାର ଖୁସି ହୋଇଥିବାରୁ ନିଜକୁ ଭାଗ୍ୟବାନ ଭାବି ସର୍ଜେଣ୍ଟବେଶୀ ଦସ୍ୟୁ ମଦନ କହିଲା ‘‘ଆପଣଙ୍କର ଶିକ୍ଷାମତେ ମୁଁ ଓ ରହମାନ୍‍ ଆପଣଙ୍କର ପ୍ରତି ହାଜିରୀ ତାରିଖରେ କଚେରୀରେ ଉପସ୍ଥିତ ହୋଇ ନିଜ ନିଜର ମସ୍ତିଷ୍କକୁ ଗ୍ରହଣଶୀଳ ଅବସ୍ଥାରେ (recipient state) ରଖୁଥିଲୁ । କିନ୍ତୁ ଦୁଇ ତିନିଥର ଏପରି କରି ସୁଦ୍ଧା ଆପଣଙ୍କର ଭାବନାର କୌଣସି ସ୍ପନ୍ଦନ ଆମମାନଙ୍କର ମସ୍ତିଷ୍କରେ ଅନୁଭବ କଲୁ ନାହିଁ । ମାତ୍ର ଶେଷ ତାରିଖରେ ଆପଣଙ୍କର ଏହି ଇଚ୍ଛା ଆମ ମସ୍ତିଷ୍କରେ ସ୍ପନ୍ଦିତ (vibration) ହେଲା । ସେହି ଅନୁସାରେ ଆମେମାନେ କାମ କଲୁ ।’’

 

ସର୍ଦ୍ଦାର ଟିକିଏ ଖୁସି ହୋଇ କହିଲେ, ‘‘ହଁ, ମୁଁ ବଡ଼ ଡେରିରେ ତୁମ ମାନଙ୍କୁ ମୋର ଉପଦେଶ ପଠାଇଲି, ତାର ପ୍ରଧାନ କାରଣ ମୁଁ ମୋର ସଠିକ୍‍ ପନ୍ଥା ଠିକ୍‌ କରି ପାରିନଥିଲି । ମୁଁ ଭବାନୀ ବାବୁଙ୍କୁ ଯେପରି ନିର୍ବୋଧ ଭାବିଥିଲି ସେ ପ୍ରକୃତରେ ସେତେ ନିର୍ବୋଧ ନୁହେଁ । ଏଥର ଆମ ସମସ୍ତଙ୍କୁ ଆହୁରି ବେଶି ସାବଧାନ ହେବାକୁ ପଡ଼ିବ ଏବଂ ଯୁଦ୍ଧ କରିବାକୁ ପଡ଼ିବ ବିରାଟ ରାଜଶକ୍ତି ସଙ୍ଗେ । ମୋତେ ଗିରଫଦାର କରିଥିବା ଯୋଗୁ ଭବାନୀ ମହାପାତ୍ରର ଯେଉଁ ଗର୍ବର ସ୍ମୃତି ଅଛି—ତାକୁ ମୁଁ ଡୁବାଇ ଦେବି ମୋର ହାତରେ ତା’ର ସହସ୍ର ପରାଜୟରେ । ମୋର (laboratory) ଠିକ୍‌ କରିଛ ?’’

 

କହୁଁ କହୁଁ ଦୂର୍ବାର ବୈଜ୍ଞାନିକ ଦସ୍ୟୁ ଚୁନିଲାଲର ଉଜ୍ଜ୍ୱଳ ଆଖିରେ ଭୀଷଣ ପ୍ରତିଜ୍ଞା ଜଳି ଉଠିଲା । ଅନୁଚର ମଦନ ଚୁନିଲାଲର ଚକ୍ଷୁର ଜ୍ୟୋତିରେ ସମ୍ମୋହିତ ହେଲା ପରି ସ୍ଥିର ଭାବରେ ବସି ରହିଲା । କିଛିକ୍ଷଣ ପରେ ଜବାବ ଦେଲା, ‘‘ହଁ ଆପଣଙ୍କ ପାଇଁ ଅତି ଆଧୁନିକ ଭାବରେ ଗୋଟିଏ ‘‘ଲେବରେଟରି’’ ଠିକ୍‌ କରି ରଖା ହୋଇଛି ।’’

 

ମଦନ ମଧ୍ୟ ଉଚ୍ଚ ଶିକ୍ଷିତ । ଚୁନିଲାଲ ଦଳରେ ବହୁ ଉଚ୍ଚ ଶିକ୍ଷିତ ଯୁବକ ଦସ୍ୟୁ ଅଛନ୍ତି । ହୁଏତ ଦସ୍ୟୁ ପ୍ରବୃତ୍ତି ନେଇ ସେମାନେ ଜନ୍ମହୋଇ ନ ଥିଲେ । ଅଭାବ ହୁଏତ ଅନେକଙ୍କର ନାହିଁ । ଘଟଣା ଚକ୍ରରେ ସେମାନେ ଚୁନିଲାଲ ସଂସ୍ପର୍ଶରେ ଆସିଛନ୍ତି । ତାର ଅସଲ ରୂପ ନ ଦେଖି ତା’ର ବାହ୍ୟାଡ଼ମ୍ବରରେ ମୁଗ୍‌ଧ ହୋଇଛନ୍ତି । ତା’ର ବିରାଟ ବ୍ୟକ୍ତିତ୍ୱ ଓ ପାଣ୍ଡିତ୍ୟ ମଧ୍ୟରେ ନିଜକୁ ଲିପ୍ତ କରିଛନ୍ତି । ତା’ପରେ ଯେତେବେଳେ ତା’ର ଅସଲ ରୂପ ଜାଣି ପାରିଛନ୍ତି, ସେତେବେଳକୁ ବହୁତ ଡେରି । ଆଉ ଫେରିଯିବାର ଉପାୟ ନାହିଁ । ନରହନ୍ତା ବୈଜ୍ଞାନିକ ଦସ୍ୟୁ ନିଜର ଅଲୌକିକ ଇଚ୍ଛାଶକ୍ତି ପ୍ରଭାବରେ ସେମାନଙ୍କର ସ୍ୱାଧୀନ ଇଚ୍ଛାକୁ ବୁଢ଼ିଆଣୀ ଜାଲରେ ପତଙ୍ଗ ପରି ବନ୍ଦ କରି ସାରିଛି । କ୍ରମେ କ୍ରମେ ସେମାନଙ୍କର ନିଷ୍ପାପ ହୃଦୟ ମଧ୍ୟ ଚୁନିଲାଲ ଦ୍ୱାରା ପ୍ରଭାବିତ ହୋଇ ସେମାନେ ହୋଇଉଠିଛନ୍ତି ଭୀଷଣ ପ୍ରକୃତିର ଅସୀମ ସାହସୀ ଦସ୍ୟୁ । ଚୁନିଲାଲର ମାରାତ୍ମକ କାର୍ଯ୍ୟକଳାପର ସେମାନେ ପ୍ରଧାନ ହତିୟାର ।

 

ଆଠଗଡ଼ର ନିବିଡ଼ ଜଙ୍ଗଲ ମଧ୍ୟରେ ମଟର ଗାଡ଼ି ପହୁଞ୍ଚିଲା । ତା’ପରେ ଆଉ ମଟର ଚାଲିବ ନାହିଁ । ଏହିଠାରେ ଚୁନିଲାଲ ଓ ତାର ଅନୁଚରମାନେ ଓହ୍ଲାଇ ମଟର ଗାଡ଼ିଟିକୁ ଗୋଟିଏ ଅତି ନିବିଡ଼ ଜଙ୍ଗଲ ମଧ୍ୟରେ ଲୁଚାଇ ପଦବ୍ରଜରେ ଚାଲିଲେ । ପ୍ରାୟ ଘଣ୍ଟାଏ କାଳ ଦୁର୍ଗମ ଜଙ୍ଗଲ ଓ ପାହାଡ଼ ଭିତରେ ଯାଇ ସେମାନେ ଗୋଟିଏ ଗୁମ୍ଫା ମଧ୍ୟରେ ପହଞ୍ଚିଲେ । ଏହି ସ୍ଥାନଟି ପଳାତକ ଦସ୍ୟୁ ଚୁନିଲାଲର ଅଜ୍ଞାତ ବାସ ପାଇଁ ତାର ଅନୁଚରମାନେ ଠିକ୍‌ କରିଥିଲେ । ସ୍ଥାନଟିର ନିଜର୍ନତା ଓ ପ୍ରାକୃତିକ ଅବସ୍ଥାନ ଦେଖି ଚୁନିଲାଲ ଖୁସି ହେବାପରି ଜଣାଗଲା । ଆରାମରେ ଜୀବନଯାପନ କରିବା ଲାଗି ହୁଏତ ସ୍ଥାନଟି ସୁବିଧାଜନକ ନୁହେଁ । ଆରାମ ମଧ୍ୟ ଅଭିଶପ୍ତ ଚୁନିଲାଲର ଅପରାଧୀ ଜୀବନରେ ଆବଶ୍ୟକ ନାହିଁ ।

 

ବିଗତ କେତେଦିନ ହେଲା ମୁକ୍ତିପାଇଁ ଅଶ୍ରାନ୍ତ ଚିନ୍ତା କରି କରି ଚୁନିଲାଲ ବଡ଼ କ୍ଳାନ୍ତ ହୋଇଥିଲା । ବିଶ୍ରାମର ଅତି ଉତ୍କୃଷ୍ଟ ସ୍ଥାନ ଓ ସମୟ ପାଇଁ ଚୁନିଲାଲ କିଛିକ୍ଷଣ ପରେ ଗଭୀର ନିଦ୍ରାରେ ମଗ୍ନ ହେଲା ।

 

ଦୁଇଦିନ ପରେ । ବହୁତ ଚିନ୍ତା କରି ସୁଦ୍ଧା ଚୁନିଲାଲ ତାର କ୍ଷୁଦ୍ର ବିଜ୍ଞାନାଗାରରେ (Labratory) କେତେଗୁଡ଼ିଏ ଔଷଧ ବୋତଲ ଓ ଯନ୍ତ୍ରାଦି ଦେଖୁ ଦେଖୁ କ’ଣ ଭାବୁଥିଲା । ଏହି ସମୟରେ ସହରରୁ ଗଲା ଦୁଇଦିନର ଖବର କାଗଜ ନେଇ ତାର ଗୋଟିଏ ବିଶ୍ୱସ୍ତ ଅନୁଚର ସେଠାରେ ପହଞ୍ଚିଲା । ଖବର କାଗଜ ପଢ଼ିବା ଦେଶର ପ୍ରତ୍ୟେକ ବିଖ୍ୟାତ ଲୋକଙ୍କପରି ଚୁନିଲାଲର ମଧ୍ୟ ଗୋଟିଏ ଅଭ୍ୟାସ । ସବୁକାମ ଛାଡ଼ି ଚୁନିଲାଲ ଖବର କାଗଜ ପଢ଼ି ବସିଲା । ଦୈନିକ ଇଂରାଜି କାଗଜଟିର ପ୍ରଥମ ପୃଷ୍ଠାରେ ଦୁଇଟି ବଡ଼ ୨ ଫଟ ତଳେ ଦୁଇଟି ଖବର । ଗୋଟିଏ ଫଟ ତା’ର ନିଜର, ତା ତଳେ ତାର ଜେଲରୁ ଅଦ୍ଭୁତ ଉପାୟରେ ପଳାୟନ, ପୁଲିସର ଅକର୍ମଣ୍ୟତା ଯୋଗୁ ସମ୍ପାଦକଙ୍କର କଟୂଉକ୍ତି ଓ ସବାତଳେ ପ୍ରାଦେଶିକ ସରକାରଙ୍କର ତାକୁ ଗିରଫଦାର କରିଦେବା ଲାଗି ପାଞ୍ଚହଜାର ଟଙ୍କା ପୁରଷ୍କାର ଘୋଷଣା । ସମ୍ବାଦଟି ପଢ଼ି ଚୁନିଲାଲ ମନେ ମନେ ଟିକିଏ ହସିଲା । ତାପରେ ପଢ଼ିଲା ଅନ୍ୟ ପଟ ତଳ ସମ୍ବାଦଟି । ଏହି ସମ୍ବାଦଟି ପଢ଼ୁ ୨ ତାର ଆଖି ଉଜ୍ଜ୍ୱଳ ହୋଇ ଉଠିଲା । ଅନ୍ତର ତାର ଉଲ୍ଲସିତ ହୋଇ ଉଠିଲା । ପର୍ବତ ଗୁହାର ସ୍ୱଳ୍ପାଲୋକରେ ସେ ଫଟଟିକି ଭଲ ଭାବରେ ପରୀକ୍ଷା କରି ନ ପାରି ଗୁହା ବାହାରକୁ ଆସି ଉଜ୍ଜ୍ୱଳ ଦିବାଲୋକରେ ଭଲ କରି ପରୀକ୍ଷା କଲା । ତାର ନିଜ ଫଟ ସହିତ ଏ ଫଟଟି ଭଲ କରି ପରୀକ୍ଷା କଲା । ତାର ନିଜ ଫଟଟି ଭଲ କରି ମିଳାଇ ଦେଖିଲା । ବୟସ ଓ ଅଙ୍ଗ ପ୍ରତ୍ୟଙ୍ଗର ଗୋଟାଏ ଐକ୍ୟ ଲକ୍ଷ୍ୟକରି ସେ ଅତିଶୟ ଖୁସି ହୋଇ ଉଠିଲା । ନିଜର କର୍ମପନ୍ଥା ଆପେ ଆପେ ତା ସାମନାରେ ଉନ୍ମୂକ୍ତ ଦେଖି ସେ ଭଗବାନଙ୍କୁ ଥରେ ଧନ୍ୟବାଦ ଦେଲା । ସମ୍ବାଦଟି ତଳେ ଓଡ଼ିଆରେ ଉଦ୍ଧୃତ କରାଗଲା :—

 

‘‘ବିଖ୍ୟାତ ଧନୀ ଓ ଜମିଦାର ରାଧା ମୋହନ ଚୌଧୁରୀଙ୍କ ପରଲୋକ’’

 

ଓଡ଼ିଶାର ବିଖ୍ୟାତ ଧନୀ ଓ ଭୂମ୍ୟାଧିକାରୀ ରାଧାମୋହନ ଚୌଧୁରୀ ୫୯ ବର୍ଷ ବୟସରେ ଗତ ରବିବାର ଦିନ ପୂର୍ବାହ୍ନରେ ତାଙ୍କର କଟକ ସ୍ଥିତ ପ୍ରାସାଦରେ ଦେହତ୍ୟାଗ କଲେ । ରାଧାମୋହନ ବାବୁ ଜଣେ ଗୁଣୀ ଓ ଦାନୀ ବ୍ୟକ୍ତି ଥିଲେ । ଓଡ଼ିଶାର ଅନେକ ଅନୁଷ୍ଠାନକୁ ସେ ଅକାତରରେ ବହୁଅର୍ଥ ଦାନ କରିଛନ୍ତି । ତାଙ୍କର ମୃତ୍ୟୁରେ ସମଗ୍ର ଓଡ଼ିଆ ଜାତି ଶୋକାହତ । ଦୁଃଖର ବିଷୟ ଯେ ରାଧାମୋହନ ବାବୁ ନିଃସନ୍ତାନ ଥିଲେ ଓ ତାଙ୍କ ସହଧର୍ମିଣୀ ପାଞ୍ଚବର୍ଷ ପୂର୍ବରୁ ସ୍ୱର୍ଗାରୋହଣ କରିଛନ୍ତି । ତାଙ୍କର ବିଶାଳ ସମ୍ପତ୍ତି ଓ ନଗଦ ବହୁ ସହସ୍ର ଟଙ୍କା ସେ ତାଙ୍କର ସମ୍ପର୍କୀୟ ଭାତୁଷ୍ପୂତ୍ର ଶ୍ରୀମାନ ସଚ୍ଚିଦାନନ୍ଦ ଦାସଙ୍କୁ ବିନା ସର୍ତ୍ତରେ ଦାନ କରି ଯାଇଛନ୍ତି । ଶ୍ରୀମାନ ସଚ୍ଚିଦାନନ୍ଦ ଉଚ୍ଚଶିକ୍ଷିତ । ସେ ତାଙ୍କ ପିତାଙ୍କ ସମୟରୁ ବିହାର ପ୍ରଦେଶର ପାଟଣା ନଗରୀରେ ବାସ କରୁଛନ୍ତି । ଶୁଣାଯାଏ ସେଠାରେ ସେ ଉଚ୍ଚ ସରକାରୀ ଚାକିରି କରୁଥିଲେ । କିନ୍ତୁ ରାଧାମୋହନ ବାବୁଙ୍କ ଜମିଦାରୀ ପାଇଁ ସେ ଆସନ୍ତା ୧୫ ତାରିଖରେ ସେଠା ବାସସ୍ଥାନ ଉଠାଇ ଜନ୍ମଭୂମିକୁ ଫେରି ଆସୁଛନ୍ତି । ଆମେମାନେ ଆଶାକରୁ ଯେ ଉଚ୍ଚ ଶିକ୍ଷିତ ସଚ୍ଚିଦାନନ୍ଦ ବିଶ୍ୱାଳ ସମ୍ପତ୍ତିର ମାଲିକ ହୋଇ ଦେଶର ବହୁତ ଉପକାର କରିବେ ।

 

 

ଉପରିସ୍ଥ ଫଟଟି ଶ୍ରୀମାନ୍‌ ସଚ୍ଚିଦାନନ୍ଦ ଦାସଙ୍କର ।

 

X X X

 

ସଚ୍ଚିଦାନନ୍ଦ ବାବୁ କଟକରେ ନୂଆ । ସେଥିଲାଗି ତାଙ୍କର ବିଶ୍ୱସ୍ତ ଦେଓ୍ୟାନ ହରିବଲ୍ଲଭ ବାବୁ ତାଙ୍କ ସୁଖ ସୁବିଧା ଲାଗି ନିଜେ ସବୁ ବ୍ୟବସ୍ଥା କରି ରଖିଥିଲେ । ତାଛଡ଼ା ପ୍ରବୀଣ ଜମିଦାର ରାଧାମୋହନ ବାବୁ ବୃଦ୍ଧ ଦେଓ୍ୟାନଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ ସୁଦ୍ଧା ନବୀନ ଜମିଦାର ସଚ୍ଚିଦାନନ୍ଦ ଯେ ତାହାହିଁ କରିବେ ଏ ବିଷୟରେ ଦେଓ୍ୟାନ ନିଶ୍ଚିନ୍ତ ନ ଥିଲେ । ନୂତନ ଜମିଦାରଙ୍କର ସୁଖ ସୁବିଧା ଲାଗି ସବୁ ବନ୍ଦୋବସ୍ତ କରିସାରି ନିଜେ ବୃଦ୍ଧ ଗାଡ଼ି ନେଇ ସଚ୍ଚିଦାନନ୍ଦଙ୍କୁ ଆଣିବା ପାଇଁ ଷ୍ଟେସନକୁ ଯିବାକୁ ବାହାରିଛନ୍ତି । ଏହି ସମୟରେ ଡାକବାଲା ଗୋଟିଏ ଟେଲିଗ୍ରାମ ଆଣି ଦେଓ୍ୟାନଙ୍କ ହାତରେ ଦେଲା । ତାରଟି ଫିଟାଇ ବୃଦ୍ଧ ପଢ଼ିଲେ । ନିମ୍ନଲିଖିତ ମତେ ସଚ୍ଚିଦାନନ୍ଦ ବାବୁ କଲିକତାରୁ ତାର କରିଛନ୍ତି ।

 

‘‘ଏଠାକାର ସବୁ କାମ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ । ୧୫ ତାରିଖରେ ନ ଯାଇ ସତର ତାରିଖ ଦିନ ପୁରୀ ଏକ୍‌ସପ୍ରେସରେ ପହଞ୍ଚିବି ।’’

 

କଲିକତାରେ ଗୋଟିଏ ସନ୍ଧ୍ୟା । ଗୋଟିଏ ସଜ୍ଜିତ କୋଠରୀରେ ଗୋଟିଏ ତରୁଣୀ ପିୟାନୋ ବଜାଇ ଗୀତ ଗାଉଛି ନିକଟରେ ଗୋଟିଏ ସୁବେଶଧାରୀ ବଳିଷ୍ଠ ଯୁବକ ତନ୍ମୟ ହୋଇ ଶୁଣୁଛି । ଯୁବକଟି ନବୀନ ଜମିଦାର ସଚ୍ଚିଦାନନ୍ଦ ଓ ତରୁଣୀଟି ତାର ପ୍ରଣୟିନୀ ଶ୍ରୀମତୀ ଅଳକା । ଅଳକାର ପିତା ପାଟଣାରେ ଜଣେ ଉଚ୍ଚ ସରକାରୀ କର୍ମଚାରୀ ଥିଲେ । ଅପୂର୍ବ ରୂପସୀ ଅଳକା ପାଟଣା କଲେଜରେ ପଢ଼ୁଥିଲା । ବିଶ୍ୱବିଦ୍ୟାଳୟର କୃତି ସନ୍ତାନ କନ୍ଦର୍ପ ପରି ରୂପବାନ ଯୁବକ ସଚ୍ଚିଦାନନ୍ଦ ମଧ୍ୟ ସେହି କଲେଜର ଛାତ୍ର । ଏହିଠାରେ ହେଲା ଦୁହିଁଙ୍କର ପ୍ରଥମ ପ୍ରଣୟ ।

 

ତା’ପରେ କେତେ ମିଳନର ରଙ୍ଗୀନ୍‌ ମୁହୂର୍ତ୍ତ—କେତେ ଅଶ୍ରୁ କେତେ ଚୁମ୍ବନର ଉନ୍ମାଦମୟ ସ୍ମୃତି । ସଚ୍ଚଦାନନ୍ଦର ଜୀବନରେ ଅଳକାର ପ୍ରେମ ଯେଉଁ ଅମୃତ ସୃଷ୍ଟି କରିଥିଲା ସେଥିରେ ଯେପରି କେଉଁଠାରେ ଗୋଟାଏ ଅପୂର୍ଣ୍ଣତା ଥିଲା । ସଚ୍ଚିଦାନନ୍ଦ ବହୁତ ଭାବି ଜାଣି ପାରିଥିଲା ଯେ ଏହି ଅପୂର୍ଣ୍ଣତା ଦୁହିଁଙ୍କର ଅବସ୍ଥା ବୈଷମ୍ୟ । ଅଳକା ଧନୀ ପିତାଙ୍କର ଏକମାତ୍ର କନ୍ୟା କିନ୍ତୁ ସଚ୍ଚିଦାନନ୍ଦ ଧନୀ ନୁହେଁ । ତାକୁ ପିତା ସାମାନ୍ୟ ଚାକିରି କରି ସଂସାର ଚଳାଉଥିଲେ । ତା ପରେ ହଠାତ୍‌ ତାଙ୍କର ମୃତ୍ୟୁ ହେଲା । ନିଃସ୍ୱ ସଚ୍ଚିଦାନନ୍ଦ ବିଶ୍ୱବିଦ୍ୟାଳୟର ବୃତ୍ତି ପାଇ କଲେଜରେ ପଢ଼ିବାକୁ ଲାଗିଲେ । ଦିନେ ସଚ୍ଚିଦାନନ୍ଦ ଅଳକାକୁ ଏହିକଥା କହି ଜଣାଇଥିଲା ।

 

‘‘ଅଳକା ! ତୁମେ ବୋଧହୁଏ ମୋ ଜୀବନରେ ତୁମ ନାମର ପ୍ରକୃତ ଅର୍ଥରେ ସାର୍ଥକ ହେବ ।’’

 

ଅଳକା କିଛି ବୁଝି ନ ପାରି ବୁଝାଇ କହିବା ପାଇଁ ପଚାରିଲା ।

 

ସଚ୍ଚିଦାନନ୍ଦ ଉଦାସ କଣ୍ଠରେ ଉତ୍ତର ଦେଲା ‘‘ଅଳକାମାନେ କଣ ? ସ୍ୱର୍ଗ । କେହି ଜୀବିତାବସ୍ଥାରେ ସ୍ୱର୍ଗ ଲାଭ କରିପାରନ୍ତି ନାହିଁ । ମୁଁ ମଧ୍ୟ ପାରିବି ନାହିଁ । ତେବେ ମୃତ୍ୟୁପରେ ଯଦି ଆତ୍ମାର ଅସ୍ତିତ୍ୱ ଥାଏ ଓ ସେଠାରେ ଯଦି ଧନୀ ଓ ନିର୍ଦ୍ଧନ ମଧ୍ୟରେ ତଫାତ୍‌ ନଥାଏ ତାହେଲେ ସେହିଠାରେ ବୋଧହୁଏ ମୋର ଅଳକା ପ୍ରାପ୍ତି ସମ୍ଭବ ।’’

 

ଏଥର ସଚ୍ଚିଦାନନ୍ଦର କଥା ଅଳକା କହିଲା ‘‘ଛି, ଏପରି କଥା ତୁମେ କେବେହେଲେ କହିବ ନାହିଁ ।

 

ଅଜସ୍ର ଚୁମ୍ବନ ଓ ଆଲିଙ୍ଗନ ବିନିମୟରେ ସେ ମୁହୂର୍ତ୍ତଟିକୁ ଅଳକା ସରସ କରି ଦେଇଥିଲା । କିନ୍ତୁ ତଥାପି ଯେପରି ସଚ୍ଚିଦାନନ୍ଦ ହୃଦୟରେ କେଉଁଠାରେ ଗୋଟିଏ ଗୋପନ କଣ୍ଟା ରହି ପୀଡ଼ା ପୀଡ଼ା ଦେଉଥିଲା । ତା ପରେ ଦିନେ ଅଭାବନୀୟ ଭାବରେ ସଚ୍ଚିଦାନନ୍ଦ କଟକରୁ ସମ୍ବାଦ ପାଇଲା ଯେ ସେ ବହୁ ଲକ୍ଷ ଟଙ୍କାର ମାଲିକ ହୋଇଛି । ଯେଉଁ ଦୈନ୍ୟ ଦିନେ ତାର ଅଳକା ସହିତ ପୂର୍ଣ୍ଣମିଳନରେ ପ୍ରଧାନ ବାଧାଥିଲା ସେହି ଦୈନ୍ୟ ଆଜି ଆପେ ଆପେ ଦରଓ୍ୟାନ ପରି ସଲାମକରି ପୂର୍ଣ୍ଣ ମିଳନର ସିଂହଦ୍ୱାର ସଚ୍ଚିଦାନନ୍ଦ ପାଇଁ ଖୋଲି ଠିଆ ହେଲା । ସେତେବେଳକୁ ଅଳକା ତା ପିତାଙ୍କ ସଙ୍ଗେ କଲିକତାରେ । କେତେକ ଦିନ ଛୁଟି ପରେ ପୁଣି ପାଟଣା ଫେରିଯିବାର କଥା । ସଚ୍ଚିଦାନନ୍ଦ ତାର ପାଟଣା ବାସ ଛାଡ଼ି କଟକ ଆସିବା ବାଟରେ ଅଳକା ସଙ୍ଗେ ଦେଖା କରିବା ପାଇଁ କଲିକତାରେ ଦୁଇଦିନ ରହିଛି । କାଲି କଟକ ଯିବ ।

 

ଦୁହିଁଙ୍କର ଦୁଇଟି ଦିନ ରାତି ଅଖଣ୍ଡ ସୁଖ ମଧ୍ୟରେ କଟିଛି । ଏଥର ସଚ୍ଚିଦାନନ୍ଦ ଅଳକାର ପିତାଙ୍କ ନିକଟରେ ବିବାହ ପ୍ରସ୍ତାବ କଲା । ଅଳକାର ପିତା ଜଗଦୀଶ ବାବୁ ମଧ୍ୟ ଏ ଦୁହିଁଙ୍କର ସମ୍ପର୍କ ଜାଣିପାରିଥିଲେ । ଆଦରିଣୀ ଶିକ୍ଷିତା କନ୍ୟାର ନିଜପତି ନିର୍ବାଚନରେ ଆଧୁନିକ ମନୋବୃତ୍ତି ସମ୍ପନ୍ନ ଜଗଦୀଶ ବାବୁଙ୍କର କୌଣସି ଆପତ୍ତି ନ ଥିଲା । ଏଥର ପୁଣି ସଚ୍ଚିଦାନନ୍ଦର ଏପରି ଅଭାବନୀୟ ଭାଗ୍ୟ ପରିବର୍ତ୍ତନ ଜାଣି ଜଗଦୀଶ ବାବୁ ଆନନ୍ଦରେ ଏ ମିଳନ ସମର୍ଥନ କରି ଦୁହିଁଙ୍କି ଆଶୀର୍ବାଦ କଲେ ।

 

X X X

 

ତରୁଣୀ ଅଳକା ନିଜର ଅନିଦ୍ୟ ସୁନ୍ଦର କଣ୍ଠରେ ଗୀତଟି ବୋଲି ସାରି ସଚ୍ଚିଦାନନ୍ଦ ଆଡ଼େ ଚାହିଁଲା । ସଚ୍ଚିଦାନନ୍ଦ ବାହ୍ୟଜ୍ଞାନ ଶୂନ୍ୟପରି ଅର୍ଦ୍ଧ ନିମିଳିତ ନେତ୍ରରେ ଚାହିଁ ରହିଛି । ଅଳକା ପ୍ରିୟାନୋ ବନ୍ଦ କରି ଧୀରେ ଧୀରେ ଆସି ସଚ୍ଚିଦାନନ୍ଦ କୋଳ ଉପରେ ବସି ପଡ଼ି ଦୁଇଟି କୋମଳ ବାହୁରେ ତାରି କଣ୍ଠ ବେଷ୍ଟନ କରି ଓଠ ନିକଟରେ ତାର ଗୋଲାପି ଓଠ ଦିଓଟି ଲଗାଇ ଆବେଗ ଭରା ଆଖିରେ ଚାହିଁ ରହିଲା । ସଚ୍ଚିଦାନନ୍ଦ ପ୍ରିୟତମା (ନାରୀକୁ) ଆହୁରି ନିବିଡ଼ କରି ନିଜ ଛାତି ଉପରକୁ ଟାଣିନେଲା । ବହୁକ୍ଷଣ ପରେ ନିଜକୁ ମୁକ୍ତ କରି ଅଳକା ପଚାରିଲା ‘‘କାଲି ଚାଲିଯିବ? ଆଉ କେତେକ ଘଣ୍ଟାମାତ୍ର ?’’

 

କୋମଳ କଣ୍ଠରେ ସଚ୍ଚିଦାନନ୍ଦ ଅଳକାର ହାତଟିକୁ ନିଜ ହାତ ମଧ୍ୟରେ ଚାପି ରଖି କହିଲା ‘‘ଦୁଃଖ କର ନାହିଁ ଅଳକା, ଆଉ କେତୋଟି ଦିନ ପରେ ହେବ ଆମର ଅଖଣ୍ଡନ ମିଳନ । ଅମୃତର ଆଶୀର୍ବାଦ ସ୍ୱରୂପ । ଏଥିରେ କୌଣସି ବାଧା ଆସି ନପାରେ । ଆଚ୍ଛା ଅଳକା, ବିବାହ କଣ ତୁମେ ବି. ଏ ପାଶ କରିବା ପୂର୍ବରୁ ହୋଇ ନ ପାରେ ?’’

 

‘‘କାହିଁକି ହୋଇ ପାରନ୍ତା ନାହିଁ, ଅଳକା ମ୍ଳାନ ମୁଖରେ ଉତ୍ତର ଦେଲା—‘‘କିନ୍ତୁ ବାପାଙ୍କର ଇଚ୍ଛା ପରୀକ୍ଷା ଦେବା ପରେ ମୋର ବିବାହ ହେବ ।’’

 

ତାହାହିଁ ହେଉ ଅଳକା, ସଚ୍ଚିଦାନନ୍ଦ ଆଶ୍ୱାସନା ସ୍ୱରରେ କହିଲା । ‘‘ଆଉ ମାତ୍ର, କେତୁଟା ଦିନ । ବାପାଙ୍କର ଇଚ୍ଛା କାହିଁକି ଅପୂର୍ଣ୍ଣ ରହିବ ? ତା ଛଡ଼ା ଏଇ କତୋଟି ଦିନର ଆକୁଳ ପ୍ରତୀକ୍ଷା ପରେ ଆମମାନଙ୍କର ପୂର୍ଣ୍ଣ ମିଳନ ଆହୁରି ମଧୁମୟ ହେବ ।’’

 

କତୋଟି ମଧୁର ମୁହୂର୍ତ୍ତ ଚାହୁଁ ଚାହୁଁ କଟିଗଲା । ଜଗଦୀଶ ବାବୁ ଓ ଅଳକା ସଚ୍ଚିଦାନନ୍ଦକୁ ହାବଡ଼ା ଷ୍ଟେସନକୁ ଛାଡ଼ିବାକୁ କୋଠରୀରେ ସଚ୍ଚିଦାନନ୍ଦ କେବଳ ମାତ୍ର ଯାତ୍ରୀ । କିଛିକ୍ଷଣ ପରେ ହୁଉସିଲ ବଜାଇ ଗାଡ଼ି ଛାଡ଼ିଲା । ପ୍ଲାଟଫର୍ମ ଉପରେ ରୁମାଲ ଉଡ଼ାଉ ଉଡ଼ାଉ ଅଳକା ଛଳଛଳ ନେତ୍ରରେ ଚାହିଁ ରହିଲା । ଦୁଇଟି ତରୁଣ ହୃଦୟର ମିଳନ ନିବେଦନକୁ ଭ୍ରୂକ୍ଷେପ ନ କରି ଲୌହ ଦାନବ ଘଣ୍ଟାକେ ଚାଳିଶ ମାଇଲ ବେଗରେ ଦୁହିଁଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି କରିବାକୁ ଲାଗିଲା ।

 

କିଛିକ୍ଷଣ ପରେ ଆକାଶ ଅନ୍ଧକାର କରି ବର୍ଷା ଉଠିଲା । ଭୀଷଣ ବୃଷ୍ଟି ଆରମ୍ଭ ହେଲା । ସଚ୍ଚିଦାନନ୍ଦ କିଛିକ୍ଷଣ ପର୍ଯ୍ୟନ୍ତ ଭାବିଲା ପଛରେ ପକାଇ ଆସିଥିବା ତାର ମଧୁର ମୁହୂର୍ତ୍ତ ଗୁଡ଼ିକ ସମ୍ମୁଖରେ ପଡ଼ିରହିଥିବା ଅନଭ୍ୟସ୍ତ କର୍ମ ଜୀବନ, ତା ପରେ— ବିଗତ ଦୁଇଟି ରାତ୍ରି ଜାଗରଣ ଜନିତ କ୍ଳାନ୍ତି ହେତୁ ତା ଆଖି ବୁଜି ହୋଇ ଆସିଲା । ଅଳ୍ପକ୍ଷଣ ପରେ ସେ ଗଭୀର ନିଦ୍ରାରେ ମଗ୍ନ ହେଲା ।

 

କିଛିକ୍ଷଣ ପରେ—

 

ଛାୟାମୂର୍ତ୍ତି ପରି ଜଣେ ପାଇଖାନା ମଧ୍ୟରୁ ବାହାରିଲା । ଧୀର ପଦ ବିକ୍ଷେପରେ ସଚ୍ଚିଦାନନ୍ଦ ନିକଟରେ ଆସି ଛିଡ଼ା ହେଲା କିଛିକ୍ଷଣ ମନଯୋଗ ସହିତ ଦେଖି ବୁଝିପାରିଲା ଯେ ସେ ସୁପ୍ତ । ତାପରେ ପକେଟରୁ ଗୋଟିଏ ଇନ୍‌ଜେକ୍‌ସନର ପିଚକାରୀ ବାହାର କରି ଗୋଟିଏ କ୍ଷୁଦ୍ର ଶିଶି ମଧ୍ୟରୁ ସାମାନ୍ୟ ଔଷଧ ସିରିଞ୍ଜରେ ନେଲା । ନିଦ୍ରିତ ସଚ୍ଚିଦାନନ୍ଦନର ଗୋଟିଏ ଅନାବୃତ ବଳିଷ୍ଠ ବାହୁ ମୂଳେ ସୂକ୍ଷ୍ମ ସିରିଞ୍ଜଟିର କିଛି ଭର୍ତ୍ତି କରିଦେଇ ଔଷଧ ଟିକକ ତା ରକ୍ତରେ ମିଶାଇ ଦେଲା । ନିଦ୍ରିତ ସଚ୍ଚିଦାନନ୍ଦ ଗଭୀର ନିଦ୍ରାରେ ସାମାନ୍ୟ ଅଙ୍ଗଭଙ୍ଗୀ କଲା । ତା ପରେ ସ୍ଥିର । ଗୋଟିଏ ପୈଶାଚିକ ସାଫଲ୍ୟର ଦୀପ୍ତି ଆତତାୟୀର ଚକ୍ଷୁରେ କଲି ଉଠିଲା । ସେ ପିଚକାରୀଟିକୁ ପୁଣି ନିଜ ପକେଟରେ ରଖି ସଚ୍ଚିଦାନନ୍ଦର ଦେହ ତଲ୍ଲାସରେ ଲାଗିଗଲା । ତା ପକେଟରୁ କେତେକ କାଗଜ ପତ୍ର ଗୋଟିଏ ମନିବ୍ୟାଗ ଓ କେତେଗୁଡ଼ିଏ ଚାବି ପାଇଲା । ସଚ୍ଚିଦାନନ୍ଦର ଜିନିଷ ମଧ୍ୟରେ ତାର ଗୋଟିଏ ଅତିକାୟ ଟିଣ ଟ୍ରଙ୍କ ମଧ୍ୟ ଥିଲା । ଚାବିହାରା ଟ୍ରଙ୍କଟି ଖୋଲି ଆତତାୟୀ ଦେଖିଲା ଯେ ସେଗୁଡ଼ିକ କେବଳ ଲୁଗାପଟାରେ ପୂର୍ଣ୍ଣ । ଲୁଗାପଟା ଗୁଡ଼ିକ କ୍ଷିପ୍ର ହସ୍ତରେ କାଢ଼ି ସଚ୍ଚିଦାନନ୍ଦର ଦେହ ପୁଣି ଥରେ ପରୀକ୍ଷା କଲା । ଦେହ ନିସ୍ପନ୍ଦ । ତା ପରେ ଦେହଟିକୁ ଟେକିନେଇ ଉକ୍ତ ଟ୍ରଙ୍କ ମଧ୍ୟରେ ଠେଲି ଭର୍ତ୍ତିକଲା । ଟ୍ରଙ୍କରେ ଚାବି ଲଗାଇ ନିଜର ଛଦ୍ମବେଶ ଖୋଲି ଯାଇ ବସିଲା ସଚ୍ଚିଦାନନ୍ଦର ଶଯ୍ୟାଉପରେ । କିଛିକ୍ଷଣ ପରେ ଟ୍ରେନଟି ଗୋଟିଏ ଷ୍ଟେସନରେ ରହିଲା । ଏଠାରେ ଜଣେ ସେହି କୋଠରୀଟିରେ ଚଢ଼ିଲେ । କିନ୍ତୁ କିଛିକ୍ଷଣ ପୂର୍ବରୁ ଯେ ଏପରି ଗୋଟିଏ ଭୟାବହ ଅପକର୍ମ ସେହିଠାରେ ସମାଧାନ ହୋଇଛି ତା’ର ବର୍ତ୍ତମାନ କୌଣସି ଚିହ୍ନ ନଥିଲା । ଆତତାୟୀ ଥରେ ଯାତ୍ରିଟି ଆଡ଼େ ଭଲକରି ଚାହିଁ ପରମ ନିଶ୍ଚିନ୍ତରେ ବିଶ୍ରାମ କରିବାକୁ ଲାଗିଲା । ଏ ଚୁନଲାଲ ଦଳର ଜଣେ ଭୀଷଣ ନରହନ୍ତା ଦସ୍ୟୁ ।

 

ପନ୍ଦର ତାରିଖ ସଞ୍ଜବେଳ । ଆକାଶ ମେଘାଚ୍ଛନ୍ନ । ନିବିଡ଼ ମୋଘାନ୍ଧକାରରେ ଆଠଗଡ଼ର ଦୁର୍ଗମ ଜଙ୍ଗଲ ପୃଥିବୀ ବକ୍ଷରେ ଗୋଟିଏ ରହସ୍ୟମୟ ବିଭୀଷୀକା ପରି ପଡ଼ିରହିଛି । ପଳାତକ ଦସ୍ୟୁ ଚୁନିଲାଲ ଗଭୀର ଚିନ୍ତାମଗ୍ନ । ଏହି ସମୟରେ ଦୁଇଜଣ ବଳିଷ୍ଠଦେହ ଦସ୍ୟୁ ଗୋଟିଏ ପ୍ରକଣ୍ଡ ଟିଣଟ୍ରଙ୍କ ନେଇ ଗୁମ୍ଫା ମଧ୍ୟରେ ପଶିଲେ । ଚୁନିଲାଲ ପଚାରିଲା—

 

‘‘ଏତେ ଡେରିହେଲା ଯେ ରହମାନ୍‌ ? ଖବର କଣ ?’’

 

ରହମାନ ନିଜର ବିଜୟଗର୍ବ ମୁରୁକି ହସରେ ଫୁଟାଇ ଜବାବ ଦେଲା, ‘‘ସବୁ ଭଲ ସର୍ଦ୍ଦାର । ଦେୱାନ ନିକଟକୁ ତାର କରି ଦେଇଛି ଯେ ସତର ତାରିଖରେ ସଚ୍ଚୀଦାନନ୍ଦ ହାବଡ଼ାରୁ ମୁଁ ସଚ୍ଚିଦାନନ୍ଦ ଆସି କଟକରେ ପହଞ୍ଚିବ । ବୋକା ଛତୁଖେରକୁ କାୟାଦା କରିବା ପାଇଁ ମୋର ମୋଟେ କଷ୍ଟ ହୋଇନାହିଁ ।’’

 

‘‘ସଚ୍ଚିଦାନନ୍ଦ କାହିଁ ?’’ ସର୍ଦ୍ଦାର ପ୍ରଶ୍ନକଲା ।

 

—‘‘ନବୀନ ଜମିଦାର ଏହି ଟ୍ରଙ୍କ ଭିତରେ ବିଶ୍ରାମ କରୁଛନ୍ତି ସର୍ଦ୍ଦାର ।’’

 

ଚୁନିଲାଲ ଉତ୍କଣ୍ଠିତ ହୋଇ କହିଲା ଏଇ ଟ୍ରଙ୍କ ଭିତରେ ? ମରିଯାଇ ନାହିଁତ ?

 

ରହମାନ୍‌ ଅତୀବ ନିର୍ଲିପ୍ତ ଭାବରେ ଉତ୍ତର ଦେଲା, ‘‘କେଜାଣି ସର୍ଦ୍ଦାର । ହୁଏତ ଏହିକ୍ଷଣି ନବୀନ ଜମିଦାର ଯାଇ ସ୍ୱର୍ଗ ପୁରୀରେ ଖଣ୍ଡେ ଜମିଦାରୀ ଦଖଲ କରି ସାରିବେଣି ।’’

 

ଚୁନିଲାଲ ଭୀଷଣ ବିରକ୍ତ ହୋଇ କହିଲା, ‘‘ଯେତେ ଦାୟିତ୍ୱ ହୀନ ମୂର୍ଖ ମୋରି କପାଳରେ ଜୁଟିଛନ୍ତି । ସଚ୍ଚିଦାନନ୍ଦ ମରିଗଲ ଯେ ମୋର କୌଣସି କାର୍ଯ୍ୟ ହେବ ନାହିଁ । ଶୀଘ୍ର ଟ୍ରଙ୍କ ଖୋଲ ।’’

 

ରହମାନ୍‌ ସରଦାରଙ୍କୁ ବିରକ୍ତ ଦେଖି ଆଉ କିଛି ନ କହି ଟ୍ରଙ୍କଟି ଖୋଲିଲା ଓ ତା ମଧ୍ୟରୁ ଦୁହେଁ ମିଳି ସଚ୍ଚିଦାନନ୍ଦର ନିସ୍ପନ୍ଦ ଦେହଟାକୁ ଟାଣି ବାହାର କଲେ । ଚୁନିଲାଲ ସଚ୍ଚିଦାନନ୍ଦର ହୃତପିଣ୍ଡ ପ୍ରଭୃତି ପରୀକ୍ଷା କରି କହିଲା, ନା ମରିନାହିଁ । ତେବେ ଚେତା ଆସିବାକୁ କିଛି ସମୟ ଲାଗିବ ।

 

ସଚ୍ଚିଦାନନ୍ଦର ଦେହକୁ ଦୁହେଁ ମିଳି ଚୁନିଲାଲ କ୍ଷୁଦ୍ର ଲେବରେଟରିକୁ ନେଇ ଖଣ୍ଡିଏ ବିଛଣା ଉପରେ ଶୁଆଇଲେ । ଗୋଟିଏ ଇନ୍‌ଜେକ୍‌ସନ୍‌ ସିରିଞ୍ଜିରେ କଣ ଗୋଟିଏ ଔଷଧ ସାମାନ୍ୟ ନେଇ ଚୁନିଲାଲ ସଚ୍ଚିଦାନନ୍ଦର ନିସ୍ପନ୍ଦ ଦେହରେ ଇଞ୍ଜେକ୍‌ସନ ଦେଲା ତା’ପରେ ନିଜ ସାମନାରେ ଖଣ୍ଡିଏ ଆଇନା ରଖି ଛଦ୍ମ ବେଶରେ ଲାଗି ପଡ଼ିଲା । ପ୍ରାୟ ଦୁଇଘଣ୍ଟା ଅକ୍ଳାନ୍ତ ଚେଷ୍ଟା ପରେ ପ୍ଲାଷ୍ଟିକ୍‌ ସର୍ଜେରୀ ବଳରେ ନିଜ ଚେହେରାକୁ ଚାହିଁ ଚାହିଁ ସଚ୍ଚିଦାନନ୍ଦ ପରି କରିଦେଲା ।

 

X X X

 

ସତର ତାରିଖ ଭୋର । ଦେଓ୍ୟାନ ହରିବଲ୍ଲଭ ବାବୁ ଗାଡ଼ି ନେଇ ଷ୍ଟେସନରେ ହାଜର ହେଲେ । ଆଜି ନବୀନ ଜମିଦାର ସଚ୍ଚିଦାନନ୍ଦଙ୍କର ପୁରୀ ଏକ୍‌ସପ୍ରେସରେ ଆସିବାର କଥା । ଉତ୍କଣ୍ଠ ହୃଦୟରେ ଫ୍ଲାଟଫର୍ମ ଉପରେ ବୁଲୁବୁଲୁ ବୃଦ୍ଧ ହରିବଲ୍ଲଭ ବହୁ କଥା ଭାବୁଥିଲେ । ଏହି ଜମିଦାର ବଂଶରେ ହରିବଲ୍ଲଭ ବାବୁଙ୍କର ପୂର୍ବପୁରୁଷମାନେ ମଧ୍ୟ ଦେୱାନ ଗିରି କରି ଆସିଛନ୍ତି । ଖେୟାଲି ଜମିଦାରର ମନ ଯୋଗାଇ ଚଳିବା ଯେ କି କଷ୍ଟ ତା କେବଳ ହରିବଲ୍ଲଭ ବାବୁ ଜାଣନ୍ତି । ବର୍ତ୍ତମାନ ସେ ବୃଦ୍ଧ ହୋଇଛନ୍ତି । ନିଜର ବିବେକ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବା ପାଇଁ ବର୍ତ୍ତମାନ ତାଙ୍କର ପ୍ରବୃତ୍ତି ହୁଏନାହିଁ । ତଥାପି ତାଙ୍କୁ ଖେୟାଲୀ ଜମିଦାରଙ୍କ ମନଯୋଗାଇ ଚଳିବାକୁ ହେବ । କାରଣ ସେ ଦରିଦ୍ର । ଅନ୍ୟାନ୍ୟ ଜମିଦାର ପୁତ୍ରମାନଙ୍କର ଖେୟାଲରେ ସାଧାରଣତଃ କର୍ମଚାରୀମାନେ ପ୍ରଥମରୁ ଅଭ୍ୟସ୍ତଥାନ୍ତି । ସେଥିଲାଗି ତାଙ୍କ ମନଯୋଗାଇ ଚଳିବା ସେପରି କଷ୍ଟସାଧ୍ୟ ହୁଏ ନାହିଁ । କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ହରିବଲ୍ଲଭବାବୁ ବଡ଼ ବିପଦରେ ପଡ଼ିଛନ୍ତି । ନବୀନ ଜମିଦାର ସଚ୍ଚିଦାନନ୍ଦଙ୍କର ଖେୟାଲ ପ୍ରଭୃତି ଜାଣିବା ଦୂରେ ଥାଉ, ତାଙ୍କ ସଙ୍ଗେ ଚାକ୍ଷୁଷ ସାକ୍ଷାତ ମଧ୍ୟ ପୂର୍ବରୁ ହୋଇନାହିଁ । ତାଛଡ଼ା ସେ ଜାଣନ୍ତି ଯେ ଯେଉଁମାନେ ବହୁକାଳ ଦରିଦ୍ର ରହି ହଠାତ୍‌ କୌଣସି ଦୈବଅନୁଗ୍ରହର ବଡ଼ଲୋକ ହୋଇଯାନ୍ତି ସେମାନଙ୍କର ଖେୟାଲ (ସାଧାରଣତଃ ବଦ ଖେୟାଲ) ସୀମା ଲଙ୍ଘନ କରିଯାଏ ! ସଚ୍ଚିଦାନନ୍ଦ ଅବିବାହିତ । ତାଙ୍କର ହୁଏତ ଆହୁରି କେତେ କଦର୍ଯ୍ୟ ଆଦେଶ ବୃଦ୍ଧଙ୍କୁ ଯେ ମୁଣ୍ଡପୋତି ପାଳନ କରିବାକୁ ହେବ–ତାହା କିଏ କହିବ ?

 

ବୃଦ୍ଧ ଏହିପରି ସବୁ ଭାବୁ ଭାବୁ ଗାଡ଼ି ଆସି ପ୍ଲାଟଫର୍ମରେ ପହଞ୍ଚିଲା । ବ୍ୟସ୍ତହୋଇ ହରିବଲ୍ଲଭ ବାବୁ ଗାଡ଼ିର ଉଚ୍ଚ ଶ୍ରେଣୀର ଡବାମାନଙ୍କୁ ଚାହିଁ ରହିଲେ । ଗୋଟିଏ ଦ୍ୱିତୀୟ ଶ୍ରେଣୀ ଡବା ସାମନାରେ ରେଲିଂ ଧରି ଜଣେ ଦୀର୍ଘକାୟ ବଳିଷ୍ଠଦେହ ଯୁବକକୁ ଛିଡ଼ା ହୋଇଥିବାର ଦେଖି ବୃଦ୍ଧ ଅନୁମାନ କଲେ ସେହି ହୁଏତ ନବୀନ ଜମିଦାର ସଚ୍ଚିଦାନନ୍ଦ । ପରନ୍ତୁ ଖବରକାଗଜରେ ବାହାରିଥିବା ସଚ୍ଚିଦାନନ୍ଦଙ୍କ ଚେହେରା ସଙ୍ଗେ ତାଙ୍କ ଚେହେରାର ମଧ୍ୟ ଯଥେଷ୍ଟ ସାଦୃଶ୍ୟ ଥିଲା । ହରିବଲ୍ଲଭ ବାବୁ ବ୍ୟସ୍ତ ହୋଇ ଯାଇ ତାଙ୍କ ସାମନାରେ ପହଞ୍ଚି ତାଙ୍କୁ ଜମିଦାରୀ କାୟାଦାରେ ଅଭିନନ୍ଦନ କଲେ । ସଚ୍ଚିଦାନନ୍ଦ ମଧୁର ହସ ହସି ବୃଦ୍ଧଙ୍କୁ ପ୍ରତ୍ୟଭିବାଦନ କରି ପଚାରିଲେ ‘‘ଆପଣ କଣ ହରିବଲ୍ଲଭ ବାବୁ ?’’

 

ଅଶେଷ ବିନୟ ସହକାରେ ହରିବଲ୍ଲଭ ବାବୁ ଉତ୍ତର ଦେଲେ ଆଜ୍ଞା ହଁ । ମୁଁ ହଜୁରଙ୍କର ଦେୱାନ ମୋର ଉର୍ଦ୍ଧତନ ବହୁପୁରୁଷ ମଧ୍ୟ ହଜୁରଙ୍କ ପୂର୍ବପୁରୁଷଙ୍କ ସେବକ ଥିଲେ । ମୁଁ ମଧ୍ୟ ଗତ ଅଠେଇଶ ବର୍ଷ ହେଲା ହଜୁରଙ୍କର—

 

ସଚ୍ଚିଦାନନ୍ଦ ହରିବଲ୍ଲଭଙ୍କ କଥା ଶେଷ କରିବାକୁ ନଦେଇ କହିଲେ ‘‘ବାଜେ କଥା ଟିକିଏ କମ୍‌ ଗପିବେ ଦେୱାନ ଜି । ବର୍ତ୍ତମାନ କେଉଁଠାକୁ ଯିବା କହନ୍ତୁ ।’’

 

ବୃଦ୍ଧ ଦେୱାନଙ୍କର ପ୍ରତି ସଚ୍ଚିଦାନନ୍ଦଙ୍କ ଅକାରଣ ରୁକ୍ଷଭାବ ଦେଖି ବୃଦ୍ଧ ଅପମାନିତ ହେଲେ । କିନ୍ତୁ ମୁହ ଫିଟାଇ କିଛି କହିବା ଲାଗି ସାହସ ହେଲା ନାହିଁ । କହିଲେ ‘‘ବର୍ତ୍ତମାନ ପ୍ରାସାଦକୁ ଯିବା ହଜୁର, ବାହାରେ ଗାଡ଼ି ଛିଡ଼ା ହୋଇଛି ।’’

 

ସଚ୍ଚିଦାନନ୍ଦ ଆଉ କୌଣସି କଥା ନ କହି ପ୍ଲାଟ୍‌ଫର୍ମ ବାହାରକୁ ଚାଲିଲେ । ଦେୱାନ ଓ ଅନ୍ୟାନ୍ୟ କର୍ମଚାରୀମାନେ ପଛେ ପଛେ ଚାଲିଲେ ।

 

ଲେଖା ବାହୁଲ୍ୟ ଯେ ନବୀନ ଜମିଦାର ସଚ୍ଚିଦାନନ୍ଦ ବେଶରେ ଛଦ୍ମବେଶୀ ନରହନ୍ତା ଦସ୍ୟୁ ଚୁନିଲାଲ ।

 

ଜେଲଖାନାରୁ ଅଦ୍ଭୁତ ଉପାୟରେ ଚୁନିଲାଲ ପଳାୟନ କରିବା ପରେ ପ୍ରଦେଶର ସମଗ୍ର ପୁଲିସ ଶକ୍ତି ତାକୁ ପୁଣି ଗିରଫଦାର କରିବା ଲାଗି ଦୃଢ଼ପ୍ରତିଜ୍ଞ ହୋଇ ଲାଗିପଡ଼ିଲେ । କିନ୍ତୁ କୌଣସି ଫଳ ହେଲା ନାହିଁ । ପ୍ରାଦେଶିକ ପୁଲିସର ଉଚ୍ଚତମ କର୍ତ୍ତା ଗୋଟିଏ ବିଶେଷ ବୈଠକରେ ପ୍ରଚାର କଲେ ଯେ ଯେପରି ଉପାୟରେ ହେଉ ଚୁନିଲାଲକୁ ପୁଣି ଗିରଫଦାର କରିବାକୁ ହେବ ଓ ଏ କାର୍ଯ୍ୟ ଇନ୍‌ସପେକଟର ଭବାନୀ ମହାପାତ୍ରଙ୍କୁ କରିବାକୁ ହେବ । ପୁଲିସର ବିପୁଳ ଶକ୍ତି ତାଙ୍କୁ ସାହାଯ୍ୟ କରିବା ଲାଗି ସର୍ବଦା ତାଙ୍କ ପଛରେ ସଜାଗ ରହିବ । ତା’ପରେ ଏକଥା ମଧ୍ୟ ଉଲ୍ଲେଖ କଲେ କୃତକାର୍ଯ୍ୟ ହେଲେ ତାଙ୍କର ପଦୋନ୍ନତି ସୁନିଶ୍ଚିତ । ଭବାନୀବାବୁ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ ତୀକ୍ଷଣ ବୁଦ୍ଧିକୁ କେନ୍ଦ୍ରୀଭୂତ କରି ପୂର୍ଣ୍ଣ ଉଦ୍ୟମରେ ଲାଗି ପଡ଼ିଲେ । ବହୁଚେଷ୍ଟା ପରେ ସେ ଜାଣିପାରିଲେ ଯେ ଚୁନିଲାଲ ଏହି ଓଡ଼ିଶା ମଧ୍ୟରେ ଅଛି । କିନ୍ତୁ କେଉଁଠାରେ ତାର ଗୁପ୍ତ ଆଡ଼୍‌ଡ଼ା ତାହା ସେ ଜାଣିପାରି ନ ଥିଲେ । ପୁଲିସ ମହାନଦୀ ଉପର ଜଙ୍ଗଲ ମଧ୍ୟରୁ ଗୋଟିଏ ବେୱାରଶି ମଟର ଗାଡ଼ି ଜବତ କରିଥିଲେ । ଏହି ଗାଡ଼ିଟି ପୁଲିସ ଭ୍ୟାନ୍‌ର ଅନୁରୁପ ହୋଇ ତିଆରି କରା ହୋଇଥିଲା । ଗାଡ଼ିର ନିର୍ମତାକୁ ବାହାର କରିବା ମଧ୍ୟ ପୁଲିସ ପକ୍ଷରେ କଷ୍ଟ ହେଲା ନାହିଁ, କିନ୍ତୁ ତାକୁ ଜେରା କରି ବିଶେଷ କିଛି ପୁଲିସ ଜାଣି ପାରିଲେ ନାହିଁ ।

 

ତା’ପରେ କିଛିଦିନ କଟିଲା । ଏହା ମଧ୍ୟରେ ଭାରତବର୍ଷରେ ଅନ୍ୟ କେଉଁଠାରେ ମଧ୍ୟ ଚୁନିଲାଲର କୌଣସି ନୂଆ କୀର୍ତ୍ତି ଦେଖାଗଲା ନାହିଁ । କେହି କେହି ବିଶ୍ୱାସ କରିବାକୁ ଲାଗିଲେ ଯେ ଚୁନିଲାଲ ଏଥର ଆଉ କୌଣସି ଅପରାଧ କରିବ ନାହିଁ । କିନ୍ତୁ ଭବାନୀ ବାବୁଙ୍କର ଦୃଢ଼ ବିଶ୍ୱାସ ରହିଲା ଯେ ପୁଣି ଚୁନିଲାଲ ସମର ଘୋଷଣା କରିବ । ଏଥର ରକ୍ତମୁହାଁ ବାଘ ପରି ସେ ଦେଖାଦେବ ଆହୁରି ପ୍ରଳୟଙ୍କରୀ ରୂପରେ । ଏହି ଅନାଗତ ସଂଗ୍ରାମ ପାଇଁ ଭବାନୀବାବୁ ନିଜକୁ ସର୍ବଦା ପ୍ରସ୍ତୁତ ରଖିବାକୁ ଲାଗିଲେ ।

 

ଦିନେ ଗୋଟିଏ ନିର୍ଜନ ଦ୍ୱିପ୍ରହରରେ ଭବାନୀବାବୁ ତାଙ୍କ ଅଫିସରେ ବସି ଚୁନିଲାଲର ଅପରାଧ ସଂକ୍ରାନ୍ତ କାଗଜପତ୍ର ଅନ୍ୟମନସ୍କ ଭାବରେ ଓଲଟାଉଥିଲେ । ଏହି ସମୟରେ ତାଙ୍କ ଟେବୁଲସ୍ଥିତ ଟେଲିଫୋନ ବାଜି ଉଠିଲା । ଭବାନୀବାବୁ ଟିକିଏ ବିରକ୍ତି ହୋଇ ରିସିଭର୍‌ ଉଠାଇ ନେଲେ । ଟେଲିଫୋନରେ ପୁଲିସ ସାହେବଙ୍କର ସ୍ୱର ଚିହ୍ନିପାରି ସ୍ୱରରେ ଭବାନୀବାବୁ ନମ୍ର ସ୍ୱରରେ ଉତ୍ତର ଦେଲେ ‘Good morning Sir, ମୁଁ କହୁଛି । ହଁ-ମୁଁ ଇନ୍‌ସପେକ୍‌ଟର ଭବାନୀ ମହାପାତ୍ର । ଏହିକ୍ଷଣି ଯିବି ? ଆପଣଙ୍କ କୋଠିକୁ ? ଚୁନିଲାଲର ଖବର ? ଆଚ୍ଛା ସାର୍‌, ଏହିକ୍ଷଣି ଯାଉଛି ।’’

 

ଭବାନୀବାବୁ ବ୍ୟସ୍ତ ହୋଇ ପୁଲିସ ସାହେବଙ୍କ କୋଠିକୁ ବାହାରିଲେ । ପୁଲିସ୍ ସାହେବ ଚୁନିଲାଲର ନୂଆ ଖବର ପାଇଛନ୍ତି । କିନ୍ତୁ ଟେଲିଫୋନରେ ସବୁକଥା ଫିଟାଇ କହିଲେ ନାହିଁ । ଭବାନୀବାବୁ ଦୁଇଟି ରିଭଲ୍‌ଭର ଦୁଇ ପକେଟରେ ପୁରାଇ ବାହାରିଲେ । ଏ ଦୁଇଟି ମାରଣାସ୍ତ୍ର ବର୍ତ୍ତମାନ ଭବାନୀବାବୁଙ୍କର ନିକଟରେ ସର୍ବଦା ଥାଏ ।

 

ପୁଲିସ୍‌ ସାହେବଙ୍କ କୋଠିରେ ପହଞ୍ଚି ଭବାନୀବାବୁ ଦେଖିଲେ ଯେ କଟକର ଜଜ୍‍ସାହେବ ମଧ୍ୟ ସେଠାରେ ବସିଛନ୍ତି । ଉଭୟେ ବିଷନ୍ନ ଓ ମୌନ । ଗୋଟାଏ ସଜୀବ ବିଷର୍ଣ୍ଣତା ଯେପରି ସେଠାରେ ରାଜତ୍ୱ କରୁଛି । ଇନ୍‌ସପେକ୍‌ଟର ଭବାନୀ ମହାପାତ୍ର ଉଭୟଙ୍କୁ ପୁଲିସ୍‌ କାୟାଦାର ଅଭିବାଦନ କରି ଠିଆ ହେଲେ । ପୁଲିସ ସାହେବ ଗମ୍ଭୀର ଭାବରେ ଗୋଟିଏ ଆସନ ନିର୍ଦ୍ଦେଶ କରି କହିଲେ ‘‘ବସନ୍ତୁ ।’’

 

ଭବାନୀବାବୁ ନୀରବରେ ବସିଲେ । ପ୍ରାୟଦୁଇ ମିନିଟ୍‌ ଏହିପରି କଟିବା ପରେ ପୁଲିସ ସାହେବ ଖଣ୍ଡିଏ ଚିଠି ଭବାନୀବାବୁଙ୍କ ହାତକୁ ବଢ଼ାଇ ଦେଇ କହିଲେ ‘‘ପଢ଼ନ୍ତୁ ଭବାନୀବାବୁ, ଚୁନିଲାଲ ର ଧୃଷ୍ଟତା । ଏଥର ସୀମା ଲଙ୍ଘନ କରିଛି ।’’

 

ନୀରବରେ ଭବାନୀବାବୁ ଚିଠିଟି ଖୋଲି ପଢ଼ିଲେ । ଖଣ୍ଡିଏ ଲଫାପା ଚିଠି । ଅତି ପରିଚ୍ଛନ୍ନ ଅକ୍ଷରରେ ଲେଖା । ଭବାନୀବାବୁଙ୍କର ଅତି ପରିଚିତ ହସ୍ତାକ୍ଷର । ଲେଖକ ନିଜେ ଦସ୍ୟୁ ଚୁନିଲାଲ । ନିମ୍ନରେ ଚିଠିରେ ଅବିକଳ ନକଲ ଦିଆଗଲା ।

 

ପ୍ରିୟ ଜଜ୍‌ସାହେବ ।

 

ମୋର ପ୍ରଣାମ ଗ୍ରହଣ କରିବେ । ମୋତେ ଫାଶି ଦେଇପାରିଲେ ନାହିଁ ବୋଲି ନିଶ୍ଚୟ ଆପଣଙ୍କର ବିଶେଷ ଦୁଃଖ ହୋଇଥିବ । ଆପଣଙ୍କର ନ୍ୟାୟପରାୟଣ ବିଚାରକ ଜୀବନରେ ମୋ ପରି ଗୋଟାଏ ଦୁର୍ଦ୍ଦାନ୍ତ ନରହନ୍ତା ଦସ୍ୟୁକୁ ଫାଶି ହୁକୁମ ଦେବାର ସ୍ମୃତି ଗୋଟାଏ ଉଜ୍ଜ୍ୱଳ ମଣି ପରି ରହି ନିଶ୍ଚିୟ ଆପଣଙ୍କର କର୍ମ ଜୀବନକୁ ଉଜ୍ଜ୍ୱଳ...ତର କରିଥାନ୍ତା । କିନ୍ତୁ ଯାହା ନିୟତିର କ୍ଷମତାତୀତ ଆପଣଙ୍କ ଦ୍ୱାରା ବା ସମ୍ଭବ ହେବ କିପରି ! ବର୍ତ୍ତମାନ ଚକ ଓଲଟି ଯାଇଛି । ବର୍ତ୍ତମାନ ଆପଣଙ୍କର ବିଚାରକ ମୁଁ ମୋର ବିଚାରରେ ପକ୍ଷପାତିତା ନାହିଁ । ଜୁରି ପ୍ରଭୃତିର ପ୍ରହସନ ନାହିଁ । ବିଚାରର ଫଳ ମଧ୍ୟ ମୋର ଅତି ସରଳ । ତାହା ସାଧାରଣତଃ ମୃତ୍ୟୁଦଣ୍ଡ ।

 

ଏହି ମୃତ୍ୟୁ ଦଣ୍ଡର ଉପକାରିତା ବିଷୟରେ ମୁଁ ପ୍ରାୟ ପାଞ୍ଚବର୍ଷ ତଳେ ଲଣ୍ଡନରେ ଥିବା ସମୟରେ ଜଣେ ଭାରତୀୟ ଉଚ୍ଚ ଅଦାଲତର ନିକଟରୁ କିଛି ଉପଦେଶ ପାଇଥିଲି । ଭଦ୍ରଲୋକଙ୍କ ପାଣ୍ଡିତ୍ୟରେ ମୁଁ ମୁଗ୍‌ଧ ହୋଇଥିଲି । ତାଙ୍କର ଯୁକ୍ତି ମୋର ହୃଦୟ ସ୍ପର୍ଶ କରିଥିଲା । ତା’ପରଠାରୁ ମୁଁ ବରାବର ମୃତ୍ୟୁଦଣ୍ଡ ଦେଇ ଆସିଛି । ଏଥର ତାର ବ୍ୟତିକ୍ରମ ହେଲେ ନ୍ୟାୟ ପରାୟଣ ବିଚାରକ ବୋଲି ମୋର ଯେଉଁ ସୁନାମ ଅଛି ସେଥିରେ କଳଙ୍କ ଲାଗିବ । ମୁଁ ତାଙ୍କୁ କଥାଛଳରେ ପଚାରିଥିଲି ‘‘ନରହତ୍ୟାର ଅପରାଧରେ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କାହିଁକି କରା ହୋଇଛି ? ମୃତ୍ୟୁଦଣ୍ଡ କ’ଣ ଆଉ ଗୋଟିଏ ନରହତ୍ୟା ନୁହେଁ ? ଯେଉଁଲୋକ ସାମୟିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ତପ୍ତ ରକ୍ତର ଚାପରେ ଗୋଟିଏ ନରହତ୍ୟା କରେ ତାକୁ ଗ୍ରାମ୍ୟ ଚୌକିଦାରଠାରୁ ଆରମ୍ଭ କରି ଜଜ୍‌ସାହେବ ପର୍ଯ୍ୟନ୍ତ ସରକାରଙ୍କର ଯାବତୀୟ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଧୀର ସ୍ଥିର ଭାବରେ ଦୀର୍ଘଦିନ ବିଚାର କରି ପୁଣି ସେହି ଦଣ୍ଡ ଦାନ କରନ୍ତି । ଏହାର କାରଣ କଣ ?’’

 

ସେ ମତେ ବୁଝାଇଥିଲେ ଅପରାଧୀକୁ ଦଣ୍ଡ ଦେବାର ବ୍ୟବସ୍ଥା ପରୋଷରେ ତାର ଚରିତ୍ର ସଂଶୋଧନ କରିବା । ମୃତ୍ୟୁଦଣ୍ଡର ତାହାହିଁ ଗୂଢ଼ ଉଦ୍ଦେଶ୍ୟ । ନରହତ୍ୟା ମାନବ ସମାଜରେ ଗୋଟିଏ ଭୟାବହ ବିଭୀଷୀକାମୟ କାର୍ଯ୍ୟ । ନରହତ୍ୟାର ଦଣ୍ଡ ସ୍ୱରୂପ ନରହତ୍ୟା ବା ଫାଶି ବ୍ୟବସ୍ଥାର କାରଣ ଏହି ଯେ ମାନବ ଜାତି ଅପରାଧୀର ଏହି ଦଣ୍ଡ ଆଗରେ ଦେଖି ଭବିଷ୍ୟତରେ ନରହତ୍ୟାରୁ ନିବୃତ୍ତ ହେବେ ।

 

ଯୁକ୍ତିଟି ଅତ୍ୟନ୍ତ ସାରଗର୍ଭକ ନୁହେଁ କି ? ମୋର କର୍ମ ପଥରେ ଯେ ପ୍ରତିବନ୍ଧକ ହୁଏ ତାର ମୃତ୍ୟୁଦଣ୍ଡର ବ୍ୟବସ୍ଥା କରିବା ମୋର ଚିରନ୍ତନ ବିଧି । ଆପଣ ମୋର ପଥରେ ପ୍ରତିବନ୍ଧକ ହୋଇ ମୋର ବିଚାର କରିବାକୁ ମଧ୍ୟ ସାହସୀ ହୋଇଥିଲେ । ଅତଏବ ଆପଣଙ୍କୁ ମୁଁ ମୃତ୍ୟୁଦଣ୍ଡର ଆଦେଶ ଦେଲି । ଆସନ୍ତା ୩୦ ତାରିଖ ଦିନ ସକାଳ ୭ଟା ସମୟରେ ଆପଣଙ୍କ ଶୟନକକ୍ଷରେ ମୁଁ ନିଜେ ଆପଣଙ୍କୁ ହତ୍ୟା କରିବି । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଅବଶ୍ୟ ଆପଣ ନିରାପଦ । ଏହି କେତୋଟି ଦିନ ମଧ୍ୟରେ ଆପଣ ମୋର ଦଣ୍ଡଜ୍ଞା ବ୍ୟର୍ଥ କରିବା ପାଇଁ ସବୁ ରକମ ଚେଷ୍ଟା କରିପାରନ୍ତି । କାରଣ ଆସାମୀକୁ ନିଜପକ୍ଷ ସମର୍ଥନର ସୁବିଧା ନ ଦେଇ ମୃତ୍ୟୁଦଣ୍ଡ ଦେବା ଆପଣଙ୍କର ସରକାରୀ ଆଇନ ପରି ମୋ ଆଇନରେ ମଧ୍ୟ ନାହିଁ । କିନ୍ତୁ ମୁଁ ଜାଣେ ଆପଣଙ୍କର ସବୁ ଚେଷ୍ଟା ବିଫଳ ହେବ । ଇତି ।

 

ଆପଣଙ୍କର ବିଶ୍ୱସ୍ତ

ଚୁନିଲାଲ

 

ଚିଠିଟି ପଢ଼ି ଭବାନୀବାବୁଙ୍କ ମୁଖ ଅସ୍ୱାଭାବିକ ଭାବରେ ଗମ୍ଭୀର ହୋଇଗଲା । ସେ ଚୁନିଲାଲର ପୁନରାୟ ଯୁଦ୍ଧ ଘୋଷଣା ଆଶଙ୍କା କରୁଥିଲେ ବି ଏପରି ଉଦ୍ଧତ ଆକ୍ରମଣ ଆଶା କରିନଥିଲେ । ଚୁନିଲାଲରେ ଉକ୍ତି ଅବିଶ୍ୱାସ ହେଲେହେଁ ଭବାନୀବାବୁ ତାହା ଅବିଶ୍ୱାସ କରିପାରିଲେ ନାହିଁ । ଚୁନିଲାଲ ଯାହା କହେ ତାହା ସେ ଅକ୍ଷରେ ଅକ୍ଷରେ ପାଳନ କରେ ଏହାର ଏକାଧିକ ପ୍ରମାଣ ସେ ପୂର୍ବେ ପାଇଛନ୍ତି । ପୁଲିସର ସମଗ୍ର ଶକ୍ତିକୁ ସେ ଅସ୍ୱୀକାର କରି ଅବଲୀନାକ୍ରମେ ଗୋଟିଏ ସୁରକ୍ଷିତ ଜେଲ ମଧ୍ୟରୁ ଅଦ୍ଭୁତ କୌଶଳରେ ପଳାଇ ଯାଇଥିଲା । ଏଥର ମଧ୍ୟ ତାର ଉଦ୍ଧତ ପ୍ରତିଜ୍ଞା ସେ ପାଳନ କରିବ । ଏହା ଅସମ୍ଭବ କାହିଁକି ହେବ ? କିନ୍ତୁ କି ଉପାୟରେ ସେ ସରକାରଙ୍କର ଜଣେ ଏତେ ବଡ଼ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ଆଗରୁ ନୋଟିସ ଦେଇ ତାଙ୍କ ନିଜ ଶୟନ କକ୍ଷରେ ହତ୍ୟା କରିବ ? ଭବାନୀବାବୁ କିଛି ଠିକ୍‌ କରିପାରିଲେ ନାହିଁ । ଥରେ ଜଜ୍‌ ସାହେବଙ୍କ ଆଡ଼େ ଚାହିଁଲେ । ଯେଉଁ କର୍ତ୍ତବ୍ୟ ନିଷ୍ଠ କର୍ମଚାରୀ ଜୀବନରେ ବହୁ ଅପରାଧୀଙ୍କର ମୃତ୍ୟୁ ଦଣଜ୍ଞା ଅକମ୍ପିତ ହୃଦୟରେ ଉଚ୍ଚାରଣ କରି ପାରିଛନ୍ତି—ନିଜ ମୃତ୍ୟୁର ନୋଟିସ ପାଇ ଗୋଟିଏ ଅଜ୍ଞାତ ଭୟରେ ତାଙ୍କର ମୁହଁ କଳା ପଡ଼ିଯାଇଛି । ତିନିହେ ବହୁକ୍ଷଣ ପର୍ଯ୍ୟନ୍ତ ନିର୍ବାକ୍‌ । ପୁଲିସ ସାହେବ ପ୍ରଥମେ କଥା କହି ଏହି ଭୟାବହ ମୌନ ପରିସ୍ଥିତିର ସମାଧାନ କରି କହିଲେ ‘‘ଏହା କେବେହେ ହୋଇ ନ ପାରେ । ଜିଲ୍ଲାର ସମଗ୍ର ପୁଲିସ ଶକ୍ତି ଜଜ୍‌ ସାହେବଙ୍କର ପ୍ରାଣ ରକ୍ଷା କରିବ । ମୁଁ ନିଜେ ମଧ୍ୟ ରହିବି । ଦସ୍ୟୁ ଚୁନିଲାଲ ବୁଦ୍ଧିମାନ୍‌ ହୋଇପାରେ—ଦୁର୍ଦ୍ଦାନ୍ତ ହୋଇପାରେ–କିନ୍ତୁ ଅମାନୁଷୀ ନୁହେଁ । ମନୁଷ୍ୟ ଶକ୍ତି ଦ୍ୱାରା ଯାହା ଅସମ୍ଭବ ତାହା ଚୁନିଲାଲ ଦ୍ୱାରା ମଧ୍ୟ ସମ୍ଭବ ହେବନାହିଁ । ହୁଏତ ଏହି ଚେଷ୍ଟାରେ ତାର ଦସ୍ୟୁ ଜୀବନର ଅବସାନ ହେବ । ଭବାନୀବାବୁ, ଆପଣ ଜଜ୍‌ ସାହେବଙ୍କର କୋଠି ପହରୀ ଦେବାର ସବୁ ବ୍ୟବସ୍ଥା କରି ମୋତେ ଦେଖନ୍ତୁ ।

 

ପୁଲିସ ସାହେବଙ୍କ ଉକ୍ତିରେ ଜଜ୍‌ ସାହେବଙ୍କର ବିଶ୍ୱାସ ହେଲା କି ନାହିଁ—ଜାଣନ୍ତି । ତାଙ୍କର ମୁଖ ଭାଗର ବିଶେଷ କିଛି ପରିବର୍ତ୍ତନ ହେଲାନାହିଁ । ୩୦ ତାରିଖକୁ ଆଉ ମୋଟେ ପାଞ୍ଚଟି ଦିନ ବାକି । ଚୁନିଲାଲର ଉଦ୍ଧତ ଭବିଷ୍ୟତ ବାଣୀ ବ୍ୟର୍ଥ କରିବା ଲାଗି ସମଗ୍ର ପୁଲିସ ଫୌଜ ଲାଗି ପଡ଼ିଛନ୍ତି । ସବୁ କଥା ପୁଲିସ ଅତ୍ୟନ୍ତ ଗୋପନ ରଖିବାର ଚେଷ୍ଟା କରିଥିଲେହେଁ ନାନା ରକମର ଜନରବ ଚାରିଆଡ଼େ ବିସ୍ତାର ଲାଭ କରୁଛି । ଖବର କାଗଜମାନଙ୍କରେ ମଧ୍ୟ ପୁଲିସର ଏପରି ବ୍ୟାପକ ବ୍ୟବସ୍ଥାକୁ କେନ୍ଦ୍ର କରି ନାନା ରକମ ମତାମତ ବାହାରୁଛି । ଜଜ୍‌ ସାହେବଙ୍କ କୋଠି ଠିକ୍ ପ୍ରଧାନ ରାଜପଥ ଉପରେ । ପୁଲିସ ସାହେବ ଓ ଜିଲା ମାଜିଷ୍ଟ୍ରେଟଙ୍କ ଆଦେଶରେ ଉକ୍ତ ପଥ ଉପର ଦେଇ ଗାଡ଼ି ବା ମନୁଷ୍ୟ ଚାଲିବା ବନ୍ଦ କରି ଦିଆଯାଇଛି । ନିକଟସ୍ଥ କେତୋଟି ଅଟ୍ଟାଳିକା ଖାଲି କରାଇ ସେଥିରେ କଡ଼ା ପୁଲିସ ପହରାର ବ୍ୟବସ୍ଥା କରା ହୋଇଛି । ଜଜ୍‌ ସାହେବଙ୍କ କୋଠର ସବୁ ଭୃତ୍ୟମାନଙ୍କୁ ସାମୟିକ ଭାବରେ ବାହାର କରି ଦିଆ ହୋଇଛି । ଜଜ୍‌ ସାହେବଙ୍କର ସବୁ ଖାଦ୍ୟ ଆଗ ଡାକ୍ତର ପରୀକ୍ଷା କଲା ପରେ ତାଙ୍କୁ ଦିଆ ହୋଇଛି । ଗୋଟିଏ କଥାରେ କହିଲେ ଅଶରିରୀ ନହେଲେ ପୁଲିସକୁ ଫାଙ୍କି ଦେଇ କାହାରି ଜଜ୍‌ ସାହେବଙ୍କ କୋଠୀର ନିକଟବର୍ତ୍ତୀ ହେବା ଅସମ୍ଭବ ।

 

ସହରର ଗୋଟିଏ ପ୍ରଧାନ ସ୍ଥାନରେ ପୁଲିସ ପହରାର ଏ ବ୍ୟାପକ ବ୍ୟବସ୍ଥା ଦେଖି ଜନସାଧାରଣ ନାନା ରଙ୍ଗର କଳ୍ପନା କରୁଥିଲେ ମଧ୍ୟ ଅସଲ କଥା ଯଥେଷ୍ଟ ଗୋପନ ରଖା ହୋଇଥିଲା । କେହି କେହି ରାଜନୈତିକ ଏପ୍ରେଣ୍ଟୀସ ଜନସାଧାରଣଙ୍କର ରାଜପଥ ବ୍ୟବହାର କରିବା ରୂପକ ନାଗରୀକ କ୍ଷମତାକୁ ପୁଲିସ ଏପରି ଅନ୍ୟାୟ ଜୁଲୁମ କରି ବନ୍ଦ କରିଥିବା ହେତୁ କେତୁଟା ସଭା ସମିତି ଡାକି ବତ୍କୃତା ମଧ୍ୟ ଦେଇ ଦେଲେ ।

 

ଆଉ ମୋଟେ ଦୁଇଟି ଦିନ ବାକି ।

 

ନିଜେ ଜିଲ୍ଲା ମାଜିଷ୍ଟ୍ରେଟ, ପୁଲିସ ସାହେବ ଓ ଭବାନୀବାବୁ ଜଜ୍‌ ସାହେବଙ୍କ କୋଠୀର ସବୁ ସ୍ଥାନ ତନ୍ନ ତନ୍ନ କରି ପରୀକ୍ଷା କଲେ ।

 

୨୯ ତାରିଖ ସନ୍ଧ୍ୟା । ଜିଲ୍ଲା ସାହେବଙ୍କ ଓ ଉପଦେଶମତେ କେତୋଟି ଲଢ଼ୁଆ ଉଡ଼ାଜାହାଜ ଜଜ୍‌ ସାହେବଙ୍କ କୋଠି ଉପରିସ୍ଥ ଆକାଶରେ ପହରା (Aerial potrol) ଦେବାକୁ ଆରମ୍ଭ କଲେ । ପୁଣି ଥରେ ଜିଲା ସାହେବ ଓ ଭବାନୀବାବୁ ଜଜ୍‌ ସାହେବଙ୍କ କୋଠୀର ସବୁ ଜିନିଷ ତନ୍ନ ତନ୍ନ କରି ପରୀକ୍ଷା କରିନେଲେ । ସେଦିନ ରାତିରେ ଜିଲା ସାହେବ ଜଜ୍ ସାହେବଙ୍କ କୋଠୀରେ ରହିଲେ ରାତି ଅନ୍ଦାଜ ବାରଟା ବେଳେ ଜଜସାହେବଙ୍କ ଶୟନ ଚକ୍ଷୁ ପୁଣି ଥରେ ଖାନତଲାସ କରାହେଲା ଓ ସେ ଶୟନ କରିବାକୁ ଗଲେ । ଘର କବାଟ ଓ ଝରକା ସବୁ ଭିତରୁ ଭଲ ଭାବରେ ବନ୍ଦ କରାହେଲା ଓ ଦୁଆର ବାହାରେ ସଶସ୍ତ୍ର ପହରା ଜଗି ରହିଲେ । ଜିଲାସାହେବ ଓ ପୁଲିସ ସାହେବ ନିକଟସ୍ଥ କକ୍ଷରେ ଶୟନ କରିବାକୁ ଗଲେ । ଭବାନୀବାବୁ ସାରା ରାତ୍ରି ଜଗି ରହି ପୁଲିସ ପହରା ପରିଦର୍ଶନ କରିବାକୁ ଲାଗିଲେ ।

 

କ୍ରମେ ରାତି ପାହିଲା । ଜିଲାସାହେବ ଓ ପୁଲିସ ସାହେବ ଉତ୍କଣ୍ଠିତ ହୋଇ ଉଠି ବସିଲେ । ଭବାନୀବାବୁ ପ୍ରଥମେ ସେମାନଙ୍କୁ ଅଭିବାଦନ କରି ରାତ୍ରିର କୁଶଳ ସମାଚାର ଜଣାଇଲେ । ସକାଳ ସାତଟା ବାଜିଲା । କୌଣସି ଦୁର୍ଘଟଣାର ସୂଚନା ଦେଖାଗଲା ନାହିଁ । ସାଢ଼େ ସାତଟା ବାଜିଲା । ଏଥର ପୁଲିସ ସାହେବ ଓ ଜିଲାସାହେବ ସ୍ୱସ୍ତିର ବିଶ୍ୱାସ ମାରି ଜଜ୍‌ସାହେବଙ୍କୁ ଡାକିଲେ । କୌଣସି ଜବାବ ନାହିଁ ରାତି ସାରା ଉତ୍କଣ୍ଠିତ ଓବିନିଦ ଥିବା ହେତୁ ସକାଳୁ ନିଦ ଲାଗିଯାଇଛି ବୁଝିପାରି ଉଭୟେ ଆହୁରି ଚିତ୍କାର କରି ଡାକିଲେ । ତଥାପି କୌଣସି ଉତ୍ତର ନାହିଁ ଦେଖି ଉଭୟଙ୍କର ମୁଖ ଅସ୍ୱାଭାବିକ ଗମ୍ଭୀର ହେଲା ! ପୁଲିସ ସାହେବଙ୍କ ଆଦେଶରେ ଭବାନୀବାବୁ କବାଟ ଭଙ୍ଗାଇ ଦେଲେ । ସୁଦୃଢ଼ କବାଟ ଖୋଲିଗଲା ଓ ସଙ୍ଗେ ସଙ୍ଗେ ସମସ୍ତେ ଗୋଟାଏ ଭୀଷଣ ବିଷାକ୍ତ ଗ୍ୟାସରେ ଅଭିଭୂତ ହୋଇଗଲେ । କିଛିକ୍ଷଣ ପରେ ମୁକ୍ତବାୟୁ ସଂସ୍ପର୍ଶରେ ଗ୍ୟାସର ପ୍ରଭାବ ମିଳାଇଗଲା । ସମସ୍ତେ ଘରଭିତରକୁ ପଶିଲେ । ନିମିଷକ ମଧ୍ୟରେ ସମସ୍ତେ ବୁଝିପାରିଲେ ଆଉ କୌଣସି ସାହାଯ୍ୟ ଜଜ୍‌ସାହେବଙ୍କର ଲୋଡ଼ା ନାହିଁ । ସହସ୍ର ଚେଷ୍ଟାକୁ ଉପହାସ କରି ଶତ ପୁଲିସ ପ୍ରହରୀଙ୍କୁ ଫାଙ୍କି ଦେଇ ଆତ୍ମା ତାଙ୍କର ଦେହ ମନ୍ଦିରରୁ ବାହାରି ଯାଇଛି-। ସଦା ଗମ୍ଭୀର ମୁଖ ତାଙ୍କର ଉତ୍କଟ ବିଷ ଗ୍ୟାସର ପ୍ରଭାବରେ ବିକୃତ । ଜିଲାସାହେବ ନୀରବରେ ମୃତ ଦେହର ବିକୃତ ମୁଖମଣ୍ଡଳକୁ ଚାହିଁ ରହିଲେ । ବଞ୍ଚିବା ପାଇଁ ଯେପରି ଶେଷ ମୁହୂର୍ତ୍ତରେ କେତେ ସେ କରିଥିଲେ । କିନ୍ତୁ ବଞ୍ଚିପାରିଲେ ନାହିଁ । ପ୍ରାଣର ଶେଷ ସ୍ପନ୍ଦନ ବନ୍ଦ ହୋଇଯିବା ମୁହୂର୍ତ୍ତରେ ଯେପରି କ୍ଷଣକ ପାଇଁ ତାଙ୍କ ଆଖି ସାମନାରେ ଭାସି ଉଠିଥିଲା ଅତୀତରେ ତାଙ୍କର ହୁକୁମରେ ଫାଶୀ ପାଇଥିବା ଦୁର୍ଭାଗ୍ୟମାନଙ୍କର ମୁଖ । ପ୍ରେତାତ୍ମା ଦେଖିଲା ପରି ଭୟରେ ତାଙ୍କ ମୁଖ ବିକୃତ ହୋଇ ଯାଇଥିଲା ।

 

ଜଜ୍‌ସାହେବଙ୍କ ବିକୃତ ମୁଖ ମଣ୍ଡଳକୁ ଚାହିଁ ଜିଲାସାହେବ ଓ ପୁଲିସ ସାହେବଙ୍କ ଆଖି ଛଳ ଛଳ ହୋଇ ଆସିଲା । ସେହିକ୍ଷଣି ଏ ଖବର ଉପସ୍ଥିତ ପୁଲିସ ପ୍ରହରୀମାନଙ୍କ ମଧ୍ୟରେ ପ୍ରଚାରିତ ହୋଇଗଲା । ସବୁ ଦୁଃଖ ସବୁ ଭାବପ୍ରବଣତାକୁ ଦୂରକୁ ଠେଲି ଦେଇ ଗୋରା ପୁଲିସ ସାହେବ ହୁକୁମ ଜାରି କଲେ ଯେ, ଯେ ଯେଉଁଠାରେ ଅଛନ୍ତି ସେ ସେହିଠାରେ ରହିବେ । ପୂରା ଉଦ୍ୟମରେ ତଦନ୍ତ ଆରମ୍ଭ ହେଲା । ଧୂରନ୍ଧର ସି,ଆଇ,ଡ଼ି, ଅଫିସରମାନଙ୍କ ଦ୍ୱାରା ଜଜସାହେବଙ୍କ କୋଠୀ ପୂରିଗଲା । ନାନାଭାବରେ ତଦନ୍ତ ଆରମ୍ଭ ହେଲା । ଡାକ୍ତର ମୃତଦେହକୁ ପରୀକ୍ଷା କରି ଅଭିମତ ପ୍ରକାଶ କଲେ ଯେ ପ୍ରାୟ ସାତଟା ସମୟରେ ବିଷ ଗ୍ୟାସ ପ୍ରଭାବରୁ ମୃତ୍ୟୁ ହୋଇଛି ।

 

କିନ୍ତୁ ବିଷ ଗ୍ୟାସ ଏପରି ସୁରକ୍ଷିତ ଘର ମଧ୍ୟରେ କିଏ ପ୍ରୟୋଗ କଲା ସେ କଥା କେହି ଜାଣିପାରିଲେ ନାହିଁ, ପ୍ରତ୍ୟେକ ପୁଲିସ ପ୍ରହରୀର ଦେହ ତଲ୍ଲାସ ହେଲା । କିନ୍ତୁ କାହାକୁ ସନ୍ଦେହ କରିବାର କୌଣସି କାରଣ ମିଳିଲା ନାହିଁ ।

 

ବହୁକ୍ଷଣ ଅନୁସନ୍ଧାନ କରି କ୍ଳାନ୍ତ ଦେହରେ ଭବାନୀବାବୁ ଗୋଟିଏ ଚୌକିରେ ବସି ପଡ଼ିଲେ । ବହୁକ୍ଷଣ ଭାବି ଭାବି ପୁଣି ଉଠି ଆଉ ଗୋଟିଏ ନୂଆ ପ୍ରଣାଳିରେ ତଦନ୍ତ ଆରମ୍ଭ କଲେ-। ଗୋଟିଏ କଥା ତାଙ୍କ ମନରେ ଦୃଢ଼ ବିଶ୍ୱାସ ହେଲା ଯେ କୌଣସି ଲୋକ କୌଣସି ଅଜ୍ଞାତ କୌଶଳରେ ଘର ଭିତରେ ବିଷ ଗ୍ୟାସ ପ୍ରୟୋଗ କରିଛି । ଏହା ଯେ ଭୌତିକ ଘଟଣା ନୁହେଁ ଏହା ସୁନିଶ୍ଚିତ । ତାର ପ୍ରଧାନ ପ୍ରମାଣ ଜୀବନ୍ତ ଚୁନିଲାଲର ଚିଠି ଖଣ୍ଡିକ ଏ ପର୍ଯ୍ୟନ୍ତ ତାଙ୍କର ପକେଟରେ ଅଛି । ଯଦି କୌଣସି ଲୋକ ବିଷ ଗ୍ୟାସ ପ୍ରୟୋଗ କରିଥାଏ ତେବେ ସେ କେଉଁବାଟରେ ଘର ଭିତରକୁ ତାହା ପ୍ରୟୋଗ କଲା । ସାମନାର କବାଟ ନା ଝରକାବାଟେ ତାହା ସମ୍ଭବ ନୁହେଁ । କାରଣ ସେ ନିଜେ ସାମନା ବାରଣ୍ଡାରେ ସାରା ରାତି ଜାଗ୍ରତ ଥିଲେ । ପଛପଟ ଝରକାବାଟେ ମଧ୍ୟ ନୁହେଁ । କାରଣ ସେ ସବୁ ଭିତରୁ ନିବୁଜ ହୋଇ ବନ୍ଦଥିଲା । ତା ଛଡ଼ା ଜାଗ୍ରତ ପୁଲିସ ପହରା ତଳ ବଗିଚାରେ ଥିଲା । ତେବେ ଆଉ ବାଟ କାହିଁ ? ବହୁକ୍ଷଣି ଭାବି ଭାବି ଭବାନୀବାବୁ ଦେଖିଲେ ଘରୁ ମଇଳା ପାଣି ବଗିଚା ଭିତରେ ପଡ଼ିବା ଲାଗି ଗୋଟିଏ କ୍ଷୁଦ୍ର ନଳା ଜଜ୍‌ସାହେବଙ୍କ ପଲଙ୍କ ତଳକୁ ଅଛି । ସେହି ନଳାର ତଳ ମୁହଁଟି ଦୋ ମହଲା ଉପରୁ ଏକାବେଳକେ ବଗିଚା ଭିତରେ ପଡ଼ିଛି । ଭବାନୀବାବୁ ଗୋଟିଏ ଟର୍ଚ୍ଚ ଲାଇଟ ସାହାଯ୍ୟରେ ନଳାଟିର ଘର ଭିତର ମୁହଁଟି ପରୀକ୍ଷା କଲେ । କିଛିକ୍ଷଣ ପରୀକ୍ଷା କରି ଅସ୍ଫୁଟ ଚିତ୍କାର କରି ଉଠିଲେ । ଗୋଟିଏ ସୂକ୍ଷ୍ମ ରବରନଳ ସେହି ନଳାଦେଇ ତଳକୁ ଚାଲି ଯାଉଛି । ସଙ୍ଗେ ସଙ୍ଗେ ବ୍ୟାପକ ଭାବରେ ପରୀକ୍ଷା ଆରମ୍ଭ ହେଲା । ନଳାର ବଗିଚା ତଳ ମୁହଁରୁ ମଧ୍ୟ ସେହି ନଳ ବଚିଚାର ନରମ ମାଟି ଭିତର ଦେଇ ଚାଲି ଯାଇଛି । ନଳଟିର ଅନ୍ୟ ପ୍ରାନ୍ତରର ମଧ୍ୟ ସନ୍ଧାନ ମିଳିଲା । ତାହା ପ୍ରାୟ ପାଞ୍ଚଶହ ଗଜ ଦୂରରେ ପୁଲିସ କର୍ଡ଼ନ ପାର ହୋଇ ଗୋଟିଏ ଭଙ୍ଗା କୋଠର ପାଚେରୀ ପଛଆଡ଼େ ସରିଛି । ବାକି ଘଟଣା ବୁଝିବା ପାଇଁ ଅଭିଜ୍ଞ ପୁଲିସ ଅଫିସରମାନଙ୍କ ପକ୍ଷରେ ଆଦୌ ଡେରି ହେଲା ନାହିଁ । ଧୂର୍ତ୍ତ ନରହନ୍ତା ଦସ୍ୟୁ ରବର ନଳଟିର ଅନ୍ୟଟିର ଅନ୍ୟ ପ୍ରାନ୍ତରୁ କୌଣସି ଶକ୍ତିଶାଳୀ ପିଚକାରୀ ସାହାଯ୍ୟରେ ବିଷଗ୍ୟାସ ପ୍ରୟୋଗ କରିଛି । ଆଉ ସେହି ଗ୍ୟାସ ଶତ ପୁଲିସ ପ୍ରହରୀ ବେଷ୍ଟିତ ଜଜ୍‌ ସାହେବଙ୍କର ଠିକ୍‌ ଶୟନ କକ୍ଷରେ ଯାଇ ବାହାରିଛି । ତାର ଫଳ ଯା ହୋଇଛି ତାର ପୁନରୁଲ୍ଲେଖ ନିଷ୍ପ୍ରୟୋଜନ । ସ୍ତମ୍ଭିତ ହୋଇ ଅଭିଜ୍ଞ ପୁଲିସ ଅଫିସରମାନେ ଶମନ ସଦୃଶ ଦୁର୍ବାର ଏହି ବୈଜ୍ଞାନିକ ଦସ୍ୟୁର ଅଦ୍ଭୁତ ନରହତ୍ୟା ପ୍ରଣାଳୀକୁ ଚାହିଁ ରହିଲେ । ସେମାନେ ଜୀବନରେ ବହୁ ରହସ୍ୟମୟ ଅପରାଧର ଅଭିଜ୍ଞତା ଲାଭ କରିଛନ୍ତି । କିନ୍ତୁ ଏପରି ଅଦ୍ଭୁତ ଓ ସୁନିଶ୍ଚିତ ଉପାୟ ସେମାନଙ୍କର ଧାରଣାର ଅତୀତ ଥିଲା ।

 

ଏହି ସୂତ୍ର ଅବଲମ୍ବନ କରି ପୁଲିସର ତଦନ୍ତ ଦ୍ରୁତଗତିରେ ଚାଲିଲା । ଜଜ୍‌ ସାହେବଙ୍କର ଏହି ଶୋଚନୀୟ ମୃତ୍ୟୁ ଚାରିଆଡ଼େ ବ୍ୟାପିଗଲା । ନାନାବିଧ ଶୋକ ସଭା, ଅକର୍ମଣ୍ୟତାର ନିନ୍ଦାବାଦ କରି ଜନସଭା ଓ ସମ୍ବାଦ ପତ୍ରମାନଙ୍କର ସାମ୍ବାଦିକ ସଭା ପ୍ରଭୃତି ହୋଇଗଲା । ପୁଲିସ ପ୍ରତି ଏବଂ ବିଶେଷ ଭାବରେ ଇନ୍‌ସପେକ୍‌ଟର ଭବାନୀ ମହାପାତ୍ରଙ୍କ ପ୍ରତି କଟୁ ଉକ୍ତି ପ୍ରଦେଶର ସବୁ ସମ୍ବାଦ ପତ୍ରର କିଛିଦିନ ପର୍ଯ୍ୟନ୍ତ ସମ୍ପାଦକୀୟ କଲମର ଅଭାବ ମେଣ୍ଟାଇଲା । କେତେକ ସମ୍ୱାଦ ପତ୍ର ଚୁନିଲାଲ ଓ ଭବାନୀବାବୁଙ୍କର କାର୍ଟୁନ୍ ବାହାର କଲେ ।

 

ଯାହାହେଉ, ଜନମତ, ସମ୍ଫାଦକୀୟମନ୍ତବ୍ୟ ବା କାର୍ଟୁନ ଭବାନୀବାବୁଙ୍କୁ ହତୋତ୍ସା କରିପାରିଲା ନାହିଁ । ପୂର୍ଣ୍ଣ ଉଦ୍ୟମରେ ସମଗ୍ର ପୁଲିସ ଶକ୍ତି ପଛରେ ନେଇ ଭବାନୀବାବୁ ତଦନ୍ତରେ ଲାଗି ପଡ଼ିଲେ ।

 

ପାଞ୍ଚ

 

କିଛି ଦିନ ପରେ ।

 

ପୁଲିସ ତଦନ୍ତ କ୍ଷିପ୍ରଗତିରେ ଚାଲିଛି । ଏହା ମଧ୍ୟରେ ଭବାନୀବାବୁ ଆହୁରି ମଧ୍ୟ ଅନେକ ରହସ୍ୟ ଆବିଷ୍କାର କରି ସାରିଛନ୍ତି । କିନ୍ତୁ ପ୍ରକୃତ ଅପରାଧୀର ସନ୍ଧାନ ଏ ପର୍ଯ୍ୟନ୍ତ ମିଳିନାହିଁ । ଦିନେ ସନ୍ଧ୍ୟାପରେ ଭବାନୀବାବୁ ଛଦ୍ମବେଶରେ ବୁଲୁ ବୁଲୁ ଦେଖିଲେ ଯେ ଟାଉନ୍‌ ହଲରେ ବହୁଲୋକ ରୁଣ୍ଡ ହୋଇଛନ୍ତି ଓ ରହି ରହି ଘନ ଘନ ତାଳି ପଡ଼ୁଛି । କୌତୁହଳର ବଶବର୍ତ୍ତୀ ହୋଇ ଭବାନୀବାବୁ ମଧ୍ୟ ଟାଉନହଲ ଭିତରକୁ ଗଲେ । ସେଠାରେ ଯାଇ ଜାଣିପାରିଲେ ଯେ ଜଣେ ଜ୍ଞାନୀ ପୁରୁଷ ଅନ୍ୟ କେଉଁ ପ୍ରଦେଶରୁ ଆସିଛନ୍ତି ଓ ହିନ୍ଦୁ ଦର୍ଶନ ବିଷୟରେ ବକ୍ତୃତା ଦେଉଛନ୍ତି । ଭାବାନୀ ବାବୁ ମଧ୍ୟ ଶୁଣିଲେ । ବାସ୍ତବିକ ସାରଗର୍ଭକ ବକ୍ତୃତା । କିଛିକ୍ଷଣ ପରେ ତାଙ୍କ ବକ୍ତୃତା ଶେଷ ହେଲା । ତାପରେ ଆରମ୍ଭ ହେଲା ସ୍ଥାନୀୟ କେତେଜଣ ଦାର୍ଶନିକଙ୍କର ବକ୍ତୃତା । ସର୍ବଶେଷରେ ଜଣେ ଯୁବକ ବକ୍ତୃତା ଦେବାକୁ ଉଠିଲେ । ଦୀର୍ଘ ବଳିଷ୍ଠ ଦେହ । ଯୁବକଙ୍କର ବକ୍ତୃତା ଆରମ୍ଭ ହେଲା । ଅତି ଚମତ୍‌କାର ଭାବ, ଭାଷା ଓ କହିବାର ଭଙ୍ଗୀରେ ଜନତା ମୁଗ୍‌ଧ ହୋଇଗଲେ-। ସଭାଭଙ୍ଗ ପୂର୍ବରୁ ସଭାଭଙ୍ଗ ନିଜ ଭାଷଣରେ ଯୁବକଙ୍କର ପରିଚୟ ସମସ୍ତଙ୍କୁ ଦେଲେ । ସେ କହିଲେ ଯେ ଏହି ପଣ୍ଡିତ ଯୁବକ ଓଡ଼ିଶାର ବିଖ୍ୟାତ ଜମିଦାର ଶ୍ରୀସଚ୍ଚିଦାନନ୍ଦଙ୍କର ତାଙ୍କର ଦୀର୍ଘଜୀବନ କାମନା ପରେ ସଭାଭଙ୍ଗ ହେଲା । ଗଦ୍ୟମୟ ନୀରସ ପ୍ରାଣ ଭବାନୀବାବୁଙ୍କ ମନରେ ମଧ୍ୟ ସଚ୍ଚିଦାନନ୍ଦଙ୍କ ବକ୍ତୃତା ରେଖାପାତ କଲା । କିନ୍ତୁ ତାଙ୍କ ମନରେ ବାରମ୍ବାର କେବଳ ଗୋଟିଏ କଥା ଜାଗିଲା । ଏ ସ୍ୱର ତ ମୋର ପରିଚିତ କିପରି ପରିଚିତ ହୋଇଥିଲେ ଶତ ଚେଷ୍ଟାକରି ମଧ୍ୟ ସେ ତାହା ଜାଣି ପାରିଲେ ନାହିଁ । ସେ ସଚ୍ଚିଦାନନ୍ଦଙ୍କୁ ପୂର୍ବେ କେଉଁଠାରେ ଦେଖିଛନ୍ତି ବୋଲି ମନେ ହୁଏ ନାହିଁ । କିନ୍ତୁ ତାଙ୍କର କଣ୍ଠସ୍ୱର ସହିତ ସେ ଏପରି ପରିଚିତ ହେଲେ କିପରି ! ଭାବି ଭାବି ସେ ଠିକ୍‌ କଲେ ଯେ ସଚ୍ଚିଦାନନ୍ଦଙ୍କ ସଙ୍ଗେ ସେଠାରେ ଆଳାପ କରିବେ ।

 

ଅଳ୍ପ କିଛିକ୍ଷଣ ପରେ ଆକାଶ ଅନ୍ଧକାର କରି ମେଘ ଉଠିଲା । ସବୁଲୋକ ଯେ କୁଆଡ଼େ ଚାଲିଗଲେ । ସଚ୍ଚିଦାନନ୍ଦ ଗୋଟିଏ ଘୋଡ଼ାଗାଡ଼ି ଭଡ଼ା କରି ଚାଲିଲେ । ଘୋଡ଼ାଗାଡ଼ି ବାଲାକୁ ସଚ୍ଚିଦାନନ୍ଦ କେଉଁଆଡ଼କୁ ଯିବାକୁ କହିଲେ ଛଦ୍ମବେଶୀ ଭବାନୀବାବୁ ଶୁଣି ପାରିଲେ ନାହିଁ । କୌତୁହଳର ବଶବର୍ତ୍ତୀ ହୋଇ ଭବାନୀବାବୁ ଘୋଡ଼ାଗାଡ଼ି ପଛପଟ ପଟା ଉପରେ ବସି ପଡ଼ିଲେ । ଘୋଡ଼ାଗାଡ଼ି ପୂର୍ଣ୍ଣ ବେଗରେ ଚାଲିଲା । କିଛିକ୍ଷଣ ପରେ ଭୀଷଣ ବର୍ଷା ଆରମ୍ଭ ହେଲା । ଘୋଡ଼ାଗାଡ଼ି କାଠ ଯୋଡ଼ି କୂଳବାଟ ଦେଇ ଯାଇ ରାଜାବଗିଚା ନିକଟରେ ରହିଲା । ସେହିଠାରେ ସଚ୍ଚିଦାନନ୍ଦ ଗାଳିରୁ ଓହ୍ଲାଇ ଅନ୍ଧକାରରେ ଏକା ଚାଲିଲେ । କୌତୁହଳର ବଶବର୍ତ୍ତୀ ହୋଇ ଭବାନୀବାବୁ ମଧ୍ୟ କିଛି ଦୂରରେ ଥାଇ ତାଙ୍କର ଗତିବିଧି ଲକ୍ଷ୍ୟ କଲେ । କିଛିଦୂର ଗଲାପରେ ରାଜାବଗିଚାର ଜଙ୍ଗଲିଆ ସ୍ଥାନରେ ଗୋଟିଏ ଅତି ପୁରାତନ ଭଙ୍ଗା ଅଟ୍ଟାଳିକା ମଧ୍ୟରେ ସଚ୍ଚିଦାନନ୍ଦ ପଶିଲେ । ଭବାନୀବାବୁ ଏହାର କୌଣସି କାରଣ ବୁଝି ନ ପାରି କିଛି ଦୂରରେ ଛିଡ଼ା ହୋଇ ଦେଖିବାକୁ ଲାଗିଲେ । ସେ ଅନ୍ଧକାର ପୂର୍ଣ୍ଣ ଭଙ୍ଗାଘର ଭିତରକୁ ସଚ୍ଚିଦାନନ୍ଦଙ୍କ ସଙ୍ଗେ ଅନୁସରଣ କରି ଯିବାଲାଗି ଭବାନୀବାବୁ ଇଚ୍ଛା କଲେ ନାହିଁ । ସଚ୍ଚିଦାନନ୍ଦ ଫେରି ଆସିବାପରେ ସେ ଘରେ ପଶି ଘରଟି ପରୀକ୍ଷା କରିବା ଇଚ୍ଛାରେ ଭବାନୀବାବୁ କିଛିଦୂରରେ ଲୁଚି ରହିଲେ ।

 

X X X

 

ସଚ୍ଚିଦାନନ୍ଦ ଭଙ୍ଗାଘର ଭିତରକୁ ଯାଇ ଗୋଟିଏ ରୁଦ୍ଧ ଦୁଆର ଉପରେ ଗୋଟିଏ ବିଶେଷ ରକମ ଶବ୍ଦ କଲେ । ଘର ଭିତରରୁ ଗୋଟିଏ ସ୍ତ୍ରୀଲୋକ କବାଟ ଫିଟାଇ ବାହାରକୁ ଆସିଲା ଓ ସାମନାରେ ସଚ୍ଚିଦାନନ୍ଦଙ୍କୁ ଦେଖି ବିନୀତ ଭାବରେ ଅଭିବାଦନ କରି ଠିଆ ହେଲା । ସଚ୍ଚିଦାନନ୍ଦ ସ୍ମିତ ମୁଖରେ ପଚାରିଲେ ‘‘ସବୁ ଭଲ ତ ରାଧା ?’’ ବିନୀତ ଭାବରେ ତରୁଣୀ ରାଧା ମୁଣ୍ଡ ହଲାଇ ବୁଝାଇଲା ଯେ ସବୁଭଲ । ତା ପରେ ସଚ୍ଚିଦାନନ୍ଦ ସେହି ଘର କଣରେ ଥିବା ଗୋଟିଏ ବଡ଼କାଠ ବାକ୍‌ସର ତାଲା ଖୋଲି ଭିତରକୁ ପଶିଲେ । ବାକ୍‌ସତଳ ପଟାଟି ଉଠାଇ ତଳେଥିବା ଗୋଟିଏ ସୁଡ଼ଙ୍ଗ ଭିତରକୁ ଗଲେ । କିଛିଦୂର ଅନ୍ଧକାରମୟ ପାହାଚ ବାଟେ ଓହ୍ଲେଇ ସଚ୍ଚିଦାନନ୍ଦ ଗୋଟିଏ ସ୍ୱଳ୍ପାଲୋକିତ କକ୍ଷ ମଧ୍ୟରେ ପହଞ୍ଚିଲେ । ଏଠାରେ ଦୁଇଟି ଯୁବକ କେତେ କେତେ ଗୁଡ଼ିଏ ଯନ୍ତ୍ର ସାମନାରେ କାନରେ ଦୁଇଟି ଇୟର ଫୋନ ଲଗାଇ ବସିଥିଲେ । ସଚ୍ଚିଦାନନ୍ଦଙ୍କୁ ଦେଖି ଉଭୟେ ବ୍ୟସ୍ତ ହୋଇ ଠିଆ ହୋଇଗଲେ । ସଚ୍ଚିଦାନନ୍ଦ ପଚାରିଲା ‘‘ଖବର କଣ ?’’

 

ପ୍ରଥମ ଯୁବକଟି ବିନୀତ ଭାବରେ ଉତ୍ତର ଦେଲା ‘‘ବିଶେଷ କିଛି ନାହିଁ ସର୍ଦ୍ଦାର । ଆଜି ଦିନ ଭିତରେ ଭବାନୀବାବୁଙ୍କୁ ମୋଟେ ତିନିଥର ଟେଲିଫୋନରେ ଡକା ହୋଇଥିଲା । ଥରେ ପୁଲିସ ସାହେବ ଡାକି ପଚାରିଥିଲେ ଚୁନିଲାଲର କୌଣସି ନୂଆ ଖବର ମିଳିଲା କି ନାହିଁ । ଭବାନୀବାବୁ ଉତ୍ତର ଦେଲେ କିଛି ବିଶେଷ ଖବର ମିଳିଲା ନାହିଁ—ତେବେ ଶୀଘ୍ର ମିଳିବାର ଆଶା-। ଆଉ ଦୁଇଥର ଟେଲିଫୋନରେ ତାଙ୍କର ଦୁଇଜଣ ବନ୍ଧୁ ବ୍ୟକ୍ତିଗତ କଥାବାର୍ତ୍ତା ହୋଇଥିଲେ-।’’

 

ସଚ୍ଚିଦାନନ୍ଦ ପଚାରିଲା ‘‘ଭବାନୀବାବୁଙ୍କ ଟେଲିଫୋନ ତାରକୁ ତାର ଲଗାଇ ଏଠାକୁ ଆସିଛି ବୋଲି ପୁଲିସ ସମ୍ବାଦ ପାଇନାହିଁ ତ ?’’

 

‘‘ନା ସର୍ଦ୍ଦାର । ଆପଣଙ୍କ ତୀକ୍ଷ୍‌ଣ ବୁଦ୍ଧି ଭେଦ କରିବାକୁ ପୁଲିସର ସାଧ୍ୟ ନାହିଁ ।’’

 

ସଚ୍ଚିଦାନନ୍ଦ ଆଉ ସେଠାରେ ଡେରି ନ କରି ସେହି ସୁଡ଼ଙ୍ଗ ବାଟେ ପୁଣି ଭିତରକୁ ଉଠିଲା । ରାଧା ଘର ମଧ୍ୟରେ ଛିଡ଼ା ହୋଇଥିଲେ । ସଚ୍ଚିଦାନନ୍ଦ ସୁଡ଼ଙ୍ଗ ମଧ୍ୟରେ ପଶିଥିବା ଅବସରରେ ରାଧା ଖଣ୍ଡିଏ ମୂଲ୍ୟବାନ ଶାଢ଼ି ପିନ୍ଧି ଚେହେରାଟିକି ଯଥାସମ୍ଭବ ପରିଷ୍କାର କରି ସାରିଛି । ବିଛଣା ଉପରେ ଖଣ୍ଡିଏ ସଫା ଚାଦର ପକାଇ ହୃଦୟରେ କେତେ ଆଶା ରଖି ସଚ୍ଚିଦାନନ୍ଦ ପାଇଁ ଅପେକ୍ଷା କରି ଠିଆ ହୋଇଛି । ରାଧା ସୁନ୍ଦରୀ ଗଣିକା । ଚୁନିଲାଲ ଦଳର ଗୋଟିଏ ଅତି ତୀକ୍ଷ୍‌ଣ ଅସ୍ତ୍ର ।

 

ସଚ୍ଚିଦାନନ୍ଦ ସୁଡ଼ଙ୍ଗ ମଧ୍ୟରୁ ଘର ଭିତରକୁ ଆସିବାରୁ ରାଧା ପ୍ରେମଗଦ୍‌ଗଦ ସ୍ୱରରେ ତାଙ୍କର ହାତଟି ନିଜ ହାତରେ ଧରି କହିଲା ‘‘ଆଜି ମୁଁ ତୁମକୁ ଛାଡ଼ିବି ନାହିଁ ।’’

 

ହୃଦୟଭେଦୀ ଦୃଷ୍ଟିରେ ସଚ୍ଚିଦାନନ୍ଦ ରାଧାଆଡ଼େ ଚାହିଁଲା । ତାପରେ ପକେଟର ମୁନିବ୍ୟାଗ କାଢ଼ି ଗୋଛାଏ ନୋଟ ରାଧା ସମ୍ମୁଖରେ ଧରିଲା । ରାଧା ଅନ୍ତରରେ ଆଘାତ ପାଇଲା-। ଛଳ ଛଳ ଆଖିରେ ସଚ୍ଚିଦାନନ୍ଦ ଛାତିରେ ଛାତି ଲଗାଇ କହିଲା ‘‘କେବଳ ଟଙ୍କା ପାଇଁ କଣ ମୁଁ ତୁମ ପାଖେ ପଡ଼ିଛି ? ମୋର କଣ ହୃଦୟ ବୋଲି କୌଣସି ପଦାର୍ଥ ନାହିଁ । କେବଳ ମୁଁ ସାରା ଜୀବନ ଅଭିନୟ କରୁଥିବି ? ନା, ତା ହେବନାହିଁ । ମୁଁ ଟଙ୍କା ନେବି ନାହିଁ । ମୁଁ ଆଜି ତୁମକୁ ଚାହେଁ-। ଏଇ ଝଡ଼ିବର୍ଷା ରାତିରେ ନିଛାଟିଆ ଅନ୍ତର ମୋର କେବଳ ଥରେ ତୁମର ଆଲିଙ୍ଗନ ଚାହେଁ ପ୍ରିୟତମ ! ମୋତେ ଘୃଣା କର ପଛେ—କିନ୍ତୁ ମୋତେ ଆଜି ନିରାଶ କରନା ।’’ ଏହାକହି ରାଧା ସଚ୍ଚିଦାନନ୍ଦର ଉପରକୁ ଆଉଜି ପଡ଼ିଲା ।

 

ସଚ୍ଚିଦାନନ୍ଦ ଧୀରେ ଧୀରେ ଦୁଇ ହାତରେ ନିଜ ଛାତି ଉପରୁ ଉଠାଇ କହିଲା, ‘‘ରାଧା, ତୁମେ ଜାଣ ତୁମେ କିଏ ଆଉ ମୁଁ ମଧ୍ୟ କିଏ । ତଥାପି ଏପରି ଦୁର୍ଦ୍ଦଶା କାହିଁକି ? ତୁମର ଯୌବନ ମୁଁ ବ୍ୟର୍ଥ କରିନାହିଁ । ତୁମେ ତାହା ଅନ୍ୟ ସ୍ଥାନରେ ସାର୍ଥକ କରିପାର । ମୋର ଆପତ୍ତି ନାହିଁ, ତୁମେ ନାରୀ । ନୁହେତ ମୋ ଦଳର କୌଣସି ପୁରୁଷର ଏପରି ଦୁର୍ବଳତା ମୁଁ ସହ୍ୟକରି ପାରନ୍ତି ନାହିଁ ।’’

 

ଏହା କହି ବାହାର କରିଥିବା ନୋଟ ଗୁଡ଼ିକ ତଳେ ପକାଇ ଦେଇ ସଚ୍ଚିଦାନନ୍ଦ ଦ୍ରୁତ ଗତିରେ ବାହାରକୁ ଚାଲିଗଲା ।

 

ସଚ୍ଚିଦାନନ୍ଦ ଚାଲିଗଲା ପରେ ରାଧା କିଛିକ୍ଷଣ ସେହିଠାରେ ଛିଡ଼ାହୋଇ ରହିଲା । ଦାରୁଣ ଅପମାନ ଓ ଅଭିମାନରେ ତାର ସୁନ୍ଦର ମୁହଁଟି ଲାଲ ହୋଇଗଲା । ତାର ଗଣିକା ଜୀବନର ଅଭିଜ୍ଞତାରେ ସେ କେତେ ପୁରୁଷଙ୍କୁ ଦେଖିଛି । ସମାଜର କେତେ ଧନୀ କେତେ ମାନୀ ତାର ଏକବିନ୍ଦୁ କରୁଣା ପାଇବା ଆଶାରେ ନିଜକୁ ତାର ପଦତଳେ ଉତ୍ସର୍ଗ କରିଛନ୍ତି । କିନ୍ତୁ ସେ ସେମାନଙ୍କୁ ଭଲ ପାଇ ନାହିଁ । ସେ ଭଲପାଇଛି କେବଳ ଜଣକୁ । ସେ ଦସ୍ୟୁ ଚୁନିଲାଲ । କିନ୍ତୁ ସେ ତାହାକୁ ପାଇନାହିଁ । ତାକୁଇ ପାଇବା ଲାଗି ସେ ସବୁ ଐଶ୍ୱର୍ଯ୍ୟ ତ୍ୟାଗକରି ଚୁନିଲାଲର ଦଳରେ ପଶିଛି । ଗର୍ବିତା ତରୁଣୀ ଆଜି ଭୀରୁ କପୋତୀ ପରି ପ୍ରତି ଅନାଗତ ମୁହୂର୍ତ୍ତରେ ଅଜଣା ବିପଦର ଆଶଙ୍କା କରି ଦିନ କଟାଉଛି । କିନ୍ତୁ ତାର ସବୁ ଆଶା ବ୍ୟର୍ଥ ହୋଇଛି ।

 

ଏହି ସମୟରେ ଘର ବାହାରେ ଗୋଟିଏ ଛାୟାମୂର୍ତ୍ତି ଦେଖି ସେ ଚମକି ପଡ଼ିଲା । ବାହାରକୁ ଆସି ଦେଖିଲା ଜଣେ ଦୀର୍ଘକାୟ ଲୋକ ଅନ୍ଧାରରେ ଠିଆ ହୋଇଛି । ଏ ଛଦ୍ମବେଶୀ ଭବାନୀବାବୁ ।

 

‘‘କିଏ ?’’ ରାଧା ପଚାରିଲା ।

 

‘‘–ମୁଁ । ମୁଁ ରାମବାବୁ ଓକିଲଙ୍କ ଘର ଖୋଜୁ ଖୋଜୁ ଭୁଲରେ ଏଠାକୁ ଚାଲି ଆସିଛି, କ୍ଷମା କରିବେ । ଏଠାରେ—’’

 

—‘‘ହଁ ହଁ ରେ ରସିକ ! ମୁଁ ତୋ ମତଲବ ଜାଣି ପାରିଛି । ଯା ଯା ଚାଲି ଯା ଏଠୁ । ସଚ୍ଚିଦାନନ୍ଦ ବାବୁ ଜମିଦାରଙ୍କୁ ଚିହ୍ନିଛୁଟି ?’’

 

—‘‘ନା—ନାଇଁରେ ଗାଡ଼ସୁଆ—ଏଇଟା ମୋ ଘର । ମୋତେ ସେ ଦେଇଛନ୍ତି । ଆଉ ଫଟେଇ ହ’ନା । ଏଠୁ ଯା । ନ ହେଲେ ସେ ଜାଣିବେ ଯେବେ କେତେ କଥା ଭାବିବେ ।’’

 

ଭବାନୀବାବୁ ବୁଝିପାରିଲେ ଯେ ଆହୁରି ଅନେକ ଅବିବାହିତ ଧନୀ ଯୁବକ ପରି ଏହା ମଧ୍ୟ ପଣ୍ଡିତ ସଚ୍ଚିଦାନନ୍ଦଙ୍କର ଯବନିକା ଅନ୍ତରାଳର ଦୃଶ୍ୟ । ଏଥର ସଚ୍ଚିଦାନନ୍ଦଙ୍କର ଏପରି ଝଡ଼ ରାତିରେ ଏକା ଏ’ ଭଙ୍ଗା ଘରଟା ମଧ୍ୟରେ ପଶିଥିବାର କାରଣ ମଧ୍ୟ ଆପେ ଆପେ ପରିଷ୍କାର ହୋଇଗଲା । ସେଠାରୁ ସେ ରାଧା ନିକଟରୁ କୃତ୍ରିମ କ୍ଷମା ଭିକ୍ଷାକରି ଫେରିଲେ ।

 

X X X

 

ସଚ୍ଚିଦାନନ୍ଦ ନିଜ ଅଟ୍ଟାଳିକାକୁ ଫେରି ବୈଠକଖାନାରେ ଯାଇ ଏକା ବସିଲା । ଛଦ୍ମବେଶୀ ଚୁନିଲାଲ ଏ ଅଟ୍ଟାଳିକା ଦଖଲ କରିବା ଦିନଠାରୁ ବହୁ ପରିବର୍ତ୍ତନ ହୋଇଛି । ପ୍ରାସାଦର ଚାକର ଓ କର୍ମଚାରୀମାନେ ବରଖାସ୍ତ କରି ସେମାନଙ୍କ ଜାଗାରେ ନୂଆ ଲୋକ ରଖିଛି । ବୁଦ୍ଧ ଦେୱାନ ଓ ଆଉ କେତେ କଣ ପୁରାତନ କର୍ମଚାରୀଙ୍କୁ ତାର ମଫସଲରେ ଥିବା ଘରକୁ ବଦଳି କରି ଦେଇଛି । ବିଶ୍ୱାସୀ ବାରିକ ମିସ୍ତ୍ରୀ ଲଗାଇ ନିଜ ଇଚ୍ଛା ଓ ସୁବିଧା ଅନୁଯାୟୀ ବିରାଟ ଅଟ୍ଟାଳିକାର ବହୁ ପରିବର୍ତ୍ତନ କରିଛି । ବୈଠକଖାନାରେ ଏକା ବସି ସଚ୍ଚିଦାନନ୍ଦ ଗୋଟିଏ ଟେବୁଲ ଡୁ ମଧ୍ୟରେ ଖଣ୍ଡିଏ ନେଳି ଲଫାଫା ବାହାର କଲା । ଲଫାଫା ମଧ୍ୟରୁ ଖଣ୍ଡିଏ ଫଟୋ ବାହାରକରି ଉଜ୍ଜ୍ୱଳ ଆଲୋକରେ ତାକୁ ଅତି ମନଯୋଗ ସହକାରେ ଚାହିଁ ରହିଲା । ଫଟୋଟି ଅଳକାର । ଚୁନିଲାଲର ଘଟଣା ବହୁଳ ଅପରାଧୀ ଜୀବନରେ ନାରୀର ପ୍ରେମ କଣ ସେ ଜାଣେ ନାହିଁ । ନରହନ୍ତା ଦସ୍ୟୁ ମନରେ ନାରୀର ଅଶ୍ରୁଧାର କେବେ ହେଲେ ରେଖାପାତ କରିନାହିଁ । ତଥାପି ସେ ପୁରୁଷ ଯୁବକ । ଭସ୍ମାଚ୍ଛାଦିତ ବହ୍ନିପରି । ତା ହୃଦୟରେ ପ୍ରେମ ଗୋପନରେ ଥିଲା । ସେ ନିଜ ମଧ୍ୟ ତାର ସନ୍ଧାନ ପାଇନଥିଲା । ଆଜି ଅଳକାର ଉଜ୍ଜ୍ୱଳରୂପର ଦୀପ୍ତିରେ ତାହା ଦପ୍‌କରି ଜଳି ଉଠିଲା । ଅଳକାର ରୂପରେ ଚୁନିଲାଲ ମୋହିତ ହେଲା । ସେ ମନକୁ ମନ ପଚାରିଲା ମୋର କଣ ପୁଣି ବାଟକୁ ଫେରିଯିବା ସମ୍ଭବ ନୁହେଁ ? ନିଜେ ଛାଡ଼ି ଆସିଥିବା ବାଟକୁ ଥରେ ସେ ଫେରି ଚାହିଁଲା । ବହୁ ଦୂରରେ ସେ ବାଟ । ଆଉ ଫେରିଯିବା ସମ୍ଭବ ନୁହେଁ । ଦୂର୍ଦ୍ଦାନ୍ତ ଦସ୍ୟୁର ପଞ୍ଜର କମ୍ପାଇ ଗୋଟିଏ ଦୀର୍ଘ ନିଶ୍ୱାସ ବାହାରିଲା । ତାପରେ ଆଉ ଗୋଟିଏ ପ୍ରଶ୍ନ ତା ମନରେ ଜାଗିଲା । ଏହି ଅବାଟରେ କଣ ଅଳକା ସଙ୍ଗେ ମିଳନ ସମ୍ଭବ ନୁହେଁ ? ଚିର ବିଦ୍ରୋହୀ ଅନ୍ତର ତାର ଗର୍ଜି ଉଠିଲା ‘‘ନିଶ୍ଚୟ ସମ୍ଭବ । ଅସମ୍ଭବ ବୋଲି କିଛି ଦସ୍ୟୁ ଚୁନିଲାଲର ଅଭିଧାନରେ ନାହିଁ ।’’

 

ସେଠାରୁ ଉଠି ସେ ଧୀରେ ତଳ ମହଲା ପଛପଟ ଗୋଟିଏ କ୍ଷୁଦ୍ର ଗୋଦାମ ଘରେ ପଶିଲା । ଏହିଠାରେ ଅସଲ ସଚ୍ଚିଦାନନ୍ଦ ବନ୍ଦୀ ହୋଇଅଛି । ସେ ଚୁନିଲାଲର ସମ୍ମୋହନ ଶକ୍ତି ପ୍ରଭାବରେ ଏକାନ୍ତ ବଶବର୍ତ୍ତୀ ହୋଇଅଛି । ତାର ନିଜର କୌଣସି ଇଚ୍ଛା ବା ଚିନ୍ତା ନାହିଁ । ଚୁନିଲାଲର ଇଚ୍ଛାଶକ୍ତି ପ୍ରଭାବରେ ସେ ସମ୍ପୂର୍ଣ୍ଣ ପ୍ରଭାବିତ ।

 

ଚୁନିଲାଲ କିଛିକ୍ଷଣ ତୀକ୍ଷ୍‍ଣ ଦୃଷ୍ଟିରେ ଚାହିଁ ଡାକିଲା ‘‘ସଚ୍ଚିଦାନନ୍ଦ’’ ମନ୍ତ୍ରମୁଗଧ ପରି ସଚ୍ଚିଦାନନ୍ଦ । ଉଠି ଠିଆ ହେଲା ।

 

‘‘ଦୁଆତ କଲମ ଧରି ମୁଁ ଯାହା ଡାକୁଛି ତାହା ଲେଖ’’, ଚୁନିଲାଲ ଆଦେଶ କଲା ।

 

ସଚ୍ଚିଦାନନ୍ଦ ଦୁଆତ କଲମ ନେଇ ବସିଲା ଓ ଚୁନିଲାଲ ଡାକିବା ମତେ ଅଳକା ନିକଟକୁ ଗୋଟିଏ ଦୀର୍ଘ ପତ୍ର ଲେଖିଲା ।

 

X X X

 

ଅଳକା କଲିକତାରୁ ପାଟନା ଫେରି ଯାଇଛି । ସଚ୍ଚିଦାନନ୍ଦ କେତେ ଦିନ ହେଲା କଟକ ଚାଲି ଗଲାଣି । ଏହା ମଧ୍ୟରେ ଅଳକା ଦୁଇଖଣ୍ଡ ପତ୍ର ଦେଇଛି । କିନ୍ତୁ ଖଣ୍ଡିକର ମଧ୍ୟ ଉତ୍ତର ପାଇନାହିଁ । ଅଳକା ଆଶା କରିଥିଲା ସଚ୍ଚିଦାନନ୍ଦ କଟକରେ ପହଞ୍ଚି ପ୍ରଥମେ ପତ୍ରଦେବେ । କିନ୍ତୁ ତା ହେଲାନାହିଁ । ସବୁ ଦୀନତା—ସବୁ ଅଭିମାନ ଦୃଢ଼ ମନରେ ଚାପି ଧରି ଅଳକା ସଚ୍ଚିଦାନନ୍ଦକୁ କ୍ଷମା କରିଥିଲା । ଭାବିଥିଲା ହଠାତ୍‌ ବହୁତ ସମ୍ପତ୍ତିର ମାଲିକ ହୋଇ ବିଚାରା ନିଜକୁ ସମ୍ଭାଳି ପାରିନାହିଁ । ସେଇଥିପାଇଁ ହୁଏତ ଚିଠି ଦେବାକୁ ବିଳମ୍ବ ହୋଇଛି । ଅଳକା ପ୍ରଥମେ ପତ୍ର ଦେଲା । ତାପରେ ପ୍ରତିଦିନ ଉଦ୍‌ବିଗ୍ନ ହୋଇ ଡାକକୁ ଚାହିଁ ବସିଥାଏ । କ୍ରମେ ମାସେ କଟିଗଲା । କୌଣସି ପତ୍ର ଆସିଲା ନାହିଁ । ଅଳକା ଉତ୍‌କଣ୍ଠିତ ହେଲା । ଶିକ୍ଷିତା ତରୁଣୀ ପିତାଙ୍କ ନିକଟରେ ସବୁ କହିଲା । ଜଗଦୀଶ ବାବୁ କନ୍ୟାର ହୃଦୟ ଜାଣି ପାରିଲେ । ତାକୁ ଆଶ୍ୱସନା ଦେଇ କହିଲେ ‘‘କିଛି ଚିନ୍ତା ନାହିଁ ମା । ଅନେକ ଝିନ୍‌ଝଟ୍‌ ଭିତରେ ବିଚାରା ହୁଏତ ବଡ଼ ବ୍ୟସ୍ତ ଥିବ । ସେଇଥିପାଇଁ ଜବାବ ଦେଇ ପାରିନାହିଁ । ତୁ ଆଉ ଖଣ୍ଡିଏ ଚିଠି ଦେ । ମୁଁ ମଧ୍ୟ ଖଣ୍ଡେ ଚିଠି ଦେବି । ତା ଛଡ଼ା କଟକର ପୁଲିସ ସୁପରିଟେଣ୍ଡେଣ୍ଟ ମୋର ଅନ୍ତରଙ୍ଗ ବନ୍ଧୁ । ମୁଁ ତାଙ୍କ ନିକଟକୁ ପରେ ଖଣ୍ଡିଏ ଚିଠି ଲେଖିବି । ସେ ସଚ୍ଚିଦାନନ୍ଦ ବିଷୟରେ ସବୁ ବୁଝି ମୋତେ ନିଶ୍ଚୟ ଲେଖିବେ । କିନ୍ତୁ ମୋର ବିଶ୍ୱାସ ତାହାର କୌଣସି ଆବଶ୍ୟକ ହେବନାହିଁ । ତୁ ଆଉ ଖଣ୍ଡିଏ ଚିଠି ଲେଖ ।

 

ପିତାଙ୍କ ଆଦେଶରେ ଅଳକା ଆଉ ଖଣ୍ଡିଏ ପତ୍ର ଲେଖିଲା । ତାହା ମଧ୍ୟ କେତେକ ଦିନ ହୋଇଗଲାଣି । ଏପର୍ଯ୍ୟନ୍ତ କୌଣସି ଉତ୍ତର ନ ପାଇ ଅଭିମାନିନୀ ଅଳକା ଆଖି ପାଣିରେ ଦିନ କଟାଉଛି । ପ୍ରତିଦିନ ଉତ୍କଣ୍ଠ ହୋଇ ଡାକ ପିଅନକୁ ଚାହିଁରହେ । ପିଅନ ଆସେ । ନାନାଆଡ଼ୁ ନାନା ଚିଠି ମଧ୍ୟ ଆସେ । କିନ୍ତୁ ଯାହା ପାଇଁ ସେ ମୁହୂର୍ତ୍ତ ଗଣୁଥାଏ ସେ ଚିଠି ଆସେ ନାହିଁ । ଅନ୍ତର ତାର ହାହାକାର କରି ଉଠେ । ଶିକ୍ଷିତା ଅଳକା ପୁରୁଷର ଖେୟାଲ ନାରୀତ୍ୱର ଏପରି ଅବମାନନାକୁ ସହଜ କରି ଗ୍ରହଣ କରିପାରେନା । ଅଳକା ଭାବେ–କି ଭୁଲ ସେ କରିଛି ? ସଚ୍ଚିଦାନନ୍ଦ ଆଲିଙ୍ଗନ–ତାର ଚୁମ୍ବନ ଯାହାର ସ୍ମୃତି ଆଜି ପର୍ଯ୍ୟନ୍ତ ତା ନିକଟରେ ସ୍ୱର୍ଗୀୟ–ମଧୁମୟ ହୋଇଥିଲା, ଆଜି ସେ ସ୍ମୃତି ବିଷାକ୍ତ ତୀର ପରି ତାର କଲିଜା ଫୁଟାଇ ଦେଉଛି । ସେ ବୁଝି ପାରିଛି ଯେ ସଚ୍ଚିଦାନନ୍ଦ ଆଜି ପର୍ଯ୍ୟନ୍ତ କେବଳ ଛଳନା କରି ତା ସହିତ ପ୍ରେମର ଅଭିନୟ କରୁଥିଲା । ବୋଧହୁଏ ତା ପୈତୃକ ସମ୍ପତ୍ତି ଲୋଭରେ । ଆଜି ସେ ଦୈବ ଅନୁଗ୍ରହରୁ ଧନୀ ହୋଇପାରିଛି । ସାଙ୍ଗେ ସାଙ୍ଗେ ତାର ପ୍ରେମର ଅଭିନୟରେ ମଧ୍ୟ ଯବନିକା ପଡ଼ିଛି । ଅଭିମାନରେ ତାର କୋହ ଉଠୁଥିଲା-। ଗୋଲାପୀ ଓଠ ଦୁଇଟି ଫୁଲି ଫୁଲି ଉଠୁଥିଲା । ଆଖି ଆଗରେ ଭାସି ଉଠୁଥିଲା । ତାର ଅତୀତ ଦିନର ସେହି ମୁହୂର୍ତ୍ତ ଗୁଡ଼ିକ ।

 

ଏହି ସମୟରେ ଚାକର ଆସି ସେ ଦିନ ତା ନାରେ ଥିବା ଚିଠି ଗୁଡ଼ିଏ ଦେଲା । ଚିଠି ଭିତରୁ ଖଣ୍ଡିଏ ମେଳି ଲଫାପା ଉପରେ ତା’ର ଅତି ପରିଚିତ ସଚ୍ଚିଦାନନ୍ଦର ହସ୍ତାକ୍ଷର ଦେଖି ଅଳକା ଚମକି ଉଠିଲା । ତାର ସବୁ ଭାବଧାରୀ ମୁହୂର୍ତ୍ତକେ ବୋଳେଇ ହୋଇଗଲା । ଚିଠିଟି ଖୋଲି ଅଳକା ବାହାର କଲା ତାର ଅତି ପରିଚିତ ଅତି ପ୍ରିୟ ଅକ୍ଷରରେ ଲେଖା ହୋଇଥିବା ସଚ୍ଚିଦାନନ୍ଦର ଗୋଟିଏ ଦୀର୍ଘ ପତ୍ର । ଏକା ନିଃଶ୍ୱାସରେ ଅଳକା ଚିଠିଟି ପଢ଼ିବାକୁ ଲାଗିଲା । ଥରେ ପଢ଼ି ସାରି ଦ୍ୱିତୀୟ ଥର ମଧ୍ୟ ପଢ଼ିଲା । କିନ୍ତୁ କେତେକ ସ୍ଥାନରେ ସେ ଯେ କଣ ମନେକରି ଲେଖିଛି ତା ସେ ବୁଝିପାରିଲା ନାହିଁ । ଚିଠିଟି ବେଶ ଦୀର୍ଘ । ଅଳକାର ଦୁଇଖଣ୍ଡ ପତ୍ର ପାଇବା ପରେ ମଧ୍ୟ ଠିକ୍ ସମୟରେ ଉତ୍ତର ଦେଇ ପାରିନାହିଁ ବୋଲି ସଚ୍ଚିଦାନନ୍ଦ ଦୁଃଖିତ ହୋଇଛି ।

 

ଏତେ ବଡ଼ ଚିଠିଟିର ନକଲ ଏଠାରେ ଦେଇ ପାଠକ ପାଠିକାମାନଙ୍କର ଧୈର୍ଯ୍ୟ ପରୀକ୍ଷା ମୋର ଉଦ୍ଦେଶ୍ୟ ନୁହେଁ । ଚିଠିଟିର କେତେକ ଅଂଶ ନିମ୍ନରେ ଉଦ୍ଧୃତ କରାଗଲା ।

 

‘‘......ଅଳକା ତୁମେ ଯେଉଁ ସଚ୍ଚିଦାନନ୍ଦକୁ ଭଲ ପାଇଥିଲ ସେ ଥିଲା ଦରିଦ୍ର । କିନ୍ତୁ ମୁଁ ବର୍ତ୍ତମାନ ଧନୀ । ସେ ଦରିଦ୍ର ସଚ୍ଚିଦାନନ୍ଦର ବର୍ତ୍ତମାନ କୌଣସି ଅସ୍ତିତ୍ୱ ନାହିଁ । ଏ କଥା ଜାଣି ତୁମେ ମୋତେ ପୁଣି ଭଲ ପାଇବତ ? ଜୀବନରେ ମୁଁ ନାରୀର ସଂସ୍ପର୍ଶରେ ବେଶି ଆସିନାହିଁ । ସେଇଥିପାଇଁ ନାରୀ ମନସ୍ତତ୍ୱ ବିଷୟରେ ମୋର ସମ୍ୟକ ଜ୍ଞାନ ନାହିଁ । ମୁଁ ତୁମକୁ ଗୋଟିଏ କଥା ପଚାରିବି । ନାରୀର ହୃଦୟ ଜୟ କରାଯାଏ କାହା ଦ୍ୱାରା ? କୌଣସି ବ୍ୟକ୍ତି ବିଶେଷ ଦ୍ୱାରା—କିମ୍ବା କୌଣସି ବ୍ୟକ୍ତି ବିଶେଷ ଦ୍ୱାରା । ଦେଖ ଆଉ ଗୋଟିଏ କଥା ମୁଁ ତୁମକୁ ବୁଝାଇବାକୁ ଚେଷ୍ଟା କରିବି-। ଏହା ଜନ୍ମାନ୍ତର ଦର୍ଶନର ଗୋଟିଏ ଶକ୍ତିଶାଳୀ ତର୍କ । ମନୁଷ୍ୟର ଜନ୍ମରୁ ତାର ଦୈହିକ ମରଣ ପର୍ଯ୍ୟନ୍ତ ତାର ଦେହର ଓ ମନର ବହୁଥର ମୃତ୍ୟୁ ହୁଏ । କେବଳ ଥାଏ ତାର ଅଖଣ୍ଡ ଉପସ୍ଥିତ । ତୁମେ ପାଞ୍ଚ ବର୍ଷର ଶିଶୁ ଥିବା ସମୟରେ ତମର ଦୈହିକ ଅବସ୍ଥା ବା ଚିନ୍ତାଧାରା ଯାହାଥିଲା ଆଜି ତାହା ଅଛିକି ? ନାହିଁ, ତାର ମୃତ୍ୟୁ ହୋଇ ତାରି ସ୍ଥାନରେ ଜନ୍ମଲାଭ କରିଛି ପୂର୍ଣ୍ଣ ଯୌବନ ଅଳକା । କିନ୍ତୁ ଯେଉଁମାନେ ପାଞ୍ଚବର୍ଷର ଶିଶୁ ଅଳକାକୁ ସ୍ନେହ କରୁଥିଲେ—ସେମାନେ କ’ଣ ଆଜିର ନବକଳେବର ଅଳକାକୁ ସ୍ନେହ କରନ୍ତି ନାହିଁ ? କରନ୍ତି । ଏହା ହେଲା ସାଧାରଣ ମାନବ ମନସ୍ତତ୍ୱ-। ନାରୀର ମନସ୍ତତ୍ୱ । ନାରୀର ମନସ୍ତତ୍ୱ ଯଦି ଅନ୍ୟ କିଛି ହୋଇଥାଏ ତେବେ ସେଥିରେ ମୋର ଜ୍ଞାନ ନାହିଁ ।

 

X X X

 

.........ଆମମାନଙ୍କର ମିଳନ ଏହାପରେ ସମ୍ଭବ କି ନାହିଁ ସେ ବିଚାର ତୁମେ ନିଜେ କରିବ । ତୁମେ ଯେ ମୋର ସବୁ କଥା ପୁରା ବୁଝିପାରିବ ନାହିଁ ତାହା ମୁଁ ଜାଣେ । ମୁଁ ପରେ ସେ କଥା ପୁଣି ତୁମକୁ ବୁଝାଇବି । ମୋର କଥା ବର୍ତ୍ତମାନ କିଛି ବୁଝିନପାରି ତୁମେ ହୁଏତ ବହୁତ ଭାବିବ । ଭାବି ଭାବି ତୁମର ମସ୍ତିଷ୍କ ଯେତେବେଳେ କୌଣସି କଥାର ସାରତଥ୍ୟ ବୁଝିବା ପାଇଁ କ୍ଷମ ହେବ ସେତେବେଳେ ମୁଁ ପୁଣି ତୁମକୁ ଭେଟିବି । ସେହିଦିନ ହୁଏତ ଆମମାନଙ୍କର ମିଳନ ସମ୍ଭବ ହେବ—ନୁହେଁତ ଜଣକର ବଞ୍ଚିରହିବା ପାଇଁ ଆଉ ଜଣକୁ ବାଟ ଛାଡ଼ି ଦେବାକୁ ହେବ । ଇତି ।

 

X X X

 

ଅଳକା ଚିଠିଟି ବହୁଥର ପଢ଼ିଲା । କିନ୍ତୁ କୌଣସି ଅର୍ଥ ଖୋଜି ପାଇଲା ନାହିଁ । ଏହି ପତ୍ର ପାଇଁ କ’ଣ ଅଳକା ଦିନ ରାତି ଏତେ ଅଶ୍ରୁ ବର୍ଷଣ କରୁଥିଲା, ଏତେ ବିନୀଦ୍ର ରଜନୀ କଟାଉଥିଲା । ଧନ କଣ ମନୁଷ୍ୟକୁ ଏପରି କରିପାରେ । ବାସ୍ତବିକ କଣ ଚାହେଁ ସଚ୍ଚିଦାନନ୍ଦ ? ତାର ଦୀର୍ଘ ପତ୍ରର ପ୍ରତି ଛତ୍ରରେ ତ ଫୁଟି ଉଠିଛି ଅଳକାକୁ ଲାଭ କରିବା ଲାଗି ତାର ଗୋଟାଏ ଆକୁଳ ମିନତି ! ତଥାପି ଏ ମିଳନରେ ତାର ସନ୍ଦେହ କାହିଁକି ? ସଚ୍ଚିଦାନନ୍ଦ କଣ ହଠାତ୍‌ ଧନୀ ହୋଇ ପାଗଳ ହୋଇଗଲା, କିଛି ବୁଝି ନ ପାରି ଅଳକା ଚିଠିଟି ନେଇ ଜଗଦୀଶ ବାବୁଙ୍କୁ ଦେଖାଇଲା । ବହୁଦର୍ଶୀ ପ୍ରବୀଣ ଜଗଦୀଶ ବାବୁ ସଚ୍ଚିଦାନନ୍ଦର ଚିଠିଟି ମୂଳରୁ ଶେଷଯାଏ ପଢ଼ିଲେ-। ସେ ମଧ୍ୟ କିଛି ବୁଝିପାରିଲେ ନାହିଁ । ତାଙ୍କର ସନ୍ଦେହ ହେଲା ତେବେ କଣ ସଚ୍ଚିଦାନନ୍ଦ ଏ ମିଳନ ଚାହେଁ ନାହିଁ । ସ୍ନେହ ପରାୟଣ ଜଗଦୀଶ ବାବୁ ପ୍ରାଣଧିକା କନ୍ୟାର ଭବିଷ୍ୟତ ଭାବି ଶଙ୍କିତ ହେଲେ । ଯଦି ବାସ୍ତବିକ ଏଥରେ କୌଣସି ସତ୍ୟ ଥାଏ ତେବେ ଏହାର ଏହିଠାରୁ ଅବସାନ କରାଇବାକୁ ହେବ । ସେ ସେହିକ୍ଷଣି କଟକର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଓ କର୍ମଜୀବନରେ ତାଙ୍କର ଅନ୍ତରଙ୍ଗ ବନ୍ଧୁ ମି. ନିକେଲସନଙ୍କ ନିକଟକୁ ଏ ବିଷୟରେ ଖଣ୍ଡିଏ ପତ୍ର ଲେଖିଲେ । ଅଳକାକୁ ମଧ୍ୟ ଆଉ କୌଣସି ଚିଠି ପତ୍ର ଲେଖିବା ପାଇଁ ମନା କଲେ ।

 

ପ୍ରାୟ ଆଠ ଦିନ ପରେ ।

 

ଜଗଦୀଶ ବାବୁଙ୍କ ଚିଠି ପାଇ କଟକର ପୁଲିସ ସୁପରିଟେଣ୍ଡେଣ୍ଟ ନିକୋଲ୍‌ସନ ସାହେବ ଉତ୍ତର ଦେଇଛନ୍ତି—ଯାହାର ସାରାଂଶ ଏହି ଯେ ସଚ୍ଚିଦାନନ୍ଦ ରାଧା ନାମ୍ନୀ ଗୋଟିଏ ଗଣିକାକୁ କଟକରେ ରଖିଛି । ଏହାଛଡ଼ା ତାର ଚରିତ୍ର ବା କାର୍ଯ୍ୟକଳାପ ବିଷୟରେ ଆଉ କୌଣସି ସନ୍ଦେହର ଅବକାଶ ନାହିଁ । ସଚ୍ଚିଦାନନ୍ଦ ପରି ସବୁ ବିଷୟରେ ଭଲ ପାତ୍ର ଅତି ବିରଳ । ଅଳକା ସହିତ ତାଙ୍କର ଏହି ଯେ ସଚ୍ଚିଦାନନ୍ଦ ରାଧା ନାମ୍ନୀ ଗୋଟିଏ ଗଣିକାକୁ କଟକରେ ରଖିଛି । ଏହା ଛଡ଼ା ତାର ଚରିତ୍ର ବା କାର୍ଯ୍ୟକଳାପ ବିଷୟରେ ଆଉ କୌଣସି ସନ୍ଦେହର ଅବକାଶ ନାହିଁ । ସଚ୍ଚିଦାନନ୍ଦ ପରି ସବୁ ବିଷୟରେ ଭଲ ପାତ୍ର ଅତି ବିରଳ । ଅଳକା ସହିତ ତାଙ୍କର ବିବାହ ପ୍ରସ୍ତାବ ଶୁଣି ସେ ଖୁସି ହୋଇଛନ୍ତି । ସେ ଶେଷରେ ଜଗଦୀଶ ବାବୁଙ୍କୁ ଏହି ଅନୁରୋଧ କରିଛନ୍ତି ଯେ ସେ ଯେପରି ଥରେ ଅଳକାକୁ ସାଙ୍ଗରେ ନେଇ କଟକ ଯାନ୍ତି । ତା’ ହେଲେ ସବୁ ବିଷୟ ସରଳ ହୋଇଯିବ । ଯୁବକ ସଚ୍ଚିଦାନନ୍ଦଙ୍କର କ୍ଷଣିକ ଦୁର୍ବଳତା ଦେଖା ଦେଇଥିଲେ ମଧ୍ୟ ସେ ଯେ ଅତି ମହତ ଏଥିରେ ସନ୍ଦେହ ନାହିଁ । ଅଳକାର ଉପସ୍ଥିତି ପ୍ରଭାବରେ ସେ ଆପେ ଆପେ ବଦଳି ଯିବ । ତାପରେ ବନ୍ଧୁ ଭାବରେ ସେ ଜଗଦୀଶ ବାବୁଙ୍କୁ ଉପଦେଶ ଦେଇଛନ୍ତି ଯେ ଆଜି କାଲି କୌଣସି ସଭ୍ୟ ଦେଶରେ ତରୁଣ ତରୁଣୀମାନଙ୍କର ଏପରି କ୍ଷଣିକ ଚପଳତା ଦୋଷାବହ ନୁହେଁ । ସଚ୍ଚିଦାନନ୍ଦକୁ ମଧ୍ୟ ଯେପରି ଜଗଦୀଶ ବାବୁ କ୍ଷମା କରି ପାରନ୍ତି । ସର୍ବଶେଷରେ ପୁରାତନ ବନ୍ଧୁଙ୍କୁ ଅନୁରୋଧ କରିଛନ୍ତି ସେ କଟକ ଆସିଲେ ସେମାନେ ଯେପରି ତାଙ୍କର ଘରେ ଅତିଥି ହୁଅନ୍ତି ।

 

ଚିଠିଟି ପାଇ ଜଗଦୀଶ ବାବୁ ଅତି ଗଭୀର ଭାବରେ ଭାବିଲେ । ଯେପରି ତାଙ୍କ ହିସାବରେ ସାମାନ୍ୟ ଭୁଲରେ ତାଙ୍କ ପ୍ରିୟତମା କନ୍ୟାର ଜୀବନ ବ୍ୟର୍ଥ ନହୁଏ । ଅଳକାକୁ ଏ ଚିଠି ବିଷୟରେ କିଛି ଜଣାଇଲେ ନାହିଁ । କଟକ ଯିବାର ସବୁ ବନ୍ଦୋବସ୍ତ ଗୋପନରେ କରିବାକୁ ଲାଗିଲେ ।

 

କିଛିଦିନ ପରେ ।

 

ଦିନେ ଉଦୂଉଦିଆ ଦିପହରବେଳେ ସଚ୍ଚିଦାନନ୍ଦ ଏକା ବସି କଣ ଭାବୁଥିଲା । ଟେବୁଲ ଡ୍ର ମଧ୍ୟରୁ ଅଳକାର ଫଟୋ ଖଣ୍ଡିକ ବାହାର କରି ନିବିଷ୍ଟ ମନରେ କିଛିକ୍ଷଣ ଚାହିଁ ରହିଲା । ତାପରେ ଆଉ ଗୋଟିଏ ଡ୍ର ଫଟାଇ ଖଣ୍ଡିଏ କାଗଜ ବାହାର କଲା ଓ ଅଳକାର ଫଟୋ ସଙ୍ଗେ ଧରି ପୁଣି ନିବିଷ୍ଟ ଭାବରେ ଚାହିଁଲା । ଶେଷୋକ୍ତ କାଗଜଟି ଗୋଟିଏ ସରକାରୀ ଇସ୍ତାହାର । ଚୁନିଲାଲକୁ ଜୀବିତ ବା ମୃତ ହାଜର କରି ପାରିଲେ ପାଞ୍ଚହଜାର ଟଙ୍କା ପୁରସ୍କାରର ଘୋଷଣା । ବହୁକ୍ଷଣ ପର୍ଯ୍ୟନ୍ତ ସେ ଅଳକାର ଫଟୋଟି ଓ ଉକ୍ତ ଇସ୍ତାହାରଟି ସାମନାରେ ରଖି ଚାହିଁ ରହିଲା । ଉଭୟେ ତା ଜୀବନରେ ଅତି ସତ୍ୟ । ଉଭୟଙ୍କର ଏକତ୍ର ମିଳନ ସମ୍ଭବ ନୁହେଁ । ଅଥଚ କୌଣସି ଗୋଟିକୁ ଛାଡ଼ିପାରିବା ମଧ୍ୟ ତାର ସାଧ୍ୟତୀତ । ଦୁର୍ବାର ଦସ୍ୟୁ ଗୋଟିଏ ଗଭୀର ଦୀର୍ଘଶ୍ୱାସ ତ୍ୟାଗ କଲା । ଏହି ସମୟରେ ତା ଟେବୁଲ ଉପରିସ୍ଥିତ ଗୋଟିଏ ଛୋଟିଆ ଘଣ୍ଟା ବାଜି ଉଠିଲା । ସଚ୍ଚିଦାନନ୍ଦ ଫଟୋଟି ଲୁଚାଇଦେଇ ବାହାରେ ଛିଡ଼ା ଲୋକଟିକୁ ଭିତରକୁ ଆସିବା ପାଇଁ ଅନୁମତି ଦେଲା ।

 

ଲୋକଟି ଭିତରକୁ ଆସି ଅଭିବାଦନ କରି ଛିଡ଼ା ହେଲା ଓ ସଚ୍ଚିଦାନନ୍ଦ ହାତକୁ ଖଣ୍ଡିଏ ଚିଠି ବଢ଼ାଇ ଦେଲା । ସଚ୍ଚିଦାନନ୍ଦ ଚିଠିଟି ଖୋଲି ପଢ଼ିଲା । ତାର ମୁଖ ଅତ୍ୟନ୍ତ ଗମ୍ଭୀର ହୋଇଗଲା । କିଛିକ୍ଷଣ ପରେ ପତ୍ରବାହକୁ ବିଦାୟ ଦେଇ ସେ ପୁଣି ସେହିଠାରେ ବସି ରହିଲା । ତାପରେ ଅସ୍ପଷ୍ଟ ସ୍ୱରରେ ମନକୁ ମନ କହିଲା, ‘‘ଅଳକା ଏବଂ ତାର ପିତା କଟକ ଆସୁଛନ୍ତି । କିନ୍ତୁ କାହିଁକି ? ମୋର ଛଦ୍ମବେଶରେ ଆଉ ସମସ୍ତେ ଠକିଲେ ମଧ୍ୟ ହୁଏତ ଅଳକା ଠକିବ ନାହିଁ ।’’

 

X X X

 

ଦୁଇଦିନ ପରେ ଗୋଟିଏ ଗଭୀର ରାତ୍ରି । ନଗର ସୁସୁପ୍ତ । ଅନ୍ଧକାର ମଧ୍ୟରେ ଗୋଟିଏ ମଟର ଗାଡ଼ି ବିନା ଲାଇଟରେ ନିଶବ୍ଦରେ ଆସି କାଣ୍ଟନମେଣ୍ଟ ରୋଡ଼ର ଗୋଟିଏ ବରଗଛ ମୂଳ ଅନ୍ଧକାରରେ ରହିଲା । ଅନ୍ଧକାର ଛାୟାମୂର୍ତ୍ତି ପରି ଗୋଟିଏ ଲୋକ ସର୍ବାଙ୍ଗ କଳା ପୋଷାକରେ ଆଚ୍ଛାଦିତ କରି ମଟର ଭିତରୁ ଓହ୍ଲାଇଲା । ତାକୁ ଦେଖି ଚିହ୍ନିବାର ମଧ୍ୟ ଉପାୟ ନାହିଁ । ମୁହଁରେ ବାଘପରି ଦୁଇଟି ଉଜ୍ଜ୍ୱଳ ଆଖି ପଟି ଉପରେ ଥିବା ଦୁଇଟି ଛିଦ୍ରବାଟେ ଦେଖା ଯାଉଛି । ଧୀରେ ଧୀରେ ଛାୟା ମୂର୍ତ୍ତି ନିଶବ୍ଦ ପଦକ୍ଷେପରେ ପୁଲିସ ସାହେବଙ୍କ କୋଠି ମଧ୍ୟରେ ପଶିଲା । ଚାରିଆଡ଼େ ନିଶବ୍ଦ । କୋଠୀ ହତାରେ ଥିବା ବଡ଼ ବଡ଼ ଦେବଦାରୁ ଗଛ ଉପରୁ ରହି ରହି କୌଣସି ନିଶାଚର ପକ୍ଷୀ ଚିତ୍କାର କରି ଉଠୁଥିଲା । ପୁଲିସ ସାହେବଙ୍କ ଘରେ କେତୁଟା ଭୀଷଣ ପ୍ରକୃତିର କୁକୁର ଥିଲେ । କିନ୍ତୁ ସେଦିନ ଘରକୁ କେତେକ ନୂଆ ଲୋକ ଆସିଥିବାରୁ କୁକୁର ଗୁଡ଼ିକ ବନ୍ଧା ହୋଇଥିଲା । ଛାୟାମୂର୍ତ୍ତି ନିର୍ବିଘ୍ନରେ ଘରଭିତରେ ପଶିଲା । ଗୋଟିଏ ପଲଙ୍କ ଉପରେ ଅଳକା ଶୋଇଛି । ସୁନ୍ଦର ନିଷ୍ପାପ ଦେହ । ଘରେ ଗୋଟିଏ ନେଳି ଆଲୁଅ ଜଳୁଛି । ଛାୟାମୂର୍ତ୍ତି ନିଷ୍ପାପ ଦେହ । ଘରେ ଗୋଟିଏ ନେଳି ଆଲୁଅ ଜଳୁଛି । ଛାୟାମୂର୍ତ୍ତି ନିର୍ନିମେଷ ନୟନରେ ଅଳକାର ମୁହଁକୁ କିଛିକ୍ଷଣ ଚାହିଁ ରହିଲା । ଅଳକା ଯଥାର୍ଥ ସୁନ୍ଦରୀ । ତା’ର ଉଠିଥିବା ରୂପ ଅପେକ୍ଷା ସେ ବହୁଗୁଣରେ ଅଧିକ ସୁନ୍ଦରୀ । ଅଳକାର ମୁଦ୍ରିତ ଆଖିପତା ଓ ତାର ରଙ୍ଗୀନ ଓଠ ଦିଓଟି ବାରେ ଥରି ଉଠିଲା । ହୁଏତ ଗାଢ଼ ନିଦ୍ରାରେ କୌଣସି ଦୁଃସ୍ୱପ୍ନରେ ପ୍ରଭାବ ଦେଖାଗଲା । ଛାୟାମୂର୍ତ୍ତି ପକେଟରୁ ରୁମାଲ ବାହାର କରି ସେଥିରେ କିଛି କ୍ଲୋରଫର୍ମ ଢାଳିଲା । ତା ପରେ କିଛିକ୍ଷଣ କ’ଣ ଭାବିଲା । ମନକୁ ଦୃଢ଼ କରି ସେ ସେହି କ୍ଲୋରୋଫର୍ମ ସିକ୍ତ ରୁମାଲ୍‌ ଖଣ୍ଡି ଅଳକାର ନାକ ଓ ମୁହଁ ଉପରେ ମାଡ଼ି ଧରିଲା । କିଛିକ୍ଷଣ ହଲଚଲ୍‌ ହୋଇ କେତେକ ମିନିଟ ମଧ୍ୟରେ ଅଳକାର ଦେହ ନିସ୍ପନ୍ଦ ହୋଇଗଲା । ରୁମାଲଟି ପକେଟରେ ରଖି ସେ ଖଣ୍ଡିଏ ଚିଠି ବାହାର କରି ଟେବୁଲ ଉପରେ ରଖିଲା । ଆଉ ଥରେ ଭଲକରି ଦେଖି ନେଲା ସେ କୌଣସି ସୂତ୍ର ପଛରେ ଛାଡ଼ି ଯାଉଛି କି ନାହିଁ । ତା ପରେ ଅଳକାତ ନିସ୍ପନ୍ଦ ଦେହ ଅନାୟାସରେ କାନ୍ଧରେ ପକାଇ ସେହିପରି ନିଃଶବ୍ଦରେ ସେ ସ୍ଥାନ ତ୍ୟାଗ କଲେ ।

 

ତା’ ପରଦିନ ସକାଳ । ଅଳକାର ଅନ୍ତର୍ଦ୍ଧାନ ସମ୍ବାଦ ଜଗଦୀଶବାବୁ ଓ ପୁଲିସ ଜାଣିପାରି ସ୍ତମ୍ଭୀତ ହେଲେ । ଟେବୁଲ ଉପର ଚିଠିଖଣ୍ଡ ପ୍ରଥମେ ପୁଲିସ ସାହେବ ଆବିଷ୍କାର କରିଥିଲେ । ଚିଠିଟି ନିମ୍ନରେ ଉଦ୍ଦୃତ କରାଗଲା—

 

‘‘ପ୍ରିୟ ମି. ନିକୋଲସନ,

 

ବହୁ ଚେଷ୍ଟାକରି ମଧ୍ୟ ଆପଣମାନେ ମୋର କୌଣସି ସମ୍ବାଦ ପାଇଲେ ନାହିଁ । ଭବିଷ୍ୟତରେ ଯେ ପାଇବେ ତା’ର ମଧ୍ୟ କୌଣସି ସମ୍ଭାବନା ନାହିଁ । କିନ୍ତୁ ଆପଣମାନେ ଯେ ମୋତେ ଯଥେଷ୍ଟ ଅସୁବିଧାରେ ପକାଇ ପାରିଛନ୍ତି ସେଥିରେ କୌଣସି ସନ୍ଦେହ ନାହିଁ । ଆପଣ ମୋର ମହାଶତ୍ରୁ । ଶତ୍ରୁ ବିନାଶ ମୋର ନାନାରକମର ମହତ୍‌କର୍ମ ମଧ୍ୟରେ ଅନ୍ୟତମ । ଅତଏବ ମୁଁ ଆପଣଙ୍କୁ ଧ୍ୱଂସ କରିବି । କିନ୍ତୁ ନରହତ୍ୟାରେ ମୋର କୁଣ୍ଠା ନ ଥିଲେ ମଧ୍ୟ ଆପଣଙ୍କ ପ୍ରାଣନାଶ କରିବାରେ ମୋର ଆଗ୍ରହ ନାହିଁ ଆପଣ ଇଂରାଜ । ବହୁ ଦୂରରୁ ଏଠାକୁ ଆସିଛନ୍ତି ଚାକିରି ନେଇ । ସେହି କର୍ମକ୍ଷେତ୍ରରେ ଆପଣଙ୍କର ସୁନାମ ମୁଁ ଧ୍ୱଂସ କରିବି । ମୁଁ ଜାଣେ କର୍ତ୍ତବ୍ୟ ନିଷ୍ଠ ଇଂରାଜର କର୍ତ୍ତବ୍ୟ ହାନିର ଦୁର୍ନାମ ଠାରୁ ବଳି ଦୁଃଖ ନାହିଁ । ସେହି ଦଣ୍ଡର ପ୍ରଥମ କିସ୍ତି ସ୍ୱରୂପ ଆଜି ମୁଁ ଆପଣଙ୍କ ଆଶ୍ରୟରୁ ଆପଣଙ୍କ ବନ୍ଧୁ କନ୍ୟା ଶ୍ରୀମତୀ ଅଳକାଙ୍କୁ ଅପହରଣ କରିନେଲେ । ଜଗଦୀଶ ବାବୁ ଜଣେ ଉଚ୍ଚପଦସ୍ଥ କର୍ମଚାରୀ । ପ୍ରିୟତମା କନ୍ୟାର ଅପହରଣରେ ସେ ଅତ୍ୟନ୍ତ ଆକୁଳ ହେବେ । ଆପଣଙ୍କ ଆଶ୍ରୟରୁ ତାଙ୍କ କନ୍ୟା ଅପହୃତା ହୋଇଛନ୍ତି ଜାଣି ସେ ଉନ୍ମାଦ ପରି ହେବେ । ଏ ସମ୍ବାଦ ତାଙ୍କ ବନ୍ଧୁ ମହଲରେ ମଧ୍ୟ ପ୍ରଚାରିତ ହେବ । କର୍ମ ଜୀବନରେ ଆପଣଙ୍କର ସୁନାମ ନଷ୍ଟ ହେବ । ତା’ ଛଡ଼ା, ଆପଣ ହୁଏତ ଏ ସମ୍ବାଦ ଗୋପନ ରଖିବାକୁ ଯଥାସାଧ୍ୟ ଚେଷ୍ଟା କରିବେ । କିନ୍ତୁ ସେ ଆଶା ବୃଥା । କାଲି ଏ ସମ୍ବାଦ ସହରବାସୀ ସମସ୍ତେ ଜାଣି ପାରିବେ । ସମସ୍ତେ ଆପଣଙ୍କର ଅକର୍ମଣ୍ୟତାର ନିନ୍ଦାବାଦ କରିବେ । ଆପଣଙ୍କର ଜୀବନ ଦୁର୍ବହ ହୋଇ ଉଠିବ । ଶେଷରେ ମୋର ଆପଣଙ୍କୁ ଜଣାଇ ଦେବା ଉଚିତ ଯେ ଅଳକା ଦେବୀଙ୍କର କୌଣସି ଅମଙ୍ଗଳ ଆଶା କରିବେ ନାହିଁ । ତାଙ୍କର ସୁଖ, ସୁବିଧା ଓ ସମ୍ମାନରେ କୌଣସି ହାନି ହେବନାହିଁ । କାଲି ମୁଁ ଏହି ସହର ମଧ୍ୟରେ ରହି ଆପଣଙ୍କମାନଙ୍କର ଦୁଃଖ ଦେଖି ଯଥେଷ୍ଟ ଆମୋଦ ଅନୁଭବ କରିବି । ବିଦାୟ । ଇତି ।

 

ଚୁନିଲାଲ

 

ତାଙ୍କର ପ୍ରିୟତମା ସୁକୁମାରୀ କନ୍ୟାକୁ ଦୁର୍ବୃତ୍ତ ଦସ୍ୟୁ ଚୁନିଲାଲ ଅପହରଣ କରି ନେଇ ଯାଇଛି ଜାଣି ଜଗଦିଶବାବୁ ଉନ୍ମାଦ ପରି ହେଲେ । ଚାରିଆଡ଼େ ତାଙ୍କୁ ଅନ୍ଧାର ଦିଶିଲା । ବ୍ୟାକୁଳ ହୋଇ ସେ କହିଲେ ‘‘କଣ ହେବ ମିଃ ନିକୋଲ୍‌ ସନ । ମୋ’ର କଣ ହେଲା । ମୁଁ କାହିଁକି ଆପଣଙ୍କ ଉପଦେଶରେ ଏଠାକୁ ଆସିଲି । ଯଦି ଏହା ଦସ୍ୟୁର Black mailing ହୁଏ—ତେବେ ଯେତେ ଅର୍ଥ ପଡ଼ୁ ପଛକେ ମୁଁ ଦେବି । ମୋ କନ୍ୟାକୁ ଆଣି ଦିଅନ୍ତୁ । ମୁଁ ଗଭର୍ଣ୍ଣରଙ୍କୁ ଦେଖା କରିବି । ପ୍ରଧାନ ମନ୍ତ୍ରୀଙ୍କୁ ଦେଖା କରିବି ।

 

ମିଃ ନିକୋଲ୍‌ସନ୍‌ ଲଜ୍ଜ୍ୟାରେ ମୁଣ୍ଡଟେକି ପାରିଲେ ନାହିଁ । ସେ ଭବାନୀବାବୁଙ୍କୁ ଟେଲିଫୋନ କରି ସେହିକ୍ଷଣି ଆସିବାକୁ କହିଲେ । ଭବାନୀବାବୁ ଆସିଲେ । ସବୁ ଦେଖି ଶୁଣି ସେ ମଧ୍ୟ ସ୍ତମ୍ଭିତ ହେଲେ । ତଦନ୍ତ ଆରମ୍ଭ ହେଲା ।

 

ସେହିଦିନ ଅପରାହ୍ନରେ କଟକର ଗୋଟିଏ ବିଖ୍ୟାତ ଦୈନିକ ପତ୍ରିକାରେ ନିମ୍ନଲିଖିତ ସମ୍ବାଦଟି ବାହାରିଲା ।

 

‘‘ପୁଣି ଦସ୍ୟୁ ଚୁନିଲାଲ ?’’

 

ବିଶ୍ୱସ୍ତ ସୂତ୍ରଟି ଆମେମାନେ ଅବଗତ ହେଲୁ ଯେ କଟକର ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ମିଃ ନିକୋଲ୍‌ ସନ୍‌ଙ୍କ ଘରେ ଜଣେ ଉଚ୍ଚପଦସ୍ଥ ଭାରତୀୟ ରାଜକର୍ମଚାରୀ ତାଙ୍କର କନ୍ୟାସହ ଅତିଥି ହୋଇଥିଲେ । ଏକଥା ମଧ୍ୟ ପ୍ରକାଶ ଯେ କୌଣସି ଅଜ୍ଞାତ କାରଣରୁ ସେ ବ୍ୟକ୍ତି ମିଃ ନିକୋଲ୍‌ସନ୍‌ଙ୍କ ପ୍ରରୋଚନା ଓ ଅନୁରୋଧରେ ପାଟଣାରୁ ଏଠାକୁ ଆସିଥିଲେ । ଗତ ରାତିରେ ତାଙ୍କ କନ୍ୟା ପୁଲିସ ସାହେବଙ୍କ ଘରୁ ଅଦ୍ଭୁତ ଭାବରେ ଅଦୃଶ୍ୟ ହୋଇ ଯାଇଛନ୍ତି । ଏ ତରୁଣୀଙ୍କୁ ଦସ୍ୟୁ ଚୁନିଲାଲ ଅପହରଣ କରିନେଇ ଖଣ୍ଡିଏ ପତ୍ର ରଖି ଯାଇଥିବା ପ୍ରକାଶ । ଯଦି ତାହାହିଁ ହୁଏ ତେବେ ଏକଥା ବୁଝିବାକୁ ହେବ ଯେ ଜନସାଧାରଣଙ୍କର ଧନ ଓ ମାନ ସମ୍ପୂର୍ଣ୍ଣ ବିପନ୍ନ । ଅକର୍ମୀ ପୁଲିସ ବାହିନୀକୁ ଏତେ ଅର୍ଥ ବ୍ୟୟ କରି ଆଉ ପୋଷିବାର ତାତ୍ପର୍ଯ୍ୟ କଣ ? ମିଃ ନିକୋଲସନ ଏହାପରେ କଲିକତାର ପାଶ୍‌ପୋର୍ଟ ପାଇଁ ଦରଖାସ୍ତ କରିବେ କି ? ତା’ଛଡ଼ା ଆଉ ଗୋଟିଏ ପ୍ରଶ୍ନ ଉଠିପାରେ । ମିଃ ନିକୋଲ୍‌ସନଙ୍କ ପ୍ରରୋଚନା ଓ ଅନୁରୋଧରେ ଜଗଦୀଶ ବାବୁ ସୁଦୂର ପାଟଣା ନଗରୀରୁ କଟକ ଆସି ତାଙ୍କ ଘରେ ଅତିଥି ହୋଇଥିଲେ । ତାଙ୍କରି ଘରୁ ଅଦ୍ଭୁତ ଉପାୟରେ ଜଗଦୀଶବାବୁଙ୍କ କନ୍ୟା ଅଦୃଶ୍ୟ ହେଲେ । ଏଥିରେ ମିଃ ନିକୋଲ୍‌ସନଙ୍କର ହାତ ନାହିଁ ତ ?

 

X X X

 

ସଚ୍ଚିଦାନନ୍ଦର ବୃହତ ଅଟ୍ଟାଳିକାର ଗୋଟିଏ ସୁସଜ୍ଜିତ କକ୍ଷର କୋମଳ ଶଯ୍ୟା ଉପରେ ଅଳକାର ଜ୍ଞାନ ହେଲା । ଆଖି ମେଲାଇ ସମ୍ପୂର୍ଣ୍ଣ ନୂଆ ଜାଗା ଦେଖି ସେ ଆଶ୍ଚର୍ଯ୍ୟ ହେଲା । କିଛି ମନେ କରି ପାରିଲା ନାହିଁ । ସେ ତ ରାତିରେ ମିଃ ନିକୋଲସନ୍‌ଙ୍କ ଘରେ ଶୋଇଥିଲା । ଏ ତ ସେ ଘର ନୁହେଁ । ଏଠାକୁ ସେ ଆସିଲା କିପରି ? ସେ କ’ଣ ସ୍ୱପ୍ନ ଦେଖୁଛି ? ବିଛଣା ଉପରେ ଉଠି ବସିବାକୁ ଚେଷ୍ଟା କଲା । କିନ୍ତୁ ପାରିଲା ନାହିଁ । ଦେହ ବଡ଼ ଦୁର୍ବଳ । ଜଣେ ଲୋକ କୋମଳ ସ୍ୱରରେ ତାକୁ କହିଲା ।

 

‘‘ଉଠନ୍ତୁ ନାହିଁ ଅଳକା ଦେବୀ । ଆଉ କିଛିକ୍ଷଣ ବିଶ୍ରାମ କରନ୍ତୁ ।’’ ଅଳକା ଚାହିଁ ଦେଖିଲା ଜଣେ ଦୀର୍ଘ ବଳିଷ୍ଠ ଦେହ ଯୁବକ ତା’ ଶଯ୍ୟା ନିକଟରେ ଠିଆ ହୋଇଛି । କିନ୍ତୁ ତା’ର ମୁହଁ ଦେଖିବାର ଉପାୟ ନାହିଁ । ଖଣ୍ଡିଏ କଳା ପଟି ତା’ ଆଖି ଦୁଇଟି ଉପରେ ବନ୍ଧା ହୋଇଛି । ଦୁଇଟି ଛିଦ୍ରବାଟେ କେବଳ ତାର ଦୁଇଟି ଉଜ୍ଜ୍ୱଳ ଚକ୍ଷୁ ତାରକା ଦେଖା ଦେଉଛି । ଏହା ଦେଖି ଅଳକା ଆହୁରି ଆଶ୍ଚର୍ଯ୍ୟ ହେଲା । ପଚାରିଲା ‘‘ତୁମେ—ଆପଣ କିଏ ? ମୁଁ ଏ କେଉଁ ସ୍ଥାନରେ ? ମିଃ ନିକୋଲ୍‌ସନ୍‌ଙ୍କ ବଙ୍ଗଳାରୁ ମୁଁ କିପରି ଆସିଲି ?’’

 

‘‘ଭୟ ନାହିଁ ଅଳକା ଦେବୀ’’ ଯୁବକ କୋମଳ ସ୍ୱରରେ ଉତ୍ତର ଦେଲା । ‘‘ମୁଁ ଆପଣଙ୍କୁ ନିକୋଲସନ ସାହେବଙ୍କ ବଙ୍ଗଳାରୁ ଏଠାକୁ ନେଇ ଆସିଛି । ଏଇଟା ମୋ’ ଘର । ଏଠାରେ ଆପଣଙ୍କର କୌଣସି ଅସମ୍ମାନ ବା ଅସୁବିଧା ହେବ ନାହିଁ ।’’

 

‘‘କିନ୍ତୁ ଆପଣ କିଏ ? ଅଳକା ପଚାରିଲା ।’’

 

‘‘ମୁଁ’’ ? ସାମାନ୍ୟ ହସି ଯୁବକ ଉତ୍ତର ଦେଲା ‘‘ମୁଁ ଚୁନିଲାଲ । ଦସ୍ୟୁ ଚୁନିଲାଲ ।

 

‘‘ଦସ୍ୟୁ ଚୁନିଲାଲ ? ଭୀଷଣ ନରହନ୍ତ ଦସ୍ୟୁ ଚୁନିଲାଲ ?’’ ତରୁଣୀଭୟ ବିହ୍ୱଳ ଭାବରେ ପଚାରିଲା ।’’

 

‘‘ହଁ ଅଳକା । ଚୁନିଲାଲ ନରହନ୍ତା । କିନ୍ତୁ ନାରୀହନ୍ତା ନୁହେଁ ।’’ ଭୟ କର ନାହିଁ ଅଳକା-। ଦସ୍ୟୁ ମଧ୍ୟ ମନୁଷ୍ୟ । ତା ପ୍ରାଣରେ ମଧ୍ୟ ସ୍ନେହ ପ୍ରେମ ପ୍ରଭୃତି କୋମଳ ପ୍ରବୃତ୍ତିମାନ ଥାଏ-। ମୁଁ ତୁମକୁ ବଳପୂର୍ବକ ଏଠାକୁ ନେଇ ଆସିଲି ବୋଲି ମୁଁ ଦୁଃଖିତ । କିନ୍ତୁ ତା ଛଡ଼ା ଆଉ କୌଣସି ଉପାୟ ନଥିଲା । କିନ୍ତୁ ଅଳକା ଦେବୀ, ଏଠାରେ ମୁଁ ତୁମ ଉପରେ ବଳ ପ୍ରୟୋଗ କରିବି ବୋଲି ଏଠାକୁ ଆଣିନାହିଁ । ମୋର ସମଗ୍ର ଶକ୍ତି ତୁମକୁ ଅର୍ପଣ କରିବି ବୋଲି ଆଣିଛି । ସମାଜତ୍ରାଶ ଦୁର୍ବାର ଦସ୍ୟୁ ଚୁନିଲାଲ ଯେ ଶାନ୍ତିମୟ ଗୋଟିଏ ଗାର୍ହସ୍ଥ୍ୟ ଜୀବନ ଆଶା କରିପାରେ–ଏହା କେବଳ ସମ୍ଭବ ହେଲା ତୁମକୁ ମୁଁ ଦେଖିବା ପରେ ।’’ ଚୁନିଲାଲ କୋମଳ କଣ୍ଠରେ କହିଲା ।

 

ଅଳକା କହିଲା ‘‘ମୁଁ ତୁମ ଉଦ୍ଦେଶ୍ୟ ବୁଝିପାରିଛି । ଏହା ମଧ୍ୟ ମୁଁ ବୁଝିପାରିଛି ଯେ ତୁମେ ଇଚ୍ଛା କଲେ ମୋର ସର୍ବନାଶ କରିପାର । କିନ୍ତୁ ତୁମେ ଜାଣିରଖ ଯେ ମୋର ଶେଷ ନିଃଶ୍ୱାସ ଥିବା ଯାଏଁ ମୁଁ ତୁମକୁ ଘୃଣା କରିବି ।’’

 

ଏହି ସମୟରେ ଜଣେ ଭୃତ୍ୟ ବାହାରେ ଗୋଟିଏ ବିଶେଷ ରକମ ଶବ୍ଦ କଲା । ଚୁନିଲାଲ ଘରୁ ବାହାରି ବାହର ପଟୁ ଦୁଆର ବନ୍ଦ କଲା । ଭୃତ୍ୟ ଚୁନିଲାଲ ହାତରେ ଖଣ୍ଡିଏ କାର୍ଡ଼ ଦେଲା । କାର୍ଡ଼ଟି ଉପରେ ଆଖି ବୁଲାଇ ଚୁନିଲାଲ ଭ୍ରୃକୁଞ୍ଚିତ କଲା । ତାପରେ ଚେହେରା ଓ ଗତି ଭଙ୍ଗୀରେ ଯଥେଷ୍ଟ ପରିବର୍ତ୍ତନ ଆଣି ବୈଠକଖାନା ଭିତରେ ପଶି ଦେଖିଲା ଯେ ଗମ୍ଭୀର ପ୍ରକୃତି ଭବାନୀବାବୁ ଗୋଟିଏ ଚୌକିରେ ପରମ ନିଶ୍ଚନ୍ତରେ ବସି ସିଗାରେଟ ଟାଣୁଛନ୍ତି । ସଚ୍ଚିଦାନନ୍ଦଙ୍କୁ ଦେଖି ସ୍ମିତ ମୁଖରେ କହିଲେ—ନମସ୍କାର ସଚ୍ଚିଦାନନ୍ଦ ବାବୁ, ମୋ ନା ଭବାନୀ ମହାପାତ୍ର । ମୁଁ ଜଣେ ସ୍ଥାନୀୟ ପୁଲିସ ଇନ୍‌ସପେକ୍‌ଟର ।

 

ପ୍ରତି ନମସ୍କାର କରି ସଚ୍ଚିଦାନନ୍ଦ ମଧ୍ୟ ଖଣ୍ଡିଏ ଚୌକିରେ ବସିଲେ । ‘‘ତା’ ପରେ’’ ସଚ୍ଚିଦାନନ୍ଦ କହିଲେ, ‘ଭବାନୀବାବୁଙ୍କ ଶୁଭାଗମନର କାରଣ କଣ ।’’

 

‘‘—ନା ଏମିତି ! ଆପଣଙ୍କ ପରି ବିଖ୍ୟାତ ଲୋକଙ୍କ ସଙ୍ଗେ ଆମମାନଙ୍କର ଥରେ ଅଧେ ଦେଖା କରିବା ଆମମାନଙ୍କର ଚାକିରି ଆଡ଼ୁ ମଧ୍ୟ କର୍ତ୍ତବ୍ୟ । ଆପଣଙ୍କ ସଙ୍ଗେ ଥରେ ପୂର୍ବରୁ ଦେଖା କରି ଯିବାର ଇଚ୍ଛା ଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ସେ ସୁବିଧା କରି ପାରିନାହିଁ ବୋଲି ମୁଁ ଦୁଃଖିତ-।’’

 

—ଆପଣଙ୍କ ପରି ବିଖ୍ୟାତ ପୁଲିସ କର୍ମଚାରୀଙ୍କ ସଙ୍ଗେ ମଧ୍ୟ ଆଳାପ ହେବା ମୋର ପରମ ସୌଭାଗ୍ୟ । ଆପଣଙ୍କ ସଙ୍ଗେ ଏ ପର୍ଯ୍ୟନ୍ତ ମୋର ଚାକ୍ଷୂଷ ପରିଚୟ ହୋଇନଥିଲେ ମଧ୍ୟ ଆପଣଙ୍କ ସୁଖ୍ୟାତି ମୁଁ ବହୁ ସ୍ଥାନରୁ ଶୁଣିଛି ।’’ ସଚ୍ଚିଦାନନ୍ଦ କହିଲେ ।

 

—‘‘ଅନ୍ତତଃ ବର୍ତ୍ତମାନ କାଳର ସମ୍ୱାଦପତ୍ର ସବୁରୁ ନିଶ୍ଚୟ ମୋର ସୁଖ୍ୟାତି ଶୁଣିଥିବେ-।’’ କହି ହସିଲେ ଭବାନୀବାବୁ ।

 

ସଚ୍ଚିଦାନନ୍ଦ ମଧ୍ୟ ହସିଲେ, ‘‘ଆଜିକାଲିକାର ଦାୟିତ୍ୱ ଜ୍ଞାନହୀନ ସମ୍ବାଦପତ୍ରଗୁଡ଼ାକ ଉପରେ ମୋର କୌଣସି ଶ୍ରଦ୍ଧା ନାହିଁ । ସେମାନେ ନିଜ କାଗଜ ବିକ୍ରୀ ପାଇଁ ଗୁଜବ-ପ୍ରିୟ ଜନସାଧାରଣଙ୍କୁ ଖୁସି କରିବା ପାଇଁ ସମ୍ବାଦ ସୃଷ୍ଟି କରନ୍ତି । ସତୃ ଏବଂ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ପରିବେଷଣ କରି ସ୍ୱାସ୍ଥ୍ୟବନ୍ତ ସମାଜ ସୃଷ୍ଟି କରନ୍ତି ନାହିଁ ।’’

‘‘ଆପଣ କାଲିର ସମ୍ବାଦ ପତ୍ରଟି ନିଶ୍ଚୟ ପଢ଼ିଛନ୍ତି ।’’ ଭବାନୀ ବାବୁ ପଚାରିଲେ ।

‘‘ନା, ମୁଁ ପଢ଼ିବାରୁ ଅବସର ପାଇନାହିଁ । କଣ କିଛି ଜରୁରୀ ସମ୍ବାଦ ଅଛିକି ?’’ ସଚ୍ଚିଦାନନ୍ଦ କହିଲେ ।

‘‘ନା—ନୂଆ ସମ୍ବାଦ କିଛି ନୁହେଁ । ପୁଲିସର ଅକର୍ମଣ୍ୟତା ନେଇ ତୀବ୍ର ଅଭିମତ । ଚୁନିଲାଲର ନୂଆ କୀର୍ତ୍ତି । ଅଳକା ଦେବୀଙ୍କର ଅପହରଣ କାହାଣୀ । ଏଇ ସବୁ—ଆଉ କଣ !’’ ଭବାନୀ ବାବୁ ନିର୍ଲିପ୍ତ ଭାବରେ କହିଲେ ।

‘‘ଅଳକା ଦେବୀ ! କେଉଁ ଅଳକା ଭବାନୀ ବାବୁ ?’’

‘‘ପାଟଣାର ଜଷ୍ଟିସ ଜଗଦୀଶ ରାୟଙ୍କର କନ୍ୟା ।’’ ଭବାନୀ ବାବୁ କହିଲେ । ‘‘ଜଷ୍ଟିସ ରାୟ ଓ ଅଳକା ଦେବୀ ଉଭୟେ କଟକ ଆସି ଏସ୍‌, ପି, ଙ୍କ ଘରେ ଅତିଥି ହୋଇଥିଲେ । ପ’ର ଦିନ ରାତିରେ ଚୁନିଲାଲ ତାଙ୍କୁ ଚୋରି କରି ନେଇ ଯାଇଛି’’ କହି ତୀକ୍ଷ୍‌‌ଣ ଦୃଷ୍ଟିରେ ଭବାନୀ ବାବୁ ସଚ୍ଚିଦାନନ୍ଦଙ୍କୁ ଚାହିଁଲେ ।

‘‘ଅଳକା ଦେବୀ ! ଜଷ୍ଟିସ୍‌ ରାୟଙ୍କ କନ୍ୟା ! ସେମାନେ କଟକ ଆସିଥିଲେ ? ଆପଣ ଠିକ୍‌ ଜାଣନ୍ତି ତ ଭବାନୀ ବାବୁ ?’’ ଉନ୍ମାଦ ପରି ସଚ୍ଚିଦାନନ୍ଦ ପଚାରିଲେ ।

ସାମାନ୍ୟ ହସି ଭବାନୀ ବାବୁ କହିଲେ, ‘‘ହଁ ସଚ୍ଚିଦାନନ୍ଦ ବାବୁ ସେହି ତଦନ୍ତ ସୂତ୍ରରେ ଆଜି ଆପଣଙ୍କ ଦର୍ଶନ ଲାଭର ସୌଭାଗ୍ୟ ମଧ୍ୟ ମୋର ହେଲା ।’’

‘‘ଅର୍ଥାତ୍‌ ?’’ ସଚ୍ଚିଦାନନ୍ଦ ମୁଣ୍ଡ ଟେକି ପଚାରିଲେ ।

—‘‘ଅର୍ଥାତ୍‌ । ଆପଣଙ୍କ ବିଷୟରେ ମୋର କତୋଟି ପ୍ରଶ୍ନ ପଚାରିବାର ଅଛି । ଆପଣ ଯଦି ଅନୁମତି ଦିଅନ୍ତି ତେବେ ପଚାରିବି ।’’ ଭବାନୀ ବାବୁ ଏହାକହି ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁ ରହିଲେ-

କିଛିକ୍ଷଣ ମୌନ ରହି ସଚ୍ଚିଦାନନ୍ଦ କହିଲେ ‘‘ଆଚ୍ଛା ପଚାରନ୍ତୁ ।’’

ଭବାନୀ ବାବୁ ପଚାରିଲେ ‘‘ଆପଣ ଅଳକା ଦେବୀଙ୍କୁ ଆଗରୁ ଚିହ୍ନନ୍ତି ।’’

—‘‘ହଁ, ଚିହ୍ନେ ।’’ ସଚ୍ଚିଦାନନ୍ଦ ଉତ୍ତର ଦେଲେ । କିନ୍ତୁ ସେ ଏକାନ୍ତ ବ୍ୟକ୍ତିଗତ କଥା । ସେଥିରେ ଆପଣଙ୍କର ପ୍ରୟୋଜନ କଣ ?’’

‘‘ପ୍ରୟୋଜନ ନ ଥିଲା’’ ଭବାନୀବାବୁ ଗମ୍ଭୀର ଭାବରେ କହିଲେ । କିନ୍ତୁ ଆପଣଙ୍କ ବ୍ୟକ୍ତିଗତ କଥା ଘଟଣା ଚକ୍ରରେ ପୁଲିସର ଅତ୍ୟନ୍ତ ପ୍ରୟୋଜନୀୟ ହୋଇ ପଡ଼ିଛି ।’’

ସଚ୍ଚିଦାନନ୍ଦ ସାମାନ୍ୟ କ୍ରୋଧାନ୍ୱୀତ ହୋଇ କହିଲେ । ‘‘ଆଉ ଯଦି ଏ ବିଷୟରେ ଆପଣ ପ୍ରଶ୍ନର ଉତ୍ତର ମୁଁ ନ ଦିଏ ?’’

‘‘ତେବେ ଆପଣଙ୍କ ସମ୍ବନ୍ଧରେ ସବୁ ସନ୍ଦେହ ପୁଲିସର ଯିବ ନାହିଁ ।’’ କହି ଭବାନୀ ବାବୁ ସାମାନ୍ୟ ହସିଲେ ।

 

କିଛିକ୍ଷଣ ଚିନ୍ତାମଗ୍ନ ରହି ସଚ୍ଚିଦାନନ୍ଦ କହିଲେ ‘‘ତେବେ କଣ ପଚାରିବାକୁ ଚାହାନ୍ତି ପଚାରନ୍ତୁ ।’’

 

‘‘ଆଉ ଗୋଟାଏ ମାତ୍ର ପ୍ରଶ୍ନ ମୁଁ ପଚାରିବି’’ ଭବାନୀବାବୁ କହିଲେ ରାଧାକୁ ଆପଣ ନିଶ୍ଚୟ ଜାଣନ୍ତି । ତା’ ସହିତ ଆପଣଙ୍କ ସମ୍ବନ୍ଧ କିପରି ?’’

 

ଭବାନୀବାବୁ ଅନେକ କଥା ଜାଣି ପାରିଛନ୍ତି ଦେଖି ସଚ୍ଚିଦାନନ୍ଦ ଚିନ୍ତିତ ହେଲେ । ସଚ୍ଚିଦାନନ୍ଦଙ୍କ ମୁଖରେ ଚିନ୍ତାର ରେଖା ଅଭିଜ୍ଞ ଭବାନୀବାବୁଙ୍କର ଦୃଷ୍ଟି ଏଡ଼ାଇ ପାରିଲା ନାହିଁ । ସେ ଆମୋଦ ଅନୁଭବ କଲେ ।

 

ସଚ୍ଚୀଦାନନ୍ଦ ଉତ୍ତର ଦେଲେ ‘‘ଦେଖନ୍ତୁ ଭବାନୀବାବୁ ଆପଣଙ୍କର ପ୍ରଶ୍ନ ଗୁଡ଼ିକ ଅତି ଆପତ୍ତି ଜନକ । ମୋର ବ୍ୟକ୍ତିଗତ ଜୀବନର ଇତିହାସ ଜାଣିବା ପାଇଁ ଏହା ଆପଣଙ୍କର ଅତି ଅଶ୍ଳିଳ କୌତୁହଳ । ଏହା ସହିତ ଆପଣଙ୍କର ତଦନ୍ତର କୌଣସି ସମ୍ବନ୍ଧ ଥାଇପାରେ ବୋଲି ମୋର ବିଶ୍ୱାସ ହୁଏ ନାହିଁ ।’’

 

ସଚ୍ଚୀଦାନନ୍ଦଙ୍କ କ୍ରୋଧରେ ବିନ୍ଦୁମାତ୍ର ବିଚଳିତ ନ ହୋଇ ଭବାନୀ ବାବୁ ଜେରାକଲେ ‘‘ତା’ହେଲେ କଣ ମୁଁ ଧରି ନେଇପାରେ ଶ୍ରୀମତୀ ରାଧା ସଙ୍ଗେ ଆପଣଙ୍କର ସମ୍ବନ୍ଧଟା ଏପରି ଯାହା ପ୍ରକାଶ କରିବାରେ ଆପଣଙ୍କର ଆପତ୍ତି ଅଛି-?’’

 

‘‘—ଆପଣଙ୍କର ଯାହାଇଚ୍ଛା ଆପଣ ଧରି ନେଇ ପାରନ୍ତି । ମୋତେ ଆଉ ବିରକ୍ତ ନ କଲେ ମୁଁ ସୁଖୀ ହେବି ।’’ ସଚ୍ଚିଦାନନ୍ଦ ବିରକ୍ତ ହୋଇ କହିଲେ ।

 

‘‘ଆଚ୍ଛା ନମସ୍କାର ଆଉ ଆପଣଙ୍କୁ ବିରକ୍ତ କରିବି ନାହିଁ ।’’ କହି ଭବାନୀ ବାବୁ ଉଠିଲେ-

 

ସଚ୍ଚିଦାନନ୍ଦଙ୍କ ଘରୁ ବାହାରି ଭବାନୀ ବାବୁ ବାହାରକୁ ଆସିଲେ । ତାଙ୍କ ମନରେ କେବଳ ଗୋଟିଏ କଥା ବାରମ୍ବାର ଉଦୟ ହେଲା । ନାରୀ ହରଣ ତ ଚୁନିଲାଲର କର୍ମ ପନ୍ଥା ନୁହେଁ-! ଅଳକା ଦେବୀଙ୍କର ହରଣ କ’ଣ କେବଳ ମିଃ ନିକୋଲ୍‌ସନ୍‌ଙ୍କ ଉପରେ ଚୁନିଲାଲର ଶତ୍ରୁତା ସାଧନ ? ସଚ୍ଚିଦାନନ୍ଦ ଓ ରାଧା ମଝିରେ ଅଳକାର ଅବସ୍ଥାନ କ’ଣ ଏହାର କାରଣ ନୁହେଁ-?

 

X X X

 

ଭବାନୀବାବୁ ଚାଲିଯିବା ପରେ ଚୁନିଲାଲ ଚିନ୍ତିତ ମନରେ ବହୁକ୍ଷଣ ସେହିଠାରେ ବସି ରହିଲା । ସେ ପରିଷ୍କାର ବୁଝିପାରିଲା ଯେ ଭବାନୀ ବାବୁ ତାକୁ କୌଣସି କାରଣରେ ସନ୍ଦେହ କରିଛନ୍ତି । ଏହି ଅତି ଚତୁର ଓ ଫନ୍ଦିବାଜ ପୁଲିସ ଅଫିସରଟିକୁ ଚୁନିଲାଲ ଭଲ ଭାବରେ ଚିହ୍ନେ । ଥରେ ଏହାଙ୍କ ବିଷୟରେ ତାର ହିସାବରେ ଭୁଲ ହୋଇଥିଲା । ସେଥିରେ ସେ ଯଥେଷ୍ଟ ଅଭିଜ୍ଞତା ଅର୍ଜନ କରିଛି କିନ୍ତୁ ଭବାନୀ ବାବୁ ତାକୁ ସନ୍ଦେହ କରିବାର କଣ କାରଣ ଥାଇପାରେ ? ସେ କ’ଣ ତା’ର କୌଣସି କାର୍ଯ୍ୟ କଳାପରେ କୌଣସି ସୂତ୍ର ପଛରେ ପକାଇ ଆସିଛି ? ଅସମ୍ଭବ । ତା’ କଦାପି ହୋଇପାରେ ନାହିଁ । ଚୁନିଲାଲ କିଛି ଠିକ୍‌ କରିପାରିଲା ନାହିଁ । କିନ୍ତୁ ଏତକ ସେ ପରିଷ୍କାର ବୁଝିପାରିଲା ଯେ ଘଟଣା ଚକ୍ରରେ ସେ ପୁଲିସର ନଜର ଭିତରେ ଆସି ପଡ଼ିଛି । ଏହାର ପ୍ରତିକାର ତାକୁ କରିବାକୁ ହେବ । ଏହାର ଏକମାତ୍ର ପ୍ରତିକାର ବର୍ତ୍ତମାନ ପୁଲିସକୁ ଅନ୍ୟଆଡ଼େ ନିଯୁକ୍ତ ରଖିବା । ସେ ଭାବି ଠିକ୍‌ କଲା ପୁନଃ ପୁନଃ ତାର ଭୀଷଣ ଅପରାଧ ଜନକ କାର୍ଯ୍ୟକଳାପରେ ଦେଶରେ ଅଶାନ୍ତିର ସୁଅ ବୁହାଇବ । ପୁଲିସକୁ ଚୁନିଲାଲ ଆଡ଼େ ନିଯୁକ୍ତ ରଖି ସଚ୍ଚିଦାନନ୍ଦ କଥା ଭାବିବାର ଅବସର ଦେବ ନାହିଁ । କିଛିକ୍ଷଣ ଭାବିବା ପରେ ଗୋଟିଏ କର୍ମପନ୍ଥା ତା ନିକଟରେ ଉନ୍ମକ୍ତ ହୋଇଗଲା । ତା’ର ଗୋଟିଏ ଏଜେଣ୍ଟ ଦେଇଥିବା ଖଣ୍ଡିଏ ପତ୍ର ସେ ମନଯୋଗ ସହକାରେ ପଢ଼ିଲା । ତା’ପରେ ଦୁଆତ କଲମ ନେଇ ଭବାନୀ ବାବୁଙ୍କୁ ଖଣ୍ଡିଏ ପତ୍ର ଲେଖି ବସିଲା ।

 

ପତ୍ରଟି ଲେଖି ସାରି ଖଣ୍ଡିଏ ଲଫାପାରେ ଭର୍ତ୍ତିକରି ଚୁନିଲାଲ ତା’ର ଗୋଟିଏ ଅନୁଚରକୁ ଆହ୍ୱାନ କଲା । ଅନୁଚରଟି ଆସିବାରୁ ତାକୁ ଚିଠିଟି ଓ ଯଥାବିଧି ଉପଦେଶ ଦେଇ ବିଦାୟ କଲା ।

 

ତା’ପରେ ପୁଣିଥରେ ଟେବୁଲ ଡ୍ର ମଧ୍ୟରୁ ଅଳକାର ଫଟୋଟି ବାହାର କରି ଧ୍ୟାନ ମଗ୍ନ ହେଲା ପରି ଚାହିଁ ରହିଲା ।

 

ସଚ୍ଚିଦାନନ୍ଦ ଘରୁ ଆସି ଭବାନୀ ବାବୁ ସେଦିନ ବହୁତ ରାତି ପର୍ଯ୍ୟନ୍ତ ପୋଲିସ ଳେବରେଟରୀରେ ଗୋଟିଏ ବୈଜ୍ଞାନିକ ପରୀକ୍ଷାରେ ବ୍ୟସ୍ତ ରହିଲେ । ସଚ୍ଚିଦାନନ୍ଦ ଘରୁ କୌଶଳରେ ତାର ନିଜ ହାତରେ ଲେଖା ଖଣ୍ଡିଏ କାଗଜ ଆଣିଥିଲେ । ତାରି ଲେଖା ସହିତ ଅଳକାକୁ ସଚ୍ଚିଦାନନ୍ଦ ଲେଖିଥିବା ଚିଠିର ଲେଖାକୁ ବୈଜ୍ଞାନିକ ଉପାୟରେ ପରୀକ୍ଷା କରି ସେ ଦେଖିଲେ ଯେ ଦୁଇଟି ହାତ ଲେଖାରେ ଯଥେଷ୍ଟ ସାଦୃଶ୍ୟ ଥିଲେହେଁ ଦୁଇଟି ଏକା ହାତର ଲେଖା ନୁହେଁ । କିନ୍ତୁ ଦୁଇଟି ଲେଖାର କାଳି ଏକ । ଭବାନୀବାବୁ ଏହାର କୌଣସି କାରଣ ସଠିକ୍‌ ବୁଝିପାରିଲେ ନାହିଁ । ଶେଷରେ ସେ ଠିକ୍‌ କଲେ ଯେ ସଚ୍ଚିଦାନନ୍ଦ ଓ ରାଧା ଉପରେ ନଜର ରଖିବେ । ସେଥିରେ ଅଳକାର ଅପହରଣ ସଂକ୍ରାନ୍ତ କୌଣସି ସୂତ୍ର ହୁଏତ ମିଳିପାରେ ।

 

ତା’ପରଦିନ ସକାଳେ ଭବାନୀବାବୁ ଏକା ତାଙ୍କ ଅଫିସରେ ବସିଥିଲେ । ଏହି ସମୟରେ ଅର୍ଡଲି ଡାକ ଦେଇ ଗଲା । ଭବାନୀବାବୁ ଅନ୍ୟମନସ୍କ ଭାବରେ ଡାକ ଖୋଲୁ ଖୋଲୁ ଗୋଟିଏ ଲଫାଫା ତାଙ୍କ ନଜରରେ ପଡ଼ିଲା । ଲଫାଫା ଉପର ହସ୍ତାକ୍ଷର ଦେଖି ସେ ଚମକି ପଡ଼ିଲେ । ତାଙ୍କର ଅତି ପରିଚିତ ଦସ୍ୟୁ ଚୁନିଲାଲର ହସ୍ତାକ୍ଷର । ଲଫାଫାଟି ସାବଧାନରେ ଚିରିତା ମଧ୍ୟରୁ ଖଣ୍ଡିଏ କ୍ଷୁଦ୍ର ପତ୍ର ବାହାର କଲେ ଚୁନିଲାଲର ନିଜହାତରେ ଲେଖା ସଂକ୍ଷିପ୍ତ ଲିପି । ନିମ୍ନରେ ଉଦ୍ଧୃତ କରାଗଲା ।

 

ପ୍ରିୟ ଭବାନୀ ବାବୁ,

 

ମୋ ହାତରେ ବାରମ୍ବାର ପରାଜିତ ହୋଇ ସୁଦ୍ଧା ମୋତେ ଧରିବା ଲାଗି ଆପଣଙ୍କର ଅଧ୍ୟବସାୟ ଦେଖି ବାସ୍ତବିକ ଆପଣଙ୍କ ଉପରେ ମୋର ଶ୍ରଦ୍ଧା ହେଉଛି । ଆପଣଙ୍କର ପରାଜୟରେ ମୋର ସମବେଦନା ଗ୍ରହଣ କରିବେ । ମୋତେ ଧରିବାର ଆଉ ଗୋଟିଏ ସୁବିଧା ମୁଁ ଆପଣଙ୍କୁ ଦେବାକୁ ଚାହେଁ । ମୁଁ ସମ୍ବାଦ ପାଇଛି ଯେ ଆସନ୍ତା ୧୫ ତାରିଖ ଦିନ କଲିକତାରୁ ଦଶ କେଶ୍‌ ରୌପ୍ୟ ମୁଦ୍ରା ପୁଲିସ ପ୍ରହରୀ ବେଷ୍ଟିତ ହୋଇ ମେଲ ଟ୍ରେନରେ କଟକ ଆସିବ । ମୁଁ ସ୍ଥିର କରିଛି ଯେ ବାଟରେ ମୁଁ ଉକ୍ତ ଦଶକେଶ ଲୁଟ କରିବି । ଆପଣଙ୍କର ଯଦି ଶକ୍ତି ଥାଏ ତେବେ ଆପଣ ତାହା ରକ୍ଷା କରନ୍ତୁ । ଇତି ।

 

ବିଶ୍ୱସ୍ତ

ଚୁନିଲାଲ

 

ଚିଠିଟି ପଢ଼ି ଭବାନୀ ବାବୁ ଗଭୀର ଚିନ୍ତାମଗ୍ନ ହେଲେ । ଚୁନିଲାଲର ପୁଣି ଯୁଦ୍ଧର ଚିଟାଉ । ପୂର୍ବେ ବହୁଥର ବହୁ ଭାବରେ ଚୁନିଲାଲ ହାତରେ ଲାଞ୍ଚିତ ହୋଇ ଭବାନୀବାବୁଙ୍କର ଧୈର୍ଯ୍ୟର ସ୍ତମ୍ଭ କ୍ରମେ ଉପୁଡ଼ି ଆସିଥିଲା । ଏଥର ସେ ନିରାଶ ହେଲେ । ଭବାନୀବାବୁ ଗଭୀର ଚିନ୍ତାରେ ନିମଗ୍ନ ହେଲେ । ବହୁକ୍ଷଣ ଭାବି ଭାବି ସେ ଗୋଟିଏ ଉପାୟ ସ୍ଥିର କଲେ । ଶୁଷ୍କ ଓଠ ତାଙ୍କର ମୃଦୁ ହାସ୍ୟରେ ରଞ୍ଜିତ ହେଲା । ସେ ପୁଲିସ ସାହେବଙ୍କ ସଙ୍ଗେ କଥା କହିବା ଲାଗି ଟେଲିଫୋନ୍ ଉଠାଇଲେ । ତା ପରେ କଣ ଭାବି ସେ ଟେଲିଫୋନରେ ରିସିଭର ଯଥା ସ୍ଥାନରେ ରଖି ଦେଇ ନିଜେ ପୁଲିସ ସାହେଙ୍କ ବଙ୍ଗଳାକୁ ବାହାରିଲେ ।

 

ପୁଲିସ ସାହେବ କୋଠିରେ ଥିଲେ । ମାତ୍ର କେତୋଟି ଦିନ ତଳେ ଅଳକାର ହରଣ ସଂକ୍ରାନ୍ତରେ ଯାହା ମନସ୍ତାପ ସେ ପାଇଥିଲେ—ସେଥିରୁ ସେ ଏ ପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରି ନାହାନ୍ତି । ତାପରେ ଚୁନିଲାଲର ନୂଆ ଯୁଦ୍ଧ ଲିପି ପାଇ ସେ ପାଗଳ ପରି ହେଲେ ।

 

ସାହେବଙ୍କୁ ଅପ୍ରକୃତିସ୍ଥ ଦେଖି ଭବାନୀ ବାବୁ କହିଲେ—

 

‘‘ଭୟ ନାହିଁ ସାର୍‌ ! ଏଥର ଚୁନିଲାଲ ନିଶ୍ଚୟ ଧରାପଡ଼ିବ ।’’

 

‘‘—ମୋର ବିଶ୍ୱାସ ହୁଏନାହିଁ ଭବାନୀବାବୁ’’ ସାହେବ ହତାଶ ଭାବରେ କହିଲେ । ‘ଏ ଅଦ୍ଭୁତ କର୍ମୀ ଦସ୍ୟୁ ସବୁ କରିପାରେ । ମୋତେ ଏଥର ଲଜ୍ଜାରେ ଆତ୍ମହତ୍ୟା କରିବାକୁ ହେବ ଭବାନୀ ବାବୁ ।’’

 

‘‘—ହତାଶ ହୁଅନ୍ତୁ ନାହିଁ ସାର୍‌ ।’’ ଭବାନୀବାବୁ ଆଶ୍ୱାସନା ଦେଇ କହିଲେ ‘‘ସବୁ ଜିନିଷର ସୀମା ଅଛି । ପାତ୍ର ପୂର୍ଣ୍ଣ ହୋଇଗଲା ପରେ ସେ ଉଛୁଳି ପଡ଼େ । ଏଥର ତାର ପାପର ପାତ୍ର ପୂର୍ଣ୍ଣ ହୋଇଯାଇଛି । ଏଥର ନିଶ୍ଚୟ ଉଛୁଳି ପଡ଼ିବ ।’’

 

‘‘—ଆପଣଙ୍କ ଦାର୍ଶନୀକ ଉକ୍ତିରେ ମୋର ଶ୍ରଦ୍ଧା ହେଉନାହିଁ ଭବାନୀବାବୁ । ଆପଣ କଣ କୌଣସି ଉପାୟ ଭଦ୍ଭାବନ କରିଛନ୍ତି ?’

 

‘‘—ନା ସାର୍‌, ମୁଁ ଏପର୍ଯ୍ୟନ୍ତ କୌଣସି ଉପାୟ ଉଦ୍ଭାବନ କରିନାହିଁ । କିନ୍ତୁ ମୋର ଦୃଢ଼ବିଶ୍ୱାସ ଏଥର ଆମେ କୃତକାର୍ଯ୍ୟ ହେବା ।

 

ପୁଲିସ ସାହେବଙ୍କର ତଥାପି ବିଶ୍ୱାସ ହେଲା ନାହିଁ । ସେ କିଛିକ୍ଷଣ ଭାବି କହିଲେ ‘‘ଆଚ୍ଛା ଟ୍ରେଜର ଏସ୍‌କଟ’ର Treasure escort ତାରିଖ ବଦଳାଇ ଦେଲେ ‘‘ନା ସାର୍‌, ସେଥିରେ କୌଣସି ଫଳ ହେବ ବୋଲି ମୋର ମନେ ହେଉନାହିଁ । ତା’ଛଡ଼ା ଗୋଟିଏ ଛେଳି ନ ବାନ୍ଧିଲେ ଆମେମାନେ ବାଘକୁ ମଧ୍ୟ ପାଇବା ନାହିଁ ।’’

 

‘‘—ତା ହେଲେ ଆପଣ କଣ କରିବାକୁ ଚାହାନ୍ତି ?’’ ପୁଲିସ ସାହେବ ପଚାରିଲେ ।

 

‘‘ମୁଁ ନିଜେ ଟ୍ରେଜର୍‌ ଏସ୍‌କଟ୍‌ କରିବା ଲାଗି ଯିବି ।’’ ଭବାନୀ ବାବୁ କହିଲେ ‘‘ମୋ ସଙ୍ଗରେ ସାଧାରଣ ଟ୍ରେଜର୍‌ ଗାର୍ଡ ଯିବେ । କୌଣସି ବିଶେଷ ବନ୍ଦୋବସ୍ତର ପ୍ରୟୋଜନ ନାହିଁ ।’’

 

‘‘—ଆଚ୍ଛା ଆପଣଙ୍କର ଯା ଖୁସି କରନ୍ତୁ । ପୁଲିସ ସାହେବ କହିଲେ ‘‘କିନ୍ତୁ ଫଳ କଣ ହେବ ମୁଁ ଏତେବେଳେ କହିପାରେ ।

 

ଆଉ କିଛିକ୍ଷଣ କଥାବାର୍ତ୍ତା ପରେ ଟ୍ରେଜର ଏସ୍‌କଟର ସବୁ ଦାୟିତ୍ୱ ନିଜ ମୁଣ୍ଡରେ ନେଇ ଭବାନୀ ବାବୁ ନିଜ ଅଫିସକୁ ଫେରିଲେ ।

 

X X X

 

ଚୁନିଲାଲ ଗମ୍ଭୀର ଭାବରେ ଗୋଟିଏ ଚୌକିରେ ବସି କଣ ଭାବୁଥିଲା । ଏକାସନରେ ବହୁକ୍ଷଣ ବସି ବସି ଚୁନିଲାଲ ବ୍ୟସ୍ତ ହେବା ପରି ଜଣାଗଲା । ଥରକୁ ଥର ନିଜ ହାତରେ ବନ୍ଧା ହୋଇଥିବା ଘଡ଼ିଆଡ଼େ ଚାହିଁ ବିରକ୍ତ ଭାବରେ ମନକୁ ମନ କହିଲା ‘‘କଣ ! ଏତେବଳେଯାଏ ଆସିଲା ନାହିଁ !

 

ଏହି ସମୟରେ ଘର ବାହାରେ କାହାରି ଆସିବାର ସୂଚନା ସ୍ୱରୂପ ଶବ୍ଦ ହେଲା । ଚୁନିଲାଲ ଗମ୍ଭୀର ଭାବରେ କହିଲା ‘‘ଭିତରକୁ ଆସ ।’’

 

କବାଟ ଠେଲି ଜଣେ ମଧ୍ୟ ବୟସ୍କ ବଳିଷ୍ଠ ଦେହ ଲୋକ ଉଦ୍ଧତ ପଦକ୍ଷେପରେ ଘରେ ପଶିଲା । ଚୁନିଲାଲ ତାକୁ କୌଣସି କଥା ନକହି କେବଳ ଅନ୍ତର୍ଭେଦୀ ଦୃଷ୍ଟିରେ ଚାହିଁ ରହିଲା । ଆଗନ୍ତୁକ ଚୁନିଲାଲର ଚାହାଣୀରେ ବିନ୍ଦୁମାତ୍ର ତିବ୍ରତ ନ ହୋଇ ପଚାରିଲା ‘‘ମୋତେ କାହିଁକି ଡାକିଥିଲେ ?’’

 

ଚୁନିଲାଲ କିଛିକ୍ଷଣ ଚାହିଁ ରହି ଗମ୍ଭୀର ସ୍ୱରରେ କହିଲା—‘‘ତୁମର ବିଚାର କରିବି ବୋଲି ।’’

 

ବ୍ୟଙ୍ଗଭାବରେ ସାମାନ୍ୟ ହସି ଆଗନ୍ତୁକ କହିଲା ‘‘ମୋର ବିଚାର ? ତୁମର ଭୁଲ ହେଉଛି ଚୁନିଲାଲ । ରହମାନ୍‌ ଶିଶୁ ନୁହେଁ । ତୁମର ଠକାମିରେ ଦଳର ଆଉ ସମସ୍ତେ ଭୁଲି ପାରନ୍ତି-। କିନ୍ତୁ ମୋତେ ଭୁଲାଇବାରେ ଚେଷ୍ଟା ବୃଥା । ଆମରି ଚେଷ୍ଟାରେ ଆମରି ବଳରେ ତୁମେ ଲକ୍ଷ ଲକ୍ଷ ଟଙ୍କା ଲୁଣ୍ଠନ କରିଛ । କିନ୍ତୁ ଆମେ ପାଇଛୁ କଣ ? ତାର ଭାଗ ମୁଁ ଆଜି କଡ଼ା ଗଣ୍ଡାରେ ବୁଝି ନେବାକୁ ଚାହେଁ ।’’

 

‘‘—ତା ନ ହେଲେ ?’’ ଗମ୍ଭୀର ଭାବରେ ଚୁନିଲାଲ ପଚାରିଲା ।

 

ଅଟ୍ଟହାସ୍ୟ କରି ରହମାନ କହିଲା ‘‘ତା ନ ହେଲେ ତୁମର ଏ ସୌଭାଗ୍ୟ କର୍ପୁର ପରି ହାଓ୍ୟାରେ ମିଳାଇ ଯିବ । ଲକ୍ଷପତି ସଚ୍ଚିଦାନନ୍ଦ ମୁହୂର୍ତ୍ତକେ ପୁଣି ଦସ୍ୟୁ ଚୁନିଲାଲରେ ପରିଣତ ହୋଇଯିବ । ସରକାର ପ୍ରଚାର କରିଥିବା ପାଞ୍ଚ ହଜାଟ ଟଙ୍କା ବକ୍‌ସିସ୍‌ ମଧ୍ୟ—’’

 

‘‘Shut up’’ ଚୁନିଲାଲ ଗର୍ଜି ଉଠି ନିଜ ପକେଟରେ ହାତ ପୂରାଇଲା । ନିମିଷକ ମଧ୍ୟରେ ରହମାନ ମଧ୍ୟ ଗୋଟିଏ ପିସ୍ତଲ ଉଦ୍ୟତ କରି କହିଲା ‘‘ଧୀରେ ଚୁନିଲାଲ । ତୁମ ଫାଶିର କାମ ତେବେ ମୋତେଇ ପୂର୍ଣ୍ଣ କରିବାକୁ ହେବ ।’’

 

ଗୁଡ଼ୁମ୍‌ ଶବ୍ଦରେ ଘର କମ୍ପି ଉଠିଲା । ତାପରେ ମୁହୂର୍ତ୍ତକରେ ସବୁ ଶେଷ । ରହମାନ ପିସ୍ତଲର ଘୋଡ଼ା ଟିପିବା ପୂର୍ବରୁ ଚୁନିଲାଲର କୋଲ୍‌ଟର ପିସ୍ତଲ ଗର୍ଜି ଉଠିଲା । ବିଦ୍ରୋହୀ ଦସ୍ୟୁ ରହମାନ୍‌ର ହୃତ୍‌ପିଣ୍ଡ ବିଦ୍ଧ କଲା । ନିମିଷକେ ତାର ଉନ୍ନତ୍ତ ଦେହ ସେହିଠାରେ ଢଳି ପଡ଼ିଲା ।

 

ଚୁନିଲାଲ ରହମାନର ମୃତଦେହ ଅବଲୀଳା କ୍ରମେ ବୋହୀ ନେଇ ଗୋଟିଏ ଗୁପ୍ତ କୋଠରୀ ମଧ୍ୟରେ ପଶିଲା । ଏହି କୋଠରୀଟି ଚୁନିଲାଲର ନିଜ ନିର୍ଦ୍ଦେଶରେ ବିଶେଷ ଭାବରେ ନିର୍ମିତ । ରହମାନର ମୃତଦେହଟି ଭୂଇଁରେ ଥୋଇ ଚୁନିଲାଲ ଘର ମଝିରୁ ଗୋଟିଏ ତକ୍ତା ଉଠାଇ ଦେଲା । ତକ୍ତାଟି ଉଠାଇ ନେଇ ଘରର ସେହି ଫାଙ୍କ ମଧ୍ୟ ଦେଇ ଚୁନିଲାଲ ତଳକୁ ଚାହିଁଲା । ପ୍ରାୟ ଚାଳିଶ ଫୁଟ ତଳେ ଗୋଟିଏ ପ୍ରକାଣ୍ଡ ଚୌବଚା । ସେଥିରେ ପ୍ରାୟ ଏକଫୁଟ ଗଭୀର ପାଣି ମଧ୍ୟ ଥିଲା । ତାରି ମଧ୍ୟରେ ଦୁଇଟି କ୍ଷୁଧାର୍ତ୍ତ କୁମ୍ଭୀର ଉପରକୁ ଆଁ କରି ପଡ଼ିଥିଲେ । ଏ ଦୁଇଟି ଭୀଷଣ ଜନ୍ତୁଙ୍କୁ ଚୁନିଲାଲ ଯୋଗାଡ଼ କରି ଏଠାରେ ରଖିଛି । ତା’ପରେ ରହମାନର ମୃତଦେହକୁ ଟେକିଆଣି ଚୁନିଲାଲ ଅକମ୍ପ ହୃଦୟରେ ସେହି ଚୌବଚା ମଧ୍ୟରେ ନିକ୍ଷେପ କଲା ।

 

ତା’ପରେ ତକ୍ତାଟି ଯଥାସ୍ଥାନରେ ଥୋଇ ଚୁନିଲାଲ ନିଜ କୋଠରୀକୁ ଫେରିଆସିଲା । କେତେକ ମିନିଟ୍‌ ଏତେବଡ଼ ଗୋଟିଏ ନରହତ୍ୟାର ସବୁ ପ୍ରମାଣ ନିଃଶେଷ ହୋଇଗଲା ।

 

ସଚ୍ଚିଦାନନ୍ଦର ପ୍ରାସାଦରେ ଥିବା ଅନ୍ୟାନ୍ୟ ଅନୁଚରମାନେ ରହମାନର ବିଦ୍ରୋହ କଥା ଶୁଣିଥିଲେ । ରହମାନ୍‌କୁ ସର୍ଦ୍ଦାର ନିକଟକୁ ଯିବାର ଦେଖିଥିଲେ । ତା’ପରେ ସର୍ଦ୍ଦାରଙ୍କ କୋଠରୀରେ ବନ୍ଧୁକର ଶବ୍ଦ ମଧ୍ୟ ଶୁଣିଲେ । ଏବଂ ରହମାନ୍‌କୁ ଆଉ ଫେରିଆସିବାର ଦେଖିଲେ ନାହିଁ । କାହାରି ବୁଝିବାକୁ ବାକି ରହିଲା ନାହିଁ ଯେ ରହମାନ୍ ଆଉ ପୃଥିବୀରେ ନାହିଁ ।

 

ଚୁନିଲାଲ ନିଜ କୋଠରୀକୁ ଫେରିଆସି ରାଧାକୁ ଡକାଇ ପଠାଇଲା । ତା’ରି ଆଦେଶରେ ରାଧା ଘରେ ପଶିଲା । ସୁନ୍ଦର ତରୁଣୀ । ମଧୁର ହସ ହସି ରାଧା ଆସି ଛିଡ଼ା ହେଲା ଚୁନିଲାଲ ପାଖରେ ।

 

ଚୁନିଲାଲ ରଙ୍ଗୀତରେ ଖଣ୍ଡିଏ ଚୌକି ଦେଖାଇ କହିଲା । ‘‘ବସ୍‌’’

 

ରାଧା ଖଣ୍ଡିଏ ଚୌକିରେ ବସିଲା । କିଛିକ୍ଷଣ ନୀରବ ରହି ଚୁନିଲାଲ କହିଲା ‘‘ରାଧା, ତୁମକୁ ଗୋଟିଏ କାମ କରିବାକୁ ହେବ ।’’

 

ଜିଜ୍ଞାସୁ ନୟନରେ ରାଧା ଚୁନିଲାଲ ଆଡ଼େ ଚାହିଁଲା ।

 

‘‘ତୁମକୁ ଏଠାରୁ ଅନ୍ୟ ଆଡ଼େ ଚାଲି ଯିବାକୁ ପଡ଼ିବ । କୌଣସି କାରଣରୁ ବର୍ତ୍ତମାନ ତୁମର ଉପସ୍ଥିତି ମୋ ପ୍ରତି ମଙ୍ଗଳକର ନୁହେଁ । ତୁମକୁ ମୁଁ ଯଥେଷ୍ଟ ଟଙ୍କା ଦେବି । ପୁଲିସର ଅଗୋଚରରେ ଏଠାକୁ ଚାଲିଯିବାକୁ ମଧ୍ୟ ସାହାଯ୍ୟ କରିବି । ତୁମେ ଏଠାରୁ କଲିକତା କିମ୍ବା ବନାରସ ଚାଲି ଯାଇ ସ୍ୱାଧୀନ ଭାବରେ ଜୀବନ ଯାପନ କରିପାର । ତୁମକୁ ମୁଁ ମୁକ୍ତି ଦେଲି ।’

 

ଅଶ୍ରୁ ସଜଳ ଆଖିରେ ରାଧା କ୍ଷଣକାଳ ଚୁନିଲାଲ ଆଡ଼େ ଚାହିଁ ରହିଲା । ତା’ପରେ କହିଲା ‘‘କିନ୍ତୁ ମୁଁ ତ ମୁକ୍ତି ଚାହେଁନା । ମୁଁ ଯେ ଚାହେଁ ବନ୍ଧନ । ମୁଁ ତ ମୁକ୍ତ ଥିଲି । ଅର୍ଥାଭାବ ମୋର ମୋଟେ ନ ଥିଲା । ସବୁ ଛାଡ଼ି ମୁଁ ତୁମକୁ ଆଶ୍ରୟ କରିଥିଲି କ’ଣ ଏହିପରି ଭାବରେ ମୁକ୍ତି ପାଇବା ଲାଗି ? ମୁଁ ତୁମକୁ ଛାଡ଼ି ଯିବି ନାହିଁ ।’’

 

ଅପେକ୍ଷାକୃତ କୋମଳ ସ୍ୱରରେ ଚୁନିଲାଲ କହିଲା ‘‘ପାଗଳ ପରି କଥା କୁହନାହିଁ ରାଧା-। ତୁମେ ଜାଣ ମୋର ଆଦେଶ ଲଙ୍ଘନର ଶାସ୍ତି କ’ଣ ।

 

‘‘—ଜାଣେ ସର୍ଦ୍ଦାର । ତାହା ମୃତ୍ୟୁ । କିନ୍ତୁ ସେ ଭୟ ମୋତେ ଦେଖାଅ ନାହିଁ ସର୍ଦ୍ଦାର । ଗୋଟିଏ କଥା ଆଜି ମୁଁ ତୁମକୁ କହିବି । ଯାହା ମୁଁ ଜୀବନରେ କାହାକୁ କହିନାହିଁ । ଭାବିଥିଲି ଯାହା ମୋ ସହିତ ଚିତା ଶଯ୍ୟା ପାଇବ । ତାହାହିଁ ମୁଁ ଆଜି ତୁମକୁ କହିବି । କାରଣ ଆଉ ହୁଏତ କହିବାକୁ ମୋର ଅବସର ହେବ ନାହିଁ । ତୁମର ଇଚ୍ଛାଶକ୍ତି ମୁଁ ଜାଣେ । ତୁମର ସଂକଳ୍ପ ମୁଁ ଟଳାଇ ପାରିବି ସେ ଶକ୍ତି ମୋର ନାହିଁ । ମୁଁ ଗଣିକା ହେଲେ ବି ଉଚ୍ଚଶିକ୍ଷା ଲାଭ କରିଥିଲି । ମୋର ଜୀବନ କଳ୍ପନା ଅଦ୍ଭୁତ ରକମର ଥିଲା । ମୁଁ ଆଜି ବୁଝି ପାରୁଛି—ମୋର ଉଚ୍ଚଶିକ୍ଷା ଏବଂ ଉଚ୍ଚ ଅଭିଳାଷ ମୋତେ ଗଣିକା କରିଥିଲା । କିନ୍ତୁ ମୁଁ କେବେହେଲେ କୌଣସି ପୁରୁଷକୁ ସ୍ପର୍ଶ କରି ନାହିଁ । ନାଚ ଓ ଗୀତ ଥିଲା ମୋର ଜୀବନରେ ଏକମାତ୍ର କର୍ମ । ମୁଁ ଜୀବନରେ ଅଭିଜ୍ଞତା ଚାହିଁଥିଲି । ପାଇଲି ମଧ୍ୟ ଯଥେଷ୍ଟ । ସମାଜର ବିଶିଷ୍ଟ ଲୋକ–ଅତି ଗଣ୍ୟ ମାନ୍ୟ ବ୍ୟକ୍ତିମାନେ ମୋର ବିନ୍ଦୁମାତ୍ର କରୁଣା ଲାଭ କରିବା ପାଇଁ ମୋ ଗୋଡ଼ ତଳେ ମୁଣ୍ଡ ନୁଆଁଇଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ମୋ ମନ ଯେପରି ଚାହୁଥିଲା ସେପରି ଜଣେ ହେଲେ ମୁଁ ପାଇଲି ନାହିଁ ।

 

ତା’ପର ଆଉ ଗୋଟିଏ ରାତିକଥା ମନେକର । ଦସ୍ୟୁ ଚୁନିଲାଲ ଭୟରେ ଯେତେବେଳେ ସାରା କଲିକତା ସନ୍ତ୍ରସ୍ତ—ସେତିକିବେଳେ ଗୋଟିଏ ଗଭୀର ଝଡ଼ବର୍ଷ ରାତିରେ ରକ୍ତାକ୍ତ କ୍ଷତ ନେଇ ତୁମୋ ନିକଟରେ ପହୁଞ୍ଚିଲ । ବିନା ଆଡ଼ମ୍ବରରେ କହିଲ ମୁଁ ଦସ୍ୟୁ ଚୁନିଲାଲ । ମୁଁ ତୁମକୁ ଚାହିଁ ଦେଖିଲି । ତୁମର ସେଇ ଉଜ୍ଜ୍ୱଳ ଆଖି ଦୁଇଟି ଦେଖିଲି । ମୁଁ ଯେପରି ଦୀପ୍ତିବନ୍ତ ପୁରୁଷ ଚାହୁଁଥିଲି —ଠିକ୍‌ ସେହି । ସେହିଦିନ ଠାରୁ ମୁଁ ଧନଦଉଲତ ସବୁ ଜଳାଞ୍ଜଳି ଦେଇ ତୁମକୁ ଆଶ୍ରୟ କଲି ।

 

କିଛିକ୍ଷଣ ନୀରବ ରହି ପୁଣି ରାଧା କହିଲା ‘‘ମୁଁ ଚାଲିଗଲେ ଯଦି ତୁମର ମଙ୍ଗଳ ହେବ ତେବେ ମୁଁ ଯିବି । କିନ୍ତୁ ମୋର ଅର୍ଥରେ ପ୍ରୟୋଜନ ନାହିଁ । ଯାହା ଦିନେ ମୁଁ ସ୍ୱେଚ୍ଛାରେ ଛାଡ଼ି ଆସିଛି ଆଉ ମୋର ତାହା ଲୋଡ଼ା ନାହିଁ । ମୁଁ ଚାଲିଯିବି ।’’

 

କୋହରେ ରାଧାର କଣ୍ଠରୁଦ୍ଧ ହେଲା । ଆଉ କିଛି ସେ କହି ପାରିଲା ନାହିଁ । ଚୁନିଲାଲକୁ ଗୋଟିଏ ପ୍ରଣାମ କରି ଧୀରେ ଧୀରେ ରାଧା ସେ କକ୍ଷ ତ୍ୟାଗ କଲା ।

 

ଏଡ଼େବଡ଼ ଗୋଟିଏ ବିୟୋଗାନ୍ତ ଜୀବନ ନାଟ୍ୟ ମଧ୍ୟ ପାଷାଣ ହୃଦୟ ଚୁନିଲାଲ ମନରେ ବିନ୍ଦୁମାତ୍ର ରେଖା ପାତ କଲାନାହିଁ । ସେ ଗମ୍ଭୀର ହୋଇ ସେହିପରି ବସିଲା ।

 

X X X

 

ପନ୍ଦର ତାରିଖ ସନ୍ଧ୍ୟା । ଇନ୍‌ସପେକ୍‌ଟର ଭବାନୀ ମହାପାତ୍ର ଟ୍ରେଜର ଏସ୍‌କଟ୍‌ର ଭାର ପ୍ରାପ୍ତ କର୍ମଚାରୀ ହୋଇ ଦିନକ ଆଗରୁ କଲିକତା ଆସିଥିଲେ । ଯଥାବିଧି ବନ୍ଦୋବସ୍ତ କରି ଅପେକ୍ଷାକୃତ ନିଶ୍ଚିନ୍ତ ମନରେ ସନ୍ଧ୍ୟାବେଳକୁ ହାବଡ଼ା ଷ୍ଟେସନକୁ ଫେରି ଆସିଲେ । ମାନ୍ଦ୍ରାଜ ମେଲ୍‌ରେ ଟ୍ରେଜର ଯିବ । ଯଥାରୀତି ପୁଲିସ ପ୍ରହରୀ ବେଷ୍ଟିତ ହୋଇ ଟ୍ରକ୍‌ରେ ଯଥା ସମୟରେ ଟ୍ରେଜର ହାବଡ଼ା ଷ୍ଟେସନରେ ଆସି ପହଞ୍ଚିଲା । ରେଲଉୟେର ଟ୍ରେଜର ଗାର୍ଡ଼ ବାକ୍‌ସଗୁଡ଼ିକରେ ସିଲ ପ୍ରଭୃତି ଠିକ୍‌ ଅଛି କି ନା ପରୀକ୍ଷା କରି ବାକ୍‌ସ ସବୁ ବ୍ରେକ୍‌ ଭ୍ୟାନ୍‌ରେ ରଖିଲେ । ବାକ୍‌ସ ଗୁଡ଼ିକ ରଖିବା ପୂର୍ବରୁ ଭବାନୀବାବୁ ଥରେ ବ୍ରେଜ୍‌ ଭ୍ୟାନ୍‌ଟି ଭଲ କରି ପରୀକ୍ଷା କରିନେଲେ । ତା’ପରେ ବ୍ରେକ୍‌ ଭ୍ୟାନ୍‌ର ଦୁଇପଟେ ମଜବୁତ ତାଲା ଲଗାଇ ସଶସ୍ତ୍ର ପ୍ରହରୀ ଜାଗି ରହିଲେ । ଗାଡ଼ି ଛାଡ଼ିବାକୁତଥାପି କିଛିକ୍ଷଣ ବିଳମ୍ବ ଥାଏ । ଭବାନୀବାବୁ ପ୍ଲାଟ୍‌ଫରମ୍‌ ଉପରେ ବୁଲୁ ପ୍ରତ୍ୟେକ ଯାତ୍ରୀଙ୍କର ଗତିବିଧି ମନଯୋଗ ସହକାର ନିରୀକ୍ଷଣ କରିବାକୁ ଲାଗିଲେ । କେତେ ଯାତ୍ରୀ ଆସିଲେ । କିନ୍ତୁ ଚୁନିଲାଲ ବା ଅନ୍ୟ କୌଣସି ସନ୍ଦେହଜନକ ବ୍ୟକ୍ତି ସେ ଗାଡ଼ିରେ ଥିବାପରି ଭବାନୀବାବୁଙ୍କର ମନେ ହେଲା ନାହିଁ ।

 

ଘଣ୍ଟା ବାଜିଲା । ଗାର୍ଡ଼ ସାହେବ ନେଳି ଆଲୁଅ ଦେଖାଇଲେ । ଭବାନୀ ବାବୁ ଶେଷ ଥର ପାଇଁ ଚାରିଆଡ଼େ ଭଲଭାବରେ ଚାହିଁ ଗୋଟିଏ ସେକେଣ୍ଡ କ୍ଲାସରେ ବସିଲେ ।

 

ମାନ୍ଦ୍ରାଜ ମେଲ୍‌ ଦିଗ୍‌ବିଜୟୀ ଦୈତ୍ୟପରି ଧାଇଁଲା । ଭବାନୀ ବାବୁଙ୍କ କୋଠରୀରେ ସେ ଏକମାତ୍ର ଯାତ୍ରୀ । ମୌନ ହୋଇ ଭବାନୀବାବୁ ଆକାଶ ପାତାଳ ଭାବୁଥାନ୍ତି । ମେଲ୍‌ ଟ୍ରେନ୍‌ ସବୁ ଷ୍ଟେସନରେ ରହେନାହିଁ । ଯେଉଁ ଷ୍ଟେସନରେ ରହେ—ସଶସ୍ତ୍ର ପୁଲିସ ପ୍ରହରୀ ସାଙ୍ଗେ ସାଙ୍ଗେ ଟ୍ରେନରେ ଭ୍ୟାନ୍‌ର ଦୁଇ ପଟେ ପହରା ରହନ୍ତି । ରେଲ୍‌ଓୟେ ଟ୍ରେଜର ଗାର୍ଡ ଭ୍ୟାନ୍‌ର ତାଲା ଖୋଲି ଭଲଭାବରେ ପୁଣି ଦେଖି ନିଅନ୍ତି । ତାପରେ ଗାଡ଼ି ଛାଡ଼େ ।

 

ଭବାନୀବାବୁ ଗୋଟିଏ ସେକେଣ୍ଡ କ୍ଲାସ କୋଠରୀରେ ଏକା ବସି ନାନା କଥା ଭାବୁଥାନ୍ତି । ଶୁକ୍ଳ ସପ୍ତମୀର ଜହ୍ନ କ୍ରମେ ବୁଡ଼ିଗଲା । ଚତୁର୍ଦ୍ଦିଗ ଅନ୍ଧକାରମୟ ହୋଇଗଲା । ଭବାନୀବାବୁ ପ୍ରତି ମୁହୂର୍ତ୍ତରେ ଅଜ୍ଞାତ ବିପଦ ଆଶଙ୍କା କରି ଉଦ୍‌ବେଗମୟ ମୁହୂର୍ତ୍ତ କଟାଇବାକୁ ଲାଗିଲେ । କ’ଣ ଯେ ହେବ ତାହା କିଏ କହିପାରେ ? ଦୁର୍ଦ୍ଧର୍ଷ ଦସ୍ୟୁ ହୁଏତ ନିଜ ପ୍ରତିଜ୍ଞା ରକ୍ଷା କରିବା ଲାଗି ଡିନାମାଇଡ଼ ଦେଇ ପୂରା ଟ୍ରେନ୍‌ଟା ଉଡ଼ାଇଦେବ ବା ଆଉ କିଛି କିଛି କରିବ । ନା କିଛି କିଛି ଯେ କରିବି ଏହା ଧୁବ ସତ୍ୟ ।

 

ଭଦ୍ରକରୁ ଗାଡ଼ି ନିରାପଦରେ ଛାଡ଼ିଲା । ଏଥର ଆଉ ମଝିରେ କେଉଁଠାରେ ରହିବାର ନାହିଁ । ଭବାନୀ ବାବୁଙ୍କର ଉତ୍କଣ୍ଠା ଏଥର ପ୍ରବଳ ହେଲା । ଗୋଟିଏ ଗୋଟିଏ ମୁହୂର୍ତ୍ତ ତାଙ୍କୁ ଗୋଟିଏ ଗୋଟିଏ ଯୁଗ ପରି ଲାଗିଲା । ଯାଜପୁର, ଜେନାପୁର, ଗଡ଼ମଧୁପୁର, ହରିଦାସପୁର, ଧାନମଣ୍ଡଳ, ଓ ବୈରୀ ଷ୍ଟେସନ ଚାଲିଗଲା । କ୍ରମେ ଭବାନୀ ବାବୁଙ୍କ ଉତ୍କଣ୍ଠା କମି ଆସିଲା ।

 

ନିର୍ଗୁଣ୍ଡି ଷ୍ଟେସନରେ ଲାଇଟ ମଧ୍ୟ ଦେଖାଗଲା । ନିର୍ଗୁଣ୍ଡି, ଜଗତପୁର ଗଲେ କଟକ । ମାତ୍ର ପାଞ୍ଚ ମିନିଟ୍‌ ପରେ ମେଲଟ୍ରେନ୍‌ କଟକ ଷ୍ଟେସନ ଧରିବ । ଆଉ ଭୟନାହିଁ ।

 

କିନ୍ତୁ ନିର୍ଗୁଣ୍ଡି ଷ୍ଟେସନର ଡିସ୍‌ଟାଣ୍ଟ ସିଗ୍‌ନାଲ (Distant signal) ନିକଟରେ ହଠାତ୍‌ ଟ୍ରେନ୍‌ ରହିଗଲା । ଭବାନୀବାବୁ ଚମକି ପଡ଼ିଲେ । ସାଙ୍ଗେ ସାଙ୍ଗେ ସେ ଟ୍ରେନ୍‌ରୁ ତଳକୁ ଡେଇଁପଡ଼ି ପୁଲିସ ପ୍ରହରୀମାନଙ୍କୁ କଣ ନିର୍ଦ୍ଦେଶ ଦେଲେ । ଆଠଜଣ ପ୍ରହରୀ ସଙ୍ଗୀନଯୁକ୍ତ ରାଇଫଲ ନେଇ ଟ୍ରେନର ଭ୍ୟାନ୍‌ର ଦୁଇପଟ ଜଗି ରହିଲେ । ଭବାନୀବାବୁ ପାଗଳ ପରି ଗାର୍ଡ ନିକଟକୁ ଦୌଡ଼ି ଯାଇ ପଚାରିଲେ ‘‘ଗାର୍ଡ ସାହେବ ! ଟ୍ରେନ୍ ଏଠାରେ ରହିବାର କାରଣ କ’ଣ ?’’

 

ଫିରଙ୍ଗୀ ଗାର୍ଡ ସାହେବ ଏହି ସାମାନ୍ୟ କାରଣରେ ଜଣେ ପୁଲିସ କର୍ମଚାରୀଙ୍କର ଏପରି ବ୍ୟସ୍ତତାର କୌଣସି କାରଣ ଠିକ୍‌ କରି ନ ପାରି ସାମାନ୍ୟ ହସି କହିଲେ, ‘‘ସିଗ୍‌ନାଲ୍ ଦିଆ ହୋଇନାହିଁ ବୋଲି ଟ୍ରେନ ରହିଛି । କିନ୍ତୁ ଏଥିରେ ଆପଣ ଏପରି ବିଚଳିତ ହେଉଛନ୍ତି କାହିଁକି ? ଏହାତ ଅତି ସାଧାରଣ ଘଟଣା । ଏହିକ୍ଷଣି ସିଗ୍‌ନାଲ ଦେଲେ ପୁଣି ଗାଡ଼ି ଛାଡ଼ିବ ।’’

 

ଇନ୍‌ସପେକଟର ଗାର୍ଡକୁ ଆଉ କୌଣସି କଥା ନ କହି ଫେରିଲେ । ଟ୍ରେଜର ଗାର୍ଡ ଯଥା ନିୟମ ଟେଜ୍‌ର ଭ୍ୟାନ୍‍ର ଚାବି ଖୋଲି ସବୁ ଦେଖିଲେ ଓ ପ୍ରାୟ ପାଞ୍ଚ ମିନିଟ୍‌ ପରେ ପୁଣି ଚାବି ବନ୍ଦ କରି ନିଜ ଡବାକୁ ଗଲେ । ସିଗନାଲ ଦିଆହେଲା । ଟ୍ରେନ୍‌ ଛାଡ଼ିଲା । ଟ୍ରେନ୍‌ ଛାଡ଼ିବା ପର୍ଯ୍ୟନ୍ତ ଭବାନୀବାବୁ ତୀକ୍ଷ୍‌ଣ ଦୃଷ୍ଟିରେ ଚାରିଆଡ଼େ ଚାହିଁଥିଲେ । ତା’ପରେ ଅପେକ୍ଷାକୃତ ଆଶ୍ୱସ୍ତ ହୃଦୟରେ ନିଜ କୋଠରୀରେ ଯାଇ ବସିଲେ । ମୁହୂର୍ତ୍ତକ ମଧ୍ୟରେ ମେଲ୍‌ଟ୍ରେନ ଜଗତପୁର ପାରିହୋଇ ମହାନଦୀ ପୋଲ ଉପରେ ପଡ଼ିଲା । ଦାରୁଣ ଉତ୍କଣ୍ଠାରେ ଭବାନୀବାବୁ ଦୂରରେ କଟକ ଷ୍ଟେସନରେ ଆଲୋକମାଳାକୁ ଚାହିଁ ରହିଲେ । ଆଉ ମାତ୍ର ଦୁଇ ମିନିଟ୍‌ ।

 

ଗାଡ଼ି କଟକ ଷ୍ଟେସନ ପ୍ଲାଟ ଫରମ ଉପରେ ଠିଆ ହୋଇଛନ୍ତି । ଆନନ୍ଦରେ ଭବାନୀ ବାବୁ ତଳକୁ ଡେଇଁ ପଡ଼ିଲେ । ସଶସ୍ତ୍ର ପ୍ରହରୀ ସେହିକ୍ଷଣି ଟ୍ରେଜର୍‌ଭ୍ୟାନ୍‌ର ଦୁଇପଟ ଜଗି ନେଲେ । ପୁଲିସ ସାହେବ ଆନନ୍ଦରେ ଭବାନୀ ବାବୁଙ୍କ ସହିତ କରମର୍ଦ୍ଦନ କରି କହିଲେ ‘‘ମୁଁ ବରାବର ଟେଲିଫୋନ୍‌ରେ ଖବର ନେଉଥିଲି ଯେ କୌଣସି ଗଣ୍ଡଗୋଳ ହୋଇଛି କି ନାହିଁ । ଯାହା ହେଉ ଆପଣ ମୋର ଧନ୍ୟବାଦ ଗ୍ରହଣ କରନ୍ତୁ ।

 

ବାହାରେ ସଶସ୍ତ୍ର ପୁଲିସ ଭ୍ୟାନ୍‌ ଅପେକ୍ଷା କରିଛି । ଟଙ୍କାର କେସ୍‌ ଗୁଡ଼ିକ ନିରାପଦରେ ନେଇ ଟ୍ରେଜରିରେ ଦାଖଲ କରିବା ପରେ ପୁଲିସର ଦାୟୀତ୍ୱ ଶେଷ ହେବ । ଟ୍ରେଜର ଗାଡ଼ି ଆସିଲେ ବ୍ରେକ୍‌ ଭ୍ୟାନ୍‍ର ଦୁଆର ଖୋଲି କେସ୍‌ ଗୁଡ଼ିକର ଚାର୍ଜ ଦେବେ । କିନ୍ତୁ ଟ୍ରେଜର୍‌ ଗାର୍ଡର ଡେରି ହେଉଛି ଦେଖି ଭବାନୀବାବୁ ନିଜେ ଗାର୍ଡର ବ୍ରେକ୍‌କୁ ଗଲେ । ସେଠାରେ ଯାଇ ବ୍ରେକ୍‌ ଭ୍ୟାନ୍‌ ଭିତରକୁ ଚାହିଁ ଭବାନୀବାବୁ ଚିତ୍କାର କରି ଉଠିଲେ । ଦେଖିଲେ ଗାର୍ଡ ସାହେବ ହାତ ଗୋଡ଼ ଓ ମୁହଁ ବନ୍ଧା ହୋଇ ପଡ଼ିଛନ୍ତି । ତାଙ୍କ ଦେହରେ ରେଲ୍‌ଓୟେର ପୋଷାକ ନାହିଁ । ଖଣ୍ଡିଏ ଅଣ୍ଡର ଓୟାର ମାତ୍ର ପିନ୍ଧି ପଡ଼ିଛନ୍ତି । ପୁଲିସ ସାହେବ ଓ ଜିଲାମାଜିଷ୍ଟ୍ରେଟ ଭବାନୀବାବୁଙ୍କର ଚିତ୍କାର ଶୁଣି ସେଠାରେ ପହଞ୍ଚିଲେ । ଘଟଣା ଦେଖି ସେମାନେ ସ୍ତମ୍ଭିତ ହୋଇଗଲେ । ପୁଲିସ ସାହେବ ପାଗଳଙ୍କ ପରି ହେଲେ । କିନ୍ତୁ ଯାହା ହେବାର ହୋଇଛି । ଭବାନୀବାବୁ ଧୈର୍ଯ୍ୟଧରି ବ୍ରେକ୍‌ଭ୍ୟାନ୍‌ର ଦୁଆର ଭାଙ୍ଗି ଦେଖିଲେ ଯେ ସେଥିରେ ଗୋଟିଏ ହେଲେ କେସ୍‌ ନାହିଁ । ସବା ତଳ ତକ୍ତା ଉପରୁ ଚାରିକୋଣିଆ ଖଣ୍ଡିଏ ପଟା ଉଠାଇ ଦିଆ ଯାଇଛି ଓ ସେହିବାଟେ ସବୁ କେସ୍‌ ଗୁଡ଼ିକ ଲାଇନ୍‌ ତଳକୁ ଗଳାଇ ପକା ହୋଇଛି ।

 

X X X

 

ତା’ ପରଦିନ ।

 

ଅଳକା ପାଇଁ ଦିଆ ହୋଇଥିବା ସୁସଜ୍ଜିତ କକ୍ଷରେ ଅଳକା ଗୋଟିଏ ଚୌକିରେ ବସିଛି-। କିଛି ଦୂରରେ ଦୀର୍ଘ ଦେହି ଚୁନିଲାଲ ମୁହଁରେ ଖଣ୍ଡିଏ କଳା ପଟି ବାନ୍ଧି ବସିଛି ।

 

ଚୁନିଲାଲ କହିଲା ‘‘ଶୁଣ ଅଳକା, ମୋର ପ୍ରଥମ ଜୀବନରେ ମୁଁ ତୁମକୁ ପାଇବା ପାଇଁ ବହୁଥର ହାତ ପତାଇଛି । କିନ୍ତୁ ପାଇନାହିଁ ସେଇଥିପାଇଁ ମୁଁ ପ୍ରତିଜ୍ଞା କଲି ଜୀବନରେ କେବେହେଲେ ହାତ ପତେଇବି ନାହିଁ । ଯାହା ମୋର ଆବଶ୍ୟକ ବୋଲି ଜାଣିବି ତା ମୁଁ ଜୋର କରି ଛଡ଼ାଇ ଆଣିବି । ସେଇଥିପାଇଁ ମୁଁ ଆଜି ସମାଜ ଆଖିରେ ହୀନ ଭୀଷଣ ନରହନ୍ତା ଦସ୍ୟୁ ।

 

ଅଳକା ଘୃଣାଭରା ସ୍ୱରରେ କହିଲା ‘‘ସମାଜ ମତହିଁ ମାନବ ଚରିତ୍ରର ମାନଦଣ୍ଡ । ସମାଜ ଯଦି ତୁମକୁ ଦସ୍ୟୁ ବୋଲି କହିଛି ତେବେ ତୁମେ ଦସ୍ୟୁ ଛଡ଼ା ଆଉ କିଛି ନୁହେଁ । ମୁଁ ସମାଜର ବାହାରେ ନୁହେଁ । ସମାଜ ଯଦି ତୁମକୁ ଘୃଣାକରେ ତେବେ ମୁଁ ମଧ୍ୟ ତୁମକୁ ଘୃଣାକରେ-।’’

 

‘‘—କାହିଁକି ଅଳକା ଦେବୀ ! ଚୁନିଲାଲ କହିଲା ‘‘ମୋର କଣ ନାହିଁ ? ଉଚ୍ଚଶିକ୍ଷା, ବଳ; ବୀର୍ଯ୍ୟ, ସାହସ ସବୁ ଅଛି । କେବଳ ମୋର ନାହିଁ ଗୋଟିଏ କଲ୍ୟାଣୀ ଦରଦୀ, ଯାର ସ୍ନେହପ୍ରେମ ଓ କରୁଣାରେ ମୋ ହୃଦୟର ଶୁପ୍ତ କୋମଳ ବୃତ୍ତି ଗୁଡ଼ିକ ପ୍ରଭାବିତ ହେବ । ଶୁଣ ଅଳକା, ମୋ ଜୀବନରେ ଯେ ନାରୀର ଆବିର୍ଭାବ ହୋଇନାହିଁ ତା ନୁହେଁ । କେତେ ରୂପସୀ ବିଦୁଷୀ ତାଙ୍କର ରୂପର ଫାନ୍ଦ ଘେନି ମୋତେ ବନ୍ଦି କରିବେ ବୋଲି ମୋ ଜୀବନ ପଥ ଓଗାଳି ଛିଡ଼ା ହୋଇଛନ୍ତି । କିନ୍ତୁ ସେମାନେ ପାରି ନାହାନ୍ତି ମୋର ଗତି ବନ୍ଦକରି । କାହିଁକି ମୁଁ ଦସ୍ୟୁ ? କାହିଁକି ବା ମୁଁ ଘୃଣ୍ୟ ଅଳକା ଦେବୀ ? ଏ ଦୁନିଆରେ ଦସ୍ୟୁ ନୁହେଁ କିଏ ? କେଉଁ ବଡ଼ଲୋକ ନିଜର ଧନ ଭଣ୍ଡାର ପୂର୍ଣ୍ଣ କରିଛି ଦରିଦ୍ରମାନଙ୍କର ତଣ୍ଟି ନ ଚିପି ? ଶୁଣ ଅଳକା, ଯଦି ତୁମେ ଚାହାନ୍ତି ତେବେ ହୁଏତ ମୋର ଜୀବନର ଧାରା ମୁଁ ବଦଳାଇ ପାରନ୍ତି । ତୁମକୁ ପାଇଲେ ଦସ୍ୟୁ ଚୁନିଲାଲ ଭଦ୍ର ନାଗରିକରେ ପରିବର୍ତ୍ତିତ ହୁଅନ୍ତା । ପାରିବ, ପାରିବ ଅଳକା ।

 

ଦାରୁଣ ଘୃଣାରେ ଅଳକା ଚଉକି ଛାଡ଼ି ଉଠି ପଡ଼ିଲା । ଠିକ୍‌ ଏହି ସମୟରେ ବଜ୍ରପାତ ପରି ତଳ ମହଲାର କେଉଁଠାରେ ଗୋଟାଏ ବିସ୍ଫୋରଣ ହେଲା । ସମସ୍ତ ଘର ଭୂମିକମ୍ପ ପରି ଥରି ଉଠିଲା । ଚୁନିଲାଲ ବା ଅଳକା କେହି କିଛି ବୁଝି ନ ପାରି ପରସ୍ପର ପରସ୍ପରକୁ ଚାହିଁ ରହିଲେ ।

 

ଏହାହିଁ ବୋଧହୁଏ ଚୁନିଲାଲର ଇପ୍‌ସିତ ଶୁଭଦୃଷ୍ଟି । ଏହି ସମୟରେ ସମଗ୍ର ଅଟ୍ଟାଳିକା କମ୍ପାଇ ପୁଣି ଏକ ବିସ୍ଫୋରଣ । ତା ସଙ୍ଗେ ସଙ୍ଗେ ଛାତର ଖଣ୍ଡେ ଅଂଶ ଭାଙ୍ଗି ଅଳକା ମୁଣ୍ଡ ଉପରେ ଖସିପଡ଼ିଲା । ସେ ଚାପରେ କ୍ଷିଣାଙ୍ଗୀ ଅଳକା ଚୂର୍ଣ୍ଣ ହୋଇ ଯାଇଥାନ୍ତା । କିନ୍ତୁ ବଳିଷ୍ଠ ଦେହ ଚୁନିଲାଲ ବାଘପରି ଝାମ୍ପି ଅଳକାକୁ ନିଜ ବାହୁ ମଧ୍ୟରେ ଓଗାଳି ରଖିଲା । ଏହି ସମୟରେ ସମୁଦାୟ ଛାତଟି ଦୁହିଁଙ୍କ ଉପରେ ଅଜାଡ଼ି ହୋଇପଡ଼ିଲା ।

 

X X X

 

ମାନ୍ଦ୍ରାଜ ମେଲ୍‌ରୁ ଭବାନୀବାବୁଙ୍କର ପୂର୍ଣ୍ଣ ହେପାଜତରେ ଥାଇ ସୁଦ୍ଧା ଟଙ୍କା ବାକସମାନ ଚୋରି ହୋଇଯିବା ପରେ ପୁଲିସ ସାହେବ ଓ ଜିଲ୍ଲା ମାଜିଷ୍ଟ୍ରେଟ ଏକାବେଳେ ପାଗଳ ପାଲଟିଗଲେ-। ଭବାନୀ ବାବୁଙ୍କର କର୍ମ ଶକ୍ତି ଉପରେ ସେମାନଙ୍କର ବିଶ୍ୱାସ ଏକାବେଳେକେ ତୁଟିଗଲା ।

 

ପ୍ରାଦେଶିକ ପୁଲିସର ଶ୍ରେଷ୍ଠକର୍ତ୍ତା ଆଇ ଜି ସାହେବ ଆଦେଶ କହିଲେ ଯେ ନିଜର ଅକର୍ମଣ୍ୟତା ସ୍ୱୀକାର କରି ଦିଲ୍ଲୀକୁ ତାର କର । ସେଠାର ଆଇ ବି ଚୁନିଲାଲକୁ ଗିରଫଦାର କରିବାର ଶେଷ ଚେଷ୍ଟା କରିବେ ।

 

କିନ୍ତୁ ଭବାନୀବାବୁ ମିନତି କରି ଅନୁରୋଧ କଲେ । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଏହାର ତଦନ୍ତ ମୋତେ କରିବାକୁ ଦିଅନ୍ତୁ ସାର୍ । ତା ପରେ ଦିଲ୍ଲୀକୁ ଟେଲିଗ୍ରାମ କରିବେ ।’’

 

କୌଣସି ଆଶା ନଥିଲେ ମଧ୍ୟ ଆଇ, ଜି, ସାହେବ ଓ ଜିଲା ପୁଲିସ ସାହେବ ଭବାନୀବାବୁଙ୍କ କଥାରେ ସମ୍ମତ ହେଲେ । ଆଇ,ଜି,ସାହେବ ପଚାରିଲେ ‘‘ତଥାପି ତୁମ୍ଭେ ଆଶା ରଖୁଛ ଭବାନୀବାବୁ ?’’

 

‘‘ହଁ ସାର୍‌, ତଥାପି ଆଶା ରଖୁଛି ।’’ ଦୃଢ଼ ସ୍ୱରରେ ଭବାନୀବାବୁ ଜବାବ ଦେଲେ ।

 

ଭବାନୀବାବୁଙ୍କ ତଦନ୍ତ ପ୍ରଣାଳୀ ଆଇ, ଜି, ଓ ପୁଲିସ ସାହେବ ଦେଖିବା ପାଇଁ ଉତ୍କଣ୍ଠିତ ହୋଇ ରହିଲେ । କିନ୍ତୁ ଭବାନୀବାବୁଙ୍କ ତଦନ୍ତରେ ସେପରି କୌଣସି ବିଶେଷତ୍ୱ ଦେଖାଗଲା ନାହିଁ-। ସେ କେବଳ କେତୋଟି ପୁଲିସ ଗାଡ଼ିରେ କେତେକ ବଛା ବଛା ଲୋକଙ୍କୁ ଉପଦେଶ ଦେଇ ସହରର ଚାରିଆଡ଼େ ପେଟ୍ରୋଲ କରିବାକୁ ପଠାଇଲେ ଓ ନିଜେ ପ୍ରଶାନ୍ତ ଭାବରେ ଟେଲିଫୋନ ସାମନାରେ ବସି ରହିଲେ । ଭବାନୀ ବାବୁଙ୍କର ଏପରି ନିଶ୍ଚଳ ପ୍ରଶାନ୍ତ ଭାବ ଦେଖି ଇଉରୋପୀୟ ପୁଲିସ ଅଫିସର ଦୁଇଜଣ ମନେ ମନେ ବିରକ୍ତ ହେଲେ ମଧ୍ୟ—ମୁହଁ ଫିଟାଇ କିଛି କହିଲେ ନାହିଁ । କ୍ରମେ ବେଳ ବୁଡ଼ିବାକୁ ବସିଲା । ଆଇ,ଜି, ସାହେବ ବିରକ୍ତ ହୋଇ ପଚାରିଲେ ‘‘ଏ କିପରି ତଦନ୍ତ ଆପଣଙ୍କର ଭବାନୀବାବୁ ?’’

 

‘‘ବ୍ୟସ୍ତ ହୁଅନ୍ତୁ ନାହିଁ ସାର୍‌, ଆଉ ଅଳ୍ପକ୍ଷଣ ଅପେକ୍ଷା କରନ୍ତୁ ।’’

 

ଏହିପରି କଥା କହୁ କହୁ ହଠାତ୍ ଭାବାନୀବାବୁଙ୍କ ଟେବୁଲ ଉପର ଟେଲିଫୋନ ବାଜି ଉଠିଲା । ଭବାନୀବାବୁ ଆକୁଳ ଆଗ୍ରହରେ ରିସିଭର ଧରି କହିଲେ ‘‘ହଁ, ମୁଁ ଭବାନୀବାବୁ କହୁଛି । ବିଷ୍ପୋରଣ ହୋଇଛି ? ଜମିଦାର ସଚ୍ଚିଦାନନ୍ଦ ବାବୁଙ୍କ ଘରେ ? O.K. ମୁଁ ଏହିକ୍ଷଣି ଯାଉଛି ।’’

 

ରିସିଭର୍‌ ଛାଡ଼ି ଭବାନୀବାବୁ କହି ଉଠିଲେ ‘‘ଚାଲନ୍ତୁ ସାର୍‌, ଚୋର ଧରାପଡ଼ିଛି ।’’

 

ବେଆଇନ ବେଗରେ ପୁଲିସ ମଟର ଧାଇଁ ଚାଲିଲା ଜମିଦାର ସଚ୍ଚିଦାନନ୍ଦଙ୍କ ଘର ଆଡ଼େ । ଆଇ.ଜି. ଏବଂ ପୁଲିସ ସାହେବ କିଛି ବୁଝି ନ ପାରି ଚୁପହୋଇ ମଟରରେ ବସି ରହିଲେ । ସଚ୍ଚିଦାନନ୍ଦଙ୍କ ଅଟ୍ଟାଳିକା ନିକଟକୁ ଆସି ଦେଖିଲେ ଯେ ପୁଲିସ ବାଲା ଓ ବାହାର ଲୋକରେ ସଡ଼କରେ ଭିଡ଼ ହୋଇଛି । ପ୍ରାସାଦର ଗୋଟିଏ କଣରୁ ନିଆଁ ଓ ଧୂଆଁ ଉଠି ଆକାଶ ଅନ୍ଧାର କରି ଦେଇଛି । ଫାୟାର ବିଗ୍ରେଡ଼ (Fire brigade) କର୍ମଚାରୀମାନେ ଭୀଷଣ କାର୍ଯ୍ୟ ବ୍ୟସ୍ତ । ଜଣେ ବିଶିଷ୍ଟ କର୍ମଚାରୀ ଭବାନୀବାବୁଙ୍କ ନିକଟକୁ ଆସି କହିଲେ ‘‘ଆପଣଙ୍କ ଉପଦେଶ ମତେ କାମ ହୋଇଛି ଇନ୍‌ସପେକ୍‌ଟର । ଏହି ଘରେ ବିଷ୍ଫୋରଣ ହେବାର ଖବର ପାଇ ଆମେମାମନ ସଙ୍ଗେ ସଙ୍ଗେ ଘର ଘେରାଉ କରି ଦେଉଛୁ । ଭିତରର ଯେ କୌଣସି ଲୋକ ବାହାରକୁ ଯିବାର ଚେଷ୍ଟା କରିଛି ତାକୁ ଗିରଫଦାର କରାହୋଇଛି । ବାହାରର କୌଣସି ଲୋକ ଭିତରକୁ ଯାଇ ପାରିନାହିଁ । କିନ୍ତୁ ଦୁଃଖର ବିଷୟ ଘରର ମାଲିକ ଏ ପର୍ଯ୍ୟନ୍ତ ବାହାରି ନାହାନ୍ତି ।’’

 

ଆଇ,ଜି, ସାହେବ ଏବେ ଭବାନୀବାବୁଙ୍କୁ ପଚାରିଲେ ‘‘ଏ ସବୁର ଅର୍ଥ କଣ ଭବାନୀବାବୁ ? କାହିଁ ଆପଣଙ୍କର ଦସ୍ୟୁ ଚୁନିଲାଲ ? ଜମିଦାର ସଚ୍ଚିଦାନନ୍ଦଙ୍କ ଘରେ ନିଆଁ ଲାଗିବା ସଙ୍ଗେ ତାର ସମ୍ପର୍କ କଣ ? ଆପଣଙ୍କ ମୁଣ୍ଡ ଠିକ୍‌ ଅଛି ତ ?’’

 

ଭବାନୀବାବୁ କହିଲେ ‘‘କ୍ଷମା କରିବେ ସାର, ମୁଁ ଆପଣଙ୍କୁ ସବୁ କଥା ଏହିକ୍ଷଣି କହୁଛି-। ମୁଁ ଖୁବ୍‌ ହୁସିଆର ଥିଲେ ମଧ୍ୟ ମୋର ଭୟଥିଲା ଅଦ୍ଭୁତ କର୍ମା ଚୁନିଲାଲ ବୋଧହୁଏ ତାର ପ୍ରତିଜ୍ଞା ରକ୍ଷା କରିବ । ମୁଁ ସେଇଥିପାଇଁ କଲିକତା କରେନ୍‌ସି ଅଫିସରଙ୍କ (Currency officer) ସହିତ ଗୁପ୍ତ ପରାମର୍ଶ କରି ଦୁଇଟି ବାକସରେ ଟଙ୍କା ପରିବର୍ତ୍ତରେ ଦୁଇଟି ଟାଇମ୍ ବୋମା (Time Bomb) ରଖିଥିଲି । ତାର ବିଷ୍ଫୋରଣ ଆଜି ୫ଟା ବେଳେ ହେବାର ଥିଲା । ଏଥି ପୂର୍ବରୁ ମୁଁ କୌଣସି କୌଣସି ପ୍ରମାଣ ଉପରେ ନିର୍ଭର କରି ଜାଣି ପାରିଥିଲି ଯେ ଦସ୍ୟୁ ଏହି କଟକ ସହରର କୌଣସି ଅଂଶରେ ଲୁଚି ରହିଛି । ସେଥିପାଇଁ ମୁଁ mobile Police Vehicle ପଠାଇ ବିଷ୍ପୋରଣ ପାଇଁ ଅପେକ୍ଷା କରିଥିଲି । ତା ପର ଘଟଣା ତ ସବୁ ଆପଣ ଜାଣନ୍ତି ।’’

 

ସବୁ ଶୁଣି ଅତି ଆଗ୍ରହରେ ଦୃଷ୍ଟିରେ ଭବାନୀବାବୁଙ୍କ ଆଡ଼େ ଚାହିଁ ଆଇ,ଜି, ପଚାରିଲେ, ‘‘ତେବେ କଣ—’’

 

‘‘—ହଁ ସାର, ଜମିଦାର ସଚ୍ଚିଦାନନ୍ଦ ହେଉଛନ୍ତି ଛଦ୍ମବେଶୀ ଚୁନିଲାଲ ।’’

 

କିଛିକ୍ଷଣ ପରେ ନିଆଁ ଲିଭିଲା । ପୁଲିସ ଦଳ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ । ଅସଲ ସଚ୍ଚିଦାନନ୍ଦ ବନ୍ଦୀ ଅବସ୍ଥାରେ ଥିଲେ । ଦାରୁଣ ଉତ୍ତେଜନା ଫଳରେ ତାଙ୍କର ସମ୍ମୋହନର ଆବେଗ ଦୂର ହୋଇ ସେ ପ୍ରକୃତିସ୍ଥ ହୋଇଥିଲେ । ଭବାନୀବାବୁ ତାଙ୍କୁ ମୁକୁଳେଇ ନିରାପଦ ସ୍ଥାନକୁ ନେଇଗଲେ । ତା ପରେ ସେମାନେ ଅଳକା ଓ ଚୁନିଲାଲକୁ ଖୋଜି ଖୋଜି କୌଣସି ସ୍ଥାନରେ ନପାଇ ଭଙ୍ଗା ଛାତର କଡ଼ ବରଗା ଘୁଞ୍ଚାଇ ଖୋଜିଲେ । କିଛିକ୍ଷଣ ପରେ ଭବାନୀବାବୁ ଦୁଇଟି ମନୁଷ୍ୟ ଦେହ ଭଙ୍ଗା କଡ଼ି ବରଗା ତଳୁ ପାଇଲେ । ଦୁଇଟି ଯାକକୁ ମୃତ ମନେକରି ଭବାନୀବାବୁ ହତାଶ ହେଲେ । ସେମାନଙ୍କ ମଧ୍ୟରୁ ଜଣେ ଦସ୍ୟୁ ଚୁନିଲାଲ । ତାର ମେରୁଦଣ୍ଡ ଚୂର୍ଣ୍ଣ ହୋଇ ତା’ର ମୃତ୍ୟୁ ହୋଇଛି । ଅଗ୍ନି ତେଜରେ ତାର Plastic Surgery ଦ୍ୱାରା ହୋଇଥିବା ଛଦ୍ମବେଶ ଚାଲିଯାଇ ତାର ନିଜରୂପ ଫୁଟି ଉଠିଛି । ଦୁଇଟି ଉନ୍ମୁକ୍ତ ଆଖିରୁ ଯେପରି ସମଗ୍ର ମାନବ ଜାତି ପ୍ରତି ଗୋଟିଏ ଘୃଣାର ଅଗ୍ନି ଫୁଟି ବାହାରୁଛି ।

 

ଅନ୍ୟ ଦେହଟି ଅଳକାର । ସେ ମରିନାହିଁ । ଅଜ୍ଞାନ ହୋଇ ଯାଇଥିଲା । ନିଜର ପ୍ରାଣ ଦେଇ ସାହସୀ ଚୁନିଲାଲ ତାକୁ ବଞ୍ଚାଇଛି । କିଛିକ୍ଷଣ ପରେ ଅଳକାର ଜ୍ଞାନ ହେଲା । ସବୁକଥା ତାର ମନେପଡ଼ିଲା, ଅଦୂରରେ ଚୁନିଲାଲର ମୃତଦେହ ଦେଖି ଗଭୀର ଦୁଃଖରେ ଗୋଟିଏ ଦୀର୍ଘ ନିଶ୍ୱାସ ପକାଇଲା । ଏତେବଡ଼ ଗୋଟାଏ ଉଜ୍ଜ୍ୱଳ ପ୍ରତିଭାର ଏହିପରି ଶୋଚନୀୟ ପରିଣତି ଦେଖି ଅଶ୍ରୁ ଗଦଗଦ ସ୍ୱରରେ ଅଳକା କେବଳ କହିଲା ‘‘ହାୟ, ହୁଏତ ତା ଜୀବନର ଗତି ବଦଳିଥାନ୍ତା ।’’

 

କେହି ଏହାର ଅର୍ଥ ବୁଝିଲେ ନାହିଁ । ଭବାନୀ କେବଳ, ମୃତ ବ୍ୟକ୍ତିର ଦଶ ଆଙ୍ଗୁଠିର ଟିପ ନେଇ ତା ଉପରେ ଖଣ୍ଡେ ଚଦର ଘୋଡ଼ାଇ ଦେଲେ ।

Image